ଲିଙ୍ଗଗତ ପକ୍ଷପାତିତା କାହିଁକି

ଇଂ. ଶକ୍ତି ପ୍ରସାଦ ଦାସ

ପ୍ରତିଭାବାନ୍‌ ମହିଳା ଓକିଲମାନଙ୍କୁ ବିଚାରପତି ପଦ ପାଇଁ ଅଣଦେଖା କରାଯାଉଛି ବୋଲି ‘ସୁପ୍ରିମକୋର୍ଟ ମହିଳା ଆଇନଜୀବୀ ସଙ୍ଘ’ର ଏକ ଆବେଦନ ଉପରେ ଗତ ମାର୍ଚ୍ଚ ୧୫ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଲେ ଯେ, ପାରିବାରିକ ଦାୟିତ୍ୱକୁ ଦର୍ଶାଇ ମହିଳା ଆଇନଜୀବୀମାନେ ହାଇକୋର୍ଟର ବିଚାରପତି ପ୍ରସ୍ତାବକୁ ମନା କରି ଦେଉଛନ୍ତି। ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ତା’ ଜାଗାରେ ଠିକ ହୋଇପାରେ। ‘ତିନି ତୁଣ୍ଡରେ ଛେଳି କୁକୁର’ ନ୍ୟାୟରେ ଭାରତୀୟ ନାରୀ ସହସ୍ର ବର୍ଷର ସାମାଜିକ ବହିଷ୍କାରକୁ ଆପଣାଇ ନେଇଛନ୍ତି। ଆମ ସମାଜରେ ଏହା ଏକ ଗତାନୁଗତିକ ଧାରଣା ଯେ ବୌଦ୍ଧିକ ଦକ୍ଷତା ବା ପ୍ରତିଭା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ନିକଟରେ ଅଧିକ ଉପଲବ୍ଧ। ଏହି ଚିନ୍ତାଧାରା ନାରୀମାନଙ୍କୁ ଅନେକ ମର୍ଯ୍ୟାଦାସମ୍ପନ୍ନ ବୃତ୍ତି ଆପଣାଇବାକୁ ନିରୁତ୍ସାହିତ କରୁଛି। କାରଣ ସେ ନିର୍ବାହ କରୁଥିବା ଭୂମିକାକୁ ପସନ୍ଦ, ପ୍ରଶଂସା ବା ସମ୍ମାନ କରିବାକୁ ସମାଜ କୁଣ୍ଠିତ ହେଉଛି ଏବଂ ନାରୀକୁ ହେୟ ଜ୍ଞାନ କରୁଛି। ପୁରୁଷ ହେଉ କିମ୍ବା ନାରୀ, ପ୍ରତ୍ୟେକଙ୍କ ଭାବନା ଓ ଧୈର୍ଯ୍ୟର ସ୍ତର ମଧ୍ୟ ଭିନ୍ନ। ସମସ୍ୟା ହେଉଛି, ଏହି ପ୍ରଭେଦକୁ ଆମେ ପୁରୁଷ ଆଉ ନାରୀ ମଧ୍ୟରେ ସାଧାରଣୀକରଣ କରିଦେଇଛୁ। ତଥାକଥିତ ପୁରୁଷଯୋଗ୍ୟ କାର୍ଯ୍ୟକ୍ଷେତ୍ରଗୁଡିକୁ ନାରୀଟିଏ ପସନ୍ଦ କଲେ, ଭ୍ରୂକୁଞ୍ଚନ ସୃଷ୍ଟି ହେଉଛି। ବିବେକ ପକ୍ଷପାତିତାରେ ପରିଣତ ହେବାରୁ ସମସ୍ୟା ଆରମ୍ଭ ହେଉଛି।
