ଏଜେଣ୍ଟଙ୍କ ଦୁଃଖ

ରୁଦ୍ର ପ୍ରସନ୍ନ ରଥ
ଗତ କିଛି ବର୍ଷ ହେଲା ଦେଶର ପୂର୍ବାଞ୍ଚଳର ରାଜନୀତିକୁ ଚିଟ୍‌ ଫଣ୍ଡ ବେଶ୍‌ ସରଗରମ କରି ରଖିଛି। ଖାସ୍‌ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହଜାର ହଜାର ଲୋକଙ୍କର କୋଟି କୋଟି ଟଙ୍କା ଚିଟ୍‌ ଫଣ୍ଡରେ ଫସିରହିଛି। ଅନେକଙ୍କର କଷ୍ଟଲବ୍ଧ ଧନକୁ ନେଇ ଚିଟ୍‌ ଫଣ୍ଡ କମ୍ପାନୀଗୁଡ଼ିକ ଛୁ’ ମାରିଥିବା ବେଳେ ସାଧାରଣ ଲୋକ ନିଜର ସର୍ବସ୍ବ ହରାଇଛନ୍ତି। କିଏ ଧାନ ଜମି ବିକି ରଖିଥିବା ପଇସାକୁ ଚିଟ୍‌ ଫଣ୍ଡ କମ୍ପାନୀ ହାତକୁ ଟେକିଦେଇଛି ତ ଆଉ କିଏ ଝିଅ ବାହାଘର ପାଇଁ ରଖିଥିବା ଅର୍ଥକୁ ଚିଟ୍‌ ଫଣ୍ଡ କମ୍ପାନୀ ଟାଣିନେଇଛି। ଆଉ କାହାର ଅବସରକାଳୀନ ଅର୍ଥ ଚିଟ୍‌ ଫଣ୍ଡ କମ୍ପାନୀଙ୍କ ଲୋଭିଲା ଆଁ ଭିତରେ ଗଳିଯାଇଛି। ଲୋକମାନେ ପଇସା ଫେରିପାଇବାକୁ ଅନେଇ ରହିଥିବା ବେଳେ ଚିଟ୍‌ ଫଣ୍ଡ କମ୍ପାନୀର ମାଲିକମାନେ ଜେଲରେ ଅଛନ୍ତି।
ଏ ଭିତରେ କିନ୍ତୁ ଆଉ ଦଳେ ଫସିଛନ୍ତି ଯେଉଁମାନେ ଏହିସବୁ କମ୍ପାନୀରେ ଏଜେଣ୍ଟ ହୋଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। କମ୍ପାନୀଗୁଡ଼ିକ ଗାଁରୁ ଅଳ୍ପ ଶିକ୍ଷିତ ଯୁବକ, ଘରୋଇ ମହିଳା କିମ୍ବା ଅବସରପା୍ରପ୍ତ ବ୍ୟକ୍ତିମାନଙ୍କୁ ଏ ନେଇ ଏଜେଣ୍ଟଭାବେ ନିଯୁକ୍ତି ଦେଇଥିଲେ। ଦରମା ୫ରୁ ୭ ହଜାର ସହ ବିଭିନ୍ନ ଭତ୍ତା ଏବଂ ପ୍ରୋତ୍ସାହନ ରାଶିର ଲୋଭ ଦେଖାଇ ଏହି ଏଜେଣ୍ଟମାନଙ୍କୁ ବଳିର ବୋଦା ଭାବେ ବ୍ୟବହାର କରାଯାଇଥିଲା। ଲୋକଙ୍କଠାରୁ ଅଣାଯାଇଥିବା ପଇସା କେଉଁଠି ବିନିଯୋଗ ହେଉଛି, କେମିତି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ଠୁ ଅଧିକ ସୁଧ ଲୋକଙ୍କୁ ଦେବା ସମ୍ଭବ ହେଉଛି, ଚିଟ୍‌ଫଣ୍ଡ ଚଳାଉଥିବା ଅନୁଷ୍ଠାନ କେଉଁ ଆଇନ ବଳରେ ଏହି ବ୍ୟବସାୟ କରୁଛି ତାହା ଏମାନଙ୍କ ପକ୍ଷରେ ବୁଝିବା ସମ୍ଭବ ହୋଇ ନ ଥିଲା। କିଛି ବୁଝିବାକୁ ଚାହିଁ ନ ଥିଲେ ଆଉ କିିଛି ବୁଝିବାକୁ ଚାହିଁଥିଲେ ବି ସେମାନଙ୍କ ଆଖି