ଦେବଗଡ଼,୨୮ା୧୧(ଶଶାଙ୍କ ଶେଖର ଝାଙ୍କର): ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ସଇତାନ ସ୍ୱାମୀ। ଶନିବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ଜଣକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ହେମା ଶେଖ ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ରାହୁଲ ଶେଖ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ରାହୁଲ ଶେଖ ଦେବଗଡ଼ରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସେ ନିଜ ସ୍ତ୍ରୀ ହେମା ଏବଂ ୮ ବର୍ଷର ଝିଅ ସହିତ ଦେବଗଡ଼ ପୌରାଞ୍ଚଳର ଆର୍ସିଏମ୍ଏସ୍ ସାହିସ୍ଥିତ ଅରୁଣ ଫଦକାରଙ୍କ ଘରେ ଭଡ଼ାରେ ରହୁଥିଲେ। ଅନ୍ୟ ଦିନ ଭଳି ଶନିବାର ମଧ୍ୟ ରାହୁଲ କାମକୁ ଯାଇଥିଲେ ଏବଂ ଅପରାହ୍ନ ପ୍ରାୟ ୨ଟା ସମୟରେ ଭଡ଼ା ଘରକୁ ଫେରିଥିଲେ। ଘରେ ସ୍ତ୍ରୀ ଓ ଝିଅ ନ ଥିବା ଦେଖି ନିଶାସକ୍ତ ଅବସ୍ଥାରେ ଥିବା ରାହୁଲ ସେମାନଙ୍କୁ ଖୋଜିବାକୁ ବାହାରିଥିଲେ।
ଖୋଜାଖୋଜି କରିବା ସମୟରେ ନିକଟସ୍ଥ ମିରିଗିଡିଆ ସାହିର ଦୀପ୍ତି ମୁଣ୍ଡା ନାମକ ଜଣେ ଯୁବତୀଙ୍କ ଘର ବାରଣ୍ଡାରେ ହେମା ଏବଂ ତାଙ୍କ ଝିଅ ବସିଥିବା ରାହୁଲ ଦେଖିବାକୁ ପାଇଥିଲେ। ସେତେବେଳେ ଘରେ ଦୀପ୍ତି ଅନୁପସ୍ଥିତ ଥିଲେ। ସ୍ତ୍ରୀଙ୍କୁ ସେଠାରେ ଦେଖି ରାହୁଲ ହଠାତ୍ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଏବଂ ୮ ବର୍ଷର କୁନି ଝିଅ ସମ୍ମୁଖରେ ହେମାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ଖାଇ ହେମା ତଳେ ପଡ଼ିଯିବା ପରେ ରାହୁଲ ଏକ ଇଟାରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ହେମାଙ୍କର ମୃତ୍ୟୁ ଘଟିଥିଲା।
ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ରାହୁଲଙ୍କୁ କାବୁ କରି ଆକ୍ରମଣ କରିଥିଲେ। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ହେମାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୋଲିସ ଅଭିଯୁକ୍ତ ରାହୁଲଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଲୋକଙ୍କ ଆକ୍ରମଣରେ ସେ ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

