ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର ଭୂମିକା ସବୁଠୁ ମହତ୍ତ୍ବପୂର୍ଣ୍ଣ । ମାଟିପାତ୍ରର ମହକରେ ମହକୁଥାଏ ନୂଆଁଖାଇ।
ନୂଆଁଖାଇ ତିହାରରେ କୁମ୍ଭାର ସମ୍ପ୍ରଦାୟର ଏକ ବଡ଼ ଭୂମିକା ରହିଥାଏ । ଏହି ତିହାରର ପ୍ରାୟ ୩ ମାସ ପୂର୍ବରୁ କୁମ୍ଭାର ସମ୍ପ୍ରଦାୟର ମାଟି କାରିଗରମାନେ ନୂଆ ହାଣ୍ଡି, ସରେଇ, ପାତଲି, ଦୀପ, ଧୂପଦାନୀ ଓ ଅନ୍ୟ ମାଟି ସାମଗ୍ରୀ ତିଆରିରେ ଲାଗିପଡ଼ନ୍ତି । ୩ ମାସ ପୂର୍ବରୁ କୁମ୍ଭାରମାନଙ୍କ ପାଇଁ ମାଟି ସଂଗ୍ରହ ଏକ ବଡ଼ କାମ । ସମ୍ପ୍ରତି ଭଲ ମାଟି ସଂଗ୍ରହ କରିବା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ିଥାଏ। ନଦୀକୂଳିଆ ମାଟି ସବୁଠୁ ଭଲ ରହିଥାଏ । କୁମ୍ଭାରମାନେ ଶ୍ରମିକଙ୍କୁ ନେଇ ମାଟି ଖୋଲିବା ପାଇଁ ଦୀର୍ଘ ଦିନ ପୂର୍ବରୁ ଆରମ୍ଭ କରିଦେଇଥାନ୍ତି ।
ବର୍ଷା ଦିନରେ ମାଟି ମିଳିବା ଅନେକ ସମୟରେ କଷ୍ଟକର ହୋଇପଡ଼ିଥାଏ । ଏଣୁ ଦୀର୍ଘଦିନ ପୂର୍ବରୁ ମାଟି ସଂଗ୍ରହ ଉପକ୍ରମ ଆରମ୍ଭ ହୋଇଥାଏ। ଏହାପରେ ମାଟିକୁ ଭଲକରି ଚକଟି ପ୍ରସ୍ତୁତ କରାଯାଏ। ନୂଆଁଖାଇରେ ମନ୍ଦିର ହେଉ କି ଘର, ଧନୀ ହେଉ କି ଗରିବ ସମସ୍ତେ ମାଟିପାତ୍ରରେ ନୂଆକୁଣ୍ଡା ପ୍ରସ୍ତୁତକରି ପ୍ରଥମେ ଇଷ୍ଟ ଦେବଦେବୀ, ଗ୍ରାମ ଦେବଦେବୀ ଓ କୁଳ ଦେବଦେବୀଙ୍କୁ ଅର୍ପଣକଲା ପରେ ସେବନକରନ୍ତି । ନୂଆଁଖାଇ ହାଟରେ ସରିଆ ଧାନ୍, ନୂଆ ଚୁଡ଼ା, ବାଉଁଶ ତିଆରି ନୂଆ ଟୁପା, କୁଲା, ଚାଂଘୁରି,ପାରମ୍ପରିକ ନୂଆ ଝାଡ଼ୁ, କୁରେପତ୍ର, ସର୍ଗିପତ୍ରର ଖଲିଦନା, ପନିପରିବାଠାରୁ ଆରମ୍ଭକରି ପୂଜା ସାମଗ୍ରୀ ବିକ୍ରିହୁଏ। ତେବେ ନୂଆଁଖାଇ ହାଟର ଅନ୍ୟତମ ଆକର୍ଷଣ ଏଇ ନୂଆ ମାଟିପାତ୍ର । କୁମ୍ଭାରମାନେ ମାଟିପାତ୍ର ନେଇ ହାଟକୁ ଆସନ୍ତି। ନୂଆ ମାଟିପାତ୍ର ବିନା ନୂଆଁଖାଇ ପୂଜାବିଧି ସମ୍ଭବ ନୁହେଁ।

