ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୭ ପୂର୍ବରୁ ମିନି ଅକ୍ସନ ଆୟୋଜନ ହେବାକୁ ଯାଉଛି। ଡିସେମ୍ବର ମଧ୍ୟଭାଗରେ ଅକ୍ସନ ଜରିଆରେ ସମସ୍ତ ଦଳ ନିଜ ନିଜ ଟିମକୁ ମଜବୁତ କରିବାକୁ ପଡ଼ିଆକୁ ଓହ୍ଲାଇବେ। ଏହା ପୂର୍ବରୁ ଫ୍ରାଞ୍ଚାଇଜିଗୁଡ଼ିକୁ ଆଗାମୀ ସିଜିନ ପାଇଁ ନିଜ ଯୋଜନାରେ ସାମିଲ ନଥିବା ଖେଳାଳିଙ୍କୁ ରିଲିଜ କରିବାକୁ ପଡ଼ିବ। ନଭେମ୍ବର ୧୭ ଅର୍ଥାତ୍ ଆଜି ରିଟେନ୍ସନ ଲିଷ୍ଟ ଜାରି କରିବାର ଶେଷ ଦିନ। ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ଦଳ ରିଟେନ କରିଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିବେ।
ଏହି ସମୟରେ ସମସ୍ତଙ୍କ ନଜର ରହିଛି ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଉପରେ। ଧୋନିଙ୍କୁ ୪୫ ବର୍ଷ ହୋଇଥିବା ବେଳେ ସେ ପୂର୍ବ ସିଜିନରେ ଖେଳିପାରି ନଥିଲେ। ତେଣୁ ଆଗାମୀ ସିଜିନରେ ସେ ଖେଳିବେ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଆଜି ଧୋନୀଙ୍କ IPL ଭବିଷ୍ୟତକୁ ନେଇ ନିଷ୍ପତ୍ତି ସ୍ପଷ୍ଟ ହୋଇପାରେ।
ଏମଏସ ଧୋନୀ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତେବେ ସେ ପ୍ରତିବର୍ଷ IPL ଖେଳି ଆସୁଛନ୍ତି। ବୟସ ବଢ଼ିବା ସହ ଧୋନୀଙ୍କ ଫିଟନେସ୍କୁ ମଧ୍ୟ ପ୍ରଭାବ ପଡ଼ିଛି। IPL ୨୦୨୬ ପାଇଁ ଧୋନୀ ଉପଲବ୍ଧ ଥିଲେ ଏବଂ ତାଙ୍କୁ ପଡ଼ିଆରେ ଦେଖିବାକୁ ପ୍ରଶଂସକମାନେ ବେଶ ଉତ୍ସାହିତ ଥିଲେ। କିନ୍ତୁ ସିଜିନ ଆରମ୍ଭ ହେବାର ଠିକ ପୂର୍ବରୁ ଧୋନିଙ୍କ ପିଣ୍ଡିରେ ଆଘାତ ଲାଗିଥିଲା। ଠିକ ସମୟରେ ସେ ସୁସ୍ଥ ହୋଇପାରି ନଥିବାରୁ ପୂରା ସିଜିନରୁ ବାଦ ପଡ଼ିଥିଲେ। ଏହା ଫଳରେ ତାଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ।
