କ୍ୱିଭ୍,୧୮।୭ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷିଆକୁ ସହଯୋଗ କରୁଥିବା ଅଭିଯୋଗ ଆଧାରରେ ଦେଶର ଏଜେନ୍ସିର ଦୁଇଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ଜେଲେନସ୍କି ଦେଶର ଘରୋଇ ସୁରକ୍ଷା ଏଜେନ୍ସିର ମୁଖ୍ୟ ଇଭାନ ବକାନୋଭ ଏବଂ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇରିନା ଭେନେଡିକୋଭାଙ୍କୁ ବରଖାସ୍ତ କରିଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଦ୍ୱାରା ଏହି ସୂଚନା ଦିଆଯାଇଛି। ଡୋନାବାସ ଅଞ୍ଚଳକୁ କବଜା କରିବାକୁ ଲକ୍ଷ୍ୟ ରଖି ରୁଷିଆ ଏକାସାଙ୍ଗରେ ଅନେକ ଫ୍ରଣ୍ଟ ଉପରେ ଆକ୍ରମଣ ଜାରି ରଖିଛି।
ୟୁକ୍ରେନ ସାମରିକ ମୁଖପାତ୍ର ଭ୍ୟାଡିୟମ ସ୍କବିଟସ୍କି କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରୁଷିଆ ବର୍ତ୍ତମାନ ନୂଆ ଅଞ୍ଚଳରେ ଫ୍ରଣ୍ଟ ଖୋଲିବାକୁ ପ୍ରସ୍ତୁତ ହେଉଛି। ସେ କହିଛନ୍ତି ଯେ ଶନିବାର ବିଳମ୍ବିତ ରାତିରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ସମୁଦ୍ର ଓ ଆକାଶରୁ କ୍ଷେପଣାସ୍ତ୍ର ଆକ୍ରମଣ ସହିତ ସବୁ ଦିଗରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏପରିକି ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ବ୍ୟବହାର କରାଯାଇଥିଲା। ସେ କହିଛନ୍ତି ଯେ ସ୍ଲୋଭିଆନ୍ସକୁ ଦଖଲ କରିବା ପାଇଁ ରୁଷିଆ ଆକ୍ରମଣକୁ ଜୋରଦାର କରିଛି।
କ୍ରେମଲିନ ସୂତ୍ରରୁ ପ୍ରକାଶ ଯେ ସମସ୍ତ ଫ୍ରଣ୍ଟ ଉପରେ ପରବର୍ତ୍ତୀ ପର୍ଯ୍ୟାୟ ଆକ୍ରମଣ ପାଇଁ ରୁଷିଆ ପ୍ରସ୍ତୁତ ହେଉଛି। ଏପରି ସ୍ଥଳେ ୟୁକ୍ରେନ୍ର ବରଖାସ୍ତ ହୋଇଥିବା ଦୁଇ ଅଧିକାରୀ ରୁଷିଆକୁ ସହଯୋଗ କରୁଥିବାର ଅଭିଯୋଗ ମିଳିଥିଲା। ଦୁଇ ଅଧିକାରୀଙ୍କ ବିରୋଧରେ ୧୨ରୁ ଅଧିକ ମାମଲା ରହିଥିବା କୁହାଯାଉଛି।