ଶାରଜା,୧୦।୧୧: ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ତେବେ ଏହି ମ୍ୟାଚ୍ରେ ଆଫଗାନିସ୍ତାନର ସ୍ପିନର ଜିଆ ଉର୍ ରେହମାନଙ୍କ ନାଁରେ ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଛି। ସେ ଗୋଟିଏ ଟେଷ୍ଟ ମ୍ୟାଚ୍ର ଉଭୟ ଇନିଂସରେ ୧୫୦ରୁ ଅଧିକ ରନ ବ୍ୟୟ କରିଥିବା ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି। ଏହି ମ୍ୟାଚ୍ରେ ଜିଆ ଉର୍ ରେହମାନ ମୋଟ ୩୪୩ ରନ ବ୍ୟୟ କରିଥିବା ବେଳେ ମାତ୍ର ୪ଟି ଉଇକେଟ ନେଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ଟେଷ୍ଟ କ୍ରିକେଟ୍ରେ ଏକ ଅଲୋଡ଼ା ରେକର୍ଡ ଭାବେ ଚର୍ଚ୍ଚାକୁ ଆସିଛି।
ପ୍ରଥମ ଇନିଂସରେ ଜିଆ ଉର୍ ରେହମାନ ୧୭୦ ରନ ବ୍ୟୟ କରି ୨ଟି ଉଇକେଟ ନେଇଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ତାଙ୍କ ବୋଲିଂ ପ୍ରଦର୍ଶନ ନିରାଶାଜନକ ରହିଥିଲା। ଏହି ଇନିଂସରେ ସେ ୧୭୩ ରନ ଦେଇ ୨ଟି ଉଇକେଟ ହାସଲ କରିଥିଲେ। ଏହିପରି ଦୁଇଟି ଇନିଂସକୁ ମିଶାଇ ସେ ମୋଟ ୩୪୩ ରନ ବ୍ୟୟ କରିଛନ୍ତି। ଜିମ୍ବାୱେ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ ବ୍ୟୟ କରିବାର ଅଲୋଡ଼ା ରେକର୍ଡ ମଧ୍ୟ ତାଙ୍କ ନାଁରେ ଯୋଡ଼ି ହୋଇଛି।
ଏହା ପୂର୍ବରୁ ଜିମ୍ବାୱେ ବିପକ୍ଷ ଟେଷ୍ଟରେ ସର୍ବାଧିକ ରନ ବ୍ୟୟ କରିବାର ରେକର୍ଡ ଆଫଗାନିସ୍ତାନର ଷ୍ଟାର୍ ସ୍ପିନର ରାଶିଦ ଖାନଙ୍କ ନାଁରେ ଥିଲା। ୨୦୨୧ରେ ସେ ଗୋଟିଏ ଟେଷ୍ଟ ମ୍ୟାଚ୍ରେ ୨୭୫ ରନ ବ୍ୟୟ କରିଥିଲେ। ଏବେ ଜିଆ ଉର୍ ରେହମାନ ୩୪୩ ରନ ଦେଇ ଏହି ରେକର୍ଡକୁ ପଛରେ ପକାଇଛନ୍ତି।
ଏହି ଟେଷ୍ଟ ମ୍ୟାଚ୍ରେ ଜିମ୍ବାୱେ ବ୍ୟାଟରମାନେ ଦମଦାର ବ୍ୟାଟିଂ କରିଥିଲେ। ଦଳ ଉଭୟ ଇନିଂସରେ ୫୦୦ରୁ ଅଧିକ ରନ ସଂଗ୍ରହ କରିଥିଲା। ପ୍ରଥମ ଇନିଂସରେ ବ୍ରେଣ୍ଡନ ଟେଲର ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ କ୍ରେଗ ଏରଭିନ ଦ୍ୱିଶତକୀୟ ଇନିଂସ ଖେଳିଥିଲେ।
ଜିମ୍ବାୱେ ବ୍ୟାଟରଙ୍କ ଏହି ଦମଦାର ପ୍ରଦର୍ଶନ ଯୋଗୁ ଆଫଗାନିସ୍ତାନ ବୋଲରମାନେ ଚାପରେ ରହିଥିଲେ। ଶେଷରେ ମ୍ୟାଚ୍ଟି ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ଜିଆ ଉର୍ ରେହମାନଙ୍କ ଅଲୋଡ଼ା ରେକର୍ଡ ଏବେ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।
Dharitri – Odisha’s No.1 Odia Daily

