ଓଡ଼ିଶାରେ ପୂର୍ବସୂରୀ ସ୍ମରଣ

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ପୂର୍ବସୂରୀ ସ୍ମରଣ ହେଉଛି ସଭ୍ୟତା ଓ ସଂସ୍କୃତିର ପରିମାପକ। କିନ୍ତୁ ଓଡ଼ିଶାରେ ବହୁ ଐତିହାସିକ ପ୍ରବାଦପୁରୁଷ ବିସ୍ମୃତ ହେବାକୁ ବସିଲେଣି। ଯେଉଁ କେତେ ଜଣଙ୍କର ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ ହେଉଛି ତାହା କେବଳ ଲୋକଦେଖାଣିଆ। ଏହା ପାଳନ ନାମରେ ଆପଣାକୁ ପ୍ରତିଷ୍ଠିତ କରିବାର ମନୋବୃତ୍ତି ରହୁଛି। ଅନେକ ସ୍ଥଳରେ ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ପାଳନ ରାଜନୈତିକ ରୂପରେଖ ନେଇ ବିବାଦାସ୍ପଦ ହେଉଛି।
ପବିତ୍ର ଓଡ଼ିଶା ଭୂମିରେ ଅଗଣିତ ସନ୍ଥ ଓ ମହାମନୀଷୀ ଜନ୍ମ ନେଇ ଏହି ଭୂଖଣ୍ଡକୁ ଗୌରବୋଜ୍ଜ୍ୱଳ କରିଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ପାଳନ ହେଉଥିଲେ ହେଁ ଅନେକେ ବିସ୍ମୃତ। ଏ ମାଟିରେ ଜନ୍ମ ନେଇଥିବା ମହାମେଘବାହନ ଐର ଖାରବେଳ, ପଣ୍ଡିତ ବିଷ୍ଣୁଶର୍ମା, ପ୍ରଥମ ବୌଦ୍ଧ ଭିକ୍ଷୁ ତପସୁ ଓ ଭଲ୍ଲିକ, ବୌଦ୍ଧ ସାଧକ ଅନଙ୍ଗ ବଜ୍ର, ତଦୀୟ ଶିଷ୍ୟ ଇନ୍ଦ୍ରଭୂତି, ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବ, ସାଧିକା ଲକ୍ଷ୍ମୀଙ୍କରା, ଶାନ୍ତ ରକ୍ଷିତ, ଶୁଭାକର ଦେବ, ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦ, ନାଟ୍ୟକାର ମୁରାରି ମିଶ୍ର, ଗଜପତି କପିଳେନ୍ଦ୍ର ଦେବ, ମହାମହୋପାଧ୍ୟାୟ କୃଷ୍ଣ ମିଶ୍ର, ଆଳଙ୍କାରିକ ବିଶ୍ୱନାଥ କବିରାଜ, ପଣ୍ଡିତ ପୁରୁଷୋତ୍ତମ, ରାୟ ରାମାନନ୍ଦ, କବିଚନ୍ଦ୍ର ଦିବାକର, କବିଡିଣ୍ଡିମ ଜୀବଦେବାଚାର୍ଯ୍ୟ, ଆଳଙ୍କାରିକ ବିଦ୍ୟାଧର, ପଣ୍ଡିତ ଚିନ୍ତାମଣି ମିଶ୍ର, କବି ବିଶ୍ୱନାଥ ଖୁଣ୍ଟିଆ, ରାଜା କୃଷ୍ଣ ସିଂହ, ବକୁଳକବି ଭୁବନେଶ୍ୱର ମିଶ୍ର, ସରସ୍ବତୀ ଦାମୋଦର ମିଶ୍ର, ପଣ୍ଡିତ ରତ୍ନାକର ଗର୍ଗବଟୁ, ପ୍ରଫେସର ଜୟକୃଷ୍ଣ ମିଶ୍ର, କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ, ପ୍ରଫେସର ଗୋଲୋକ ବିହାରୀ ଧଳ, ପ୍ରତ୍ନତତ୍ତ୍ୱବିତ୍‌ ପରମାନନ୍ଦ ଆଚାର୍ଯ୍ୟ, ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ବିନାୟକ ମିଶ୍ର, ସତ୍ୟନାରାୟଣ ରାଜଗୁରୁ, ଆଚାର୍ଯ୍ୟ ହରିହର ଦାଶ, ସରଳାଦେବୀ, ବ୍ରଜସୁନ୍ଦର ଦାସ ଆଦି ପ୍ରବାଦପୁରୁଷଙ୍କର କୌଣସି ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ପାଳନ କରାଯାଏ ନାହିଁ। ମହାକବି ଜୟଦେବଙ୍କ ବ୍ୟତୀତ ଅନ୍ୟ କାହାର କାବ୍ୟକୃତିକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା କରିବାକୁ ଚେଷ୍ଟା ମଧ୍ୟ କରାଯାଇନାହିଁ। ଓଡ଼ିଶାରେ ଜନ୍ମିଥିବା ଅନେକ ସନ୍ଥ ଭାରତୀୟ ସନ୍ଥ ସମାଜରେ ଯଥାଯୋଗ୍ୟ ଆସନ ପାଇନାହାନ୍ତି। ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଦାନ ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣନ୍ତି।
ଯେଉଁ କେତେଜଣ କବି, ସନ୍ଥ ଓ ମନୀଷୀଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ପାଳନ କରାଯାଏ ତାହା କେବଳ ଲୋକଦେଖାଣିଆ। ଓଡ଼ିଶା ସାହିତ୍ୟ ଏକାଡେମୀ ନିଜର ସୀମିତ ସମ୍ବଳ ଭିତରେ ଚତୁର୍ଦ୍ଦଶ ଶତାବ୍ଦୀର ଭାଷ୍ୟକାର ଜଗଦ୍‌ଗୁରୁ ଶ୍ରୀଧରସ୍ବାମୀଙ୍କଠାରୁ ଆରମ୍ଭ କରି ଆଧୁନିକ ଯୁଗର ବହୁ କବିକୋବିଦଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ପାଳନ କରୁଥିଲେ ହେଁ ଅନେକ ପ୍ରଥିତଯଶା କବି ଓ ଲେଖକ ବିସ୍ମୃତ। ଏପରିକି ସାରଳାଙ୍କ ପୂର୍ବବର୍ତ୍ତୀ ଚର୍ଯ୍ୟାଗୀତିକାର ବୃନ୍ଦ, ନାଥ ସାହିତ୍ୟ ସ୍ରଷ୍ଟାଗଣ, ବତ୍ସାଦାସ ପ୍ରମୁଖ ସମ୍ପୂର୍ଣ୍ଣ ବିସ୍ମୃତ। ରାୟ ରାମାନନ୍ଦ, କୃଷ୍ଣସିଂହ, ନୀଳମଣି ବିଦ୍ୟାରତ୍ନ, ପଣ୍ଡିତ ଗୋବିନ୍ଦ ରଥ, କୃଷ୍ଣପ୍ରସାଦ ବସୁ, ଭାଗୀରଥି ମହାପାତ୍ର, ପଣ୍ଡିତ ଭୁବନେଶ୍ୱର ମିଶ୍ର, ପଣ୍ଡିତ ଦାମୋଦର ମିଶ୍ର, କବି ଦାମୋଦର ପଟ୍ଟନାୟକ, କବୀ ସୁଲକ୍ଷଣା, ପଣ୍ଡିତ ଚକ୍ରଧର