ସମ୍ପାଦକୀୟ/ଭାବିଚିନ୍ତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ୨୪ ଅକ୍ଟୋବରରେ ପ୍ରକାଶ ପାଇବା ପରେ ଇତିମଧ୍ୟରେ ୧୮ ଦିନ ଅତିକ୍ରମ କରିସାରିଲାଣି। ଏପରି କି ଗତ ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଗଲାଣି। ତଥାପି ସେଠାରେ ସରକାର ଗଠନ ହୋଇପାରୁନାହିଁ। ଏହାର ମୂଳ ଗଣ୍ଠିଟି ରହିଛି ମୁଖ୍ୟମନ୍ତ୍ରୀ ଆସନକୁ ନେଇ। ଭାଜପା ଓ ତା’ର ସହଯୋଗୀ ଭାବେ ଦୀର୍ଘବର୍ଷ ଧରି ସମ୍ପର୍କରେ ରହିଆସିଥିବା ଶିବସେନା ମଧ୍ୟରେ ଏହି ପଦବୀକୁ ନେଇ ଟଣାଓଟରା ଚାଲିଥିବାରୁ ସରକାର ଗଠନ ଲାଗି ସମୟ ଘୁଞ୍ଚିଚାଲିଛି। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ୧୦୫ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଶିବସେନା ୫୬ ଆସନ ଅକ୍ତିଆର କରିଥିବା ବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସ ଯଥାକ୍ରମେ ୫୪ ଓ ୪୪ ଆସନ ଧରି ବସିଛନ୍ତି। ଆସନ ସଂଖ୍ୟାକୁ ଦେଖି ରାଜ୍ୟପାଳ ଭାଜପାକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ ମଧ୍ୟ ଦଳ ନିଜର ଅକ୍ଷମତା ପ୍ରକାଶ କରିଦେଇଛି। ଅନ୍ୟପକ୍ଷରେ ଶିବସେନା ସରକାର ଗଠନ ଲାଗି ପାଗ ଭିଡ଼ିଛି। ତାହାକୁ ସମର୍ଥନ କରିବା ଲାଗି କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ଆଲୋଚନା ଚାଲିଥିବା ଶୁଣିିବାକୁ ମିଳିଛି। ୧୧ ନଭେମ୍ବରରେ ଭାରି ଉଦ୍ୟୋଗ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ ତଥା ଶିବସେନା ନେତା ଅରବିନ୍ଦ ସାଓ୍ବନ୍ତ ଏନ୍‌ଡିଏ ସରକାରରୁ ଇସ୍ତଫା ଦେଇଛନ୍ତି। ଏହିସବୁ ରାଜନୈତିକ ସ୍ଥିତିକୁ ଦେଖିଲେ ଶିବସେନା ସରକାର ଗଢ଼ିପାରେ।
ଦିଲ୍ଲୀର କେତେକ ମହଲରେ ଗୁଜବ ଉଠିଥିଲା ଯେ, ୨୦୨୯ ସାଧାରଣ ନିର୍ବାଚନ ପାଇଁ ଉଭୟ ଅମିତ ଶାହ ଓ ଦେବେନ୍ଦ୍ର ଫଡ୍‌ନବିସ ପ୍ରଧାନମନ୍ତ୍ରୀ ପଦବୀକୁ ଆଖିରେ ରଖିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଫଡ୍‌ନବିସଙ୍କୁ ଏବେଠାରୁ ଦୌଡ଼ରୁ ବିଦା କରିଦେବା ସକାଶେ ଏହା ହେଉଛି ଭାଜପାର ଆଭ୍ୟନ୍ତରୀଣ ରାଜନୀତି। ବିଶେଷକରି ମହାରାଷ୍ଟ୍ର ଭଳି ଧନୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଲଗାତର ଦୁଇ ଥର ରହିଥିଲେ ଫଡ୍‌ନବିସଙ୍କ ସର୍ବୋଚ୍ଚ ଆସନ ପାଇଁ ଦାବି ଶକ୍ତିଶାଳୀ ହୋଇଥାଆନ୍ତା।
ଭାଜପା ସହ ଶିବସେନାର ମନୋମାଳିନ୍ୟ ଯୋଗୁ ନିର୍ବାଚନରେ ବିପକ୍ଷରେ ଲଢ଼ୁଥିବା ଏନ୍‌ସିପି ଓ କଂଗ୍ରେସ ଏବେ ସରକାର ଗଠନ ପ୍ରକ୍ରିୟାର ଅଂଶୀଦାର ହେବାକୁ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ କଂଗ୍ରେସ ବିଧାୟକ ଦଳର ମଧ୍ୟବର୍ତ୍ତିକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଶିବସେନାକୁ ସମର୍ଥନ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସରକାର ଗଠନ ନେଇ ଆଲୋଚନା କରିବାକୁ ଆଗେଇ ଆସିଛନ୍ତି। କୁହାଯାଉଛି, ଯଦି ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୁଏ, ତେବେ ଉଦ୍ଧବଙ୍କ ପୁତ୍ର ତଥା ପ୍ରଥମ ଥର ବିଧାୟକ ହୋଇଥିବା ୨୯ ବର୍ଷୀୟ ଆଦିତ୍ୟ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ସହ ଦୀର୍ଘବର୍ଷର ସମ୍ପର୍କ ତୁଟାଇ ଆଦିତ୍ୟ ସରକାରର ମଙ୍ଗ ଧରିଲେ ସେଠାକାର ରାଜନୀତି କିଭଳି ରୂପ ଧାରଣ କରିବ ତାହା ବୁଝିବା କଷ୍ଟକର ନୁହେଁ। କନିଷ୍ଠ ଠାକ୍‌ରେଙ୍କ ନେତୃତ୍ୱ ନିଶ୍ଚିତ ଭାବେ ମହାରାଷ୍ଟ୍ରରେ ଏକ ଯୁବପିଢ଼ିର ଶାସନ ଆଣିପାରିବ। ମାତ୍ର ଭାରତୀୟ ରାଜନୀତିର ଇତିହାସ ଦେଖିଲେ କ୍ଷମତାସର୍ବସ୍ବ ଚିନ୍ତାଧାରା ସ୍ଥିର ସରକାର ଦେବାରେ ଅନେକ ସମୟରେ ବିଫଳ ହୋଇଛି। ନିକଟ ଅତୀତକୁ ଦେଖିଲେ କର୍ନାଟକରେ କମ୍‌ ଆସନ ପାଇ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)ର ନେତା ଏଚ୍‌. ଡି. କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ସକାଶେ କଂଗ୍ରେସ କୁମାରସ୍ବାମୀଙ୍କୁ ସମର୍ଥନ ଦେଇଥିଲା। ହେଲେ ଉକ୍ତ ମେଣ୍ଟକୁ ୧୫ ମାସ ପୂରିଲା ନାହିଁ। କର୍ନାଟକ ନାଟକକୁ ଲକ୍ଷ୍ୟ କରି ବିଶେଷଜ୍ଞମାନେ ମତ ରଖୁଛନ୍ତି ଯେ, ମହାରାଷ୍ଟ୍ରରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ସରକାର ନିମନ୍ତେ ବିପଦ ସୃଷ୍ଟି କରିପାରେ। କିନ୍ତୁ କର୍ନାଟକ ଓ ମହାରାଷ୍ଟ୍ର ବିଧାନସଭା ଆସନ ମଧ୍ୟରେ ବିରାଟ ସଂଖ୍ୟାଗତ ତଫାତ୍‌ ରହିଛି। କର୍ନାଟକ ବିଧାନସଭା ଲାଗି ନିର୍ବାଚନ ହୋଇଥିବା ୨୨୪ ଆସନରୁ ଭାଜପା ୧୦୫ ଆସନ ଜିତିଥିଲା। ସେଠାରେ କୁହୁକ ନମ୍ବର ଥିଲା ୧୧୩। ସରକାର ଗଢ଼ିବା ଲାଗି ଭାଜପାର ମାତ୍ର ୮ ଆସନ କମ୍‌ ରହିଥିଲା। ଭାଜପା ପରବର୍ତ୍ତୀ ସମୟରେ କଂଗ୍ରେସର କିଛି ବିଧାୟକଙ୍କୁ ହାତ କରିବାରୁ କୁମାରସ୍ବାମୀ ସରକାରଙ୍କ ପତନ ଘଟିଥିଲା। କିନ୍ତୁ ମହାରାଷ୍ଟ୍ରର ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପାର ୧୦୫ ବିଧାୟକ ଅଛନ୍ତି। ସେଠାରେ ମ୍ୟାଜିକ୍‌ ନମ୍ବର ୧୪୫। ତଦନୁଯାୟୀ ଦେଖିଲେ ସରକାର ଗଢ଼ିବା ପାଇଁ ଭାଜପାର ସର୍ବନିମ୍ନ ୪୦ ବିଧାୟକଙ୍କୁ କିଣିବାକୁ ପଡ଼ିବ। ଏହି କିଣାବିକାରେ ଶିବସେନା କିମ୍ବା ଏନ୍‌ସିପି ବିଧାୟକ ଶିକାର ହେବେ ବୋଲି ବିଶ୍ୱାସ ହେଉନାହିଁ। ଅପରପକ୍ଷରେ ଦୁର୍ବଳ କଂଗ୍ରେସର ନୂଆ ବିଧାନସଭାରେ ମୋଟ ୪୪ ଆସନ ଥିବାବେଳେ ଏତେସଂଖ୍ୟକ ବିଧାୟକ ପଟ ପରିବର୍ତ୍ତନ କରିବା କଷ୍ଟକର ହୋଇପାରେ। ମାତ୍ର ଆଜିର ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ ବୋଲି ବାରମ୍ବାର ପ୍ରମାଣିତ ହେଉଛି। ଆଉ ଏକ ବିଷୟକୁ ଦେଖିଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଓ ଶିବସେନା ୫୦-୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦ ଭାଗ କରାଯିବ ବୋଲି ଦୁଇ ଦଳ ସ୍ଥିର କରିଥିଲେ। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମିଛ କହୁଛନ୍ତି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅନ୍ୟପକ୍ଷରେ ଉଦ୍ଧବ ମିଛୁଆ ନୁହନ୍ତି କହି ଭାଜପାକୁ ସମାଲୋଚନା କରିଛନ୍ତି। ଫଳରେ ଦୁଇ ଦଳ ମଧ୍ୟରେ ତିକ୍ତତା ଦେଖାଦେବାରୁ ନିର୍ବାଚନ ପୂର୍ବର ବନ୍ଧୁତା ଏବେ ଶତ୍ରୁତାରେ ପରିଣତ ହୋଇଯାଇଛି ବୋଲି କୁହାଯାଉଛି।
ବର୍ତ୍ତମାନ ଦେଶ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତିକରୁଛି। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ହେଉଛି ଦେଶର ବାଣିଜ୍ୟ ରାଜଧାନୀ। ସେଠାରେ ଅସ୍ଥିର ସରକାର ଗଢ଼ିଉଠିଲେ, ଦେଶକୁ କ୍ଷତି। ଏଭଳି ଏକ ରାଜନୈତିକ ଓ ଅର୍ଥନୈତିକ ସଙ୍କଟଜନକ ପରିବେଶରେ ଯିଏ ଯାହା ସାଥିରେ ମିଶି ସରକାର ଗଢ଼ନ୍ତୁ ପଛେ, କାର୍ଯ୍ୟକାଳ ପୂର୍ଣ୍ଣ କରିବା ଉଚିତ। ଆଜିର ବାତାବରଣରେ କୌଣସି ସ୍ଥାନରେ ମେଣ୍ଟ ସରକାର ପ୍ରତି କେତେକ ଲୋକଙ୍କ ଅସହିଷ୍ଣୁଭାବ ରହୁଛି। ସେଭଳି ଚିନ୍ତାଧାରା ଗଣତନ୍ତ୍ର ପାଇଁ ମାରାତ୍ମକ। ତେଣୁ ନୂଆ ସରକାରରେ ଅଂଶୀଦାର ହେବାକୁ ଚାହୁଁଥିବା ରାଜନୈତିକ ଦଳଗୁଡ଼ିକ ଭାବିଚିନ୍ତି ନିଷ୍ପତ୍ତି ନେବା ଜରୁରୀ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?