ହାଥ୍‌ରସର ଆଇନାରେ ମହିଳାଙ୍କ ସୁରକ୍ଷା

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ନିକଟରେ ଉତ୍ତର ପ୍ରଦେଶର ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟାର ବର୍ବରୋଚିତ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ତାଙ୍କରି ଗ୍ରାମର ଚାରି ଜଣ ଉଚ୍ଚ ଜାତିର ଯୁବକ ଗଣ ବଳାତ୍କାର କରିବା ସହିତ ତା’ର ମେରୁଦଣ୍ଡକୁ ଜୋରଦାର ଆଘାତ ଦେଇ ଭାଙ୍ଗି ଦେଇଥିଲେ। ସେ ଯେପରି ବଳାତ୍କାରୀଙ୍କ ନାମ କହିପାରିବେନି ସେଥିପାଇଁ ତାଙ୍କର ଜିଭକୁ ମଧ୍ୟ କାଟି ଦେଇଥିଲେ। ବଳାତ୍କାର ଓ ଆକ୍ରମଣଜନିତ ଭୟଙ୍କର ପୀଡ଼ା ଏବଂ ସରକାରୀ ଅବହେଳାର ପରିଣାମ ସ୍ବରୂପ ପୀଡ଼ିତା ଯୁବତୀ ଶେଷରେ ନିଜର ପ୍ରାଣ ହରାଇଛନ୍ତି।
ହାଥ୍‌ରସ ଘଟଣା ଦେଶରେ ମହିଳା ବିରୋଧୀ ହିଂସାର ପ୍ରଥମ କିମ୍ବା ଶେଷ ଘଟଣା ନୁହେଁ। ଏହା ପୂର୍ବରୁ ବି ଅନ୍ୟ ସରକାରଙ୍କ ସମୟରେ ବଳାତ୍କାରର ଅନେକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ହାଥ୍‌ରସ ଘଟଣାରେ ମହିଳାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଓ ପ୍ରଶାସନ ଯେପରି ଖୋଲାଖୋଲି ଭାବେ ବଳାତ୍କାରୀଙ୍କ ସହିତ ଠିଆ ହେଲା, ତାହା ପୂର୍ବରୁ ହୋଇ ନ ଥିଲା। ତେବେ କେବଳ ହାଥ୍‌ରସ କାହିଁକି ଜମ୍ମୁର କଠୁଆଠାରୁ ଆରମ୍ଭ କରି ଉନାଓ ପର୍ଯ୍ୟନ୍ତ ସରକାରରେ ଥିବା ଲୋକେ ଏବଂ ସେମାନଙ୍କ ଶାସନକଳ ଖୋଲାଖୋଲି ଭାବେ ଅପରାଧୀଙ୍କ ପକ୍ଷରେ ଠିଆ ହୋଇ ନିଜର ନାରୀ ବିରୋଧୀ ଚରିତ୍ରକୁ ଉଜାଗର କରିଛନ୍ତି। ଅପରାଧୀମାନଙ୍କ ପକ୍ଷରେ ଖୋଲାଖୋଲି ଭାବେ ଠିଆ ହେବାର ଏକ ପ୍ରଣାଳୀ ତିଆରି କରି ଦିଆଯାଇଛି। ପୀଡ଼ିତା ତା’ର ମୃତ୍ୟୁକାଳୀନ ଜମାନବନ୍ଦୀରେ ବଳାତ୍କାରକୁ ସ୍ବୀକାର କରିବା ସହିତ ଅପରାଧୀଙ୍କ ନାମ ପ୍ରକାଶ କରିଥିବା ବେଳେ ରାଜ୍ୟ ପୋଲିସ ଏବଂ ଶାସକ ଦଳର ନେତାମାନେ ବଳାତ୍କାର ହୋଇନି କହି ନିର୍ଲଜ୍ଜତାର ସବୁ ସୀମାକୁ ପାର କରିଛନ୍ତି।
