ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଏବେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ସାଜିଛି। କୁକୁର ଭୟରେ ମହିଳା ଜଣକ ଜିଲାପାଳଙ୍କୁ ମେସେଜ କରିବା ପରେ ପୋଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶ କରି ଶେଷରେ କୁକୁରଟିକୁ ସୁରକ୍ଷିତ ଭାବେ କାବୁ କରିବାରେ ସଫଳ ହୋଇଛନ୍ତି।
ସୂଚନା ଅନୁସାରେ, ପଢ଼ିଆରିପଲ୍ଲୀ ଗ୍ରାମର ଜଣେ ମହିଳାଙ୍କ ଘର ସମ୍ମୁଖରେ ଏକ କୁକୁର ଦୀର୍ଘ ସମୟ ଧରି ଶୋଇ ରହିଥିଲା। କୁକୁରଟି ପାଗଳ ହୋଇଥିବା ମହିଳା ଜଣକ ଜାଣିବାକୁ ପାଇବା ପରେ ନିଜକୁ ଅସୁରକ୍ଷିତ ମନେ କରିଥିଲେ। କୁକୁର ଭୟରେ ସେ ଦୁଇ ଦିନ ଧରି ଘରୁ ବାହାରି ପାରି ନଥିଲେ। ଶେଷରେ ସେ ବାଧ୍ୟ ହୋଇ କୁକୁରର ଫଟୋ ଓ ଭିଡିଓ ଉତ୍ତୋଳନ କରିବା ସହ ନିଜର ସୁରକ୍ଷା ଲୋଡ଼ି ଜିଲାପାଳଙ୍କୁ ହ୍ୱାଟ୍ସଆପ୍ କିମ୍ବା ମେସେଜ୍ ମାଧ୍ୟମରେ ଅବଗତ କରାଇଥିଲେ।
ଜିଲାପାଳ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଆନନ୍ଦପୁର ଉପଜିଲାପାଳଙ୍କୁ ଅବଗତ କରାଇଥିଲେ। ଖବର ପାଇବା କ୍ଷଣି ଆନନ୍ଦପୁର ଉପଜିଲାପାଳ, ସୋସୋ ପୋଲିସ ଏବଂ ହାଟଡିହୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅତ୍ୟନ୍ତ ତତ୍ପରତା ପ୍ରକାଶ କରି ଜାଲ ପକାଇ କୁକୁରଟିକୁ ସୁରକ୍ଷିତ ଭାବେ କାବୁ କରିଥିଲେ।
ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ସୋସୋ ଥାନାଧିକାରିଣୀ କାନନ ସାହୁ କହିଛନ୍ତି ଯେ ମହିଳା ଜଣକ କୁକୁରର ଫଟୋ ଓ ଭିଡିଓ ଜିଲାପାଳଙ୍କୁ ପଠାଇ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ସହାୟତାରେ କୁକୁରକୁ ସଫଳତାର ସହ ଉଦ୍ଧାର କରିଛି।

