ରାୟଗଡ଼ା, ୧୭।୧୧ (ଜଗନ୍ନାଥ ଗୌଡ଼): ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସି ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ। ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଆସନ୍ତା ୧୮ ତାରିଖ ସୁଦ୍ଧା ଗ୍ରାମକୁ ରାସ୍ତା ନିର୍ମାଣ ନେଇ କୌଣସି ଠୋସ୍ ପଦକ୍ଷେପ ନିଆ ନଗଲେ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଆବେଦନ କରିବେ ବୋଲି ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଥିଲେ।
ଗ୍ରାମବାସୀଙ୍କ ଏହି ଚେତାବନୀ ପରେ ମଙ୍ଗଳବାର ରାୟଗଡ଼ା ବିଡିଓଙ୍କ ସମେତ ବ୍ଲକ୍ର ଅନ୍ୟ ଅଧିକାରୀମାନେ ଗ୍ରାମକୁ ଯାଇଥିଲେ। ତେବେ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବାରୁ ବିଡିଓ ଅଧାବାଟରୁ ଚାଲି ଚାଲି ଗ୍ରାମରେ ପହଞ୍ଚିଥିଲେ। ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ଏକ ଗ୍ରାମର ଏଭଳି ଦୁରବସ୍ଥା ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ସ୍ଥିତି କିପରି ଥିବ, ତାହା ସହଜରେ ଅନୁମେୟ।
ଗ୍ରାମରେ ଅଧିକାରୀମାନେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ ଏକ ବୈଠକ କରାଯାଇଥିଲା। ତେବେ ଗ୍ରାମବାସୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାରେ ଅଧିକାରୀମାନେ ଅସମର୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ବିଡିଓ ସୁଜିତ ମିଶ୍ର, ସ୍ଥାନୀୟ ସରପଞ୍ଚ ବିନିମା ମାଝୀ ଏବଂ ଏସ୍ଡିସି ଉପସଭାପତି ମଞ୍ଜୁଲତା ମିଣିଆକା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।
ଏହାପରେ ବୁଧବାର ହେବାକୁ ଥିବା ପ୍ରସ୍ତାବିତ ଧାରଣା ସମ୍ପର୍କରେ ଗ୍ରାମବାସୀ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଦୀର୍ଘଦିନ ଧରି ରାସ୍ତା ସମସ୍ୟାରେ ଜୁଝି ହେଉଥିବା ପୂଜାରୀବମ୍ବୁ ଗ୍ରାମବାସୀଙ୍କ ଦାବି କେବେ ପୂରଣ ହେବ, ତାହାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

