ଅଶାନ୍ତ ଆମେରିକା

କରୋନା ଭାଇରସ୍‌ରେ ପେଷି ହୋଇଯାଇଥିବା ଆମେରିକାରେ ଏବେ ବର୍ଣ୍ଣବୈଷମ୍ୟ ଅଗ୍ନି ବ୍ୟାପିବାରେ ଲାଗିଛି। ସବୁଆଡ଼େ ‘ଆଇ କ୍ୟାଣ୍ଟ୍‌ ବ୍ରିଦ୍‌‌’ ବା ମୁଁ ନିଃଶ୍ୱାସ ନେଇପାରୁ ନାହିଁ ବୋଲି ପ୍ଲାକାର୍ଡ ଦେଖିବାକୁ ମିଳୁଛି। କୃଷ୍ଣକାୟଙ୍କ ଉପରେ ଶ୍ୱେତାଙ୍ଗ ପୋଲିସର ଆକ୍ରମଣକୁ ନିନ୍ଦା କରି ଦେଶସାରା ଏକ ଭୟଙ୍କର ପ୍ରତିବାଦ ଚାଲିଛି। ଘଟଣାକୁ ଦେଖିଲେ, ୨୫ ମେ’ରେ ମିନୋସୋଟା ରାଜ୍ୟର ମିନିଆପଲିସ୍‌ଠାରେ ପୋଲିସ ବିଭାଗର କେତେଜଣ ଅଧିକାରୀ କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୋୟଡ୍‌ଙ୍କୁ ଗିରଫ କରିଥିଲେ। ଫ୍ଲୋୟଡ୍‌ଙ୍କ ବିରୋଧରେ ୨୦ ଡଲାରର ଏକ ଜାଲ୍‌ ନୋଟ୍‌ ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଡେରେକ୍‌ ମାଇକେଲ ଶଉଭିନ୍‌ ନାମକ ଜଣେ ପୋଲିସ ଅଧିକାରୀ ଫ୍ଲୋୟଡ୍‌ଙ୍କୁ ଶାସ୍ତି ଦେବାକୁ ଯାଇ ଆଣ୍ଠୁରେ ତାଙ୍କ ବେକକୁ ଚାପି ଧରିଥିଲେ। ସେତିକିବେଳେ ଫ୍ଲୋୟଡ୍‌ ବାରମ୍ବାର କହୁଥିଲେ, ମୁଁ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହିଁ, ମୋତେ ହତ୍ୟା କର ନାହିଁ। ଏହା ସତ୍ତ୍ୱେ ୮ ମିନିଟ୍‌ ୪୬ ସେକେଣ୍ଡ ଯାଏ ଡେରେକ୍‌ ଚାପି ରଖିବାରୁ ଫ୍ଲୋୟଡ୍‌ଙ୍କ ମୃତ୍ୟୁ ଘଟିଥିଲା। ଦେଖଣାହାରୀ ଏହି ଦୃଶ୍ୟକୁ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରିଥିଲେ। ଏଭଳି ବର୍ବରତା ବେଳର ଫଟୋ ଭାଇରାଲ ହେବା ପରେ ପୋଲିସ ବିରୋଧୀ ହିଂସା ଉଗ୍ରରୂପ ଧାରଣ କରି ସମଗ୍ର ଆମେରିକାକୁ ଆଚ୍ଛାଦିତ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ଜର୍ଜ ଫ୍ଲୋୟଡଙ୍କ ପୂର୍ବରୁ ଆମେରିକାର ବିଭିନ୍ନ ସ୍ଥାନରେ ପୋଲିସର ବର୍ବରତା ଯୋଗୁ ଅନେକ କୃଷ୍ଣକାୟଙ୍କୁ ହତ୍ୟା କରାଯାଇଛି। ପୋଲିସର ଏଭଳି ଆଭିମୁଖ୍ୟ ଦେଖି ଅନେକ ଗୋରା ଲୋକ ମଧ୍ୟ କୃଷ୍ଣକାୟଙ୍କ ଉପରେ ଅତ୍ୟାଚାର କରିଛନ୍ତି। ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହାର ଅବିକଳ ପ୍ରତିଛବି ନିକଟ ଅତୀତରେ ଭାରତର ସଂଖ୍ୟାଲଘୁ, ଛାତ୍ର ଓ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ ଓ ପୋଲିସ ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ହୋଇଥିବାର ଦେଖାଯାଇଛି।