ଆଗରେ ସ୍ବପ୍ନର ଅଟ୍ଟାଳିକା ଠିଆକରାଇ ଦିଆଯାଇଥିଲା। ଅଧିକ ପଇସାର ଲୋଭ, ବିଦେଶ ଯିବାର ପ୍ରଲୋଭନ ଏବଂ କମ୍‌ ଦିନରେ ବଡ଼ଲୋକ ହେବା ମୋହରେ ଏମାନଙ୍କୁ ଏମିତି ବାନ୍ଧି ଦିଆଯାଇଥିଲା ଯେ ସେମାନେ ଚାହିଁଲେ ବି ସେଥିରୁ ବାହାରିପାରି ନ ଥିଲେ। ଏପରି ଭାବେ କମ୍ପାନୀ ଏହି ଏଜେଣ୍ଟଙ୍କୁ ମାଧ୍ୟମ କରି ବିଭିନ୍ନ ଅଞ୍ଚଳରୁ ଗୋଟାଇ ନେଇଥିଲା କୋଟି କୋଟି ଟଙ୍କା। ଅଧାବୁଝି କାମ କଲେ ଯାହା ହୁଏ ତାହା ହିଁ ହେଲା। କମ୍ପାନୀ ପଇସା ନେଇ ଛୁ’ ମାରିଲା ପରେ ଏଜେଣ୍ଟଙ୍କ ଘର ଆଗରେ ଜମାକାରୀଙ୍କ ଭିଡ଼ ଦେଖାଗଲା। ଜମାକାରୀ ଯଦିଓ ଚିଟ୍‌ ଫଣ୍ଡ ଯୋଜନାର ଲାଭ ଦେଖି ପ୍ରଲୋଭିତ ହୋଇ ପଇସା ଦେଇଥିଲେ, ପଇସା ବୁଡ଼ିଲା ବେଳକୁ ଏଜେଣ୍ଟକୁ ଭରସାକରି ଦେଇଥିଲେ ବୋଲି କହିଲେ। ଅବଶ୍ୟ ଜମାକାରୀଙ୍କ ପାଖରେ ଅନ୍ୟ ବାଟ ନ ଥିଲା। ଅଶିକ୍ଷିତ ଏବଂ ଅଳ୍ପ ଶିକ୍ଷିତ ଜମାକାରୀ ଏଜେଣ୍ଟଙ୍କ ଛଡ଼ା ଆଉ କାହାକୁ ଚିହ୍ନି ନ ଥିଲେ। କମ୍ପାନୀଙ୍କ ଚତୁର ତାଲିମଦାତାମାନେ ଏଜେଣ୍ଟମାନଙ୍କୁ ଏପରି କହିବାକୁ ତାଲିମ ଦେଇଥିଲେ।
ଏହାର ପରବର୍ତ୍ତୀ ଅବସ୍ଥା ଏଜେଣ୍ଟମାନଙ୍କ ପାଇଁ ସତରେ କରୁଣ। ଓଡ଼ିଶାରେ ୨୦ରୁ ଉର୍ଦ୍ଧ୍ୱ ଜମାକାରୀ ଆତ୍ମହତ୍ୟା କରିସାରିଲାବେଳେ ପଶ୍ଚିମବଙ୍ଗରେ ଏହାର ସଂଖ୍ୟା ପଚାଶ ଟପିଲାଣି। ଏବେ ବି ସଂଖ୍ୟାଧିକ ଏଜେଣ୍ଟ ଆତ୍ମଗୋପନ କରିଛନ୍ତି। ଆଉ କିଛି ଏଜେଣ୍ଟ ନିଜ ଘରବାଡ଼ି ବିକି କିସ୍ତି କିସ୍ତି କରି ପଇସା ଫେରାଉଛନ୍ତି। ପୁଣି ଆହୁରି ଅନେକ ଜାଗାରେ ଏଜେଣ୍ଟମାନଙ୍କ ଉପରେ ତୁରନ୍ତ ପଇସା ଫେରାଇବାକୁ ଚାପ ବଢ଼ୁଛି। ପଇସା ଫେରାଇବାକୁ ଯାଇ ଅନେକେ ଏବେ ରୋଗଗ୍ରସ୍ତ। ପଇସା ଫେରାଇ ନ ପାରିବାରୁ ଅନେକେ ବିଚ୍‌ ବଜାରରେ ନିୟମିତ ବେଜିତ୍‌ ହେଉଛନ୍ତି। ଏଥିରେ ଅନେକ ଏଜେଣ୍ଟଙ୍କର ନିଜର ପଇସା ନେଇ କମ୍ପାନୀ ଛୁ ମାରିଛି ବୋଲି କହିଲେ ବି ଲୋକେ ଏକଥା ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏହି ଚାପରେ ଅନେକେ ଏବେ କତରାଲଗା ହୋଇଗଲାଣି। କେତେକ ନିଜ ବିକଳ୍ପ ରୋଜଗାର ଅର୍ଥରୁ କିସ୍ତିରେ ଲୋକଙ୍କୁ ପଇସା ଫେରାଇଲେ ବି ଏହା କମ୍‌ ପଡୁଛି।
