ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ମଙ୍ଗଳବାର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ ବିଶ୍ୱାଳଙ୍କ ସମ୍ବଲପୁର ଧନକୁଡ଼ାସ୍ଥିତ ଦୁଇ ମହଲା ବିଶିଷ୍ଟ ବାସଭବନ, ଗୁଡ଼େସିଙ୍ଗାରେ ଥିବା ଆଉ ଏକ କୋଠା, ବୁର୍ଲା ଭିମସାର ମେଡିକାଲ ଷ୍ଟାଫ କଲୋନୀରେ ଥିବା ସରକାରୀ ଆବାସ ଏବଂ ବୁର୍ଲା ଭିମସାର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟରେ ଥିବା ତାଙ୍କର ସରକାରୀ ପ୍ରକୋଷ୍ଠ ଆଦି ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଏକ ସମୟରେ ଖାନତଲାସି ଚଳାଇଛନ୍ତି। ଚଢାଉ ସମୟରେ ବିଶ୍ବାଳଙ୍କ ଧନକୁଡ଼ାସ୍ଥିତ ବାସଭବନରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଲକ୍ଷରୁ ଊଦ୍ଧର୍ବ ନଗଦ ରାଶିର ବିଡ଼ା ବିଡ଼ା ନୋଟ, ଗୋଟିଏ ହାଇୱା, ୨ ଟ୍ରାକ୍ଟର, ଦାମୀ କାର୍, ୩ଟି ଦୁଇ ଚକିଆ ଠାବ ହୋଇଛି। ସୁନା ଓ ବ୍ୟାଙ୍କ ଜମା ଆଦିର ଆକଳନ କରୁଛି ଭିଜିଲାନ୍ସ ଟିମ୍।
ଚଉରେ ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ସରିବା ପରେ ଏନେଇ ସବିଶେଷ ତଥ୍ୟ ହସ୍ତଗତ ହେବ ବୋଲି ଜଣାପଡ଼ିଛି।
Dharitri – Odisha’s No.1 Odia Daily

