ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଟପ ଖେଳାଳି ନିଜକୁ ଦଳରେ ରଖିବା ପାଇଁ ଫ୍ରାଞ୍ଚାଇଜିଙ୍କୁ ୪୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। ଏତେ ଟଙ୍କା ନମିଳିଲେ ସେମାନେ ଆଗାମୀ ମେଗା ଅକ୍ସନରେ ସାମିଲ ହେବେ ବୋଲି ଜଣାପଡ଼ିଛି।
କିଛି ନାମୀ ଖେଳାଳି ନିଜ ନିଜ ଫ୍ରାଞ୍ଚାଇଜି ସମ୍ମୁଖରେ ଏହି ଦାବି ରଖିଛନ୍ତି। ଆଗକୁ ଏଭଳି ଦାବି କରୁଥିବା ଖେଳାଳିଙ୍କ ସଂଖ୍ୟା ବଢ଼ିପାରେ। ଖେଳାଳିମାନଙ୍କ ମତରେ, ରିଟେନ୍ସନ ଅପେକ୍ଷା ନିଲାମକୁ ଗଲେ ସେମାନେ ଅଧିକ ଟଙ୍କା ପାଇପାରିବେ। ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ରହିଛନ୍ତି। ୨୦୨୫ ମେଗା ଅକ୍ସନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଥିଲା। ଏବେ କିଛି ଖେଳାଳିଙ୍କ ୪୦ କୋଟି ଟଙ୍କା ଦାବି ଆଇପିଏଲ୍ଷର ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
କିଛି ଟପ ଖେଳାଳି ନିଜର ରିଟେନ୍ସନ ମୂଲ୍ୟ ୪୦ କୋଟି ଟଙ୍କା ରଖିବାକୁ ଚାହୁଁଛନ୍ତି। ଫ୍ରାଞ୍ଚାଇଜିଗୁଡ଼ିକ ଯଦି ଏହି ଦାବି ପୂରଣ ନ କରନ୍ତି, ତେବେ ସେମାନେ ନିଲାମରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ଆଇପିଏଲ ୨୦୨୬ରେ ଋଷଭ ପନ୍ତ, ଶ୍ରେୟସ ଆୟର, କାମେରନ ଗ୍ରୀନ, ହେନରିକ କ୍ଲାସେନ ଏବଂ ବିରାଟ କୋହଲିଙ୍କ ଭଳି ମାତ୍ର ୫ ଜଣ ଖେଳାଳି ୨୦ କୋଟିରୁ ଅଧିକ ଟଙ୍କା ପାଇଥିଲେ। ଚଳିତ ବର୍ଷ ମିନି ଅକ୍ସନ ହେବାକୁ ଥିବାବେଳେ ୨୦୨୮ରେ ମେଗା ଅକ୍ସନ ହେବା ନେଇ ଚର୍ଚ୍ଚା ହେଉଛି। ଆକଳନ ଅନୁଯାୟୀ, ୨୦୨୮ ମେଗା ଅକ୍ସନରେ ପ୍ରତ୍ୟେକ ଫ୍ରାଞ୍ଚାଇଜିର ମୋଟ ପର୍ସ ୧୫୦ କୋଟି ଟଙ୍କା ହୋଇପାରେ।
ଯଦି ଜଣେ ଖେଳାଳିଙ୍କ ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଏ, ତେବେ ଦଳର ମୋଟ ବଜେଟର ଏକ ଚତୁର୍ଥାଂଶରୁ ଅଧିକ ଟଙ୍କା କେବଳ ଜଣଙ୍କ ପାଇଁ ଖର୍ଚ୍ଚ ହୋଇଯିବ। ଏଭଳି ସ୍ଥିତିରେ ଅନ୍ୟ ଭଲ ଖେଳାଳିଙ୍କୁ କିଣି ଏକ ଶକ୍ତିଶାଳୀ ଦଳ ଗଠନ କରିବା ଫ୍ରାଞ୍ଚାଇଜିଙ୍କ ପାଇଁ କଷ୍ଟକର ହୋଇପାରେ। ତେବେ ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଔପଚାରିକ ଭାବେ କୌଣସି ନିଷ୍ପତ୍ତି ହୋଇନାହିଁ।
୨୦୨୫ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ପ୍ରତ୍ୟେକ ଦଳକୁ ସର୍ବାଧିକ ୫ ଜଣ ଖେଳାଳିଙ୍କୁ ରିଟେନ କରିବାର ସୁଯୋଗ ମିଳିଥିଲା। ଏହି ୫ ଜଣ ଖେଳାଳିଙ୍କ ପାଇଁ ମୋଟ ୭୫ କୋଟି ଟଙ୍କାର ସୀମା ଧାର୍ଯ୍ୟ କରାଯାଇଥିଲା। ଏହାଠାରୁ ଅଧିକ ଖର୍ଚ୍ଚ ହେଲେ ଦଳର ମୋଟ ପର୍ସରୁ ଟଙ୍କା କଟିବାର ନିୟମ ଥିଲା।
ସେତେବେଳେ ମଧ୍ୟ ଅନେକ ଫ୍ରାଞ୍ଚାଇଜି ନିଜର ୫ ଜଣ ପ୍ରମୁଖ ଖେଳାଳିଙ୍କ ପାଇଁ ପର୍ସର ପ୍ରାୟ ଦୁଇ-ତୃତୀୟାଂଶ ଖର୍ଚ୍ଚ କରିଥିଲେ। ଏବେ ଜଣେ ଖେଳାଳିଙ୍କ ପାଇଁ ୪୦ କୋଟି ଟଙ୍କାର ଦାବି ଫ୍ରାଞ୍ଚାଇଜିଙ୍କ ଚିନ୍ତା ବଢ଼ାଇଛି। କାରଣ ପ୍ରତ୍ୟେକ ଦଳରେ ୪ରୁ ୫ ଜଣ ମ୍ୟାଚ ବିଜେତା ତଥା ଷ୍ଟାର ଖେଳାଳି ରହିବା ଆବଶ୍ୟକ। ଏଭଳି ସ୍ଥିତିରେ ଜଣେ ଖେଳାଳିଙ୍କ ପାଇଁ ଏତେ ବଡ଼ ରାଶି ଖର୍ଚ୍ଚ କଲେ ଅନ୍ୟ ଖେଳାଳିଙ୍କୁ ଦଳରେ ସାମିଲ କରିବା ଫ୍ରାଞ୍ଚାଇଜିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