ଧୋନୀ ନିଜେ ଅନେକ ଥର କହିଛନ୍ତି ଯେ ସେ ଚେନ୍ନାଇରେ ହିଁ ନିଜ କ୍ରିକେଟ କ୍ୟାରିୟରର ଅନ୍ତ କରିବାକୁ ଚାହାନ୍ତି। ପୂର୍ବ ସିଜିନରେ ଖେଳିବାର ସୁଯୋଗ ନମିଳିବାରୁ ପ୍ରଶଂସକମାନେ ଚାହୁଁଛନ୍ତି ଯେ ଧୋନି ଯଦି ଅବସର ନିଅନ୍ତି, ତେବେ ଅନ୍ତତଃ ଆଗାମୀ ସିଜିନରେ ଚେନ୍ନାଇରେ ଗୋଟିଏ ମ୍ୟାଚ ନିଶ୍ଚିତ ଖେଳନ୍ତୁ।
ଧୋନୀଙ୍କୁ ମଧ୍ୟ ତାଙ୍କ IPL ଭବିଷ୍ୟତକୁ ନେଇ ସବୁବେଳେ ପ୍ରଶ୍ନ କରାଯାଉଛି। ନିକଟରେ ଏକ ହେଲ୍ଥକେୟାର କାର୍ଯ୍ୟକ୍ରମକୁ ଯାଇଥିବା ସମୟରେ ତାଙ୍କୁ IPL ୨୦୨୭ରେ ଖେଳିବାର ସମ୍ଭାବନା ବିଷୟରେ ପଚରାଯାଇଥିଲା।
ଏହାର ଉତ୍ତରରେ ମହେନ୍ଦ୍ର ସିଂହ ଧୋନୀ ସ୍ପଷ୍ଟ କରିଥିଲେ ଯେ ଡାକ୍ତରଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରିବ। ସେ ନିଜର ମେଡିକାଲ ଚେକଅପ ଓ ସ୍କାନ କରାଇବେ। ଏହାପରେ ହିଁ ସେ IPL ୨୦୨୭ ଖେଳିପାରିବେ କି ନାହିଁ, ସେନେଇ ନିଷ୍ପତ୍ତି ନେବେ।
ଏବେ IPL ରିଟେନ୍ସନରେ ସମୟ ପାଖେଇ ଆସିଥିବା ବେଳେ ସମସ୍ତ ଦଳ ନିଜ ନିଜ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। CSK କିଛି ବଡ଼ ଖେଳାଳିଙ୍କୁ ରିଲିଜ କରି ଅକ୍ସନ ପାଇଁ ନିଜ ପର୍ସରେ ଅଧିକ ଟଙ୍କା ରଖିବାକୁ ଯୋଜନା କରୁଛି। ଏଥିରେ ପ୍ରଶାନ୍ତ ବୀର, ମ୍ୟାଟ ଶର୍ଟ ଓ ମ୍ୟାଟ ହେନ୍ରୀଙ୍କ ନାଁ ସାମିଲ ରହିଛି।
ଏମଏସ ଧୋନୀ ବାର୍ଷିକ ୪ କୋଟି ଟଙ୍କା ଦରମାରେ CSK ଟିମର ଅଂଶ ଅଛନ୍ତି। ଯଦି ଧୋନୀ ଖେଳିବା ପାଇଁ ଫିଟ ନଥାନ୍ତି, ତେବେ ତାଙ୍କୁ ରିଲିଜ କରିବା CSK ପାଇଁ ଏକ ଭଲ ନିଷ୍ପତ୍ତି ହୋଇପାରେ। ଧୋନିଙ୍କୁ ରିଲିଜ କରି ଚେନ୍ନାଇ ୪ କୋଟି ଟଙ୍କା ବଞ୍ଚାଇପାରିବ। ଏହି ଟଙ୍କାକୁ ଅକ୍ସନରେ ନିଜ ବୋଲିଂ ବିଭାଗକୁ ମଜବୁତ କରିବାରେ ବ୍ୟବହାର କରିପାରିବ।
ତେବେ ଯଦି ଧୋନୀ ଆଉ ଏକ ସିଜିନ ଖେଳିବା ପାଇଁ ଫିଟ ରୁହନ୍ତି, ତେବେ CSK ତାଙ୍କୁ ଖୁସିରେ ରିଟେନ କରିପାରେ। CSKର CEO କାଶୀ ବିଶ୍ୱନାଥନ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଧୋନୀକୁ ଆଉ ଏକ ସିଜିନରେ ଖେଳୁଥିବା ଦେଖିବାକୁ ଚାହାନ୍ତି। ତେବେ ଶେଷ ନିଷ୍ପତ୍ତି ଧୋନୀଙ୍କ ଉପରେ ଛାଡ଼ି ଦିଆଯାଇଛି।