ଆଜିର ଆଧୁନିକ ଯୁଗରେ ବୈଷୟିକ ସୁବିଧାର ଉପଲବ୍ଧତା ଓ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଲିଙ୍ଗଗତ ଭୂମିକାଗୁଡ଼ିକ ପରିବର୍ତ୍ତନଶୀଳ ହୋଇଛି। ମଣିଷର ଶାରୀରିକ ଶକ୍ତି ଆଜିର ଆହ୍ବାନ, ସୁଯୋଗ ଓ ସମସ୍ୟାର ଫଳାଫଳ ନିର୍ଣ୍ଣୟ କରିପାରିବ ନାହିଁ ବୋଲି ଆମେ ସମସ୍ତେ ଜାଣୁଛୁ। ପରନ୍ତୁ, ସେହି ଗତାନୁଗତିକ ଚିନ୍ତାଧାରାକୁ ଜାବୁଡ଼ି ଧରି ଯୁକ୍ତି କରୁଛୁ କି ଈଶ୍ୱର ନାରୀ ଆଉ ପୁରୁଷକୁ ଭିନ୍ନ ଭାବରେ ସୃଷ୍ଟି କରିଛନ୍ତି। ତେଣୁ ଉଭୟ ଲିଙ୍ଗର ଭୂମିକା ସମାନ ହୋଇପାରିବ ନାହିଁ। ଅତଏବ, ସମାଜ ନାରୀମାନଙ୍କୁ ଅଲଗା ଆଖିରେ ଦେଖୁଛି ଏବଂ ସେମାନଙ୍କଠାରୁ ଅଲଗା ଆଶା ରଖୁଛି।
ନାରୀ ପ୍ରତି ଏହି ଲିଙ୍ଗଗତ ପକ୍ଷପାତିତାକୁ ବୁଝିବାକୁ ହେଲେ, ସମୟର ଚକକୁ ପଛକୁ ଘୂରାଇ ଦେଖିବାକୁ ହେବ। ଭାରତୀୟ ସମାଜରେ ନାରୀର ସ୍ଥିତିରେ ପରିବର୍ତ୍ତନର ଧାରାକୁ ସମୟ ଓ ସ୍ଥାନ ସହିତ ନିୟନ୍ତ୍ରଣ କରିବାରେ ତା’ର ସାମାଜିକ ଚଳଣି, ସାଂସ୍କୃତିକ ପରମ୍ପରା ଓ ପ୍ରଥାରେ ପରିବର୍ତ୍ତନ ସକ୍ରିୟ ଭୂମିକା ଗ୍ରହଣ କରିଆସିଛି।
ପ୍ରାଗୈତିକ ସଭ୍ୟତା (ଖ୍ରୀଷ୍ଟପୂର୍ବ ୧୫୦୦- ଖ୍ରୀଷ୍ଟପୂର୍ବ ୧୦୦୦)ର, ଦ୍ରାବିଡ଼ ସଂସ୍କୃତିରେ ନାରୀମାନେ ସାମାଜିକ-ସାଂସ୍କୃତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିଲେ ଏବଂ ସମାଜ ସେମାନଙ୍କୁ ସମ୍ମାନିତ କରୁଥିଲା। ସୁଲଭା, ମୈତ୍ରେଇ, ଗାର୍ଗୀ, ଲୋପାମୁଦ୍ରା, ଘୋଷ, ବିଶ୍ୱଭରା, ପ୍ରଚିତୈଇ ଓ ସିକାତା ଆଦି ନାରୀଗଣ ସେମାନଙ୍କର ଶିକ୍ଷାଦୀକ୍ଷା ଯୋଗୁ ସମାଜରେ ଖ୍ୟାତିଲାଭ କରିଥିଲେ। ଯୁଦ୍ଧ, ବ୍ୟାୟାମ, ଧନୁର୍ବିଦ୍ୟା, ଅଶ୍ୱାରୋହଣ, ଶିକ୍ଷା ତଥା ସାଧାରଣ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ କରିବାର ନାରୀମାନଙ୍କର ସ୍ବାଧୀନତା ଥିଲା। ସେମାନେ ପତି ଚୟନ କରିପାରୁଥିଲେ। ସୂତା-କଟା ଓ ଲୁଗା-ବୁଣା ଜରିଆରେ ଅର୍ଥନୈତିକ ସ୍ବାଧୀନତା ଉପଭୋଗ କରୁଥିଲେ। ପତିଙ୍କ ସହିତ ମିଳିତ ଭାବେ ହୋମ-ଯଜ୍ଞ ମଧ୍ୟ କରୁଥିଲେ। ସର୍ବସାଧାରଣରେ ତର୍କ କରିବାର ଅଧିକାର ପାଇଥିଲେ। ଅବଶ୍ୟ, ଉତ୍ତରାଧିକାର ଭିତ୍ତିରେ ନାରୀର ସମ୍ପତ୍ତି ଉପରେ ଅଧିକାରକୁ ଅନୁମତି ନ ଥିବାର ଜଣାଯାଏ।
