
ଭୁବନେଶ୍ୱର,୭ା୫(ବ୍ୟୁରୋ): ଲକ୍ଡାଉନ୍ରେ ବିଭିନ୍ନ ସ୍ଥାନରେ ହତ୍ୟା ଓ ଆକ୍ରମଣ ଶିକାର ହେଉଛନ୍ତି ବୁଲା ଜୀବଜନ୍ତୁ। ଗତ ଏପ୍ରିଲ୍ ମାସରେ ଭୁବନେଶ୍ୱରରେ ଏପ୍ରିଲ ନାମକ ଏକ କୁକୁର ଓ ତା’ ପେଟରେ ଥିବା ଛୁଆକୁ ପିଟି ପିଟି ହତ୍ୟା କରାଯାଇଥିଲା। ଏପରି ନିଷ୍ଠୁରତା ବିରୋଧରେ ଏବେ ଆରମ୍ଭ ହୋଇଛି ବିଦ୍ରୋହ। ଏକାଠି ହୋଇଛନ୍ତି ପଶୁପ୍ରେମୀ। ଏପ୍ରିଲକୁ ନ୍ୟାୟ ଦେବାକୁ ସାଧାରଣ ଜନତା, ସେଲିବ୍ରିଟି ଏବଂ ଆନିମଲ୍ ଆକ୍ଟିଭିଷ୍ଟମାନେ ଏକାଠି ହୋଇଛନ୍ତି। ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅନୁଭା ସୌର୍ଯ୍ୟା, ଏଲିନା ସାମନ୍ତରାୟ ପ୍ରମୁଖ ସୋସିଆଲ ମିଡ଼ିଆରେ ‘ଜଷ୍ଟିସ୍ ଫର୍ ଏପ୍ରିଲ’ କ୍ୟାମ୍ପେନ୍ରେ ସାମିଲ ହୋଇ ଏପ୍ରିଲକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏପରି କି ସୁଦୂର ବ୍ରିଟେନ୍ ଓ ଆମେରିକାରୁ ଆନିମଲ୍ ଆକ୍ଟିଭିଷ୍ଟମାନେ ଏଥିରେ ସାମିଲ ହୋଇଛନ୍ତି। ଏହାସହ ବୁଲା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ସଚେତନ ହେବାକୁ ସ୍ବର ଉଠାଇଛନ୍ତି। ପ୍ରିଭେନ୍ଶନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସ ଆକ୍ଟ ଆଧାରରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଗତ ମାସ ୨୧ ତାରିଖରେ ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରେ ଦୁଇଜଣ ମହିଳା ଓ ତାଙ୍କ ପଡ଼ୋଶୀ ଏପ୍ରିଲ ନାମକ ଏକ ଗର୍ଭିଣୀ କୁକୁରକୁ ପିଟି ଗୁରୁତର ଅବସ୍ଥାରେ ଅଳିଆ ଗଦାକୁ ଫିଙ୍ଗି ଦେଇଥିଲେ। ଖବର ପାଇ ଏକାମ୍ର ଆନିମଲ୍ ଓ୍ବେଲ୍ଫେୟାର ଟ୍ରଷ୍ଟର ସଦସ୍ୟମାନେ ଉକ୍ତ କୁକୁରକୁ ଉଦ୍ଧାର କରିଥିଲେ ମଧ୍ୟ ବଞ୍ଚାଇ ପାରି ନ ଥିଲେ। ଅସ୍ତ୍ରୋପଚାର ପରେ ଉକ୍ତ କୁକୁର ପେଟରୁ ଦୁଇଟି ଛୁଆଙ୍କୁ ଜୀବିତ ଅବସ୍ଥାରେ ବାହାର କରାଯାଇଥିଲା। ବଞ୍ଚତ୍ବା ପାଇଁ ସଂଘର୍ଷ କରି ଶେଷରେ ୨୮ ତାରିଖରେ ମା’ କୁକୁର ଆଖି ବୁଜିଥିଲା। ଏହାସହ ଦୁଇ କୁକୁର ଛୁଆଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଥିବାବେଳେ ଅନ୍ୟଟିର ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏହି ଘଟଣାକୁ ନେଇ ଆକ୍ରମଣ କରିଥିବା ମହିଳାଙ୍କ ନାମରେ ଆନିମଲ୍ ଓ୍ବେଲ୍ଫେୟାର ଟ୍ରଷ୍ଟ୍ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଟ୍ରଷ୍ଟ ଉଦ୍ବେଗ ପ୍ରକାଶ କରିଛି। ଏ ନେଇ ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କୁହନ୍ତି, ଏଭଳି ଛୋଟ ଘଟଣାରେ ଆମେ କେବଳ ନୋଟିସ ଜାରି କରିପାରିବୁ। କିନ୍ତୁ ଯାହା ନାମରେ ଅଭିଯୋଗ ହୋଇଛି ସେପରି କୌଣସି ମହିଳାଙ୍କୁ ଆମେ ଖୋଜି ପାଉନୁ। ତଥାପି ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ଆଉଏକ କୁକୁରକୁ ହତ୍ୟା କରାଯାଇଥିଲା।