ଚିଟ୍‌ ଫଣ୍ଡ କାରବାର ଯୋଗୁ ଅନେକ ଲୋକ ଯେ ବାରଦୁଆର ହେଉଛନ୍ତି ତାହା କହିବାରେ ଦ୍ୱିଧା ନାହିଁ। ମାତ୍ର ଏଜେଣ୍ଟେମାନେ ଯେ ଏଥିରେ ସବୁମତେ ଦାୟୀ ତାହା କହିବା ଭୁଲ୍‌ ହେବ। ଅନେକ ଏଜେଣ୍ଟଙ୍କ ପାଠ ଏତେ କମ୍‌ ଯେ ସେମାନଙ୍କୁ ସବୁ ଜିନିଷ ପ୍ରାଞ୍ଜଳଭାବେ ବୁଝାଇଥିଲେ ଯେ ସେମାନେ ବୁଝିପାରିଥାନ୍ତେ ତା’ କହିବା ସତ୍ୟର ଅପଳାପ ହେବ। ପୁଣି ଏମାନଙ୍କ ଉପରେ ମାସିକ ଜମାକାରୀ ଯୋଗାଡ଼ କରିବାର ଆଗୁଆ ଲକ୍ଷ୍ୟ ଦିଆଯାଉଥିଲା ଯାହାକୁ ପୂରଣ କରି ନ ପାରିଲେ ପାଇଥିବା ସେଇ ଛୋଟିଆ ଚାକିରି ଚାଲିଯିବାର ବି ଭୟ ରହିଥିଲା।
ଏପରି ପରିସ୍ଥିତି ଯେ ଆଗକୁ ନ ଆସିବ ତାହା କହିହେବ ନାହିଁ। ଅଳ୍ପ ପରିଶ୍ରମରେ ଅଧିକ ପଇସା ରୋଜଗାର କରିବାର ନିଶା ଯେପର୍ଯ୍ୟନ୍ତ ମଣିଷ ମନରୁ ନ ଯାଇଛି ସେ ଯାଏ ଚିଟ୍‌ ଫଣ୍ଡ କମ୍ପାନୀ ପରି ଭିନ୍ନ ଭିନ୍ନ ବାଟରେ କମ୍ପାନୀଗୁଡ଼ିକ ବାଟ ଖୋଜି ଚାଲିବେ। ଅଧାବୁଝି କିମ୍ବା ଆଦୌ ନ ବୁଝି କମ୍ପାନୀର କାର୍ଯ୍ୟକୁ ଲାଭଦାୟକ କହି ଗୋଷ୍ଠୀରେ ପ୍ରଚାର ପ୍ରସାର କରୁଥିବା ଏଜେଣ୍ଟମାନେ ହିଁ ଏମାନଙ୍କ ବଳିର ବୋଦା ହେବେ। ଏପରି ସ୍ଥଳରେ ସରକାର ଏହିପରି କମ୍ପାନୀଗୁଡ଼ିକ ଉପରେ ନଜର ରଖିବା ଆବଶ୍ୟକ। ଏଜେଣ୍ଟମାନଙ୍କର ପଞ୍ଜୀକରଣ କରାଯିବା ସହ କମ୍ପାନୀଗୁଡ଼ିକ ଏମାନଙ୍କ ପାଇଁ ସାମାଜିକ ସୁରକ୍ଷା ବନ୍ଦୋବସ୍ତ କରିବା ଆବଶ୍ୟକ। ଆଉ ଲୋକମାନେ ମଧ୍ୟ ଏହିପରି ଏଜେଣ୍ଟମାନଙ୍କ ସହ କାରବାର କରିବା ପୂର୍ବରୁ ନିଜକୁ ସଚେତନ କରିନେବା ଆବଶ୍ୟକ। ଆବଶ୍ୟକତାଠାରୁ ଅଧିକ ଏବଂ ସମୟଠାରୁ ଶୀଘ୍ର ପାଇବାର ଆଶା ସବୁବେଳେ ବିନାଶର କାରଣ ସାଜେ- ଏ କଥାକୁ ଯେଉଁ ବ୍ୟକ୍ତି ବୁଝିଛି ସେ କେବେ ବି ପ୍ରବଞ୍ଚକ କମ୍ପାନୀ ଏବଂ ତା’ ପ୍ରଲୋଭନର ଶିକାର ହେବ ନାହିଁ।
ଧବଳଗିରି, ଯାଜପୁର ରୋଡ୍‌, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri