
ନୂଆଦିଲ୍ଲୀ,୧୫।୧: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ଏବଂ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ଯୋଗୁ ଗମ୍ଭୀର ପୂର୍ବରୁ ଚାପରେ ଅଛନ୍ତି। ଏବେ ତାଙ୍କ ପର୍ସନାଲ ଆସିଷ୍ଟାଣ୍ଡ ଯୋଗୁ ତାଙ୍କର ସମସ୍ୟା ଆହୁରି ବଢ଼ିପାରେ। ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କ ପିଏ ସବୁଠି ଦଳ ସହିତ ଉପସ୍ଥିତ ରହିବାକୁ ନେଇ ବିସିସିଆଇ ଅଧିକାରୀମାନେ ଖପ୍ପା ହୋଇଯାଇଛନ୍ତି। ଯାହା ପରେ ଏବେ ତାଙ୍କ ପିଏ ଉପରେ କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲୁଛି।
ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଚୟନକର୍ତ୍ତାଙ୍କ କାର୍ରେ ଗୌତମ ଗମ୍ଭୀରଙ୍କ ପିଏ ଦେଖାଯାଇଥିଲେ। ଅଧିକାରୀ ଜଣକ ଏହା ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଚୟନକର୍ତ୍ତାଙ୍କ ପିଏ କାହିଁକି ସେମାନଙ୍କ ଗାଡ଼ିରେ ବସିଥିଲେ? ତୃତୀୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଚୟନକର୍ତ୍ତାମାନେ ସେମାନଙ୍କ ବିଷୟରେ ବ୍ୟକ୍ତିଗତ ଭାବରେ ଆଲୋଚନା ମଧ୍ୟ କରିପାରିବେ ନାହିଁ। ସେମାନଙ୍କୁ ଆଡିଲେଡରେ ବିସିସିଆଇ ହସ୍ପିଟାଲିଟି ବାକ୍ସରେ କାହିଁକି ସ୍ଥାନ ଦିଆଗଲା ବୋଲି ଅଧିକାରୀ ଜଣକ ପ୍ରଶ୍ନ କରିଛନ୍ତି।