ଆମ ଗ୍ୟାରେଣ୍ଟି

ଡ. ଦ୍ୱିତୀ ଚନ୍ଦ୍ର ସାହୁ

ଜିନିଷର ଗ୍ୟାରେଣ୍ଟି ନାହିଁ ତ ଗ୍ରାହକ ମୁହଁ ଫେରାଇବ। ଉପତ୍ାଦର ଗୁଣବତ୍ତାକୁ ନେଇ ଗ୍ରାହକ ମନରେ ସଂଶୟ ସୃଷ୍ଟି ହେବା ସ୍ବାଭାବିକ। ସେଥିପାଇଁ କମ୍ପାନୀମାନେ ନିଜ ଦ୍ରବ୍ୟର ଗ୍ୟାରେଣ୍ଟି ଓ ଓ୍ବାରେଣ୍ଟି ଉପରେ ଜୋର ଦେଇ କୁହନ୍ତି। ସେଇ ଦିଗରେ କମ୍ପାନୀମାନେ ବିଜ୍ଞାପନ ଜରିଆରେ ପ୍ରଚାର ଓ ପ୍ରସାର କରନ୍ତି। କିଣିଲାବେଳେ ଦ୍ରବ୍ୟ ସହ ଗ୍ୟାରେଣ୍ଟି କାର୍ଡ ମଧ୍ୟ ଦିଅନ୍ତି। କିନ୍ତୁ ସଚରାଚର ଦୁନିଆରେ ମଣିଷର ଗ୍ୟାରେଣ୍ଟି କିଛି ନାହିଁ। ଅନେକ ଲୋକଙ୍କ କହିବା କଥା ହେଲା ଆଜିର ମଣିଷ କାଲିକୁ ନାହିଁ। ସେ ଗ୍ୟାରେଣ୍ଟିିରୁ କ’ଣ ମିଳିବ। ଏମିତିରେ ମଣିଷ ନିଜ ପ୍ରତିଜ୍ଞାକୁ ଭଙ୍ଗ କରି ଦେଇପାରେ ସହଜରେ। କାରଣ ଦୁନିଆରେ ମଣିଷ ସବୁଠୁ ଅବିଶ୍ୱାସୀ ପ୍ରାଣୀ। ତଥାପି ମଣିଷ ଗ୍ୟାରେଣ୍ଟି ପଛରେ ପାଗଳ। ପହିଲେ ଗ୍ୟାରେଣ୍ଟି ଖୋଜେ, ତା’ପରେ ଟଙ୍କାଟିଏ ଖର୍ଚ୍ଚ କରିବାକୁ ଇଚ୍ଛା କରେ। ବିନିଯୋଗର ପ୍ରତିବଦଳରେ ଫେରସ୍ତରେ କ’ଣ ସବୁ ମିଳିବାର ସମ୍ଭାବନା ରହିଛି ତାକୁ ଟିକିନିଖି ପରଖିଥାଏ। ସେହି ଅନୁସାରେ ମଣିଷ ନିଜର ସୁବିଧା ମୁତାବକ ବିନିଯୋଗ, ବିନିମୟ ଓ ବିତରଣ କରେ। ଏମିତିରେ ଚଳିତ ନିର୍ବାଚନର ସବୁଠାରୁ ବଡ଼ ସ୍ଲୋଗାନ ହେଉଛି ଦଳର ଗ୍ୟାରେଣ୍ଟି। ଗୋଟିଏ ଜାତୀୟ ଦଳ ଲୋକଙ୍କ ମିଜାଜକୁ ପଢ଼ି ଇସ୍ତାହାରକୁ ଗ୍ୟାରେଣ୍ଟିିରେ ରୂପାନ୍ତରିତ କଲା। ଭାଷଣ ଓ ପ୍ରଚାର ପ୍ରସାରରେ ଏଇ ଗ୍ୟାରେଣ୍ଟିିକୁ ଏମିତି ବ୍ୟବହାର କଲା ଯେ ତାହା ସ୍ଲୋଗାନ ହୋଇଗଲା। ଏହାର ପ୍ରଭାବ ଦେଖି ଅନ୍ୟ ଜାତୀୟ ଦଳ ଓ ଆଞ୍ଚଳିକ ଦଳ ମଧ୍ୟ ଭୋଟରଙ୍କୁ ଗ୍ୟାରେଣ୍ଟି ଦେବାକୁ ପଛେଇଲେନି। ସେମାନେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଗ୍ୟାରେଣ୍ଟି ପରେ ଗ୍ୟାରେଣ୍ଟି ଦେଲେ। ଦଳ ଓ ନେତାମାନଙ୍କ ଗ୍ୟାରେଣ୍ଟି କମ୍ପାନୀର ଗ୍ୟାରେଣ୍ଟି ଭଳି ଆସ୍ଥାବାନ ହୋଇପାରିବ ନା ମଣିଷର ପ୍ରତିଶ୍ରୁତି ଭଳି ପାଣି ଫୋଟକା ପରି ମିଳେଇଯିବ ତାହା ଆଗାମୀ ସମୟ କହିବ। ଏହି ସମୟ ମଧ୍ୟରେ ଆଉ କିଛି ଗ୍ୟାରେଣ୍ଟି ହୃଦୟକୁ ଛୁଇଁଲା ଭଳି ଲାଗିଲା। ତଳେ ଉଲ୍ଲେଖିତ ନିଆରା ଗ୍ୟାରେଣ୍ଟିି ହୁଏତ ଆପଣଙ୍କୁ ବି ଛୁଇଁପାରିବ।
କଥା କ’ଣ କି? ଏଥର ନିର୍ବାଚନ ଦାୟିତ୍ୱରେ ଜିଲାର ଏକ ଦୁର୍ଗମ ଅଞ୍ଚଳକୁ ଯିବାକୁ ପଡ଼ିଥିଲା। ନଁା ତା’ର ରଘୁବାରୀ। ଏକଦା ଅତି ମାଓବାଦୀପ୍ରବଣ ଇଲାକା ଭାବେ ପରିଚିତି ଥିଲା। ଭୟ ଓ ଆତଙ୍କର ଇଲାକା ଥିଲା। ଦୁଇଟି ପୋଲିଂ ଦଳକୁ ଗୋଟେ ଛୋଟ ମିନି ବସ୍‌ ମିଳିଥିଲା। ରାୟଗଡ଼ାରୁ ୧୦୦ କିଲୋମିଟର ଗଲା ପରେ ମୁଖ୍ୟ ରାସ୍ତା ଛାଡୁ ଛାଡୁ ଗାଡ଼ି ଦୋଳି ଖେଳିଲା ଭଳି ଚାଲିଲା। କିଛି ସମୟ ପରେ ସାପ ମୋଡ଼ି ହେଲା ଭଳି ରାସ୍ତା। ଦି ପଟ ପାହାଡ଼ ଓ ଜଙ୍ଗଲ। ରାସ୍ତା ନାଆକୁ ମାତ୍ର। ପିଚୁ ସବୁ ଖାଇଯାଇଛି। ରାସ୍ତା ସାରା ଖାଲଖମା। ଗଁ ଗଁ କରି ଘାଟି ଚଢ଼ି ତଳକୁ ଖସିଲା ପରେ ଦିଶିଲା ଏକ ଉପତ୍ୟକା ଭଳି ଅଞ୍ଚଳ। ଚାରିପଟେ ପାହାଡ଼ ଘେରି ରହିଛି। ତାରି ଭିତରେ କିଛି ଗାଁ। ପାହାଡ଼ ଶୀର୍ଷରେ ଅନ୍ୟ ପଟକୁ ଓହ୍ଲାଇ ଆମକୁ ଆଉ ଟିକେ ଭିତରକୁ ଯିବାକୁ ପଡ଼ିଲା। ସାଥିରେ ଥିଲେ ସ୍ଥାନୀୟ ଶିକ୍ଷକ ତଥା ବିଏଲ୍‌ଓ ପବିତ୍ରବାବୁ। ବୁଥ୍‌ ଭାବେ ନିର୍ଦ୍ଧାରିତ ବିଦ୍ୟାଳୟ କୋଠରି ଭିତରେ ଭୋଟ ମେଶିନ ଇତ୍ୟାଦି ଭରି