ବୈଦିକ ଯୁଗର ପରବର୍ତ୍ତୀ କାଳ ବା ମହାକାବ୍ୟ ଯୁଗ (ଖ୍ରୀ.ପୂ. ୧୦୦୦- ଖ୍ରୀ.ପୂ ୬୦୦)ରେ ବାଲ୍ମୀକିଙ୍କ ରାମାୟଣ ଏବଂ ବ୍ୟାସଙ୍କ ମହାଭାରତରେ ନାରୀଙ୍କୁ ଧର୍ମ, ତୃପ୍ତି ଓ ସମୃଦ୍ଧିର ଉତ୍ସ ରୂପେ ଚିତ୍ରଣ କରାଯାଇଛି। ସୀତା, ଦ୍ରୌପଦୀ, କୈକେୟୀ, ରୁକ୍ମିଣୀ, ସାବିତ୍ରୀ ଓ ସତ୍ୟଭାମାଙ୍କ ଭଳି ନାରୀଙ୍କୁ ମହାନ୍‌ ମୂଲ୍ୟବୋଧ, ଦୃଢ଼ ଇଚ୍ଛାଶକ୍ତି, ସାହସିକା ଭୂମିକାର ପ୍ରତୀକ ଭାବରେ ଚିତ୍ରିତ କରାଯାଇଛି। ପରିବାରର ଉନ୍ନତିରେ ଗଙ୍ଗା, ଗାନ୍ଧାରୀ, ପାର୍ବତୀ, ଉତ୍ତରା ଓ କୁନ୍ତୀ ରୂପରେ ମା’ର ମହତ୍ତ୍ୱ ମହାଭାରତରେ ପ୍ରତିପାଦିତ ହୋଇଛି। ନାରୀମାନେ ସେମାନଙ୍କର ସଂସ୍କୃତିର ସୁରକ୍ଷା ପାଇଁ ଯୁଦ୍ଧରେ ଭାଗ ନେଉଥିବାର ଚିତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଜୈନ ଓ ବୌଦ୍ଧଧର୍ମ ସମୟ (ଖ୍ରୀ.ପୂ. ୬୦୦- ଖ୍ରୀ.ପୂ. ୨୦୦)ରେ ଶିକ୍ଷା, ଧର୍ମ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ନାରୀମାନଙ୍କ ଯୋଗଦାନ କଥା ତ୍ରିପିଟକରେ ଦର୍ଶାଯାଇଛି। ବୁଦ୍ଧ ନାରୀମାନଙ୍କୁ ମାର୍ଗ ଓ ଫଳର ଅନ୍ତର୍ନିହିତ ଗୁଣ ହାସଲ କରିବାରେ ସକ୍ଷମ ବୋଲି ବିବେଚନା କରୁଥିଲେ। ଅଶୋକଙ୍କ କନ୍ୟା ସଂଘମିତ୍ରାଙ୍କ ବୌଦ୍ଧ ଧର୍ମର ପ୍ରଚାର ବିଷୟରେ ଆମେ ଜାଣୁ । ଜୈନ ଗ୍ରନ୍ଥ ଅନୁସାରେ କୌଶମ୍ବୀ ରାଜକୁମାରୀ ଜୟନ୍ତୀ ଦର୍ଶନ ଓ ଧର୍ମ ଅଧ୍ୟୟନ କରିବା ପାଇଁ ଆଜୀବନ କୁମାରୀ ଜୀବନଯାପନ କରିଥିଲେ। ନାରୀମାନେ ଲିଙ୍ଗଗତ ପକ୍ଷପାତ ନୀତିର ଊର୍ଦ୍ଧ୍ୱରେ ନିଜସ୍ବ ଭିକ୍ଷୁଣୀ ସଂଗଠନ ଚଳାଇ ପାରୁଥିଲେ। ଅବଶ୍ୟ, ଏହି ସମୟରେ ନାରୀମାନଙ୍କୁ ରାଜନୈତିକ ଓ ଅର୍ଥନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଉଥିଲା।