ଦାଶ, ସରଳା ଦେବୀ, ଗୋଲୋକବିହାରୀ ଧଳ ଆଦିଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ଓଡ଼ିଶା ସାହିତ୍ୟ ଏକାଡେମୀ ପାଳନ କରେ ନାହିଁ। ଏକାଡେମୀ ଯେତିକି ଜୟନ୍ତୀ ପାଳନ କରୁଛି ସେଥିରେ ସ୍ଥାନୀୟ ଲେଖକ, ବୁଦ୍ଧିଜୀବୀ ଓ ସର୍ବସାଧାରଣ ସହଯୋଗ କରନ୍ତି ନାହିଁ। ସଭିଏଁ ଚାହାନ୍ତି ଆମେ ଅତିଥି ବା ବକ୍ତା ହେବୁ। ଏପରି ସ୍ଥିତିରେ ସେମାନେ ସମାନ୍ତରାଳ ଭାବରେ ଅନ୍ୟ ଗୋଟିଏ ଜୟନ୍ତୀ କରନ୍ତି। ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ତାଙ୍କ ଜନ୍ମମାଟି ବାଲେଶ୍ୱରରେ ଅନେକ ସ୍ଥାନରେ ପାଳନ କରାଯାଏ। ଗଣକବି ବୈଷ୍ଣବ ପାଣିଙ୍କୁ ଜୀବିତାବସ୍ଥାରେ ଗାଁରୁ ତଡି ଦିଆଗଲା ଏବଂ ମୃତ୍ୟୁ ପରେ ମଧ୍ୟ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଗଲା ନାହିଁ। ଅଥଚ ସମ୍ପ୍ରତି ତାଙ୍କ ଜୟନ୍ତୀ ପାଳନ ନିମିତ୍ତ ବିଭିନ୍ନ ଗୋଷ୍ଠୀ ତତ୍ପର। ଛଅଟି ଭାଷାରେ କାବ୍ୟକବିତା ଲେଖିଥିବା କବି ବ୍ରଜନାଥ ବଡ଼ଜେନା ଦୁଃଖ ଓ ଦାରିଦ୍ର୍ୟରେ କାଳାତିପାତ କରି ଢେଙ୍କାନାଳ ରାଜାଙ୍କ ଦ୍ୱାରା ଲାଞ୍ଛିତ ଓ ଅପମାନିତ ହୋଇ ପୁରୀରେ ଶେଷନିଃଶ୍ୱାସ ତ୍ୟାଗ କଲେ। ତାଙ୍କ ଜନ୍ମସ୍ଥାନ ଢେଙ୍କାନାଳରେ ଏକାଡେମୀ ଜୟନ୍ତୀ ପାଳନ ଉତ୍ସବରେ ବିଶେଷ ବ୍ୟକ୍ତି ଯୋଗ ଦିଅନ୍ତି ନାହିଁ। ଏପରିକି ଗୋଟିଏ ସଂସ୍ଥା ସମାନ୍ତରାଳ ଭାବରେ ଅନ୍ୟ ଗୋଟିଏ ଉତ୍ସବ ପାଳନ କରନ୍ତି। ବାମଣ୍ଡାକୁ ବୁଧହଂସ କେଳିସରରେ ପରିଣତ କରିଥିବା ରାଜା ସାର୍‌ ବାସୁଦେବ ସୁଢଳଦେବଙ୍କ ଜୟନ୍ତୀରେ ମାତ୍ର କୋଡିଏ ଜଣ ଲୋକ ଉପସ୍ଥିତ ରହନ୍ତି। ଅନ୍ୟାନ୍ୟ ବହୁ କବିକୋବିଦଙ୍କ ଜୟନ୍ତୀ ମଧ୍ୟ ବିବାଦାସ୍ପଦ।
ସୂଚନା ଓ ଲୋକସମ୍ପର୍କ ବିଭାଗ କେତେକ ପ୍ରବାଦପୁରୁଷଙ୍କର ଜୟନ୍ତୀ ପାଳନ କରନ୍ତି ଏବଂ ପ୍ରତ୍ୟେକ ଜୟନ୍ତୀରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। କିନ୍ତୁ ମଞ୍ଚରେ ଯେତିକି ଲୋକ ଉପସ୍ଥିତ ରହନ୍ତି ତଳେ ପ୍ରାୟ ସେତିକି ବା