ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ ମନ୍ତ୍ରୀ ଏସ୍. ରାଜେଶ କୁମାର ଟିଭିକେକୁ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି । ରାଜେଶ କୁମାର ଚେତାବନୀ ଦେଇ କହିଛନ୍ତି ଯେ, ୨୦୨୯ ସାଧାରଣ ନିର୍ବାଚନରେ ଟିଭିକେ ଯଦି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ ନକରେ, ତେବେ ସେ ଓ ତାଙ୍କ ସହଯୋଗୀ ପି. ବିଶ୍ୱନାଥନ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ।
କନ୍ୟାକୁମାରୀ ୱେଷ୍ଟ ଜିଲା କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ଜର୍ଜ ରବିନସନଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ରାଜେଶ କୁମାର ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଲୋକ ସଭା ନିର୍ବାଚନରେ କଂଗ୍ରେସ କେବଳ ରାହୁଲ ଗାନ୍ଧୀଙ୍କୁ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ କରିବ। ଏହି ପ୍ରସଙ୍ଗରେ ଟିଭିକେ ନିଜର ମତ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପଟେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ଦଳ ଟିଭିକେର ଅନେକ ନେତା, ବିଧାୟକ ଓ କର୍ମୀ ଆଗାମୀ ଲୋକ ସଭା ନିର୍ବାଚନରେ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ କରିବାକୁ ଦାବି କରୁଛନ୍ତି।
ମେ’ ମାସରେ କଂଗ୍ରେସର ସମର୍ଥନରେ ବିଜୟ ସରକାର ଗଠନ କରିଥିଲେ ଏବଂ ସରକାରରେ କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା। ତେବେ ଏହି ରାଜନୈତିକ ସମୀକରଣକୁ ନେଇ ଡିଏମ୍କେ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ କଂଗ୍ରେସ ଉପରେ ବିଶ୍ୱାସଘାତର ଅଭିଯୋଗ ଆଣିଥିଲା। ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଡିଏମ୍କେ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ବିଜୟଙ୍କ ରାଜନୈତିକ ପ୍ରଭାବ ମଧ୍ୟରେ ଡିଏମ୍କେକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହା ପରେ କଂଗ୍ରେସ ବିଜୟଙ୍କୁ ସମର୍ଥନ କରିବା ଘୋଷଣା କରିଥିଲା।
ଏବେ ୨୦୨୯ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଟିଭିକେ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିବାରୁ ଆଗାମୀ ଦିନରେ ଦୁଇ ଦଳର ସମ୍ପର୍କ କେଉଁ ଦିଗକୁ ଯିବ, ତାହା ଉପରେ ନଜର ରହିଛି ।