ଏହା ପରେ ଆରମ୍ଭ ହେଲା ଧର୍ମଶାସ୍ତ୍ର ସମୟ (ଖ୍ରୀ.ପୂ. ୨୦୦-ଖ୍ରୀଷ୍ଟାବ୍ଦ ୬୪୭)। ସମାଜକୁ ନିୟନ୍ତ୍ରଣ କରିବା ଆଳରେ ମନୁସଂହିତା ନାରୀଙ୍କ ପାଇଁ ଶିକ୍ଷା-ଅଧିକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିନେଲା। ବାଲ୍ୟ ବିବାହକୁ ଅନୁମତି ଦିଆଗଲା। ପୁରୁଷମାନଙ୍କୁ ପତି ହିସାବରେ ଈଶ୍ୱରଙ୍କ ମାନ୍ୟତା ଦିଆଗଲା। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ, ପୁରୁଷମାନେ ପତ୍ନୀଙ୍କୁ ଆନୁପାତିକ କ୍ଷତିପୂରଣ ଓ ଜୀବିକା ପାଇଁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରି ଏକାଧିକ ନାରୀଙ୍କୁ ବିବାହ କରିବାର ଅନୁମତି ଦିଆଗଲା। ବଂଶ ରକ୍ଷା ପାଇଁ ମାତୃତ୍ୱକୁ ଗୌରବାନ୍ବିତ କରାଗଲା। ପରିବାରର ପୁରୁଷ ସଦସ୍ୟଙ୍କ କଲ୍ୟାଣ ନିମନ୍ତେ ଆତ୍ମତ୍ୟାଗ ଓ ସାମାଜିକ ରୀତିନୀତି ପାଳନ କରିବା ନାରୀଙ୍କ କର୍ତ୍ତବ୍ୟ ବୋଲି ବିବେଚନା କରାଗଲା। ଆନୁମାନିକ ଖ୍ରୀ.ପୂ. ୬୦୦ରୁ ଅବଗୁଣ୍ଠନ ପ୍ରଥା ଆରମ୍ଭ ହେଲା। ବିଧବା ବିବାହକୁ ଅବୈଧ ଘୋଷଣା କରାଯାଇଥିବାବେଳେ ‘ସତୀ’ ପ୍ରଥା ବ୍ୟାପକ ହେବାକୁ ଲାଗିଲା। ନାରୀମାନଙ୍କ ପାଇଁ ଧର୍ମ-ପ୍ରାର୍ଥନା, ହୋମ-ଯଜ୍ଞ ଓ ତୀର୍ଥଯାତ୍ରା ଆଦି ବାରଣ କରାଗଲା। ବାଲ୍ୟକାଳରେ ପିତାଙ୍କ ଅଧୀନରେ; ଯୌବନରେ ସ୍ବାମୀଙ୍କ ନିକଟରେ ଏବଂ ଅଭିଭାବକର ମୃତ୍ୟୁ ପରେ ପୁତ୍ରମାନଙ୍କ ଅଧୀନରେ ରହିବାର ପ୍ରାବଧାନ କରାଗଲା। ନାରୀଙ୍କ ପାଇଁ ପରାଧୀନତାର ଯୁଗ ଆରମ୍ଭ ହେଲା।