ହାଥ୍‌ରସ ମାମଲାରେ ଯଦି ସ୍ଥାନୀୟ ପୋଲିସ ଓ ପ୍ରଶାସନ ପ୍ରଥମରୁ ହିଁ ପୀଡ଼ିତା ପ୍ରତି ହୋଇଥିବା ବୀଭତ୍ସ ଅପରାଧ ଓ ଆଘାତକୁ ହୃଦୟଙ୍ଗମ କରି ସମ୍ବେଦନଶୀଳ ହୋଇଥାନ୍ତା, ହୁଏତ ଆଜି ଯୁବତୀକୁ ବଞ୍ଚାଯାଇ ପାରିଥାନ୍ତା। ଗଣ ବଳାତ୍କାର ଓ ଭୟଙ୍କର ଆଘାତର ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ଥାନାକୁ ଆସିଥିବା ପୀଡ଼ିତାକୁ ପୋଲିସ ଆଶୁ ଚିକିତ୍ସାର ବ୍ୟବସ୍ଥା କଲାନାହିଁ। ଏଭଳି ମାମଲାରେ ଆଇନର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ମକଦ୍ଦମା ରୁଜୁ କରାଗଲାନି, ଘଟଣାର ଦଶ ଦିନ ପରେ ମିଡିଆରେ ଚର୍ଚ୍ଚିତ ହେବା ପରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରାଗଲା। ସବୁଠାରୁ ଉଦ୍‌ବେଗର ବିଷୟ ହେଲା, ଅପରାଧୀଙ୍କ ପକ୍ଷରେ ଠିଆ ହୋଇଥିବା ପ୍ରଶାସନ ଅପରାଧକୁ ଲୁଚେଇବା ପାଇଁ ପୀଡ଼ିତାର ପରିବାର ଉପରେ ଲଗାତର ଚାପ ପକାଇବା ସହିତ ପରିବାରର ସହମତି ବିନା ମୃତଦେହକୁ ରାତି ଅଧିଆ ପୋଡ଼ି ଦିଆଗଲା। ଏପରି କି ନିଜର ଦୋଷ ଲୁଚେଇବା ପାଇଁ ପ୍ରଶାସନ ପୀଡ଼ିତାର ପରିବାର ଉପରେ ଅନାବଶ୍ୟକ କଟକଣା ଏବଂ ଘେରାବନ୍ଦୀ କରି ସେମାନେ ଯେପରି ରାଜନୈତିକ ଦଳ ଓ ମିଡିଆ ଲୋକଙ୍କୁ ଭେଟିପାରିବେନି ତା’ର ବ୍ୟବସ୍ଥା ମଧ୍ୟ କଲା।
ହାଥ୍‌ରସ ପରି ଘଟଣାକୁ ନେଇ ଦେଶବ୍ୟାପୀ ବ୍ୟାପକ ପ୍ରତିକ୍ରିୟା ସତ୍ତ୍ୱେ ଦେଶରେ ମହିଳାଙ୍କ ବିରୋଧରେ ହିଂସାର ଅପରାଧ କମିବା ପରିବର୍ତ୍ତେ ବଢ଼ିବା ଦେଖାଯାଉଛି। ଦୁଇ ବର୍ଷ ତଳେ ଥୋମାସ ରଏଟର୍ସ ଫାଉଣ୍ଡେଶନ୍‌ର ସର୍ଭେରେ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତକୁ ବିଶ୍ୱର ଅତ୍ୟନ୍ତ ବିପଦପୂର୍ଣ୍ଣ ଦେଶ ବୋଲି ଦର୍ଶାଯାଇଥିଲା। ନିକଟରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ୨୦୧୯ର ରିପୋର୍ଟ ଅନୁଯାୟୀ ଦେଶରେ ମହିଳା ବିରୋଧୀ ଅପରାଧ ହାର ପୂର୍ବ ବର୍ଷ ତୁଳନାରେ ୭ପ୍ରତିଶତ ବଢ଼ିଛି। ଗତବର୍ଷ ମହିଳାଙ୍କୁ ଅସଦାଚରଣର ଚାରି ଲକ୍ଷ ମାମଲା ରୁଜୁ ହୋଇଥିବା ବେଳେ ଦୈନିକ ୨୦ ଜଣ ମହିଳା ଯୌତୁକଜନିତ ହତ୍ୟାର ଶିକାର ହେଉଛନ୍ତି। ଦେଶରେ ପ୍ରତି ୧୫ ମିନିଟରେ ଗୋଟିଏ ବଳାତ୍କାର ଓ ପ୍ରତି ପାଞ୍ଚ ମିନିଟରେ ଜଣେ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ବଳାତ୍କାର ଘଟଣା ମୋଟ ମହିଳା ବିରୋଧୀ ଅପରାଧର ୧୦ପ୍ରତିଶତ ରହିଥିବା ବେଳେ ମାତ୍ର ୩୦ପ୍ରତିଶତ କମ୍‌ ମାମଲାରେ ହିଁ ଦଣ୍ଡବିଧାନ ହେଉଥିବା ଜଣାପଡ଼ିଛି। ତେବେ ଆନୁଷ୍ଠାନିକ ଭାବେ ଯେତିକି ମାମଲା ଥାନାରେ ରୁଜୁ ହେଉଛି ତା’ଠାରୁ ଢେର ଅଧିକ ଅପରାଧ ଘଟୁଥିବା ଜଣାପଡ଼ିଛି। ଯେହେତୁ ଅପରାଧୀମାନେ ସାଧାରଣତଃ ପୀଡ଼ିତାର ନିକଟ ସମ୍ପର୍କୀୟ ଅଥବା ପରିଚିତ ଥାଆନ୍ତି ଏବଂ ତଥାକଥିତ ଲୋକଲଜ୍ଜା ଭୟରେ ଅନେକ କ୍ଷେତ୍ରରେ ପୀଡ଼ିତା ତରଫରୁ ଥାନାରେ ଏତଲା ଦିଆଯାଇ ନ ଥାଏ।
ଦିଲ୍ଲୀର ନିର୍ଭୟା ବା ଜମ୍ମୁର କଠୁଆ ଅଥବା ହାଇଦ୍ରାବାଦ କିମ୍ବା ହାଥ୍‌ରସର ଗଣ ବଳାତ୍କାର ଓ ହତ୍ୟାର ନୃଶଂସ ଘଟଣା ପରେ ବଳାତ୍କାର ପାଇଁ ଦଣ୍ଡକୁ ଆହୁରି କଠୋର କରିବାକୁ ଦାବି ହୋଇଥାଏ। ତେବେ ବାରମ୍ବାର ଏଭଳି ଘଟଣାରେ ଆତଙ୍କିତ ତଥା ଦେଶର ଆଇନ ବ୍ୟବସ୍ଥାର ବିଫଳତାରେ ବୀତସ୍ପୃହ ମଧ୍ୟବିତ୍ତ ଲୋକଙ୍କ ମଧ୍ୟରେ ଫାଶୀଦଣ୍ଡ ହିଁ ଏଭଳି ଅପରାଧକୁ ରୋକିପାରିବ ବୋଲି ଏକ ପ୍ରକାର ଧାରଣା ସୃଷ୍ଟି ହୋଇଥାଏ। କିନ୍ତୁ ଫାଶୀଦଣ୍ଡ ଦେଲେ ଯେ ବଳାତ୍କାର ରୋକିହେବ ଏହାର କୌଣସି ନଜିର ବା ତଥ୍ୟପୂର୍ଣ୍ଣ ଅଧ୍ୟୟନ ଆମ ସାମନାରେ ନାହିଁ। ତେବେ ସମସ୍ୟାଟି ଆଇନକୁ ଅଧିକ କଡ଼ା କିମ୍ବା କଠୋର କରିବାରେ ନୁହେଁ ବରଂ ଆଇନକୁ କାର୍ଯ୍ୟକାରୀ କରୁଥିବା ଆମର ପୋଲିସ ବ୍ୟବସ୍ଥା ଏବଂ ବିଚାର ବ୍ୟବସ୍ଥାରେ ନିହିତ ରହିଛି। ମହିଳା ବିରୋଧୀ ଅପରାଧକୁ ରୋକିବାକୁ ହେଲେ ପୋଲିସ ଓ ବିଚାର ବିଭାଗରେ ଲିଙ୍ଗଗତ ସମ୍ବେଦନଶୀଳତା ସୃଷ୍ଟି ହେବା ଜରୁରୀ।
ଯୌନହିଂସା, ବିଶେଷ କରି ନାବାଳିକା ବଳାତ୍କାର ପରି ଅପରାଧର ତଦନ୍ତ ପାଇଁ ଥାନାରେ ଆବଶ୍ୟକୀୟ ଅଧିକାରୀଙ୍କ ଅଭାବ, ଅଧିକାରୀଙ୍କ ମଧ୍ୟରେ ଲିଙ୍ଗଗତ ଅପରାଧ ନେଇ ସମ୍ବେଦନଶୀଳତାର ଅଭାବ, କୋର୍ଟରେ ଆବଶ୍ୟକୀୟ ବିଚାରପତିଙ୍କ ଅଭାବ ଉଭୟ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଅତଏବ ମହିଳା ବିରୋଧୀ ହିଂସାକୁ ରୋକିବାକୁ ହେଲେ ଆମର ନ୍ୟାୟ ବିଚାର ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ହେବା ଦରକାର, ଯେଉଁଥିରେ ଅପରାଧୀ ବିରୋଧରେ ମକଦ୍ଦମା ଦାଏର ହେବାଠାରୁ ତା’ର ନିରପେକ୍ଷ ତଦନ୍ତ, ଯଥାଶୀଘ୍ର ବିଚାର ଏବଂ ଦଣ୍ଡବିଧାନକୁ ନିଶ୍ଚିତ କରାଯାଇପାରିବ।
