
ତାଳଚେର,୮ା୧(ନି.ପ୍ର.)- ତାଳଚେର ବ୍ଲକର ସନ୍ଥପଡ଼ା, ଗୁରୁଜାଙ୍ଗୁଲି ଏବଂ ବନ୍ତୋଲ ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ସହିତ ବହ୍ଲର ଛକଠାରେ ଏକ ଫାଣ୍ଡି ସ୍ଥାପନ ନିମନ୍ତେ ଅଞ୍ଚଳବାସୀ ସୋମବାର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଦାବି କରିଛନ୍ତି। ସେହିପରି ପରଜଙ୍ଗ ନିକଟ ଜଙ୍ଗଲରୁ ଚାଲିଆସୁଥିବା ହାତୀ ତାଳଚେର ଅଞ୍ଚଳରେ କ୍ରମାଗତ ଭାବେ କ୍ଷୟକ୍ଷତି ଘଟାଉଥିବାରୁ ତାହା ରୋକିବା, ବୃଦ୍ଧିପାଉଥିବା ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଉଥିଲେ ବି କିଛି ସୁଫଳ ମିଳୁି ନ ଥିବା ଅଞ୍ଚଳବାସୀ ଜିଲାପାଳଙ୍କୁ ଜଣାଇଛନ୍ତି। ତେଣୁ ହାତୀ ଉପଦ୍ରବରୁ ରକ୍ଷା ନିମନ୍ତେ ବ୍ରାହ୍ମଣୀ ନଦୀ କୂଳରେ ସୋଲାର ଫେନସିଙ୍ଗ କରାଯିବା ଏବଂ ଏନ୍ଟିପିସି/ଟିଟିପିଏସ୍ ଆଶପଣ୍ଡରୁ ଜଙ୍ଗଲ ସଫା କରିବା, ଜାତୀୟ ରାଜପଥର ତାଳଚେର ବାଇପାସ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଓ ବହ୍ଲର ଛକ ଠାରୁ ବ୍ରାହ୍ମଣୀ ବ୍ରିଜ୍ ପର୍ଯ୍ୟନ୍ତ ମରାମତି, ଧୂଳି ରୋକିବାକୁ ଜଳ ସିଞ୍ଚନ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିସହ ତାଳଚେର-ବଅଁରପାଳ ରାସ୍ତାର ବ୍ୟବସାୟିକ ପେଣ୍ଠସ୍ଥଳୀ ବହ୍ଲର ଛକରେ ଆପରାଧିକ କାର୍ଯ୍ୟ ବଢ଼ୁଥିବାରୁ ସେଠାରେ ଫାଣ୍ଡି ସ୍ଥାପନ କରିବାକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଗୁରୁଜାଙ୍ଗୁଲି ସରପଞ୍ଚ ସନ୍ତୋଷ କୁମାର ମହାନ୍ତି, ସନ୍ଥପଡ଼ା ସରପଞ୍ଚ ରୀନା ବେହେରା, ବରିଷ୍ଠ ଭାଜପା ନେତା ରୁଦ୍ର ନାରାୟଣ ପାଣି ପ୍ରମୁଖ ଦାବି କରିଛନ୍ତି। ପୂର୍ବତନ ସମିତିସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ସନ୍ଥପଡ଼ା, ଗୁରୁଜାଙ୍ଗୁଲି ଏବଂ ବନ୍ତୋଲ ପଞ୍ଚାୟତ ଅଧିବାସୀ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।