ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ ଉଇକେଟ ହାସଲ କରିବାରେ ସେ ବିଶ୍ୱର ପ୍ରଥମ କ୍ରିକେଟର୍ ହୋଇଛନ୍ତି। ନେପାଳ ପ୍ରିମିୟର ଲିଗ ୨୦୨୬ରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି ରସେଲ।
ରସେଲ ବର୍ତ୍ତମାନ ନେପାଳ ପ୍ରିମିୟର ଲିଗ୍ରେ ବିରାଟନଗର କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି। ତାଙ୍କ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ସେ ନିଜର ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ରେ ୧୦ ହଜାର ରନ ଓ ୫୦୦ ଉଇକେଟ୍ର ଅନନ୍ୟ ରେକର୍ଡ
ଆନ୍ଦ୍ରେ ରସେଲଙ୍କ ନାମରେ ବ୍ୟାଟ ଓ ବଲ୍ରେ ଅନେକ କୀର୍ତ୍ତିମାନ ରହିଛି। ସେ ପୂର୍ବରୁ ଟି-୨୦ କ୍ରିକେଟ୍ରେ ୫୦୦ ଉଇକେଟ୍ର ମାଇଲଖୁଣ୍ଟ ଅତିକ୍ରମ କରିଥିବା ବେଳେ ଏବେ ୧୦ ହଜାର ରନ୍ର ସଂଖ୍ୟା ମଧ୍ୟ ଛୁଇଁଛନ୍ତି। ଏହି ସଫଳତା ସହ ଉଭୟ ବିଭାଗରେ ୧୦ ହଜାର ରନ ଓ ୫୦୦ରୁ ଅଧିକ ଉଇକେଟ ହାସଲ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି।
ଟି-୨୦ରେ ୧୦ ହଜାର କିମ୍ବା ତା’ଠାରୁ ଅଧିକ ରନ କରିଥିବା ଖେଳାଳିଙ୍କ ତାଲିକାରେ ରସେଲ ୨୧ତମ ସ୍ଥାନରେ ଅଛନ୍ତି। ଏହି ତାଲିକାର ଶୀର୍ଷରେ ୧୫,୦୬୨ ରନ ସହ ଇଂଲଣ୍ଡର ଜୋସ ବଟଲର ରହିଛନ୍ତି। ଅନ୍ୟପକ୍ଷରେ ୧୦ ହଜାର ରନ ପୂରଣ କରିବାରେ ରସେଲ ୱେଷ୍ଟଇଣ୍ଡିଜ୍ର ଚତୁର୍ଥ ଖେଳାଳି ହୋଇଛନ୍ତି।ଟି-୨୦ କ୍ରିକେଟ୍ର ଏପର୍ଯ୍ୟନ୍ତ ମାତ୍ର ୬ ଜଣ ଖେଳାଳି ୫୦୦ କିମ୍ବା ତା’ଠାରୁ ଅଧିକ ଉଇକେଟ ନେଇଛନ୍ତି। ଏହି ତାଲିକାରେ ରସେଲ ପଞ୍ଚମ ସ୍ଥାନରେ ରହିଛନ୍ତି। ସେ ୬୧୬ଟି ଟି-୨୦ ମ୍ୟାଚ୍ରେ ୨୫.୫୫ ହାରରେ ୫୪୫ଟି ଉଇକେଟ ନେଇଛନ୍ତି।
Dharitri – Odisha’s No.1 Odia Daily

