ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଦେଖିବାକୁ ମିଳିଛି । ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, NEET ପରୀକ୍ଷା ପେପର ଲିକ୍ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିଲା। ବୁଧବାର ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏହି ଅଭିଯୋଗ ଆଣିବା ପରେ ସଦନରେ ଜୋରଦାର ହଙ୍ଗାମା ହୋଇଥିଲା।
ପେଲେଟ୍ ଗନ୍ ହେଉଛି ଏକ କମ୍ ଘାତକ ଅସ୍ତ୍ର, ଯାହାକି ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବାହିନୀ ବ୍ୟବହାର କରନ୍ତି । ଏହାର ବ୍ୟବହାର SOP ଅନୁଯାୟୀ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କରାଯାଏ, ବିଶେଷକରି ସମ୍ବେଦନଶୀଳ ଅଞ୍ଚଳ କିମ୍ବା ଜରୁରୀ ପରିସ୍ଥିତିରେ।ତେବେ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ପୂର୍ବରୁ ମଧ୍ୟ ବିବାଦ ରହିଛି । କାରଣ, ଏହାର ଆଘାତରେ ଅନେକ ଲୋକଙ୍କ ଆଖି ଓ ମୁହଁରେ ଗୁରୁତର ଆଘାତ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଏହି କାରଣରୁ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ପୁଣିଥରେ ରାଜନୈତିକ ଓ ଆଇନଗତ ଚର୍ଚ୍ଚା ଜୋର ଧରିଛି । ପେଲେଟ୍ ଗନ୍ ସାଧାରଣତଃ ୧୨-ବୋର ପମ୍ପ-ଆକ୍ସନ୍ ଶଟଗନ୍ ହୋଇଥାଏ। ଏହାର କାର୍ଟ୍ରିଜ୍ ଭିତରେ ଶହ ଶହ ଛୋଟ ଧାତୁର ପେଲେଟ୍ ଛର୍ରା ରହିଥାଏ। ଗୁଳି ଚାଳନା ପରେ ଏହି ପେଲେଟ୍ ଚାରିଆଡ଼େ ବ୍ୟାପି ଯାଇ ଭିଡ଼କୁ ଛିନ୍ନଭିନ୍ନ କରିବା ପାଇଁ ବ୍ୟବହୃତ ହୁଏ ।
ପେଲେଟ୍ ଗନ୍ ସେତେବେଳେ ବ୍ୟବହାର କରାଯାଏ, ଯେତେବେଳେ ବୁଝାଇବା, ସତର୍କ କରିବା, ଲାଠିଚାର୍ଜ, ଲୁହବୁହା ଗ୍ୟାସ୍ କିମ୍ବା ୱାଟର କ୍ୟାନନ୍ ଭଳି ପଦକ୍ଷେପ ବିଫଳ ହୁଏ ଏବଂ ଭିଡ଼ ହିଂସ୍ର ହୋଇ ଜନସାଧାରଣ କିମ୍ବା ସୁରକ୍ଷା ବାହିନୀ ପାଇଁ ବିପଦ ସୃଷ୍ଟି କରେ । ଘଟଣାସ୍ଥଳରେ ଉପସ୍ଥିତ ବରିଷ୍ଠ ଅଧିକାରୀ କିମ୍ବା ଅପରେସନ୍ କମାଣ୍ଡରଙ୍କ ଅନୁମତି ପରେ ମାତ୍ର ପେଲେଟ୍ ଗନ୍ ବ୍ୟବହାର କରାଯାଏ। SOP ଅନୁଯାୟୀ, ମୁଣ୍ଡ, ମୁହଁ, ଆଖି, ବେକ କିମ୍ବା ଛାତିକୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଏ ନାହିଁ। ସାଧାରଣତଃ ଅଣ୍ଟା ତଳକୁ, ବିଶେଷକରି ଗୋଡ଼କୁ ଲକ୍ଷ୍ୟ କରାଯାଏ।
ଅତି ନିକଟରୁ ଗୁଳି ଚାଳନା କରିବା ନିଷେଧ, କାରଣ ଏଥିରେ ଗୁରୁତର ଆଘାତ କିମ୍ବା ମୃତ୍ୟୁର ଆଶଙ୍କା ବଢ଼ିଯାଏ। ପେଲେଟ୍ ଗନ୍ରେ କେହି ଆହତ ହେଲେ, ତାଙ୍କୁ ଯଥାଶୀଘ୍ର ଚିକିତ୍ସା ସହାୟତା ଦେବା SOPର ଅଂଶ।

