ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ
ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ ଖରାପ ଭାବୁନାହିଁ, ଦୋଷ ତ୍ରୁଟି ପାଇଁ ଲୋକେ ତାଙ୍କୁ ବୟକଟ୍‌ କରୁନାହାନ୍ତି! ନିର୍ବାଚନରେ ବିଜୟ ଏକ କ୍ଲିନ୍‌ଚିଟ୍‌। ତେଣୁ ମିଡିଆ ବା ବୁଦ୍ଧିଜୀବୀଙ୍କ ଦାବି ଅନୁସାରେ ଶଂସିତ ନେତା ପ୍ରାୟଶ୍ଚିତ୍ତ କରିବା ପ୍ରଶ୍ନ ଉଠୁନାହିଁ। କେବଳ ଶଂସିତ ବ୍ୟକ୍ତି ଜଣକ ଯଦି ଏମିତି ଭାବୁଥାନ୍ତା ତେବେ ତ ତାଙ୍କୁ ଭୋଟ ଦେଇ ନ ଥିବା ଅର୍ଦ୍ଧଶତାଧିକ ଜନତା ତାଙ୍କ ଅଜ୍ଞତାକୁ କ୍ଷମା କରନ୍ତେ; କିନ୍ତୁ ଦଳର ହାଇକମାଣ୍ଡ ବା ସୁପ୍ରିମୋ ଯେତେବେଳେ ଏ ପ୍ରକାରର ବିଜୟୀ ଅପରାଧୀମାନଙ୍କୁ ଘେନି ସରକାର ଗଢ଼ିବାକୁ ଚେଷ୍ଟା କରନ୍ତି, ଗଣତନ୍ତ୍ର ଧ୍ୱଂସାଭିମୁଖୀ ହେଉଛି ବୋଲି କହିବାକୁ ପଡ଼ିବ।
୨୦୦୯ରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ପାଇଗଲା ପରେ ମନମୋହନ ସିଂଙ୍କ ଭଳି ସଚ୍ଚୋଟ ବ୍ୟକ୍ତି ବି କହିଥିଲେ ଯେ, ନିର୍ବାଚନ ଫଳ ଦର୍ଶାଇଛି କଂଗ୍ରେସ ଦୁର୍ନୀତିଗ୍ରସ୍ତ ନୁହେଁ। ଅର୍ଥାତ୍‌ ଭୋଟରେ ବିଜୟୀ ହେବା ପ୍ରାର୍ଥୀର ଚରିତ୍ର ସମ୍ବନ୍ଧରେ ଏକ କ୍ଲିନ୍‌ଚିଟ୍‌, ଏକ ପ୍ରମାଣପତ୍ର, ତେଣୁ ସେମାନଙ୍କ ସମଷ୍ଟିରେ ଗଠିତ ସରକାର ବି କ୍ଲିନ୍‌ଚିଟ୍‌ ପାଇଛି। କିନ୍ତୁ ନିର୍ବାଚନରେ ବିଜୟୀ ହେବା କ୍ଲିନ୍‌ଚିଟ୍‌ ନୁହେଁ ବୋଲି ହିମାଚଳ ପ୍ରଦେଶ ନିର୍ବାଚନରେ ବିଜୟୀ ହୋଇଥିବା ସ୍ବାଧୀନ ବିଧାୟକ ଗୋପାଳ ଗୋୟଲ କାଣ୍ଡା (୫୩)ଙ୍କ ସମର୍ଥନରେ ଭାଜପା ସରକାର ଗଢିବା ମସୁଧା କରୁଥିବା ଶୁଣି ଅକ୍ଟୋବର ୨୫ରେ ଉମା ଭାରତୀ ଏକ ଟୁଇଟ୍‌ କରିଥିଲେ। ୨୦୦୫ରେ ଏମ୍‌ଡିଏଲ୍‌ଆର୍‌ ଏୟାରଲାଇନ୍ସ ପ୍ରତିଷ୍ଠା କରିଥିବା କାଣ୍ଡା ତାଙ୍କ କମ୍ପାନୀର ଏୟାର୍‌ ହୋଷ୍ଟେସ୍‌ ଗୀତିକା ଶର୍ମାଙ୍କୁ ବଳାତ୍କାର କରିଥିବା ଓ ସେହି କାରଣରୁ ସେ ଆତ୍ମହତ୍ୟା (୨୦୧୨ ଅଗଷ୍ଟ) କରୁଛନ୍ତି ବୋଲି ଗୀତିକା ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଥିଲେ। ଗୀତିକାଙ୍କ ମା’ ବି କାଣ୍ଡାଙ୍କ ଉପରେ ଦୋଷ ଲଦି ଆତ୍ମହତ୍ୟା କରିଥିଲେ। କାଣ୍ଡା ଗିରଫ ହୋଇ ଦେଢ଼ବର୍ଷ ଜେଲ ଜୀବନ କାଟି ଏବେ ବି ଜାମିନରେ ଅଛନ୍ତି। ପ୍ରଥମେ ଗାଁ ସିର୍ସା ନିକଟ ବିଳାସପୁରରେ ଚପଲ ଦୋକାନ କରିଥିବା କାଣ୍ଡା ୧୯୯୦ ଦଶକରେ ରିୟଲ୍‌ ଇଷ୍ଟେଟ୍‌ ଆରମ୍ଭ କଲେ ଏବଂ ୧୯୯୯ରେ ଓମ୍‌ ଚୌତାଲା ମୁଖ୍ୟମନ୍ତ୍ରୀ ହେଲା ପରେ ରାଜନୀତିରେ ପ୍ରବେଶ କଲେ। ସେହି ଦିନଠୁ ତାଙ୍କ ପତିଆରା ବଢ଼ିଲା ଓ ବିମାନ କମ୍ପାନୀ ଗଢିପାରିଲେ। ଏଭଳି ନେତାଙ୍କ ସମର୍ଥନ ନେଇ ସରକାର ଗଢ଼ିବା ଅର୍ଥ ନୈତିକ ମୂଲ୍ୟବୋଧକୁ ଭୁଲିଯିବା ବୋଲି ଭାଜପା ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ୨୦୦୩-୦୪ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଉମା ଭାରତୀ ଟୁଇଟ୍‌ କରିଥିଲେ। ତାଙ୍କ କଥା ଭାଜପା ଶୁଣିଛି।
ମନେ ରଖିବା କଥା ଯେ ଗତ ନିର୍ବାଚନରେ କଂଗ୍ରେସ ଦଳରୁ କେତେକ ନେତା ଭାଜପାରେ ମିଶିଥିଲେ, ସେମାନଙ୍କ ଜିତିବାର ସମ୍ଭାବନା ଉଜ୍ଜ୍ୱଳ ଭାବି ଭାଜପା ମଧ୍ୟ ସେମାନଙ୍କୁ ନେଇଥିଲା। ଟଙ୍କା ହେରଫେର (ମନି ଲଣ୍ଡରିଂ) ମାମଲାରେ ଦିଲ୍ଲୀ ଜେଲରେ ଥିବା କଂଗ୍ରେସ ନେତା ଡି.କେ. ଶିବଶଙ୍କର (୫୭) ଜାମିନରେ ଯାଇ ବାଙ୍ଗାଲୋରରେ ପହଞ୍ଚିବାର କେଇ ଘଣ୍ଟା ଭିତରେ (୨୬ ଅକ୍ଟୋବର) ତାଙ୍କୁ ପ୍ରକାଣ୍ଡ ଶୋଭାଯାତ୍ରାରେ ନିଆଯାଇଥିଲା। ମହୀଶୂରର ଭୋକ୍କାଲିଗା ସମ୍ପ୍ରଦାୟର ଜଣେ ଟାଣୁଆ ନେତା, ଷ୍ଟ୍ରଙ୍ଗ ମ୍ୟାନ୍‌ ଏବଂ କଂଗ୍ରେସ ନେତା ଶିବକୁମାରଙ୍କୁ ଗତ ସେପ୍ଟେମ୍ବର ୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ତିହାର ଜେଲରେ ରଖିଥିଲା, ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କଲା ପରେ ସେ ବାଙ୍ଗାଲୋର ଫେରନ୍ତେ ମହୀଶୂର, ବାଙ୍ଗାଲୋର, ମାଣ୍ଡ୍ୟା ଓ ଆଖପାଖ ଲୋକେ ଫୁଲ, ଫୋଟକା ଓ ବଡ ବଡ ସେଓର ମାଳ ସହ ତାଙ୍କୁ ପାଛୋଟି ନେଇଥିଲେ। ହଜାର ହଜାର ସଂଖ୍ୟାର ଭୋକ୍କାଲିଗା ସମ୍ପ୍ରଦାୟର ଲୋକେ ତାଙ୍କୁ ମୁଣ୍ଡରେ ଟେକି ନେଇଥିଲେ। କନର୍ର୍ାଟକର ପ୍ରାକ୍ତନ ଲୋକାୟୁକ୍ତ ସନ୍ତୋଷ ହେଗ୍‌ଡେ କହିଲେ, ଲୋକେ ଭ୍ରଷ୍ଟାଚାରୀଙ୍କୁ ବୟକଟ୍‌ କରିବେ କ’ଣ ସେମାନଙ୍କୁ ପୂଜା କରୁଛନ୍ତି। ହେଗ୍‌ଡେଙ୍କ ମତରେ ସଚ୍ଚୋଟ ବ୍ୟକ୍ତିଙ୍କ ପୂଜା ଖରାପ ନୁହେଁ, କିନ୍ତୁ ଭ୍ରଷ୍ଟାଚାରୀଙ୍କୁ ପୂଜା କରିବା ଏକ ମସ୍ତବଡ଼ ଭୁଲ। ଏହାକୁ ରାଜନୈତିକ ଦଳମାନେ ଉତ୍ସାହିତ କରୁଛନ୍ତି। ଏମିତିକା ସମାଜକୁ ବଦଳାଇବାକୁ ପଡିବ। ସମାଜରେ ମୂଲ୍ୟବୋଧ ହଜିଯାଉଛି, ତା’ର ପୁନରୁଦ୍ଧାର କରିବାକୁ ପଡିବ, ଲୋକେ ଯେମିତି ସେ ଦିଗରେ କାମ କରନ୍ତି ଦେଖିବାକୁ ପଡିବ।
ଓଡ଼ିଶାର ବିଜେଡି କାହିଁକି ପଛରେ ପଡ଼ିବ? ଭ୍ରଷ୍ଟାଚାରୀ ଏମ୍‌ଏଲ୍‌ଏ ଜେଲରୁ ଜାମିନରେ ଆସିଲେ ବିଜେଡିର କର୍ମୀମାନେ ସେମାନଙ୍କୁ ଫୁଲର ବଡ଼ ବଡ଼ ତୋଡା ଦେଇ ପାଛୋଟି ନିଅନ୍ତି, ସିଏ ତ୍ରିପାଠୀ ହୁଅନ୍ତୁ କି ବିଶ୍ୱାଳ। ବିଜେଡି ଶାସନରେ କେବଳ ବିଧାୟକମାନେ ନୁହନ୍ତି, ଏଠି ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ବି ପଦର ଅପବ୍ୟବହାର କରି ଚିଟ୍‌ଫଣ୍ଡବାଲାଙ୍କୁ ସାହାଯ୍ୟ କରନ୍ତି। ଓଡ଼ିଶାରେ ୪୦ରୁ ବେଶି କମ୍ପାନୀ ଚିଟ୍‌ଫଣ୍ଡ ସ୍କିମ୍‌ ଚଳାଇଛନ୍ତି ବୋଲି ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି, ପ୍ରତି କମ୍ପାନୀରେ ଏକାଧିକ ରାଜନେତା ସମ୍ପୃକ୍ତ।
୧୯୫୦ ଦଶକରେ ଆମ ପିଲା ବେଳର କଥା। ଆମ ଧୋୟା ଅଞ୍ଚଳର ଭେଣ୍ଡିଆ ଯୁବକମାନେ କଲିକତା ପଳାଉଥିଲେ, ସେଠାରେ ଚଟକଳରେ ବା ବଙ୍ଗାଳୀବାବୁଙ୍କ ଘରେ କାମ କରୁଥିଲେ। ସେଠାରୁ କେହି ଯଦି ଝିଅଟିଏ ନେଇ ଗାଁକୁ ଆସୁଥିଲା ଆମ ଗାଁ ଲୋକେ ନାଲିଆଖି ଦେଖାଉଥିଲେ, ଗାଁରେ ପୂରେଇ ଦେଉ ନ ଥିଲେ। ଯୁବକଟିର ପରିବାର ଏକ ପ୍ରକାର ବାସନ୍ଦର ସାମନା କରୁଥିଲା। କାହାର ଧନ କି ଝିଅ ଲୁଚାଇ ନେଇ ଆସିବା ଏକ ଅନୈତିକ କାରବାର, ଏକ ପାପ ବୋଲି ଗାଁ ଲୋକେ କହୁଥିଲେ। ନୈତିକତାର ଖିଅ ଏତେ ଟାଣ ଥିଲା ଯେ ଯୁବକକୁ ତ ଗାଁରେ ପୂରେଇ ଦେଉ ନ ଥିଲେ, ତା’ ପରିବାରକୁ ରୋକଠୋକ୍‌ କହୁଥିଲେ ଗାଁକୁ ବଦନାମ କରୁଥିବା ଟୋକାଙ୍କୁ ଜାଗା ଦେବେ ନାହିଁ। ଏବେ ନୈତିକତାର ସଂଜ୍ଞା ବଦଳିଗଲାଣି। ଚୋର, ଡାକୁ, ଲମ୍ପଟ, ଠକ ଭଳି ଲୋକଙ୍କ ଅନୁଗାମୀ ସଂଖ୍ୟା ଖୁବ୍‌ ବଢୁଛି। ଟଙ୍କା ନୈତିକତାର ମାନଦଣ୍ଡ ହୋଇଗଲାଣି। ନିର୍ବାଚନରେ ବିଜୟୀ ହେବା କ୍ଲିନ୍‌ଚିଟ୍‌ ବୋଲି ପ୍ରତ୍ୟେକ ରାଜନୈତିକ ଦଳ ଓ ଦଳର ସଦସ୍ୟମାନେ ଭାବୁଛନ୍ତି। ଏହି ଚିଟ୍‌ ପାଇବା ପାଇଁ ଦଳ ବେଶ୍‌ କିଛି କଳାଧନ ଖର୍ଚ୍ଚ କରି ସମାଜକୁ କଳୁଷିତ କରୁଛି। ହର୍ଷଦ ମେହେଟ୍ଟା କାଳରୁ ଶେୟାର କିଣି ନିଜ ସ୍ତ୍ରୀଙ୍କୁ ଆୟକର ବିଭାଗର ଓକିଲ କରାଇ ଥିବା ଚିଦାମ୍ବରମ୍‌ ଏବେ ପୁଅ କାର୍ତ୍ତିଙ୍କୁ ଆଇଏନ୍‌ଏକ୍ସ ମିଡିଆର ପରୋକ୍ଷ ଲାଞ୍ଚ ନେବା ମାମଲାରେ ଉସୁକାଇଥିବା ଓ ନିଜ ଅଫିସ୍‌ର ଅପବ୍ୟବହାର କରିଥିବା ଦୋଷରେ ଚିଦାମ୍ବରମ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରି ଜେଲ୍‌ ପଠାଇବା ଘଟଣାକୁ କଂଗ୍ରେସ ରାଜନୈତିକ ଅଭିସନ୍ଧି କହୁଛି; ରାଜନୈତିକ ଦଳମାନଙ୍କ ମାନସିକତା କେତେ ତଳକୁ ଗଲାଣି ତାହା ଦର୍ଶାଉଛି। କିନ୍ତୁ ଲୋକେ ବି ଧର୍ମ ଆଳରେ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଉଛନ୍ତି। ହରିୟାଣାରେ ଭାଜପା କମ୍‌ ଭୋଟ୍‌ ପାଇବାର ଏକ କାରଣ ସଚ୍ଚାସୌଦା ଗୁରୁ ଯୌନ ଅପରାଧରେ ଜେଲ୍‌ ଯାଇଥିବା ବୋଲି କୁହାଯାଉଛି। ଆମ ରାଜ୍ୟର ଦୁଇଜଣ ନାରୀଭୋଗୀ ତଥା ଧନଠୁଳକାରୀ ଭଣ୍ଡ ଗୁରୁ ସନ୍ତୋଷ ରାଉଳ (ସାରଥିବାବା) ଏବଂ ସୁରେନ୍ଦ୍ରନାଥ ମିଶ୍ର (ସୁରବାବା)ଙ୍କ ପଛରେ କେତେ ନେତା ଥିଲେ କିଏ ନ ଜାଣିଛି! ମୁନି, ଋଷିଙ୍କ ଦେଶ ଭାରତ ଏବେ ମୁନି, ଋଷିବେଶଧାରୀ ଠକ ଓ ଦୁରାଚାରୀମାନଙ୍କ ଦେଶ ହୋଇଗଲାଣି ଏବଂ ରାଜନୈତିକ ନେତାମାନେ ସେମାନଙ୍କୁ ହାତ କରି ସେମାନଙ୍କ ଅନୁଗତମାନଙ୍କ ଭୋଟ ହାତେଇବା ବେଳେ ଭାବୁନାହାନ୍ତି ଯେ, ଭୋଟ ସଂଖ୍ୟା ବଢ଼ାଇବା ଆଶାରେ ସେମାନେ ମିଛ ବାବାମାନଙ୍କୁ ନିର୍ବାଚନୀ କଳରେ ସାମିଲ କରିଦେଉଛନ୍ତି। ତାହା ଗଣତନ୍ତ୍ରକୁ ଧ୍ୱଂସାଭିମୁଖୀ କରୁଛି।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?