ଖ୍ରୀଷ୍ଟଚର୍ଚ୍ଚ,୨୮ା୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ବ୍ୟାକ୍ଫୁଟ୍ରେ ରହିଛି। ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୫୬ ରନରେ ଅଲଆଉଟ୍ ହୋଇଥିବା ବେଳେ ଭାରତ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୧୬ ରନ କରିଛି। ହାତରେ ୪ ଉଇକେଟ ରଖିଥିବା ଭାରତ ଏବେ ମ୍ୟାଚ୍ରେ ୨୪୦ ରନ ପଛରେ ରହିଛି।
ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୭ ରନରେ ଅପରାଜିତ ରହିଛନ୍ତି। ଆକାଶ ଦୀପ ପଞ୍ଚମ ଭାରତୀୟ ବୋଲର ଭାବେ ନ୍ୟୁଜିଲାଣ୍ଡରେ ୫ ଉଇକେଟ ସଫଳତା ହାସଲ କରିବା ଦିନର ଉଲ୍ଲେଖନୀୟ ଘଟଣା ଥିଲା।
ନ୍ୟୁଜିଲାଣ୍ଡ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ୨୪୬/୫ରୁ ବ୍ୟାଟିଂ ଆରମ୍ଭ କରି ବଳକା ୫ ଉଇକେଟରେ ଦଳୀୟ ସ୍କୋରରେ ୧୧୦ ରନ ଯୋଡ଼ିଥିଲା। ଆକାଶ ଦୀପ ସର୍ବାଧିକ ୫ ଉଇକେଟ ନେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ୫ ଉଇକେଟ ସଫଳତା। ଅନ୍ୟମାନଙ୍କ ମଧ୍ୟରେ ଅଂଶୁଲ କମ୍ବୋଜ ଓ ଗୁର୍ନୁର ବ୍ରାର ୨ ଲେଖାଏ ଏବଂ ଓ୍ବାଶିଂଟନ ସୁନ୍ଦର ୧ ଉଇକେଟ ହାତେଇ ଥିଲେ। ଯଶପ୍ରୀତ ବୁମରା ଖାଲି ହାତରେ ଫେରିଥିଲେ।
ଜବାବରେ ଭାରତ ପ୍ରଥମ ଓଭରରେ ହିଁ ଓପନର ଯଶସ୍ବୀ ଜୟସ୍ବାଲ (୦)ଙ୍କ ଉଇକେଟ ହରାଇଥିଲା। ଲୋକେଶ ରାହୁଲ ଗୋଟିଏ ପକ୍ଷରେ ଧୈର୍ଯ୍ୟର ସହ ଡିଫେନ୍ସିଭ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପକ୍ଷରେ ଦେବଦତ୍ତ ପାଡିକଲ (୨୧) ଓ ଅଧିନାୟକ ଶୁବମନ ଗିଲ (୧୭) କ୍ରମାଗତ ବ୍ୟବଧାନରେ ଆଉଟ୍ ହୋଇଥିଲେ।
ଫଳରେ ଭାରତ ମାତ୍ର ୫୯ ରନ ମଧ୍ୟରେ ୩ ବ୍ୟାଟର ହରାଇ ସଙ୍କଟରେ ଥିଲା। ଏଭଳି ପରିସ୍ଥିତିରେ ରାହୁଲଙ୍କ ସହ ରିଷଭ ପନ୍ତ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ରାହୁଲ ଡିଫେନ୍ସିଭ ବ୍ୟାଟିଂ କରୁଥିବା ବେଳେ ପନ୍ତ କାଉଣ୍ଟର ଆଟାକ କରିଥିଲେ। କିନ୍ତୁ ୩୮ ବଲରେ ଗୋଟିଏ ଛକା ସହ ୨୩ ରନ କରିବା ପରେ ପନ୍ତ ଏକ ଦାୟିତ୍ୱହୀନ ଶଟ୍ ଖେଳି ଉଇକେଟ ହରାଇଥିଲେ। ସେ ଜେକବ ଡଫିଙ୍କ ବାଉନ୍ସରକୁ ବୁଝିବା ପୂର୍ବରୁ ଷ୍ଟେପ୍ ଆଉଟ୍ କରି ବଡ଼ ଶଟ୍ ଖେଳିବାକୁ ଯାଇ ଜେମିସନଙ୍କ ହାତରେ କ୍ୟାଚ୍ ହୋଇଥିଲେ। ଏଥିପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁଆହାଟି ଟେଷ୍ଟରେ ମଧ୍ୟ ସେ ସମାନ ପ୍ରକାର ପରିସ୍ଥିତିରେ ସମାନ ଦାୟିତ୍ୱହୀନ ଶଟ୍ ଖେଳି ଉଇକେଟ ହରାଇଥିଲେ।
ପନ୍ତ ଆଉଟ୍ ହେବା ପରେ ଦୁଇ ଘଣ୍ଟା ଧରି ଏକାଗ୍ରତା ବଜାୟ ରଖିଥିବା ରାହୁଲ ଅଫ୍ ଷ୍ଟମ୍ପ ବାହାର ବଲକୁ ମାରିବାକୁ ଯାଇ ବ୍ୟାକଓ୍ବାର୍ଡ ପଏଣ୍ଟରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଜୁରେଲ ଓ ଓ୍ବାଶିଂଟନ ସୁନ୍ଦର ଷ୍ଟମ୍ପ୍ସ ପର୍ଯ୍ୟନ୍ତ ଡିଫେନ୍ସିଭ ଖେଳିବାକୁ ଚେଷ୍ଟା କରିଥିଲେ। ମାତ୍ର ଦିନର ଅନ୍ତିମ ବଲରେ ଓ୍ବାଶିଂଟନଙ୍କୁ ସ୍ମିଥ ଦ୍ୱିତୀୟ ସ୍ଲିପ୍ରେ କ୍ୟାଚ୍ ଆଉଟ୍ କରାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କାଏଲ ଜେମିସନ ଓ ଜେକବ ଡଫି ୨ଟି ଲେଖାଏ ଉଇକେଟ ନେଇଛନ୍ତି।

