କଲ୍ୟାଣସିଂହପୁର, ୭/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତର ବଡ଼ନାୟକଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶାନ୍ତିନଗର ପୋଖରୀରେ ବୁଡ଼ି ୨ ଜଣ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବଡ଼ନାୟକଗୁଡ଼ା ଗ୍ରାମର ସୀର ତିଆକାଙ୍କ ଝିଅ କାମି ତିଆକା (୧୨) ଏବଂ ସ୍ୱର୍ଗତ ମିଶ୍ର କାଡ୍ରାକାଙ୍କ ଝିଅ ନିଲୁ କାଡ୍ରାକା (୧୨)। ଉଭୟ ସ୍ଥାନୀୟ ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଉଭୟ ନାବାଳିକା ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଶାନ୍ତିନଗର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ କୌଣସି କାରଣରୁ ଉଭୟ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ କିଛି ଲୋକ ତୁରନ୍ତ ବଡ଼ନାୟକଗୁଡ଼ା ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
ଖବର ପାଇ ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟିସାରିଥିଲା। ପରେ ମୃତଦେହ ଗ୍ରାମ ନିକଟସ୍ଥ ଏକ ତେନ୍ତୁଳି ଗଛ ମୂଳକୁ ଅଣାଯାଇଥିଲା।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ କଲ୍ୟାଣସିଂହପୁର ଥାନା ଏସ୍ଆଇ ହେମନ୍ତ କୁମାର ବରିଆ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

