ଇଏ କ’ଣ ସତରେ ଗପ

ସୁଧାକର ଦାସ
ଏବେ ଦିନେ ସକାଳୁ ଇଚ୍ଛା ହେଲା, ଘରେ ଚା’ ନ ପିଇ ଛକ ଦୋକାନରେ ଚା’ ପିଇବାକୁ। ଏମିତିରେ ଶୀତୁଆ ସକାଳର କଅଁଳ ଖରାର ମୋହ ବି ଟିକେ ଥିଲା। ଚା’ ଦୋକାନରେ ଆଗରେ ଚାରି ପାଞ୍ଚଟି ଛୋଟବଡ଼ ମୋଟର ସାଇକେଲ, ସ୍ବାଭାବିକ କୋଳାହଳ। ଚା’ ଦୋକାନ ବେଞ୍ଚ ଉପରେ ତିନି ଚାରି ଜଣ ଯୁବକ ଚାରି କପ ଚା’ ଆଉ ଦୁଇଟି ସିଗାରେଟକୁ ଭାଗବାଣ୍ଟ କରି ସକାଳ ଚା’ର ମଜା ନେଉଥା’ନ୍ତି। ମୁଁ ଟିକେ ସିଗାରେଟ ଧୂଆଁ ସହି ପାରେନି। ବେଶି ଦୋକାନ ଭିତରକୁ ନ ପଶି ବାହାରୁ କହିଲି ଆରେ ବାବୁ ଟିକେ ଚା’ ଦେବ? କାଚ ଗ୍ଲାସ୍‌ରେ ଦେବ। ମୋ ପାଟି ଶୁଣି ଜଣେ ଯୁବକ ହଠାତ୍‌ ସିଗାରେଟ ଲୁଚେଇ ଦେଇ ଧୀରେ ସେଠୁ ଉଠିଗଲା ଚା’ ଦୋକାନ ପଛ ଆଡକୁ। କିଏ ବୋଧେ ଚିହ୍ନାଜଣା ହୋଇଥିବ ଏମିତି ଭାବି ମୁଁ ଚା’ ଦୋକାନୀକୁ ଅନେଇଲି, ହେଲେ ଚା’ ଦୋକାନୀ ଟିକେ ଅନ୍ୟମନସ୍କ ଥିବା ଭଳି ମତେ ଲାଗିଲା। ମୁଁ କହିଲି- କ’ଣ ଚା’ ସରିଗଲା ନା କ’ଣ? ସେ କହିଲା ନାଇଁ ଆଜ୍ଞା, କାଚ ଗ୍ଲାସ୍‌ ନାହିଁ ତ… ଏଇ ପେପର୍‌ ଗ୍ଲାସ୍‌ରେ ପିଇବେ? କଅଁଳ ଖରାର ମୋହରେ ମୋ ପାଟିରୁ ବାହାରିଗଲା, ହଁ ଦିଅ ଦିଅ ଚଳିବ। ସତରେ ଚା’ଟା ବହୁତ ଟେଷ୍ଟି ଥିଲା। ମୁଁ ଆଉ ଟିକେ ଖରାକୁ ଚାଲିଆସିଲି। ଏତିକିବେଳେ ମୋଟର ସାଇକେଲରେ ଆସି ଦୁଇଜଣ ଓହ୍ଲେଇଲେ। ଯୁବକଦ୍ୱୟ ପ୍ରାୟ ସମବୟସ୍କ। ସେମାନେ ସିଆଡୁ ଗୋଟେ କ’ଣ ଗୁରୁତର କଥା ବୋଧେ ଆଲୋଚନା କରି କରି ଆସୁଥିଲେ। ଦୁହିଁଙ୍କ ମୁହଁରେ ଥିଲା ଆଶଙ୍କା ଓ ବ୍ୟସ୍ତତା। ଚା’ ପାଇଁ ଅର୍ଡର ଦେଇ ଦୁହେଁ ଆସି ଠିଆ ହେଲେ ମୋଟର ସାଇକେଲ ପାଖରେ।
