କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ ଓ ଭାଷାକୁ ନେଇ ସ୍ବାଭିମାନୀ ହୋଇପାରିଲୁନି। ଓଡ଼ିଆ ଭାଷା ହଜାର ହଜାର ବର୍ଷର ପ୍ରାଚୀନ ଭାଷା ବୋଲି ପ୍ରମାଣିତ ହୋଇଛି। ଏହା ଦେବଭାଷା ସଂସ୍କୃତର ନିତାନ୍ତ ନିକଟତର ହୋଇଥିଲେ ମଧ୍ୟ ଆମେ ତାକୁ ପ୍ରାଣଭରି ଭଲ ପାଇପାରିଲୁ ନାହିଁ। ଭାରତବର୍ଷରେ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ବୋଲି ସ୍ବୀକୃତି ପ୍ରାପ୍ତ ହୋଇଥିଲେ ବି ତାକୁ ନେଇ ଆମେ ଗର୍ବ କରିପାରିଲୁ ନାହିଁ। ଓଡ଼ିଶା ବାହାରେ ବସବାସ କରୁଥିବା ଅନେକ ଓଡ଼ିଆ କେବେ ନିଜ ଗଁାକୁ ଆସିଥିବା ସମୟରେ ଗଁାର ସାଧାରଣ ଲୋକଙ୍କ ସହିତ ଓଡ଼ିଆରେ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ବଙ୍ଗଳା, ହିନ୍ଦୀ କିମ୍ବା ଇଂଲିଶରେ କହିବାକୁ ଅଧିକ ପସନ୍ଦ କରିବା ଦେଖାଯାଏ।
ଦିଲ୍ଲୀ ରେଳଷ୍ଟେଶନରେ ଟ୍ରେନ୍‌ରେ ବସିବା ସମୟରେ ମୋ ପାଖ ସିଟ୍‌ରେ ବସିଥିବା ଯୁବକ ଜଣେ ଓଡ଼ିଆ ଏବଂ ତାଙ୍କର ଘର ଆଠଗଡ଼ ଅଞ୍ଚଳରେ ବୋଲି ଟ୍ରେନ୍‌ ଛାଡ଼ିବାର କିଛି ସମୟ ପରେ ମୁଁ ଜାଣିବାକୁ ପାଇଲି। ମୁଁ ତାଙ୍କ ସହିତ ଓଡ଼ିଆରେ ଯେତେ କଥାବାର୍ତ୍ତା କରିବାକୁ ଚେଷ୍ଟାକଲେ ମଧ୍ୟ ସେ ମୋ ସହିତ କେବଳ ହିନ୍ଦୀରେ କଥାବାର୍ତ୍ତା କରିବାକୁ ଲାଗିଲେ। ମୋ ସହିତ ହିନ୍ଦୀରେ କଥାବାର୍ତ୍ତା କରିବା ସମୟରେ ସେ ଅଧିକ ଉତ୍ସାହିତ ଜଣାପଡ଼ୁଥିଲେ। ମୁଁ ତାଙ୍କୁ ବୁଝାଇ କହିଲି। ‘ଭାଇ ଦେଖ- ଆମେ ଦୁହେଁ ଓଡ଼ିଆ। ଆମେ ଆମ ନିଜଭାଷାରେ କଥା ହେବାରେ ଆମର କୌଣସି ଆପତ୍ତି ରହିବା ଉଚିତ ନୁହେଁ।’ ତଥାପି ସେ କେବଳ ହିନ୍ଦୀରେ ମୋତେ ସମ୍ଭାଷଣ କରିବାକୁ ଚାହିଁଲେ। ଏଥର ମୁଁ କହିଲି, ‘ଯଦି ମୋ ସହିତ କଥାବାର୍ତ୍ତା କିଛି ଆବଶ୍ୟକ ଅଛି ତେବେ କେବଳ ଓଡ଼ିଆରେ କଥା ହେଲେ ହିଁ ମୁଁ ଶୁଣିବି। ନଚେତ୍‌ ନାହିଁ। ମୁଁ ମଧ୍ୟ ହିନ୍ଦୀ ଜାଣେ। ହିନ୍ଦୀ ଭାଷାରେ କଥା କହିପାରେ, ଲେଖାପଢ଼ା କରିପାରେ। କିନ୍ତୁ ମୁଁ ଜଣେ ଓଡ଼ିଆ ସହିତ ହିନ୍ଦୀରେ କଥା ହେବି କାହିଁକି କୁହ ତ। ଏକଥା କହିବା ସମୟରେ ମୋ କଣ୍ଠରେ କିଛିଟା କଠୋରତା ଥିଲା। ସେ ମୋତେ କିଛି ସମୟ ଚାହିଁଲେ। ତା’ ପରେ ଟିକିଏ ହସି କହିଲେ, କ’ଣ କରିବି, ଚାକିରି କ୍ଷେତ୍ରରେ ସବୁବେଳେ ହିନ୍ଦୀ କହିବାକୁ ପଡ଼େ ତ, ଅଭ୍ୟାସ…। ମୁଁ କହିଲି, ଠିକ୍‌ ଅଛି। ଚାକିରି କ୍ଷେତ୍ରରେ ତାହା ଆବଶ୍ୟକ। ଏବେ କିନ୍ତୁ ତୁମେ ଗଁାକୁ ଯାଉଛ। ଗଁାରେ ସାଙ୍ଗସାଥୀଙ୍କ ସହିତ, ମା’ବାପାଙ୍କ ସହିତ କ’ଣ ଏଇ ଭାଷାରେ କଥାହେବ? ହଠାତ୍‌ କାନ ଦୁଇଟିକୁ ଧରିପକେଇ ହସି କହିଲେ ଆଉ ଏମିତି ଭୁଲ୍‌ ହେବନାହିଁ। ଆପଣ ଗୁରୁଜନ, ଠିକ୍‌ କହୁଛନ୍ତି।’ ତା’ପରେ ଆମେ ପରସ୍ପରଠାରୁ ବିଦାୟ ନେବା ପର୍ଯ୍ୟନ୍ତ ଆବଶ୍ୟକ ବେଳେ ସେ ମୋ ସହିତ କେବଳ ଓଡ଼ିଆରେ ହିଁ କହୁଥିଲେ।
ତା’ ବ୍ୟତୀତ ଇଂଲିଶ ମାଧ୍ୟମ ବିଦ୍ୟାଳୟ /ମହାବିଦ୍ୟାଳୟରେ ଅଧ୍ୟୟନ କରିଥିବା ପିଲାମାନଙ୍କ ମୁହଁରେ ଉଚ୍ଚାରିତ ଓଡ଼ିଆ ଭାଷାରେ ପ୍ରକୃତ ଉଚ୍ଚାରଣ ନ ଥାଏ। ପ୍ରକୃତ ଉଚ୍ଚାରଣ ସହିତ ସେମାନେ ଓଡ଼ିଆ କହିପାରନ୍ତେ। କିନ୍ତୁ କହନ୍ତି ନାହିଁ। ଓଡ଼ିଆର ପ୍ରକୃତ ଉଚ୍ଚାରଣକୁ ଛାଡ଼ି ସେମାନେ ଓଠ ଓ ଦାନ୍ତକୁ ଚାପି ଇଂଲିଶ ଢାଞ୍ଚାରେ ଓଡ଼ିଆ ଭାଷାକୁ ବିକୃତ କରି ଉଚ୍ଚାରଣ କରିଥାନ୍ତି। ତା’ଦ୍ୱାରା ସେମାନେ ବୋଧହୁଏ ସୂଚେଇ ଦେବାକୁ ଚାହାନ୍ତି ଯେ ଇଂଲିଶ ଭାଷାପରି ଓଡ଼ିଆ ଭାଷା ସହିତ ଏତେ ସହଜ ନୁହନ୍ତି। ଓଡ଼ିଆ ଭାଷାର ଏକ ସ୍ବତନ୍ତ୍ର ଉଚ୍ଚାରଣ ରହିଛି। ତାହା ଅତି ସୁନ୍ଦର, ଅନବଦ୍ୟ, ଅତୁଳନୀୟ। ଉଚ୍ଚାରଣ ସମୟରେ ଆମ ଭାଷାକୁ ଏମିତି ଚେପାମେପା କରି ପ୍ରକାଶ କରିବାଦ୍ୱାରା ଏହାର ଗୌରବ ତଥା ଆମର ସ୍ବାଭିମାନ ନଷ୍ଟ ହୁଏନାହିଁ କି? ବିଭିନ୍ନ ଓଡ଼ିଆ ଟେଲିଭିଜନ ଚାନେଲରେ କାର୍ଯ୍ୟରତ ତରୁଣୀ ତରୁଣମାନେ ସମୟ ସମୟରେ ଓଡ଼ିଆ ଉଚ୍ଚାରଣକୁ ଜାଣିଜାଣି, ବନେଇ ଚୂନେଇ ବିକୃତ କରିଥାନ୍ତି। ମଝିରେ ମଝିରେ ଅଯଥା ଇଂଲିଶରେ ‘ଆଣ୍ଡ’, ‘ବଟ୍‌’, ପୁଣି ହିନ୍ଦୀରେ ‘ୟାନେ’, ‘ମତଲବ୍‌’ ଭଳି ଶବ୍ଦଗୁଡ଼ିକୁ ମିଶାଇ ଭାଷାକୁ କିମ୍ଭୂତକିମାକାର କରିଦିଅନ୍ତି। ଏହାଦ୍ୱାରା ଆମ ପ୍ରିୟ ଓଡ଼ିଆ ଭାଷା ଯେ ବିକୃତ ହୋଇପଡ଼ୁଛି ସେଥିପ୍ରତି ସେମାନଙ୍କର ଖାତିରି ନ ଥାଏ।
ସବୁଠାରୁ ବେଶି କଷ୍ଟ ଆମେ ସେତିକି ବେଳେ ଅନୁଭବ କରୁ ଯେତେବେଳେ ଜଣେ ଉଚ୍ଚଶିକ୍ଷିତ ଓଡ଼ିଆ ନିଜର ଭାଷାକୁ ସମ୍ମାନ ଦିଏନାହିଁ। ନିଜର ଭାଷାକୁ କୁରୂପ ପ୍ରଦାନ କରେ ଅଥବା କେଉଁଠି ଭାଷାର କୁରୂପକୁ ଦେଖି ଦୁଃଖିତ ହୁଏନାହିଁ କିମ୍ବା ପ୍ରତିବାଦ କରେନାହିଁ। ଝିଅକୁ କଲେଜ ହଷ୍ଟେଲରେ ଛାଡ଼ିବାକୁ ଯାଇ ହଷ୍ଟେଲର ଫାଟକଠାରେ ଲେଖାଯାଇଥିବା ଦୁଇଟି ଶବ୍ଦକୁ ପଢ଼ି ମର୍ମାହତ ହେଲି। ସେଠାରେ ଲେଖାଯାଇଥିଲା- ‘ଛାତ୍ରୀନୀବାସ’। ‘ନିବାସ’ ଶବ୍ଦଟି ଭ୍ରମାତ୍ମକ ଭାବରେ ‘ନୀବାସ’ ବୋଲି ସେଠାରେ ଲେଖା ହୋଇଥିବା ଦେଖିଲି। ପାଖରେ ଥିବା ଅନ୍ୟ ହଷ୍ଟେଲଟି ସମ୍ମୁଖରେ କ’ଣ ଲେଖାଯାଇଛି ବୋଲି ମନରେ ପ୍ରଶ୍ନ ଆସିଲା। ସେଠାକୁ ଆସି ଦେଖିଲି ସେଇଠି ମଧ୍ୟ ସେଇ ଏକା କଥା। ଏତେ ପୁରାତନ ଶିକ୍ଷାନୁଷ୍ଠାନ, ତାହା ପୁଣି ସରକାରୀ ମହାବିଦ୍ୟାଳୟ, ଯୁକ୍ତ ଦୁଇଠାରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ଏଠାରେ ପଢ଼ନ୍ତି। ଶହଶହ ପିଲା ଏଇ ହଷ୍ଟେଲଗୁଡ଼ିକରେ ରହନ୍ତି। ଯିବା ଆସିବା କରନ୍ତି। ସେମାନଙ୍କ ମଧ୍ୟରେ କେତେ ପିଲା ଓଡ଼ିଆ ଅନର୍ସ ନେଇ ନିଜର ଅଧ୍ୟୟନ ଜାରି ରଖିଥିବେ। କାହାରି ନଜର ଏହା ଉପରେ ପଡ଼ୁନାହିଁ! କେତେ ଶିକ୍ଷିତ ଉଚ୍ଚଶିକ୍ଷିତ ଅଭିଭାବକ ଆସୁଥିବେ। କହିବା ବାହୁଲ୍ୟ, ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଅନେକ ଅଧ୍ୟାପକ/ ଅଧ୍ୟାପିକା। ଏସବୁ ସତ୍ତ୍ୱେ ହଷ୍ଟେଲ୍‌ର ଫାଟକ ଉପରେ ଏପରି ଭ୍ରମାତ୍ମକ ଶବ୍ଦଟିଏ ଲେଖା ଯାଇଛି କିପରି? ଆଉ କିଛି ଭୁଲ୍‌ଭାଲ୍‌ ହୋଇଥିଲେ ତା’ର ପ୍ରତିବାଦ କରାଯାଇଥାନ୍ତା କି କ’ଣ। କିନ୍ତୁ ଓଡ଼ିଆ ଭାଷା କଥା ତ, ଚଳିଯିବ।
ଆମ ରାଜ୍ୟର ରାସ୍ତାଗୁଡ଼ିକରେ ଯାତାୟାତ କରୁଥିବା ଛୋଟ ଯାତ୍ରୀବାହୀ କେତେକ ଗାଡ଼ି ଆଗରେ ଲେଖାଥିବା ଦେଖିବାକୁ ମିଳେ- ‘ମା ତାରିଣୀ ଭରସା’। ଏଇ ‘ଭରସା’ ଶବ୍ଦଟି କେଉଁଠି ଭ୍ରମାତ୍ମକଭାବେ ‘ଭରଷା’, କେଉଁଠି ‘ଭରଶା’ ରୂପରେ ଲେଖାଯାଇଥିବା ଦେଖାଯାଏ। ‘ତାରିଣୀ’ ସ୍ଥାନରେ ‘ତାରିଣି’ ମଧ୍ୟ କେଉଁଠି କେଉଁଠି ଲେଖାଯାଇଥାଏ। ତା’ ଉପରେ କେହି ଗୁରୁତ୍ୱ ଦିଅନ୍ତିନି। ନା ଗାଡ଼ି ମାଲିକ, ନା ଯାତ୍ରୀ। ଯାତ୍ରୀମାନେ କିଛି ସମୟ ପରେ ଗାଡ଼ିରୁ ଓହ୍ଲାଇଗଲେ କଥା ସଇଲା। ସ୍କୁଲ ପିଲାଏ ପାଠ ପଢ଼ନ୍ତି- ‘ଧୂମପାନ ନିଷେଧ’ ଠିକ୍‌, ‘ଧୂମ୍ରପାନ ନିଷେଧ’ ଭୁଲ୍‌। କିନ୍ତୁ ବସ୍‌ ଯାତ୍ରା ସମୟରେ ସେମାନେ ବସ୍‌ କାନ୍ଥରେ ଲେଖାଯାଇଥିବା ଦେଖନ୍ତି- ‘ଧୂମ୍ରପାନ ନିଷେଧ’। ରାମଜନ୍ମଭୂମି ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଓଡ଼ିଶାରୁ ହଜାର ହଜାର ଲୋକ ଯାଆନ୍ତି। ସେଠାରେ ଥିବା ହନୁମାନ ଗଢ଼ି ମନ୍ଦିର ସମ୍ମୁଖରେ ଗୋଟଏ ବିଶାଳ ଫଳକରେ ଏଗାରଟି ଭାଷାରେ ତଳକୁ ତଳ ”ହନୁମାନ ଗଢ଼ି ମନ୍ଦିର“ ବୋଲି ଲେଖାଯାଇଛି। କିନ୍ତୁ ସବା ଉପରେ ସେହି ଶବ୍ଦ କେତୋଟି ଓଡ଼ିଆରେ ଲେଖାଯାଇଛି କିମ୍ଭୂତକିମାକାର ରୂପରେ ”ହନୁମାନ ଗ ଷସ ରୀ ମନ୍ଦିର“। ତାର ଅର୍ଥ କ’ଣ ଜାଣିହୁଏ ନାହିଁ। ଏଇଟିକୁ ସଂଶୋଧନ କରିବାକୁ କୌଣସି ସଂଗଠନ ଅଥବା ସରକାରଙ୍କ ତରଫରୁ ଚେଷ୍ଟା କରାଗଲେ ଭଲ ହୁଅନ୍ତା।
ଓଡ଼ିଶା ବ୍ୟତୀତ ଭାରତର ଯେଉଁ ତୀର୍ଥସ୍ଥାନକୁ ଯାଆନ୍ତୁ ସେଠାରେ ମନ୍ଦିରର ପୂଜକମାନେ ତାଙ୍କ ଭାଷାକୁ ଛାଡ଼ି ଅନ୍ୟ ଭାଷାରେ ସମ୍ବୋଧନ କରନ୍ତି ନାହିଁ। ତୁମେ ବୁଝିଲେ ବୁଝ ନଚେତ୍‌ ନାହିଁ। କିନ୍ତୁ ଓଡ଼ିଶାର ମନ୍ଦିରଗୁଡ଼ିକରେ ଥିବା ପୂଜକମାନେ ସାରା ଭାରତବର୍ଷର ଭାଷା ଜାଣନ୍ତି। ଯେଉଁ ରାଜ୍ୟର ଲୋକ, ସେମାନଙ୍କୁ ସେହି ଭାଷାରେ ସମ୍ବୋଧନ କରିଥାନ୍ତି। ଆମ ଭିତରୁ ଅନେକେ ସେମିତି। ସ୍ବାର୍ଥରେ କିଛି ବାଧା ଆସିଲେ କିମ୍ବା ଆର୍ଥତ୍କ ଦୃଷ୍ଟିରୁ କିଛି କ୍ଷତିର ଆଶଙ୍କା ଉପୁଜିଲେ ଛାଡ଼ନ୍ତିନି। ଆବଶ୍ୟକ ସ୍ଥଳେ ବାଘପରି ଝାମ୍ପିପଡ଼ନ୍ତି। କିନ୍ତୁ ନିଜର ଜାତି, କୁଳର ମାନରକ୍ଷା ଅଥବା ସ୍ବାଭିମାନ କଥା ଆସିଲେ ସେ କ୍ଷେତ୍ରରେ ତୁନି ରୁହନ୍ତି। ତା’ ଉପରେ କିଛି ଗୁରୁତ୍ୱ ନାହିଁ। ସେ ସବୁଥିରେ ମୁଣ୍ଡ ଖଟେଇ ଲାଭ କ’ଣ? ନିଜ ଉପରକୁ ଆସିଲେ ଦେଖିବା। ଆବଶ୍ୟକ ସ୍ଥଳେ ଓଡ଼ିଆ ବୋଲି ପରିଚୟ ନ ଦେଲେ କାମ ଶେଷ।

ଡ.ବାସୁଦେବ ମିଶ୍ର

ଯାଜପୁର ରୋଡ, ଯାଜପୁର
ମୋ:୮୯୧୭୨୭୨୭୭୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?