ବର୍ଣ୍ଣବୈଷମ୍ୟ ବିବାଦ ଆମେରିକାରେ ବହୁବାର ଦେଖାଦେଇଛି। ବାରାକ ଓବାମା ରାଷ୍ଟ୍ରପତି ହେବା ପରେ କଳା ଓ ଗୋରା ଭେଦଭାବଜନିତ ହିଂସା କମ୍‌ ହୋଇଥିଲା। କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶାସନ ସମୟରେ ଅନେକ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରାଯାଇ ନ ଥିବା ଦେଖିବାକୁ ମିଳୁଛି। ଫ୍ଲୋୟଡଙ୍କ ହତ୍ୟା ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଥିବା ସମସ୍ତ ପୋଷ୍ଟିଂକୁ ତନ୍ନତନ୍ନ କରି ଯାଞ୍ଚ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଛନ୍ତି। ଯେତେ ଯାହା ହେଲେ ବି ଟ୍ରମ୍ପ୍‌ଙ୍କ ଶାସନ ସମୟରେ ଅଣଶ୍ୱେତାଙ୍ଗମାନେ ଡରରେ ରହିଛନ୍ତି। କ୍ଷମତାକୁ ଆସିବା ପରେ ଆଗ ଆମେରିକା ବା ଆମେରିକା ଫାଷ୍ଟ ଚିନ୍ତାଧାରା ବିଶ୍ୱକୁ ଭିନ୍ନ ସନ୍ଦେଶ ଦେଇଥିଲା। ଅନ୍ୟପକ୍ଷରେ ନିର୍ବାଚନ ବର୍ଷ ହୋଇଥିଲେ ମଧ୍ୟ ଟ୍ରମ୍ପ୍‌ ନିଜର ଦାମ୍ଭିକତା ରଖୁଥିବା ଦେଖିବାକୁ ମିଳୁଛି। ସମ୍ଭବତଃ କଠୋର ଚିନ୍ତାଧାରା ପୋଷଣ ଆମେରିକୀୟମାନଙ୍କୁ ପ୍ରଭାବିତ କରିବ ବୋଲି ଧରି ନେଇଥାଇପାରନ୍ତି। ଚାଇନା ବିରୋଧରେ ବାଣିଜି୍ୟକ ବିବାଦଠାରୁ ଆରମ୍ଭ କରି ମେକ୍ସିକୋ ପ୍ରାଚୀର ନିର୍ମାଣ ଓ ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ ଭଳି ଦୃଢ଼ ନିଷ୍ପତ୍ତି ତାଙ୍କୁ ତାଙ୍କ ଦେଶରେ ଚର୍ଚ୍ଚିତ କରି ରଖିଛି ବୋଲି କୁହାଯାଉଛି। ଟ୍ରମ୍ପ୍‌ ପୁଣି କ୍ଷମତାକୁ ଆସିଲେ ଆମେରିକାକୁ ସୁହାଇଲା ଭଳି ବହୁ ନିଷ୍ପତ୍ତି ନେଇପାରନ୍ତି ବୋଲି ସମର୍ଥକମାନେ ବିଶ୍ୱାସ ରଖୁଛନ୍ତି । ଏଭଳିସ୍ଥଳେ ଟ୍ରମ୍ପ୍‌ଙ୍କ ଏକଜିଦିଆ ପଦକ୍ଷେପ ଏବେ ଡେମୋକ୍ରାଟିକ୍‌ ପାର୍ଟିର ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କୁ ସୁହାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଲାଣି। ଏବେ ଫ୍ଲୋୟଡ୍‌ଙ୍କୁ ହତ୍ୟା କରାଯିବା କୃଷ୍ଣକାୟଙ୍କ ମନରେ ଟ୍ରମ୍ପ୍‌ ବିରୋଧୀ ମେଳିକୁ ଅଧିକ ଶକ୍ତି ଦେବ ବୋଲି ଚିନ୍ତା କରାଯାଉଛି।
ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ହାଉସ୍‌ରେ ଥିବା ବଙ୍କର ବା ଭୂଗର୍ଭରେ ଥିବା ଘରକୁ ସପରିବାରେ ଟ୍ରମ୍ପ୍‌ ପଳାଇଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କୌତୂହଳ ସୃଷ୍ଟି ହୋଇଥିଲା। ଟ୍ରମ୍ପ୍‌ଙ୍କ ଭଳି ପୃଥିବୀରେ ଥିବା ଅନେକ ନେତା କଠୋର ମନୋଭାବ ପ୍ରଦର୍ଶନ କରି ନିଜ ଦେଶର ଦୁର୍ବଳ ନାଗରିକଙ୍କୁ ଆକର୍ଷିତ କରିଆସୁଛନ୍ତି। ଟ୍ରମ୍ପ୍‌ ଏବେ ଦେଶବ୍ୟାପୀ ପ୍ରତିବାଦକାରୀଙ୍କ ବିରୋଧରେ ସେନା ଲଗାଇବାର ଧମକ ଦେଉଛନ୍ତି। ଏହି ଯୁଗରେ ଟ୍ରମ୍ପ୍‌ଙ୍କ ଭଳି ଅନେକ ନେତା ବିଭିନ୍ନ ଦେଶରେ କ୍ଷମତା ଗାଦିରେ ବସି ନିଜ ନାଗରିକଙ୍କୁ ଅତ୍ୟାଚାର କରିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ଚିନ୍ତାଧାରା ଅନୁଯାୟୀ ଭୋଟ ପାଇବାକୁ ହେଲେ ଘୃଣା, ଭେଦଭାବ ସୃଷ୍ଟି କରିବା ଆବଶ୍ୟକ। ଏହାଦ୍ୱାରା ଦୁର୍ବଳ ମାନସିକତା ଏବଂ ଅଶିକ୍ଷିତ, କିନ୍ତୁ ଅଧିକ ସଂଖ୍ୟକ ଭୋଟରଙ୍କ ସମର୍ଥନ ହାସଲ କରିବା ସହଜ ହେଉଛି। ଟ୍ରମ୍ପ୍‌ଙ୍କୁ ଉଦାହରଣ ଭାବେ ନେଲେ କରୋନା ଭାଇରସ୍‌ ନିୟନ୍ତ୍ରଣରେ ଚରମ ବିଫଳତା ଏବଂ ଏବେକାର ପ୍ରତିବାଦକାରୀଙ୍କୁ ଅତ୍ୟଧିକ ଦମନ କରିବାର ଧମକ ତାଙ୍କର ଆସନ୍ତା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ କେଉଁଭଳି ପ୍ରଭାବ ପକାଇବ ତାକୁ ସମଗ୍ର ପୃଥିବୀ ଅନାଇ ବସିଛି। ଟ୍ରମ୍ପ୍‌ଙ୍କ ସଫଳତା ସେଭଳି ନେତୃତ୍ୱକୁ ଦୀର୍ଘମିଆଦୀ ଜୀବନ ଦେଇପାରେ। ଅନ୍ୟତ୍ର ଏଇବର୍ଷ ଶେଷରେ ହେବାକୁ ଥିବା ନିର୍ବାଚନରେ ଯଦି ଟ୍ରମ୍ପଙ୍କ ପରାଜୟ ଘଟେ, ପୃଥିବୀବ୍ୟାପୀ ସେଭଳି ନେତୃତ୍ୱ ଦୁବର୍ର୍ଳ ହୋଇପାରେ।
ଏବେ ‘ବ୍ଲାକ୍‌ ଲାଇଭ୍‌ସ ମେଟର’ ଲେଖାଥିବା ପ୍ଲାକାର୍ଡ ଧରି କୃଷ୍ଣକାୟ ଆମେରିକୀୟମାନେ ସେଠାକାର ପ୍ରଶାସନ ଓ ପୋଲିସ ବିରୋଧରେ ବିକ୍ଷୋଭ କରିବା ଅର୍ଥ ସେମାନେ ନ୍ୟାୟ ଚାହୁଁଛନ୍ତି। ବିଶ୍ୱର ସର୍ବପୁରାତନ ଗଣତନ୍ତ୍ର ଆମେରିକାରେ କୌଣସି ବର୍ଣ୍ଣ ବା ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇ ବର୍ବରୋଚିତ ଆକ୍ରମଣ କରାଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି। ଅପରପକ୍ଷେ ପୃଥିବୀର ଅନ୍ୟ ଯେକୌଣସି ଦେଶରେ ଯେତେବେଳେ ମାନବ ଅଧିକାର ଉଲ୍ଲଂଘନ ହେଉଥିବାର ଖବର ଶୁଣିବାକୁ ମିଳେ ସେତେବେଳେ ଆମେରିକାର ବିଭିନ୍ନ ସଂସ୍ଥା ଉପରେ ଚାପ ପ୍ରୟୋଗ କରିଥାଆନ୍ତି। ପୃଥିବୀର ଶିକ୍ଷିତ ସମାଜ ନିଶ୍ଚିତ ଭାବେ ଆମେରିକାରେ ଦେଖାଦେଉଥିବା ଘୃଣାଜନିତ ଅପରାଧ ବା ହେଟ୍‌ କ୍ରାଇମ୍‌, କର୍ମସ୍ଥଳୀରେ ପକ୍ଷପାତିତା ଓ ଏବେ କୃଷ୍ଣକାୟଙ୍କ ପ୍ରତି ଅତ୍ୟାଚାର ବନ୍ଦ ହେବା ସପକ୍ଷରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?