ପରବର୍ତ୍ତୀ କାଳରେ, ମୌଳବାଦୀ ଚିନ୍ତାଧାରା ଅଧିକରୁ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କଲା। ଲିଙ୍ଗଗତ ପକ୍ଷପାତିତା ସମାଜରେ ପ୍ରବେଶ କରିବାକୁ ଲାଗିଲା। ଜାତିଗତ ଶ୍ରେଣୀବଦ୍ଧତା ଓ ଲିଙ୍ଗଗତ ଅସମାନତାକୁ ସମାଜ-କ୍ରମର ସାଙ୍ଗଠନିକ ନୀତି ଭାବରେ ଗ୍ରହଣ କରାଗଲା।
ଏକବିଂଶ ଶତାବ୍ଦୀରେ ଭାରତୀୟ ସମାଜରେ ସଭ୍ୟତାର ଆଲୋକ ଅଭ୍ୟୁଦୟ କରିବାକୁ ଯାଇ ରାଜା ରାମ ମୋହନ ରାୟ, ସ୍ବାମୀ ବିବେକାନନ୍ଦ, ସ୍ବାମୀ ଦୟାନନ୍ଦ ସରସ୍ବତୀ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ମହାତ୍ମା ଜ୍ୟୋତିବା ଫୁଲେଙ୍କ ଭଳି କାଳଜୟୀ ସମାଜ ସଂସ୍କାରକମାନେ ନାରୀ ଜାତିକୁ ସମାଜରେ ଉପଯୁକ୍ତ ସମ୍ମାନ ଦେବାର ପ୍ରକ୍ରିୟା ଆରମ୍ଭ କଲେ। ହେଲେ, ଆଜି ମଧ୍ୟ ନାରୀ ସମାଜରେ ତା’ର ନ୍ୟାଯ୍ୟ ସ୍ଥିତି ପାଇଁ ସଂଗ୍ରାମ କରୁଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବିଶ୍ୱ ଅର୍ଥନୈତିକ ଫୋରମ୍‌ର ବିଶ୍ୱ ଲିଙ୍ଗଗତ ପାର୍ଥକ୍ୟ ରିପୋର୍ଟ- ୨୦୨୧। ୨୦୨୦ରେ ୧୫୩ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୧୨ ଥିବାବେଳେ ୨୦୨୧ରେ ୧୫୬ଟି ଦେଶ ଭିତରେ ୧୪୦କୁ ଖସି ଆସିଛି।
ନାରୀକୁ କେବଳ ଲିଙ୍ଗଗତ ଭୂମିକାର ପରିଧି ଭିତରେ ରଖିବାର ମାନସିକତାରେ ପରିବର୍ତ୍ତନ ନ ହେବାଯାଏ ଏହି ପକ୍ଷପାତିତାକୁ ଦୂର କରିବା ସମ୍ଭବ ନୁହେଁ। ବାଘୁଣୀଟିଏ ଏକାକୀ ତା’ର ଛୁଆମାନଙ୍କୁ ବଢ଼ାଇଥାଏ। ପେଙ୍ଗୁଇନ୍‌ମାନେ ସେମାନଙ୍କ ଶାବକମାନଙ୍କୁ ଏକାଠି ପାଳନ୍ତି। ପୁରୁଷ ସାମୁଦ୍ରିକ-ଘୋଡ଼ା ଅଣ୍ଡା ଦେଇ ବଂଶ ବୃଦ୍ଧି କରିବା ସହ ଶାବକକୁ ପାଳିଥାଏ। ତେଣୁ, ପ୍ରକୃତିରେ ମଧ୍ୟ ଲିଙ୍ଗଗତ ଭୂମିକାର କୌଣସି ନିର୍ଦ୍ଦିଷ୍ଟ ପରିଭାଷା ନାହିଁ। ସେ ପୁରୁଷ ହେଉ କିମ୍ବା ନାରୀ, ଭିନ୍ନ ଭିନ୍ନ ଭୂମିକାରେ ଅଲଗା ଅଲଗା ସମ୍ଭାବନା ସହିତ ଉତ୍କର୍ଷତା ପ୍ରତିପାଦନ କରିବାରେ କୌଣସି ପ୍ରକୃତିଗତ ପ୍ରତିବନ୍ଧକ ନାହିଁ। ଏପରି ସ୍ଥଳେ, କଠୋର ଲିଙ୍ଗଗତ ଭୂମିକାକୁ ଗୁରୁତ୍ୱ ଦେଇ ତଜ୍ଜନିତ ଭେଦଭାବ, ଦୀର୍ଘ ଆଲୋଚନା ଏବଂ ନାରୀବାଦ/ପୁରୁଷବାଦର ସୃଷ୍ଟି କାହିଁକି?
ସମାନତା ଘରୁ ହିଁ ଆରମ୍ଭ କରିବାକୁ ହେବ। ପ୍ରତିଭା ଉପରେ ଲିଙ୍ଗଗତ ଅବଧାରଣାର ପ୍ରଭାବ ମଣିଷ ଉପରେ ଶୈଶବରୁ ପଡିଥାଏ। ଏହି ଅବଧାରଣା ସମାଜକୁ ଲିଙ୍ଗଗତ ବିଭେଦ ଉପରେ ମନ-ସ୍ଥିର କରିବାକୁ ଏକ ପ୍ରକାର ବାଧ୍ୟ କରିଥାଏ। ତେଣୁ, ଆରମ୍ଭରୁ ହିଁ ଏହି ମନୋଭାବକୁ ଭାଙ୍ଗିବାକୁ ହେବ। ଝିଅମାନଙ୍କଠାରୁ ଆମେ ଯେତିକି ଘରୋଇ କାମ ଆଶା କରିବା, ପୁଅମାନଙ୍କଠାରୁ ମଧ୍ୟ ସେତିକି ଆଶା କଲେ ଲିଙ୍ଗ ଆଧାରରେ ସେମାନଙ୍କୁ ବିଭାଜିତ କରିବାର ଧାରା ବନ୍ଦ ହେବ ଏବଂ ଏହାକୁ ଅଭ୍ୟାସରେ ପକାଇବାକୁ ଅଧିକ ସମୟ ଲାଗିବ ନାହିଁ।
ସମାନତାର ଅର୍ଥ ନୁହେଁ ଯେ ନାରୀଟିଏ ପୁରୁଷ ସଦୃଶ ହେବ। ଲିଙ୍ଗ, ଜାତି, ଧର୍ମ ଅବା ବିଶ୍ୱାସ ନିର୍ବିଶେଷରେ ସମାନ ସମ୍ବଳ ଓ ସୁଯୋଗ ହାସଲ କରିବା ହେଉଛି ଅସଲ ସମାନତା। ପୁରୁଷ ଓ ନାରୀ ପରସ୍ପରକୁ ଦେଉଥିବା ସ୍ବତନ୍ତ୍ରତା, ସ୍ବାଧୀନତା, ପାରସ୍ପରିକ ସମ୍ମାନ ଓ ଚିନ୍ତାଧାରାରେ ହିଁ ସମାନତାର ପରିସର ବିଦ୍ୟମାନ। ଏଗୁଡ଼ିକ ମଣିଷର ମାନସିକତା ନିର୍ଣ୍ଣୟ କରେ ଏବଂ ସେ ଅନ୍ୟ ସହିତ କେତେ ସମକକ୍ଷ ଭାବିବା ପାଇଁ ଖୋରାକ ଯୋଗାଏ। ତେଣୁ, ସମ୍ବଳ ଓ ସୁଯୋଗକୁ ଉଭୟ ଲିଙ୍ଗ ନିକଟରେ ସମଭାବରେ ପହଞ୍ଚାଇବା ଆବଶ୍ୟକ। ଏପରି ହେଲେ, ମହିଳା ଆଇନଜୀବୀମାନେ ବିଚାରପତି ପ୍ରସ୍ତାବକୁ ମନା କରିବାର ସମ୍ଭାବନା ରହିବ ନାହିଁ ଏବଂ ଏକ ସନ୍ତୁଳିତ ସମାଜ ରାଷ୍ଟ୍ରର ବିକାଶରେ ମନଯୋଗୀ ହୋଇପାରିବ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଲୋକ ସଭାରେ ୧ ଅଗଷ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ଅନେକ ଦେଶଠାରୁ ଭାରତୀୟ ଅର୍ଥନୀତି ଭଲ ରହିଛି ଓ ଏହା...