ମହିଳା ବିରୋଧୀ ହିଂସା କ୍ଷେତ୍ରରେ ସମସ୍ୟାଟି କେବଳ ଅପରାଧୀର ଦଣ୍ଡ ବିଧାନରେ ସୀମିତ ନୁହେଁ, ଏହା ପଛରେ ରହିଥିବା ସବୁଠାରୁ ବଡ଼ କାରଣଟି ହେଉଛି ଆମ ସମାଜ ଓ ତା’ର ଶାସନ ବ୍ୟବସ୍ଥାରେ ରହିଥିବା ପୁରୁଷବାଦୀ ବିଚାର ଏବଂ ବଳାତ୍କାରୀ ସଂସ୍କୃତି। ମହିଳାଙ୍କ ସମାନ ସ୍ଥିତି ଏବଂ ସ୍ବାଧୀନତାକୁ ଅସ୍ବୀକାର କରିବା ଆମର ସାମାଜିକ, ଧାର୍ମିକ ଏବଂ ପାରିବାରିକ ମୂଲ୍ୟବୋଧରେ ଗଭୀର ଭାବେ ନିହିତ ରହିଛି। ଏହି କାରଣରୁ ହିଁ ଆମର ପରିବାରଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି ଲିଙ୍ଗଗତ ଭେଦଭାବକୁ ନେଇ ସମ୍ବେଦନହୀନତାର ଏକ ଭୟଙ୍କର ଚିତ୍ର ଦେଖିବାକୁ ମିଳିଥାଏ। କନ୍ୟାଭ୍ରୂଣ ହତ୍ୟାଠାରୁ ଆରମ୍ଭ କରି ବୈବାହିକ ବଳାତ୍କାର ପର୍ଯ୍ୟନ୍ତ ପ୍ରତ୍ୟେକଟି ମହିଳା ବିରୋଧୀ ଅପରାଧକୁ ସମାଜରେ ସ୍ବୀକୃତି ମିଳିବା ପଛରେ ଉପରୋକ୍ତ ନାରୀ ବିରୋଧୀ ବିଚାର ଯେ ରହିଛି ସେଥିରେ ସନ୍ଦେହ ନାହିଁ।
ମହିଳା ବିରୋଧୀ ହିଂସାର ଚେରଟି ଆମର ପରିବାର, ସମାଜ ଏବଂ ଶାସନ ବ୍ୟବସ୍ଥାରେ ନିହିତ ରହିଛି। ଅତଏବ ସର୍ବ ପ୍ରଥମେ ପରିବାର ଓ ଶିକ୍ଷାନୁଷ୍ଠାନରେ ଛୋଟ ବେଳରୁ ହିଁ ପୁଅମାନଙ୍କୁ ଲିଙ୍ଗଗତ ସମାନତା ପ୍ରତି ସଚେତନ ଏବଂ ଯତ୍ନଶୀଳ କରିବା ଜରୁରୀ। ସେମାନେ ଝିଅମାନଙ୍କଠାରୁ ଅଧିକ ନୁହନ୍ତି ବରଂ ସମାନ ବୋଲି ଯେପରି ମନେ କରିବେ ଏବଂ ସେମାନଙ୍କ ସ୍ବାଧୀନତା ପ୍ରତି ସମ୍ମାନ ପ୍ରଦର୍ଶନ କରିବେ, ସେଇଥିପାଇଁ ପ୍ରଶିକ୍ଷିତ କରିବା ଦରକାର। ପରିବାରରେ ଓ ବାହାରେ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଏବଂ ଅଧିକାରକୁ ସୁନିଶ୍ଚିତ କରିବା ଦରକାର। ନିଜର ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ପରିସରରେ ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବାକୁ ଆବଶ୍ୟକସ୍ଥଳେ ସ୍ବର ଉତ୍ତୋଳନ କରିବା ଦରକାର। ଆମର ପ୍ରଥା, ପରମ୍ପରା, ଭାଷା ଏବଂ ସଂସ୍କୃତିରେ ରହିଥିବା ମହିଳା ବିରୋଧୀ ବିଚାରକୁ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି। ବୋଧହୁଏ ସେପରି କରି ହିଁ ଆମେ ସମାଜରେ ମହିଳା ବିରୋଧୀ ହିଂସା ସହିତ ତାକୁ ପ୍ରତିପାଳିତ କରୁଥିବା ପ୍ରତିକ୍ରିୟାଶୀଳ ବିଚାରକୁ ପ୍ରତିହତ କରିପାରିବା।
ମୋ :୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri