ଏ କି ଆତ୍ମନିର୍ଭର ଭାରତ

ଡ. ସନ୍ତୋଷ କୁମାର ମହାପାତ୍ର

 

ବହୁ ସମୟରେ ଶାସକ ଶ୍ରେଣୀ ଯେତେବେଳେ ପୁଞ୍ଜିପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଜନବିରୋଧୀ ପଦକ୍ଷେପ ନିଅନ୍ତି, ସେତେବେଳେ ସିଧାସଳଖ ନ କହି ମନଭୁଲାଣିଆ ସ୍ଲୋଗାନର ଖୋଳପା ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ସ୍ଲୋଗାନ ହେଉଛି ‘ଆତ୍ମନିର୍ଭର ଭାରତ’। ପ୍ରଥମ କଥା ଯେତେବେଳେ କରୋନା ମହାମାରୀ ପୂର୍ବରୁ ଏହି ସରକାର ୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଶାସନ କରିଥିଲେ, ସେତେବେଳେ ‘ଆତ୍ମନିର୍ଭର ଭାରତ’ ପାଇଁ କାହିଁକି ପ୍ରୟାସ କଲେ ନାହିଁ। କିନ୍ତୁ କରୋନା ମହାମାରୀ ଦ୍ୱାରା ଯେତେବେଳେ ଅର୍ଥନୀତି ଧ୍ୱସ୍ତବିଧ୍ୱସ୍ତ, ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଜନତା ପ୍ରାଣ ହରାଇଛନ୍ତି, କୋଟି କୋଟି ଜୀବିକାର ଉତ୍ସ ହରାଇଛନ୍ତି, ସେତେବେଳେ ନିଯୁକ୍ତି ସୃଷ୍ଟିକରିବା ପରିବର୍ତ୍ତେ, ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ପାଇଁ ଚେଷ୍ଟାକରିବା ପରିବର୍ତ୍ତେ ‘ପାଞ୍ଚ ଟ୍ରିଲିୟନ ଅର୍ଥନୀତି ’ର ସ୍ବପ୍ନ ଦୋହରାଇବା ଏବଂ ‘ଆତ୍ମନିର୍ଭର ଭାରତ’ କଥା କହିବା କେତେ ଯଥାର୍ଥ। ଏହାଦ୍ୱାରା ସାଧାରଣ ଜନତା କେତେ ଉପକୃତ ହେବେ ସେ ବିଷୟରେ ସରକାର ନୀରବ।
ସରକାର ଯେତେବେଳେ ‘ଆତ୍ମନିର୍ଭର ଭାରତ’ କଥା କହୁଛନ୍ତି, ସେତେବେଳେ ଏହାର ସ୍ବରୂପ କିପରି ହେବ, କେଉଁ କେଉଁ କ୍ଷେତ୍ରରେ ଆମେ ସ୍ବାବଲମ୍ବନ ନୁହଁ ଏବଂ ତାହା କିପରି ହାସଲ କରିବା ସେ ସମ୍ପର୍କରେ ସରକାର ସମ୍ପୂଣ୍ଣର୍ର୍ ନୀରବ। କିନ୍ତୁ ସରକାର ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ ବା ସେଥିରୁ ପୁଞ୍ଜି ପ୍ରତ୍ୟାହାର, ଦେଶର ସମ୍ପତ୍ତି ବିକ୍ରିକରି ସମ୍ବଳ ସଂଗ୍ରହ କରିବା, ବିଦେଶୀ ପୁଞ୍ଜିକୁ ଅଧିକ ପ୍ରାଧାନ୍ୟ ଦେବା ‘ଆତ୍ମନିର୍ଭର ଭାରତ’ ଗଠନରେ ସହାୟକ ହେବ ବୋଲି ସରକାର କହୁଛନ୍ତି। କିନ୍ତୁ ଏହାଦ୍ୱାରା ଦେଶୀବିଦେଶୀ କମ୍ପାନୀ, ନିବେଶକଙ୍କ ସ୍ବାର୍ଥସାଧନ ହେବା ସହିତ ତାଙ୍କ ଉପରେ ଅର୍ଥନୀତ ଇଧିକ ନିର୍ଭରଶୀଳ ହେବ l
ଘରୋଇ କମ୍ପାନୀଗୁଡ଼ିକ କେବଳ ଲାଭକୁ ଗୁରୁତ୍ୱ ଦିଅନ୍ତି। ସେମାନେ ଶସ୍ତାଦରରେ ଲୋକଙ୍କୁ ସାମଗ୍ରୀ ଏବଂ ସେବା ଯୋଗାଇବାକୁ ଚେଷ୍ଟା କରନ୍ତି ନାହିଁ। ପ୍ରାରମ୍ଭରେ, ସେମାନେ ବଜାରକୁ କାବୁ କରିବା, କିନ୍ତୁ ବଜାର ନିଜ ନିୟନ୍ତ୍ରଣକୁ ଆସିବା ପରେ ସେମାନେ ଏକ କାର୍ଟେଲ ଗଠନ କରି ମୂଲ୍ୟ ବୃଦ୍ଧି କରିଥାନ୍ତି। ଏକ କାର୍ଟେଲ ହେଉଛି ବ୍ୟବସାୟୀମାନେ ଏକ ଉତ୍ପାଦ କିମ୍ବା ସେବାର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଏକତ୍ରିତ ହେବା। କାର୍ଟେଲଗୁଡ଼ିକ ସମାନ ଶିଳ୍ପରେ ପ୍ରତିଯୋଗୀ ଏବଂ ପରସ୍ପର ସହ ଚୁକ୍ତି ବା ବୁଝାମଣା ଦ୍ୱାରା ମୂଲ୍ୟ ନିୟନ୍ତ୍ରଣ କରି ପରସ୍ପର ମଧ୍ୟରେ ପ୍ରତିଯୋଗିତାକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତି। ବ୍ୟକ୍ତିଗତ ଘରୋଇ ଏକଚାଟିଆ ସର୍ବଦା ବିପଜ୍ଜନକ। ଘରୋଇକରଣ ଯେତେ ଅଧିକ ହେବ, ଦ୍ରବ୍ୟ ଏବଂ ସେବାମୂଲ୍ୟ ସେତେ ଅଧିକ ବୃଦ୍ଧିପାଇବ। ଜୀବନଶୈଳୀ ମୁଦ୍ରାସ୍ଫୀତି ବୃଦ୍ଧିପାଇ ଲୋକଙ୍କ କ୍ରୟ କ୍ଷମତାକୁ ହ୍ରାସ କରିବ। ଶିକ୍ଷା ଓ ସ୍ବାସ୍ଥ୍ୟର ଘରୋଇକରଣ ଯୋଗୁ ସେହି ସେବାଗୁଡ଼ିକ ପାଇବା ପାଇଁ ଆମର ଖର୍ଚ୍ଚର ମୁଖ୍ୟ ଅଂଶ କିପରି ସେହି ବାବଦରେ ବ୍ୟୟ ହେଉଛି ତାହା ସମସ୍ତଙ୍କୁ ଜଣା। ଜଣେ ଅଭାବ ଅସୁବିଧାରେ ପଡ଼ିଲେ ନିଜ ସମ୍ପତ୍ତି ବିକ୍ରି କରିଥାଏ। ସେହିପରି ସରକାର ଧନିକ ଶ୍ରେଣୀ, ବୃହତ୍‌ କର୍ପୋରେଟମାନଙ୍କଠାରୁ ଆବଶ୍ୟକ ଟିକସ ଆଦାୟ କରିବାରେ ବିଫଳ ହେବା ଯୋଗୁ, ଦେଶ ଚଳାଇବା ପାଇଁ ଆବଶ୍ୟକ ସମ୍ବଳର କିଛିଅଂଶ ରାଷ୍ଟ୍ରର ସମ୍ପତ୍ତି ବିକ୍ରିକରି (ଯାହାକୁ ମନିଟାଇଜେଶନ ଅଫ ଆସେଟ କହୁଛନ୍ତି) ଏବଂ ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର କରିବା ଘରୋଇକରଣ କରି ସଂଗ୍ରହ କରୁଛନ୍ତି। ଏହାଦ୍ୱାରା ରାଷ୍ଟ୍ରର ସମ୍ପତ୍ତିର ମାଲିକାନା ରାଷ୍ଟ୍ର ହାତରୁ ବ୍ୟକ୍ତିଗତ ଲୋକଙ୍କ ନିକଟକୁ ଚାଲିଯାଉଛି। ରାଷ୍ଟ୍ରର କ୍ଷମତା ହ୍ରାସ ପାଇବା ସହିତ ପୁଞ୍ଜିପତି, କର୍ପୋରେଟମାନଙ୍କ କ୍ଷମତା, କର୍ତ୍ତୃତ୍ୱ ଆହୁରି ବୃଦ୍ଧି ପାଉଛି। ପରୋକ୍ଷରେ ଗରିବର ସ୍ବର ନିଷ୍ପ୍ରଭ ହୋଇଯାଉଛି। ପୁନଶ୍ଚ ରାଷ୍ଟ୍ରାୟତ୍ତ ଶିଳ୍ପରୁ ସରକାର ଯେଉଁ ଲାଭାଂଶ ପାଉଥିଲେ, ତାହା ସରକାରଙ୍କ ଅଂଶ ହ୍ରାସ ଅନୁସାରେ କମିଯିବ।
ସରକାର କହୁଛନ୍ତି ଯେ, ବ୍ୟବସାୟ କରିବା ସରକାରଙ୍କର କାର୍ଯ୍ୟ ନୁହେଁ। ଏହାର ଅର୍ଥ ସରକାର ରାଷ୍ଟ୍ରାୟତ୍ତ ଶିଳ୍ପ ଘରୋଇ କମ୍ପାନୀଙ୍କୁ ସମର୍ପି ଦେବେ। ନିଜ ଦାୟିତ୍ୱରୁ ଓହରି ଆସିବେ। କିନ୍ତୁ ଏକ ରାଷ୍ଟ୍ର କାର୍ଯ୍ୟ କେବଳ ସମ୍ବଳ ସଂଗ୍ରହ ଏବଂ ଆବଣ୍ଟନ ନୁହେଁ ବରଂ ସମ୍ବଳର ସୁଷମ ବଣ୍ଟନ ଏବଂ ବଣ୍ଟନକାରୀ ନ୍ୟାୟ ପ୍ରଦାନ କରିବା। ବଣ୍ଟନକାରୀ ନ୍ୟାୟପ୍ରଦାନ ଅର୍ଥ ଧନିକ ଶ୍ରେଣୀଙ୍କଠାରୁ ଅଧିକ ଟିକସ ଆଦାୟକରି ତାକୁ ବିଭିନ୍ନ ଜନହିତକର କାର୍ଯ୍ୟରେ ବ୍ୟୟକରି ଦାରିଦ୍ର୍ୟ, କ୍ଷୁଧା, ବୈଷମ୍ୟ ଅସମାନତା ଦୂର କରିବା। ଏହି କାର୍ଯ୍ୟ ପାଇଁ ରାଷ୍ଟ୍ରାୟତ୍ତ ଶିଳ୍ପ ଅଧିକ ଶକ୍ତିଶାଳୀ ହେବା ଉଚିତ, ଘରୋଇକରଣ ନୁହେଁ । ଏପରି କି ୨୦୦୮ର ବିଶ୍ୱ ଆର୍ଥିକସଙ୍କଟର କୁପ୍ରଭାବ ଭାରତ ଉପରେ କମ୍‌ ପଡିଥିଲା କାରଣ ଭାରତରେ ଏକ ଶକ୍ତିଶାଳୀ ରାଷ୍ଟ୍ରାୟତ୍ତ ଶିଳ୍ପ ଥିଲ। ବାସ୍ତବରେ ସରକାର ବ୍ୟବସାୟ ବା ନିଜ ଦାୟିତ୍ୱରୁ ସିନା ଅପସରି ଯିବା କଥା କହୁଛନ୍ତି, କିନ୍ତୁ ଶିଳ୍ପପତି, ପୁଞ୍ଜିପତିଙ୍କ ସ୍ବାର୍ଥ ପାଇଁ ହସ୍ତକ୍ଷେପ କରୁଛନ୍ତି। ୨୦୧୯ରେ କର୍ପୋରେଟ ଟିକସ ଅହେତୁକ ହ୍ରାସକରିବା, ତାହାର ଏକ ଜ୍ୱଳନ୍ତ ଉଦାହରଣ। ମହାମାରୀ ସମୟରେ ଯେତେବେଳେ କୋଟି କୋଟି ଲୋକ ଚାକିରି ହରାଇଲେ ସେତେବେଳେ ୧୦୦ ଅରବପତିଙ୍କ ସମ୍ପଦ କିପରି ୩୫% ବୃଦ୍ଧି ପାଇଲା।
ସେହିପରି ଲଗାମହୀନ ଏଫଡିଆଇ ପ୍ରବେଶକୁ ‘ଆତ୍ମନିର୍ଭର ଭାରତ’ ର ଏକ ପ୍ରକ୍ରିୟା ଭାବେ ଧରାଯାଉଛି। କିନ୍ତୁ ଉପା ସରକାର ଅମଳରେ ଭାଜପା ଏହାକୁ ଦୃଢ଼ ବିରୋଧ କରିଥିଲା। ଆମେ ଭୁଲିବା ଅନୁଚିତ ଯେ ଏକଦା ବ୍ୟବସାୟ କରିବାକୁ ଆସି ବ୍ରିଟିଶ ଆମ ଦେଶକୁ ଶାସନ କରିଥିଲା। ଏଫଡିଆଇକୁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁନାହୁଁ, କିନ୍ତୁ ଏହାର ଲଗାମହୀନ ପ୍ରବେଶ ଅର୍ଥନୀତି ପାଇଁ ଶୁଭଙ୍କରୀ ନୁହେଁ। ଏହା ଉପରେ ଅଙ୍କୁଶ ରହିବା ଉଚିତ। ବିଶେଷକରି ଆର୍ଥିକ କ୍ଷେତ୍ର ଯଥା ବ୍ୟାଙ୍କ୍‌, ବୀମା ତଥା ପ୍ରତିରକ୍ଷାରେ ଏହା ସର୍ବଦା ବର୍ଜନୀୟ। ଯେଉଁ କ୍ଷେତ୍ରରେ ଆସୁଛି ତାହା ଯେପରି ନୂତନ ଶିଳ୍ପ ପ୍ରତିଷ୍ଠା କରେ, ଅଧିକ ନିଯୁକ୍ତି ସୃଷ୍ଟିକରେ, ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରେ ତାହା ପ୍ରତି ଧ୍ୟାନଦେବା ଉଚିତ। କିନ୍ତୁ ସେପରି ଆଖିଦୃଶିଆ ନିଯୁକ୍ତି ସୃଷ୍ଟି ହେଉନାହିଁ। ଆମ ଦେଶର ଆର୍ଥିକ ଅଭିବୃଦ୍ଧି ମୁଖ୍ୟତଃ ଘରୋଇ ସଞ୍ଚୟ ଉପରେ ନିର୍ଭରଶୀଳ। ଏଫଡିଆଇର ଭୂମିକା ଅତ୍ୟନ୍ତ ନୂ୍ୟନ। ବର୍ତ୍ତମାନ ସରକାର ମାଲିକମାନଙ୍କୁ ସୁହାଇଲା ପରି ଶ୍ରମ ଆଇନରେ ପରିବର୍ତ୍ତନ ଆଣିଛନ୍ତି । ମଜୁରି ସଂହିତାରେ ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଅନ୍ୟାୟ, ଅତ୍ୟାଚାର ବିରୋଧରେ ଶ୍ରମିକମାନଙ୍କ ପ୍ରତିବାଦ ବା ଧର୍ମଘଟ କରିବାର ଅଧିକାର ସଙ୍କୁଚିତ ହେବ। ଶ୍ରମିକମାନେ ମାଲିକମାନଙ୍କ ଦାସତ୍ୱ ସ୍ବୀକାର କରିବାକୁ ପଡ଼ିବ। ଶ୍ରମିକମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରି କିପରି ‘ଆତ୍ମନିର୍ଭର ଭାରତ’ ଗଠନ ହେବ ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁଯାୟୀ ଭାରତରେ ଶ୍ରମିକମାନେ ବିଶ୍ୱରେ ସର୍ବାଧିକ ସମୟ ଖଟିଥାନ୍ତି, କମ୍‌ ମଜୁରି ଏବଂ କମ୍‌ ଅବକାଶ ପାଇଥାନ୍ତି।
କେତେକ ଅର୍ଥନୀତିଜ୍ଞଙ୍କ ମତରେ ‘ଆତ୍ମନିର୍ଭର ଭାରତ’ ଏବଂ ‘ସ୍ବାବଲମ୍ବନଶୀଳତା’ ସମାନ ନୁହେଁ ଏବଂ ଭିନ୍ନ ଭିନ୍ନ ସମ୍ପର୍କ ରହିଛି। ଆତ୍ମନିର୍ଭରଶୀଳତାର ଅର୍ଥ ହେଉଛି, ଆମଦାନୀ କରୁଥିବା ଅର୍ଥ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ବିଦେଶୀମୁଦ୍ରା ସଂରକ୍ଷଣ ଅଛି। ସ୍ବାବଲମ୍ବନଶୀଳତା ଅର୍ଥ ହେଉଛି, ଦେଶ ଚାହୁଁଥିବା ସମସ୍ତ ସାମଗ୍ରୀ ଏବଂ ସେବା ଉତ୍ପାଦନ କରେ ଓ ଅନ୍ୟ ଦେଶ ଉପରେ ନିର୍ଭର କରିବାର ଆବଶ୍ୟକତା ପଡ଼େ ନାହିଁ। କିନ୍ତୁ ଏଥିପାଇଁ ଆମକୁ ଗୁଣାତ୍ମକ ଦ୍ରବ୍ୟ ସେବା କମ୍‌ ମୂଲ୍ୟରେ ଉତ୍ପାଦନ କରିବାର ଆବଶ୍ୟକତା ରହିଛି। କିନ୍ତୁ ସେଥିପାଇଁ ପ୍ରଚେଷ୍ଟା ନାହିଁ। ଏବେ ବି ପ୍ରତିରକ୍ଷା ସାମଗ୍ରୀ, ଅସ୍ତ୍ରଶସ୍ତ୍ର ବିଦେଶରୁ କ୍ରୟ କରୁଛେ। ଏଥିରେ ପ୍ରଥମେ ଆତ୍ମନିର୍ଭରଶୀଳତା ହାସଲ କରିବା ଆବଶ୍ୟକ। ଭାରତରେ ତିଆରି କରନ୍ତୁ ସ୍ଲୋଗାନ ଏବଂ କାର୍ଯ୍ୟକ୍ରମ ସମ୍ପୂଣ୍ଣର୍ର୍ ବିଫଳ ହୋଇଛି। ଆମେ ଆମଦାନୀ ହ୍ରାସ ନ କରି ଆମର ରପ୍ତାନି ବୃଦ୍ଧି ପାଇଁ ପ୍ରୟାସ କରିବା ଉଚିତ।
ବାସ୍ତବରେ ‘ଆତ୍ମନିର୍ଭର ଭାରତ’ର ପ୍ରଥମ ଲକ୍ଷ୍ୟ ହେଉଛି ତ ଯେପରି କେହି ଭୋକରେ ମରିବା ଉଚିତ ନୁହେଁ। ବାସହୀନ ହୋଇ ରାସ୍ତାରେ ନ ଶୋଉ, ଅର୍ଥ ଅଭାବରୁ ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ସେବାରୁ ବଞ୍ଚିତ ନ ହେଉ। ଏହାସହିତ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଯେତେ ସମ୍ଭବ ଯୁବତୀଯୁବକଙ୍କୁ ନିଯୁକ୍ତି ଯୋଗାଇ ଆତ୍ମନିର୍ଭର କରିବା। କିନ୍ତୁ ସରକାରଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ କାର୍ଯ୍ୟକ୍ରମରେ ଏସବୁ କିଛି ନାହିଁ। କେବଳ କର୍ପୋରେଟଜଗତର ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଇଛି। ପୁନଶ୍ଚ ଦରଦାମ ଏପରି ନିୟନ୍ତ୍ରଣ ରଖିବା ଉଚିତ ଯେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବେନାହିଁ। କିନ୍ତୁ ପେଟ୍ରୋଲିୟମ ସାମଗ୍ରୀ ଉପରେ ଅହେତୁକ ଟିକସ ଧାର୍ଯ୍ୟକରିବା ଯୋଗୁ ସବୁ ଦ୍ରବ୍ୟ ମହଙ୍ଗା ହେବା ସହିତ ଲୋକଙ୍କ କ୍ରୟଶକ୍ତି ହ୍ରାସପାଇଛି; ଯାହା ‘ଆତ୍ମନିର୍ଭରଶୀଳ ଭାରତ’ର ସମ୍ପୂଣ୍ଣର୍ର୍ ପରିପନ୍ଥୀ।
ଜଣେ ସ୍ବାଧୀନ ମତ ଦେଇପାରିବା, ଗଣମାଧ୍ୟମ ସ୍ବାଧୀନଭାବେ ମତଦେବା ଏବଂ ସରକାରଙ୍କ ବିଫଳତା ଦର୍ଶାଇବା, ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବା ‘ଆତ୍ମନିର୍ଭର ଭାରତ’ ପାଇଁ ଅତ୍ୟନ୍ତ ଜରୁରୀ। କିନ୍ତୁ ବାସ୍ତବରେ ବର୍ତ୍ତମାନ ଗଣମାଧ୍ୟମ ସ୍ବାଧୀନଭାବେ ମତଦେଉନାହିଁ ଏବଂ ଗରିବର ସ୍ବର ବହନ କରୁନାହିଁ। ସରକାର କିପରି ଅନ୍ୟଠାରୁ ଅଧିକ ସଫଳତା ପାଇବେ, ତାହା ପାଇଁ ଚେଷ୍ଟା ନ କରି ନିଜ ଦୋଷଘୋଡ଼ାଇବା ପାଇଁ ଅନ୍ୟ ସରକାର ବା ଅନ୍ୟ ଦେଶର ଦୁର୍ବଳତା ସହିତ ତୁଳନା କରୁଛନ୍ତି। ଏହାଦ୍ୱାରା ଆମର ପ୍ରଗତି ବାଧାପ୍ରାପ୍ତ ହେଉଛି।
ମୋ: ୯୪୩୭୨୦୮୭୬୨
skmohapatra୬୭@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?