ନିଦ୍ରାଭଙ୍ଗ ଯେଉଁଠି, ସକାଳ ସେଇଠି

ସୁପ୍ରଭା ବେହେରା ଡାକୁ ଅଙ୍ଗୁଳିମାଳା, ପ୍ରତିଜ୍ଞା ଥିଲା ହଜାରେଜଣଙ୍କୁ ହତ୍ୟା କରି, ସେମାନଙ୍କ ଅଙ୍ଗୁଳି ଚ୍ଛେଦନ କରି ଗଳାରେ ଧାରଣ କରିବା। ନିଜ ପ୍ରତିଜ୍ଞା ଅନୁସାରେ...

ଏଇ ଭାରତରେ

କଷ୍ଟାର୍ଜିତ ଅର୍ଥରେ ଆରାମରେ ରହିବା କଥା ଚିନ୍ତା ନ କରି ପରିବେଶ ଓ ଜଳ ସୁରକ୍ଷାରେ ମଜ୍ଜିଯାଇଛନ୍ତି ଡ. ରାଘବେନ୍ଦ୍ର ଆର୍‌। ସେ କର୍ନାଟକର ମହୀଶୂରସ୍ଥିତ...

ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ...

ଏଇ ଭାରତରେ

ଲକ୍‌ଡାଉନ ସମୟରେ ସବୁ ପ୍ରକାର କାର୍ଯ୍ୟକଳାପ ଏକ ପ୍ରକାର ମାନ୍ଦା ପଡ଼ିଯାଇଥିବାବେଳେ କର୍ନାଟକ କୋଲାର ଡିଭିଜନ୍‌ର କେନ୍ଦ୍ରୀୟ ଡାକ ବିଭାଗର ପୋଷ୍ଟ୍‌ମାଷ୍ଟର ପ୍ରହଲାଦାରୋ ନିପ୍ର ତାଙ୍କ...

ସମ୍ପାଦକୀୟ/ବାତିଲ ଶୁଭଙ୍କର

ଆଫଗାନିସ୍ତାନରେ ସ୍ଥିତି ଜାହିର କରିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ଲାଗି ଆମେରିକା ବର୍ଷେ ହେବ ଚଳାଇ ଆସୁଥିବା ଉଦ୍ୟମ ବାତିଲ...

ଏଇ ଭାରତରେ

ମନ୍ଦିରରେ ଦିଅଁସେବା ପରେ ଫିଙ୍ଗି ଦିଆଯାଉଥିବା ଫୁଲକୁ ସଂଗ୍ରହ କରି ତାହାର ପୁନଃ ଉପଯୋଗ କରୁଛନ୍ତି ସୁରଟର ୨୨ ବର୍ଷୀୟା ଇଞ୍ଜିନିୟର ମୈତ୍ରୀ ଜରିଓ୍ବାଲା। ସେ...

ଲୋକଚରିତ୍ର ମୂଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ଡିସେମ୍ବରରେ ଦୁର୍ନୀତି ବିରୋଧରେ ଡାକରା ଦେଇ କହିଛନ୍ତି ଯେ, ସରପଞ୍ଚଙ୍କଠାରୁ ମୁଖ୍ୟମନ୍ତ୍ରୀ ଏବଂ ତଳ ସ୍ତରର ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ...

Advertisement
Archives

Model This Week