କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ କୂଳରେ ଏବେ ଦେଖିବାକୁ ମିଳିଛି ଅପରୂପ ଶୋଭା। ନଦୀ ତୁଠରେ ଧାଡ଼ି ଧାଡ଼ି ହୋଇ ଫୁଟିଉଠିଛି ଶୁଭ୍ର କାଶତଣ୍ଡି ଫୁଲ। ଦୂରରୁ ଦେଖିଲେ ମନେହେଉଛି, ସତେ ଯେମିତି ନାଗାବଳୀର ବାଲିଚରାରେ କେହି ଧଳା ରୂପେଲି ଚାଦରଟିଏ ବିଛାଇ ଦେଇଛି। ପବନର ତାଳେ ତାଳେ ଝୁଲୁଥିବା ଏହି କାଶତଣ୍ଡି ଫୁଲ କେବଳ ଏକ ଋତୁକାଳୀନ ଦୃଶ୍ୟ ନୁହେଁ, ବରଂ ଧରାପୃଷ୍ଠକୁ ମା’ ଜଗଜ୍ଜନନୀ ଦୁର୍ଗାଙ୍କ ଆଗମନର ଏକ ପବିତ୍ର ସଂକେତ।
ପୌରାଣିକ ବିଶ୍ୱାସ ଅନୁଯାୟୀ, କାଶତଣ୍ଡି ଫୁଲ ଫୁଟିବାମାନେ ପ୍ରକୃତି ନିଜେ ଚାମର ଧରି ମା’ ଦୁର୍ଗତିନାଶିନୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି। ବର୍ଷାର କଳାହାଣ୍ଡିଆ ମେଘ ଦୂରେଇ ଯାଇ ଶରତର ଆଲୋକ ଧରାପୃଷ୍ଠକୁ ଆଲୋକିତ କରିବା ସହ ନାଗାବଳୀର କଳକଳ ନାଦ ସାଙ୍ଗକୁ କାଶତଣ୍ଡିର ଏହି ଶୁଭ୍ର ହସ ଆଗାମୀ ଶାରଦୀୟ ଦୁର୍ଗାପୂଜା ଓ ଦଶହରାର ଆଭାସ ଦେଉଛି। ବେଲକନାର ଏହି ମନୋରମ ପରିବେଶ ଏବେ ସ୍ଥାନୀୟ ଲୋକଙ୍କ ସମେତ ବାଟୋଇମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ପାଲଟିଛି।
ନଦୀକୂଳରେ କାଶତଣ୍ଡିର ନୃତ୍ୟ ଦେଖି ଚାଷୀ ମନରେ ଖୁସିର ଲହରୀ ଖେଳିଯାଇଛି ତ ଅନ୍ୟପଟେ ଗାଁ ଗହଳିରେ ଆରମ୍ଭ ହୋଇଯାଇଛି ପାର୍ବଣର ପ୍ରସ୍ତୁତି। ମାଟିର ବାସ୍ନା ଆଉ ପବନର ଶିହରଣ କହିଦେଉଛି ଧରାବତରଣ କରୁଛନ୍ତି ମା’ ଦଶଭୁଜା, ଶେଷ ହେବାକୁ ଯାଉଛି ଅପେକ୍ଷା।

