
ନୂଆଦିଲ୍ଲୀ, ୧୦।୨: ଯେତେ ଶୀଘ୍ର ସମ୍ଭବ ଜନଗଣନା କରାଇବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ସୋମବାର କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ଦେଶରେ ଜନଗଣନା ହେବାରେ ବିଳମ୍ବ ଘଟୁଥିବାରୁ ୧୪ କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଉପଲବ୍ଧ ଲାଭରୁ ବଞ୍ଚିତ ହେଉଥିବା ସେ କହିଛନ୍ତି।
ରାଜ୍ୟ ସଭାର ଶୂନ୍ୟକାଳରେ ସୋନିଆ କହିଛନ୍ତି, ୨୦୧୧ ଜନଗଣନା ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)ର ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ବର୍ତ୍ତମାନ ଏହି ଜନସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଛି। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ପ୍ରତି ୧୦ ବର୍ଷରେ ହେବାକୁ ଥିବା ଜନଗଣନା ୪ ବର୍ଷରୁ ଅଧିକ ସମୟ ଧରି ବିଳମ୍ବିତ ହେଲାଣି।
୨୦୨୧ ଜନଗଣନା ପ୍ରକ୍ରିୟା କେବେ ସମାପ୍ତ ହେବ ସେନେଇ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ସୂଚନା ଦେଉ ନାହାନ୍ତି। ବଜେଟ ଆବଣ୍ଟନକୁ ଦେଖିଲେ ଜଣାପଡ଼ୁଛି, ଚଳିତ ବର୍ଷ ମଧ୍ୟ ଜନଗଣନା ହେବ ନାହିଁ। ଏଥିପାଇଁ ୧୪ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଥିବା ସୋନିଆ କହିଛନ୍ତି।