ଜଣେ ଆଉ ଜଣଙ୍କୁ କହୁଥାଏ ଆରେ ସେ ସବୁ କଥାକୁ ମାଇଣ୍ଡ୍‌ କଲେ ଆଜିକା ଦିନରେ ବଞ୍ଚି ହବନି, ହେଇ ହେଇ କ’ଣ ହେବ? ଜେଲ ଜରିମାନା ହବ, ଖବରକାଗଜରେ ଫଟୋ ବାହାରିବ, ଗୋଟେ ଦି’ଟା ଟିଭି ଚାନେଲରେ ଖବର ଆସିବ, ଏୟା ତ? ତୁ କ’ଣ ନରସିମା ରାଓଠୁ ବଡ? ଜୟଲଳିତାଠୁ ବଡ? ସଞ୍ଜୟ ଦତ୍ତଠୁ ବଡ? ଭାଇ ଚା’ଟା ନିଅ, ଚା’ ଦୋକାନୀର ଡାକରେ ବୁଝଉଥିବା ପିଲାଟି ଗଲା ଚା’ ଆଣିବାକୁ। ଶୁଣୁଥିବା ପିଲାଟି ପକେଟରୁ ମୋବାଇଲ ଫୋନ ବାହାର କରି ଗୋଟେ କ’ଣ ମେସେଜ ପଢିଲା।
ବୁଝଉଥିବା ପିଲାଟି ଦୁଇ ହାତରେ ଦୁଇଟା ଚା’ ଧରି ଆସି ସେଥିରୁ ଗୋଟିଏ ତା’ ସାଙ୍ଗ ହାତକୁ ବଢେଇ ଦଉ ଦଉ କହିଲା- କିଏ ଦେଇଛି ମେସେଜ? ହିମାଂଶୁ? ଆରେ କାହା କଥା ଶୁଣିବା ଦରକାର ନାହିଁ। ପାଞ୍ଚ କୋଟି ଆସୁଛି ମାନେ ଆଗେ ପକେଟକୁ ନେଇ ନେବାର ଅଛି, ଯାହା ହବ ଦେଖାଯିବ। କେତେ ଏମିତି ଖର୍ଚ୍ଚ ହେବ ବେଲରେ? ବାହାରି ଆସିବା ପରେ, ଲାଇଫ୍‌ ବନିଯିବ। ନୀତିବାଣୀ ସମସ୍ତେ ଦେବେ। ମାସ ଚାରି ଛ’ଟା ଭିତରେ ରହି ବାହାରି ଆସିବା ପରେ ଥାଇଲାଣ୍ଡ କି ବ୍ୟାଙ୍କକକୁ ଗୋଟେ ୧୫ ଦିନିଆ ଟୁର୍‌ରେ ଯାଇ ମସାଜ ଫସାଜ ନେଇ ଫେରିଆସିବା ପରେ ପୂରା ଚାଙ୍ଗା… ସେତେବେଳକୁ ସବୁ ହିଷ୍ଟ୍ରି ହେଇଯାଇଥିବ… ତା’ପରେ ତ ଜିଓ ମେରେ ଭାଇ…। ଏଥର ସବୁ ଶୁଣୁଥିବା ପିଲାଟା ମୁହଁରେ ମୋତେ ଗଭୀର ଆତ୍ମବିଶ୍ୱାସ ଆଉ ଅହେତୁକ ଉଲ୍ଲାସ ଦିଶିଗଲା। ସେ ଚା’ କପ୍‌ଟା ଫୋପାଡି ଦେଇ ପକେଟରୁ ଗୋଟେ ସିଗାରେଟ ବାହାର କରି ଦୁଇ ଦମ୍‌ ଖୁବ୍‌ ଜୋରରେ ଟାଣିଲା। ସିଗାରେଟ ମୁହଁର ନିଆଁ ଯୋଉ ପ୍ରକୋପରେ ଜଳୁଥିଲା ମତେ ଲାଗିଲା ସେଇ ପ୍ରଚଣ୍ଡତାରେ ଜଳି ଯାଉଛି ଆଦର୍ଶ, ନୀତି, ମୂଲ୍ୟବୋଧ। ପିଲାଟା ମୁହଁରେ କିଛି ଗୋଟେ ସିଦ୍ଧାନ୍ତରେ ପହଞ୍ଚି ଯାଇଥିବାର ତୃପ୍ତି ମୁଁ ଦେଖିପାରୁଥିଲି। ତା’ପରେ ବୁଝଉଥିବା ପିଲାଟି ଦୁମ୍‌କିନା ଆସି ମୋଟର ସାଇକେଲ ପଛରେ ବସି ପାଟି ଭିତରକୁ ମେଞ୍ଚେ ଗୁଟକା ଝାଡି ଦେଇ କହିଲା- ଚାଲ ଚାଲ, ଟେନ୍‌ସନ ନେ’ ନା। ଗୋଟାଏ ମିନିଟ ଭିତରେ ଦୁହେଁ ଅଦୃଶ୍ୟ ହେଇଗଲେ। ମୁଁ ଚା’ କପ୍‌ଟା ଡଷ୍ଟବିନକୁ ପକେଇବାକୁ ବୁଲିବା ବେଳକୁ, ଟିକେ ଆଗରୁ ହାତରେ ସିଗାରେଟ ଲୁଚେଇ ଦୋକାନ ପଛ ପଟେ ଲୁଚି ଯାଇଥିବା ପିଲାଟି ମୋ’ ସାମ୍ନାକୁ ଆସି ମତେ ନମସ୍କାର କଲା, କହିଲା ମତେ ଜାଣିପାରିଲେ? ମୁଁ ଅଜୟ ମିଶ୍ରଙ୍କ ପୁଅ, ତଳତେଲେଙ୍ଗା ବଜାର…। ମୋ ପାଟିରୁ ବାହାରି ଆସିଲା- ଆରେ… ଆଚ୍ଛା ଆଚ୍ଛା। ତମ ପାଠପଢା ସରିଲାଣି? କ’ଣ କରୁଛ ଏବେ? ସେ ନିହାତି ନମ୍ର ଭାବରେ ଉତ୍ତର ଦେଲା, କିଛି କରୁନି ଆଜ୍ଞା। ଏଇ ଏମିତି କିଛି ଲେଖାଲେଖି। ବିଭିନ୍ନ ଜାଗାକୁ ଆସି ଲୋକଚରିତ୍ର ନିରୀକ୍ଷଣ କରିବା ମୋର କାମ। ଏବେ ତ ସେଇଆ କରୁଥିଲି। ଆପଣ ଦେଖିବେ ଏଇ ଯୋଉ ଦୁଇଟି ଚରିତ୍ରକୁ ଆପଣ ଦଶ ମିନିଟ ଧରି ଅନୁଧ୍ୟାନ କରୁଥିଲେ, ସେମାନଙ୍କୁ ଆଉ ଆପଣଙ୍କୁ ନେଇ ଗୋଟେ ସୁନ୍ଦର ଗପ ମୋର ବାହାରିବ ଅଳ୍ପଦିନ ଭିତରେ କୋଉ ଖବରକାଗଜ କି ମାଗାଜିନରେ। ଓଃ, ବହୁତ ଭଲ କଥା, ତୁମ ବାପା ଅଜୟ ବି ବହୁତ ଭଲ ଲେଖାଲେଖି କରେ। ହେଲେ ତମେ ବାବା କ’ଣ ଏ ପିଲା ଦୁଇଜଣଙ୍କୁ ଜାଣ, ଯିଏ କ’ଣ ପାଞ୍ଚ କୋଟି ଟଙ୍କାର ରିସ୍କ ନେବେ କହୁଥିଲେ? ମୋ ପ୍ରଶ୍ନ ଶୁଣି ଅଜୟ ପୁଅ କହିଲା, ସେଇଟା ତ ମୋ’ କାହାଣୀର ରୋମାଞ୍ଚକର କଥା ହେବ। ଯୋଉ ପିଲାଟି ମୋଟର ସାଇକେଲ ଉପରେ ବସି କେବଳ ଶୁଣି ଚାଲିଥିଲା ସେ ହେଉଛି ଅବସର ନେଇଥିବା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଜଣେ ପ୍ରଧାନଶିକ୍ଷକଙ୍କ ସାନପୁଅ ଆଉ ଯିଏ କହୁଥିଲା, ସେ ହେଉଛି ଜଣେ ପୂର୍ବତନ ବିଚାରପତିଙ୍କ ନାତି ଏବଂ ଜଣେ ନାମୀଦାମୀ ଲୋକଙ୍କ ପୁଅ। ସୁନ୍ଦର ଗପଟିଏ ହେବ ନା ଆଜ୍ଞା? ମୁଁ କ’ଣ କହିବି, ମୋ’ ମୁହଁରେ ଶବ୍ଦ ନ ଥିଲା। ସେତେବେଳକୁ ଖରାଟା ବି ଟାଣ ହେଇ ଆସିଥିଲା। ଫେରିଲା ବେଳେ ଭାବୁଥିଲି ସତରେ- ମହତେ ଯାହା ଆଚରିବେ, ଇତରେ ତାହା ହିଁ କରିବେ।
ସ୍ବାହା, କେନାଲ ରୋଡ, ଛତ୍ର ବଜାର, କଟକ, ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri