ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ ପିରେଡ଼ିମାହାଠାରେ ଗଛ ପଡ଼ି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ସହ ତାର ମଧ୍ୟ ଛିଣ୍ଡି ପଡ଼ିଛି। ଏହି ଘଟଣା ଗତ ୨୬ ରବିବାରଠାରୁ ଘଟିଥିଲେ ସୁଦ୍ଧା ବିଦ୍ୟୁତ୍ ବିଭାଗ ଆଜି ପର୍ଯ୍ୟନ୍ତ ଉକ୍ତ ଖୁଣ୍ଟ ଓ ତାର ସଜା ଅହେତୁକ ବିଳମ୍ବ କରୁଥିବାରୁ ଗୁରୁବାର ପାଙ୍ଗାଲି, ଗଣ୍ଡିଗୁଡ଼ା ଗ୍ରାମବାସୀ ବିଦ୍ୟୁତ କାର୍ଯ୍ୟାଳୟରେ ଲିଖିତ ଭାବେ ଦେଇଛନ୍ତି। ପୂର୍ବରୁ ସେମାନେ ମୌଖିକ ଭାବେ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ଅବଗତ କରାଇଥିଲେ କିନ୍ତୁ ତାଙ୍କ ସମସ୍ୟାର ସମାଧାନ ନ ହେବାରୁ ୨ଟି ଗ୍ରାମବାସୀ ଏକ ବୈଠକ କରି ତାଙ୍କ ସମସ୍ୟାର ସମାଧାନ ନ ହେଲେ ଅଞ୍ଚଳବାସୀ ତିଲୋରୀ ସିମନବାଡ଼ି ରାସ୍ତାକୁ ଓହ୍ଲାଇବେ ଓ ବିଦ୍ୟୁତ୍ ସେବା ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଲିଖିତ ଅଭିଯୋଗପତ୍ରରେ ଚେତାବନୀ ଦେଇଛନ୍ତି ବୋଲି ତିଲୋରୀ ସମିତିସଭ୍ୟ ଦିଲୀପ ପ୍ରଧାନ, ସାବତ ପ୍ରଧାନ, ରମାକାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୁଖ କହିଛନ୍ତି।