ତା’ଠାରୁ ସାମାନ୍ୟ ଅଧିକ। ବିଭାଗ ବକ୍ତା ଓ ଅତିଥି ଚୟନରେ ମଧ୍ୟ ଚିହ୍ନାଜଣା ଲୋକଙ୍କୁ ଚୟନ କରିଥାନ୍ତି, ଯେଉଁମାନେ ସଂପୃକ୍ତ ପ୍ରବାଦପୁରୁଷଙ୍କ କୃତି ଓ କୀର୍ତ୍ତି ସମ୍ପର୍କରେ ଅନଭିଜ୍ଞ। ଏହି ବିଭାଗ ମଧ୍ୟ ବହୁ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ପାଳନ କରୁନାହାନ୍ତି। ତାପଙ୍ଗ ଦଳବେହେରା, କୃତ୍ତିବାସ ପାଟ୍ଟଶାଣୀ, ବାଲିଆ ଜମିଦାର ରାମକୃଷ୍ଣ ସାମନ୍ତସିଂହାର, ଉଦ୍ଦନ୍ତ ସାଏ, ବଳରାମ ସିଂହ, ରତନା ନାଏକ, ରାଜକୃଷ୍ଣ ବୋଷ, ଗୌରାଙ୍ଗ ଚରଣ ଦାସ, ବାଞ୍ଛାନିଧି ମହାନ୍ତି, ଲକ୍ଷ୍ମୀନାରାୟଣ ମିଶ୍ର, ଗୋକୁଳ ଚନ୍ଦ୍ର ରାୟଚୂଡାମଣି, ସୁରେନ୍ଦ୍ରନାଥ ଦାସ, ଗଡ଼ଜାତ ଗାନ୍ଧୀ, ସାରଙ୍ଗଧର ଦାସ, ଘନଶ୍ୟାମ ପାଣିଗ୍ରାହୀ, ମହେଶ ଚନ୍ଦ୍ର ସୁବାହୁସିଂହ, ବ୍ରଜକିଶୋର ଧଳ, ସତ୍ୟବାଦୀ ମିଶ୍ର, କୈଳାସ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ସାହୁ, ବ୍ରଜସୁନ୍ଦର ଦାସ, ସୁରେନ୍ଦ୍ରନାଥ ଦ୍ୱିବେଦୀ ପ୍ରମୁଖ ସଂଗ୍ରାମୀଙ୍କର ଜୟନ୍ତୀ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଳନ କରନ୍ତି ନାହିଁ। ଏହା ବ୍ୟତୀତ ଅନେକ ପ୍ରବାଦପୁରୁଷ ଅଛନ୍ତି, ସ୍ଥାନାଭାବରୁ ସେମାନଙ୍କ ନାମ ଉଲ୍ଲେଖ କରି ହେଉନାହିଁ।
ସଂକ୍ଷେପରେ ଉଲ୍ଲେଖ କଲେ, ଓଡ଼ିଶାରେ ପୂର୍ବସୂରୀ ସ୍ମରଣ ପ୍ରାୟତଃ ବହ୍ବାରମ୍ଭେ ଲଘୁକ୍ରିୟା ସଦୃଶ ହୋଇ ପ୍ରହସନରେ ପରିଣତ ହେଲାଣି। ଅନେକ ଜୀବିତ ପ୍ରତିଭା ଦୁଃଖରେ ଦିନ କାଟନ୍ତି। ପଦପଦବୀ ବା ପ୍ରତିପତ୍ତି ନ ଥିବାରୁ ସେମାନେ ପ୍ରତିଭାବନ୍ତ ହେଲେ ମଧ୍ୟ ଉପେକ୍ଷିତ ହୁଅନ୍ତି। ସ୍ବର୍ଗୀୟ ବ୍ରଜନାଥ ବଡ଼ଜେନା, ବିମ୍ବାଧର ବର୍ମା, ଗୋପାଳ କାନୁନଗୋଙ୍କ ସଦୃଶ ଅନେକ ପ୍ରତିଭା ଦାରିଦ୍ର୍ୟ ମଧ୍ୟରେ ପ୍ରାଣତ୍ୟାଗ କଲେ। ପୂର୍ବସୂରୀଙ୍କ ସ୍ମରଣ ଆମର ଜାତୀୟ କର୍ତ୍ତବ୍ୟ ହେବା ଉଚିତ।
ଢେଙ୍କାନାଳ, ମୋ-୮୮୯୫୨୩୦୭୨୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri