କେନ୍ଦୁଝର,୧୭।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା ମାମଲାର ବିଚାର କରି କେନ୍ଦୁଝର ଜିଲା ଓ ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି। ବିଚାରପତି ଅଭିଯୁକ୍ତ ସ୍ବାମୀ ଉଗ୍ରସେନ ଜୁଆଙ୍ଗ(୩୨)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ମୃତ ମହିଳା ହେଲେ ଫୁଲବାଡ଼ି ଗ୍ରାମର ରାଧୀ ଜୁଆଙ୍ଗ(୨୫)।
ମାମଲାର ବିବରଣୀ ଅନୁଯାୟୀ, ୨୦୨୪ ଫେବୃଆରୀ ୧୨ ତାରିଖରେ ରାଧୀଙ୍କ ମା’ ସାବିତ୍ରୀ ଜୁଆଙ୍ଗ ଝିଅ ଘରକୁ ଯାଇଥିଲେ। ସେହି ରାତିରେ ସାବିତ୍ରୀ ତାଙ୍କ ଝିଅ ରାଧୀ ଓ ନାତି ଗୋଟିଏ କୋଠରିରେ ଶୋଇଥିଲେ। ରାତି ପ୍ରାୟ ୮ଟାରେ ଉଗ୍ରସେନ ଏକ କୁରାଢ଼ି ଧରି ସେଠାରେ ପହଞ୍ଚିଥିଲେ। ଉଗ୍ରସେନ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ରାଧୀଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ରାଧୀଙ୍କ ମୃତ୍ୟୁ ଘଟିଥିଲା।
ମା’ ସାବିତ୍ରୀଙ୍କ ଅଭିଯୋଗ ଆଧାରରେ କାଞ୍ଜିପାଣି ଥାନା ପୋଲିସ ୨୦୨୪ ଫେବୃଆରୀ ୧୩ ତାରିଖରେ ମାମଲା(ନଂ.୫୯/୨୦୨୪) ରୁଜୁ କରିଥିଲା। ତଦନ୍ତକାରୀ ଅଧିକାରୀ ସ୍ବରୂପ ରଞ୍ଜନ ନାୟକ ମାମଲାର ତଦନ୍ତ କରି ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ।
ଏହି ମାମଲାରେ ଅଦାଲତ ୧୬ ଜଣ ସାକ୍ଷୀଙ୍କ ବୟାନ ଏବଂ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରିବା ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରିଥିଲେ।

