ଲାଗିବ କି ରୋକ୍‌

ଈପ୍ସିତା ମହାନ୍ତି

ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୨୦ ଫେବୃୟାରୀ ୧୩ ଦିନ ଭ୍ରଷ୍ଟାଚାର ଉପରେ ବଡ ପ୍ରହାର କରିଥିଲେ। ଏହିଦିନ ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ ଫଇସଲା ଶୁଣାଇ ଥିଲେ। ଯଦି କୌଣସି ରାଜନୈତିକ ଦଳ ଦାଗୀ କିମ୍ବା ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଲୋକ ସଭା ଅବା ବିଧାନସଭା ନିର୍ବାଚନ ଲଢିବା ପାଇଁ ଟିକଟ ଦିଅନ୍ତି; ଏଥି ସମ୍ପର୍କିତ ସମସ୍ତ ତଥ୍ୟ ସେହି ରାଜନୈତିକ ଦଳକୁ ଗଣମାଧ୍ୟମରେ ସାର୍ବଜନୀନ କରିବାକୁ ପଡିବ। ଏପରି ନ କଲେ ନ୍ୟାୟାଳୟର ଅବମାନନା କରିଛି ବୋଲି ଧରି ନିଆଯାଇ ଆଇନ୍‌ ଅନୁସାରେ ସଂପୃକ୍ତ ରାଜନୈତିକ ଦଳ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ରାଜନୈତିକ ଦଳଙ୍କୁ ୪୮ଘଣ୍ଟା ମଧ୍ୟରେ ନିଜ ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ସମ୍ବଳିତ ବିସ୍ତୃତ ବିବରଣୀ ୩ଟି ପ୍ରମୁଖ ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ଓ ୩ଟି ପ୍ରମୁଖ ଖବରକାଗଜକୁ ପ୍ରଚାର ଓ ପ୍ରସାର ପାଇଁ ଦେବାକୁ ହେବ। ବିସ୍ତୃତ ବିବରଣୀ କହିଲେ ନିଜ ପ୍ରାର୍ଥୀଙ୍କ ବିରୋଧରେ କେତେ ସଂଖ୍ୟକ ମାମଲା ଦାଏର ହୋଇଛି, ଏସବୁ ମାମଲା କେଉଁଠି ଦାଏର ହୋଇଛି, କେଉଁ ଧାରା ଆଧାରରେ ମକଦ୍ଦମା ରୁଜୁ ହୋଇଛି, ସେ ଦଣ୍ଡିତ ହୋଇଛନ୍ତି କି ନାହିଁ, ମାମଲାଗୁଡିକର ଫଇସଲା ହୋଇଛି ନା ନାହିଁ, ଯଦି ଫଇସଲା ହୋଇନାହିଁ ତେବେ ମକଦ୍ଦମାର ସ୍ଥିତି କ’ଣ, ଏହା କେଉଁଠି ପହଞ୍ଚିଛି, ଏସବୁ ବିଷୟରେ ରାଜନୈତିକ ଦଳଗୁଡିକୁ ଜଣେଇବାକୁ ପଡିବ। କେବଳ ଏତିକି ନୁହେଁ, ରାଜନୈତିକ ଦଳ କାହିଁକି ଏଭଳି ଦାଗୀଙ୍କୁ ପ୍ରାର୍ଥୀ କରିଛନ୍ତି? ପୁଣି ଯାହା ବିରୋଧରେ କୌଣସି ଆପରାଧିକ ମାମଲା ନାହିଁ ସେଭଳି ବ୍ୟକ୍ତିଙ୍କୁ ଦଳ କାହିଁକି ପ୍ରାର୍ଥୀ କଲା ନାହିଁ? ଦାଗୀଙ୍କୁ ଟିକଟ ଦେବା ପଛରେ ସଂପୃକ୍ତ ରାଜନୈତିକ ଦଳର କି ଉଦ୍ଦେଶ୍ୟ ରହିଛି? ଏସବୁ କଥାକୁ ପ୍ରତ୍ୟେକ ରାଜନୈତିକ ଦଳ ୭୨ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗଙ୍କୁ ଲିଖିତ ମାଧ୍ୟମରେ ଜଣେଇବାକୁ ପଡିବ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶକୁ ଅନୁପାଳନ କରିବା ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ। ଯଦି ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ କୌଣସି ଦଳ ଏସବୁ ତଥ୍ୟ ନ ଦିଅନ୍ତି; ତେବେ ଏହାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅବମାନନା ବୋଲି ଧରିନିଆଯିବ। ଗତ ୪ଟି ନିର୍ବାଚନକୁ ଅନୁଧ୍ୟାନ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜନୀତିରେ ଅପରାଧୀକରଣ କ୍ରମାଗତ ଭାବେ ବଢି ବଢି ଚାଲିଛି। ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ଏକଥା କହିଛନ୍ତି; ତଦନୁସାରେ ୨୦୦୪ରେ ୨୪ପ୍ରତିଶତ, ୨୦୦୯ରେ ୩୦ପ୍ରତିଶତ, ୨୦୧୪ରେ ୩୪ପ୍ରତିଶତ ଏବଂ ୨୦୧୯ରେ ୪୩ପ୍ରତିଶତ ସାଂସଦ ଆପରାଧିକ ଶ୍ରେଣୀର। ତା’ମାନେ ଆପରାଧିକ ପୃଷ୍ଠଭୂମି ଥିବା ସଦସ୍ୟଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବଢି ଚାଲିଛି। ତେଣୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ପ୍ରକଟ କରିବା ଯଥାର୍ଥ।
ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୮ରେ ଏକ ମାମଲାର ଶୁଣାଣି ଅବସରରେ ଏପରି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବି କୌଣସି ରାଜନୈତିକ ଦଳ ନିଜର ଦାଗୀ ପ୍ରାର୍ଥୀଙ୍କ ବିବରଣୀ ଦେଇ ନ ଥିଲେ। ତେଣୁ ପୁଣି ଏକ ମାମଲାର ଶୁଣାଣି କରିବା ସମୟରେ ୨ୟ ଥର ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ଟିପ୍ପଣୀ ଦେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରି ଉଭୟ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ଏବିଷୟରେ ଅବଗତ କରାଇଥିଲେ। ଶ୍ରୀ ଉପାଧ୍ୟାୟଙ୍କ କହିବା ଅନୁସାରେ ନିର୍ବାଚନ ଆୟୋଗ ଏବିଷୟରେ ସମ୍ପୂର୍ଣ୍ଣ ଭାବେ ଅସଫଳ ହେଲେ। କାରଣ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନିର୍ବାଚନ ଆୟୋଗ ପାଳନ କରିପାରିଲେ ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ବିଗତ ୨ବର୍ଷ ମଧ୍ୟରେ ଏକାଧିକ ମହତ୍ତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିଛନ୍ତି କିନ୍ତୁ ରାଜନୀତିରେ ଅପରାଧୀକରଣକୁ ରୋକିବା ପାଇଁ ଏଯାଏ କୌଣସି ଆଇନ ପ୍ରଣୟନ କରି ନାହାନ୍ତି।
ଆପରାଧିକ ଶ୍ରେଣୀର ଲୋକେ ବିଧାନସଭା ଓ ସଂସଦରେ ପ୍ରତିନିଧିତ୍ତ୍ୱ କଲେ ନିମ୍ନସ୍ତରରେ ଏହାର ଖରାପ ପ୍ରଭାବ ପଡ଼ିବା ସ୍ବାଭାବିକ କଥା। ଲୋକତନ୍ତ୍ରର ମନ୍ଦିରରେ ଏହି ଦାଗୀଙ୍କର କି କାମ ରହିଛି ଯେ? ପ୍ରକୃତରେ ଏହା ଲୋକଙ୍କୁ ଖରାପ ବାର୍ତ୍ତା ଦେଉଛି। ନିର୍ବାଚନରେ ଅପରାଧୀକରଣକୁ ଦୂରେଇ ରଖିବା ପାଇଁ ପ୍ରାୟ ୨୦ଟି ରିପୋର୍ଟରେ ଲ’ କମିଶନର କହି ସାରିଛନ୍ତି। ନିର୍ବାଚନ ଆୟୋଗ ମଧ୍ୟ ବାରମ୍ବାର ଅପରାଧୀକରଣ ଉପରେ ରୋକ୍‌ ଲଗାଇବା ପାଇଁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶିତ କରି ଆସୁଛନ୍ତି। ଏହା ବ୍ୟତୀତ ଭୋରା କମିଟି, ଗୋସ୍ବାମୀ କମିଟି, ଭେଙ୍କଟଚଲେୟା କମିଶନ ପରି ପ୍ରାୟ ୧୦ଟି ନ୍ୟାୟିକ କମିଟିର ରିପୋର୍ଟରେ ମଧ୍ୟ ଅପରାଧୀଙ୍କ ଉପରେ ରୋକ୍‌ ଲଗେଇବାକୁ କୁହାଯାଇଛି। ଏଥିପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ଶ୍ରାଦ୍ଧ ହୋଇ ଚାଲିଛି। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ପଦକ୍ଷେପ ନିଆ ନ ଯାଇ କମିଟି ପରେ କମିଟି ଗଢ଼ି ରିପୋର୍ଟ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ସେଗୁଡିକୁ ଶୀତଳ ଭଣ୍ଡାରରେ ସାଇତା ଯାଉଛି। ତେଣୁ ଅପରାଧୀକରଣ ଉପରେ ରୋକ୍‌ ଲାଗିବ କିପରି?
ପ୍ରଶ୍ନ ଆସୁଛି, ସତରେ କ’ଣ ଆମ ଦେଶରେ ଭ୍ରଷ୍ଟାଚାରକୁ ନେଇ କାହାର କୌଣସି ଅସୁବିଧା ହେଉଛି? ଆମ ଦେଶର ଆପରାଧିକ ପୃଷ୍ଠଭୂମି ରହିଥିବା ରାଜନେତାଙ୍କ ଦ୍ବାରା କାହାର କୌଣସି ସମସ୍ୟା ସୃଷ୍ଟି ହେଉଛି? ଆମ ଦେଶର ଭୋଟରଙ୍କ ପାଇଁ ଏହା ନିର୍ବାଚନ ପ୍ରସଙ୍ଗ ହୋଇପାରିଛି କି? ଏ ସମ୍ପର୍କିତ ପରିସଂଖ୍ୟାନ ଉପରେ ଦୃଷ୍ଟି ଦେଲେ ଜାଣିପାରିବା, ଆମ ଦେଶର ଭୋଟରଙ୍କ ପାଇଁ କୌଣସି ନିର୍ବାଚନରେ ଏହା ପ୍ରସଙ୍ଗ ନ ଥିଲା କି ଏବେ ଥିଲା ପରି ଜଣାପଡୁନାହିଁ। ନଚେତ ପରିସଂଖ୍ୟାନ ଅନୁସାରେ ଭୋଟରଙ୍କ ଦ୍ବାରା ଏତେ ସଂଖ୍ୟକ ଆପରାଧିକ ଶ୍ରେଣୀର ପ୍ରାର୍ଥୀ ନିର୍ବାଚିତ ହୋଇ ପାରି ନ ଥାନ୍ତେ। ଅବଶ୍ୟ ଏହା ଯଦି ନିର୍ବାଚନର ପ୍ରସଙ୍ଗ ହେବ, ତେବେ ଜନତା ଏମାନଙ୍କୁ ନିଶ୍ଚିତ ରୂପେ ହରାଇ ଦେବେ।
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?