କରିଦେଲା ପରେ ଆଶ୍ୱସ୍ତି ମିଳିଲା। ତା’ପରେ କେନ୍ଦ୍ରର ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା। ପ୍ରବଳ ଗରମ ହେତୁ ବିଦ୍ୟାଳୟ ଛାତ ତଳେ ରହିବା ସମ୍ଭବ ନ ଥିଲା। ବିଦ୍ୟାଳୟ ପଛପଟେ ବିରାଟ ଆମ୍ବତୋଟା। ସେଠାକୁ ଯିବାକୁ ଉଚିତ ମଣିଲୁ। ଗଛରେ ହଳଦିଆ ରଙ୍ଗର ଦେଶୀ ଆମ୍ବ ସବୁ ଝୁଲୁଛି। ପାଚିଲା ଆମ୍ବର ବାସ୍ନା ଓ ଝୁଲୁଥିବା ଆମ୍ବର ସଂଖ୍ୟାକୁ ଦେଖି ପାଟିର ଲାଳସାକୁ ରୋକି ହେଲାନି। ଆମେ ଇଚ୍ଛା କରିବାରୁ ସେମାନେ ଉଦାର ହୃଦୟରେ କହିଲେ – ‘କିଛି ନାଇଁ ଆଜ୍ଞା! ଖାଅ।’ ତାପରେ ଝାମ୍ପି ପଡ଼ିଲୁ। ବୁଲି ବୁଲି ଖାଇଲୁ ଆମ୍ବ। ତାରି ଭିତରେ ମୁଁ ପଚାରିଲି -‘ଏତେ ବଡ଼ ତୋଟା କାହାର।’ ଜଣେ ସ୍ତ୍ରୀ ଲୋକ କହିଲା – ‘ଏଇଟା ଆମର ଆଜ୍ଞା!’ ମୁଁ ଚକିତ ହୋଇ ପଚାରିଲି – ‘ହେଲେ ଏତେ ଜଣ ନେଉଛନ୍ତି ଯେ!’ ସ୍ତ୍ରୀ ଲୋକଟି ହସିଲା ଓ କହିଲା – ‘ଆମର ସେମିତି କିଛି ନାଇ ଆଜ୍ଞା। ଆମର ତୋଟା ହେଲେ ମିଶା କିସ ହୋଇଗଲା। ଗଛର ଫଳ ଏ ଗାଁ ଲୋକଙ୍କର! ଯିଏ ଯେତେବେଳେ ଆସିଲା ଝଡ଼ିବା ଫଳକୁ ନେଇପାରିବ। କିନ୍ତୁ ଗଛ ଚଢ଼ିପାରିବେନି କି ତୋଳିପାରିବେନି କେହି।‘ ସୁନ୍ଦର ନିୟମ। ଅବିଶ୍ୱସନୀୟ ଗଣତନ୍ତ୍ର। ଚକିତ ହେଲି। ଗାଁ ଚାରିପଟେ ଏମିତି ବହୁତ ଆମ୍ବ ତୋଟା ପ୍ରକୃତିର ଦାନ। ସେଥିରୁ ମିଳୁଥିବା ଆମ୍ବକୁ ନେଇ ଆମ୍ବଶଢ଼ା ଓ ଚମ୍ପେଇତ କରି ବିକିବେ ସେମାନେ। ଏତିକିବେଳେ ଗାଁର ଜଣେ ପୁରୁଷ ଲୋକ ପହଞ୍ଚିଲା। ମୁଁ ସେଇ ସ୍ତ୍ରୀ ଲୋକଟିକୁ ପୁଣି ପଚାରିଲି – ‘ଏଠି ଲୋକେ ଚଳୁଛନ୍ତି କିପରି?’ ଏଥର ପାଖରେ ଥିବା ପୁରୁଷ ଲୋକଟି ଉପରେ ପଡ଼ି କହିଲା- ‘ଚାଷବାସ ଆଜ୍ଞା! ଆମେ ସମସ୍ତେ ଏଠି ମିଳିମିଶି ଚାଷବାସରେ ସାହାଯ୍ୟ କରି ଖନ୍ଦ ପଚଉଛୁ। ୟା ଜମିରେ ସିଏ ତା’ ଜମିରେ ଆଉ କିଏ ଏମିତି ମିଳିମିଶି ସାରିଦେଉଛୁ ଚାଷବାସ କାମ। ଚାଷ ସରିଗଲେ କିଛି କାମ ନାହିଁ। ଏ ଶୁଖିଲା ଅଞ୍ଚଳରେ ଆଉ କିସ ମିଳିବ! ସମସ୍ତେ ଦେଶକୁ ପଳଉଛନ୍ତି ଦାଦନ ଖଟିବାକୁ।’ ଏତକ ଶୁଣି ଟିକେ ନୀରବ ରହିଗଲି। ରାଜନୀତି ପଶି ଆସିଲେ ପୁଣି ଝମେଲା। ସେଠାରୁ ଆସିବାକୁ ଉଚିତ ଭାବିଲି। ତୋଟା ଛାଡିଲାବେଳେ ସେ ଲୋକଟି କହିଲା – ‘ଗୁଟେ କଥା ଗ୍ୟାରେଣ୍ଟି ଆଜ୍ଞା! ଆମ ଗାଁକୁ ଯିଏ ଆଇବ ସିଏ କେବେ ଜାଟିରେ ପଡ଼ିବନି। ତାର କିଛି ହେବନି। ଖାଲି ହାତରେ ମିଶା ସେ ଯିବନି। ଆଉ ଭୋଟ ରାଜନୀତିରେ ଯିଏ ଯାହାକୁ ପାରିଲା ତାକୁ ଭୋଟ ଦେବ। ସିଟାରେ କିଛି ବାଧା ନାହିଁ। ଆମ ଗାଁ ଲୋକ ଭିତରେ ଟିକେ ମିଶା ମନ ଫଟାଫଟି ନାହିଁ। ସମସ୍ତେ ଏକ। ଇଟା ମାତ୍ର ଗ୍ୟାରେଣ୍ଟି କଥା ଆଜ୍ଞା।’
ରାଜନୀତିକୁ ନେଇ ଅନେକ ଗାଁ ଭାଗ ଭାଗ ହୋଇ ମାର୍‌ପିଟ ହେଉଛନ୍ତି। କିନ୍ତୁ ଏଇ ଗାଁ ଲୋକଙ୍କ ଭିତରେ ଏଇ ଅପୂର୍ବ ଭାଇଚାରା ଓ ଆନ୍ତରିକତା ମୁଗ୍ଧ କଲା। ନିଜ ଭିତରେ ବିସ୍ମିତ ହେଉଥିଲି। ସେଦିନ ତୋଟାରୁ ତୁରନ୍ତ ଫେରିଗଲୁ ଏବଂ ଯଥାରୀତି ନିର୍ବାଚନ ସାରି ଫେରିବା ସମୟରେ କିଛି ସ୍ତ୍ରୀ ଲୋକ ଜରି ଭର୍ତ୍ତି ଆମ୍ବ ପ୍ୟାକେଟ ଧରି ବସ୍‌ ନିକଟରେ ଅପେକ୍ଷା କରିଥିଲେ। ପ୍ରତିବଦଳରେ ଆମେ ପଇସା ଯାଚିବାରୁ ରୋକ୍‌ଠୋକ୍‌ ମନା କଲେ। ତଥାକଥିତ ସଭ୍ୟଲୋକଠାରୁ ବହୁ ଦୂରରେ ରହିଥିବା ଏଇ ଗାଁ ଲୋକଙ୍କ ପ୍ରତିଟି ଗ୍ୟାରେଣ୍ଟି ଅଭିଭୂତ କଲା।
୬୬- ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?