ସର୍ବବ୍ୟାପ୍ତ ମହାଶୂନ୍ୟ

ଡ. ନରେନ୍ଦ୍ର କୁମାର ସେଠୀ

 

ଓଡ଼ିଶାର ଏକ ପ୍ରାଚୀନତମ ସମ୍ପ୍ରଦାୟ ମହିମା ଧର୍ମରେ ମହାଶୂନ୍ୟର ଉପାସନା କରାଯାଇଥାଏ। ଏହି ସମ୍ପ୍ରଦାୟ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି ଓ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖନ୍ତି ନାହିଁ। ଆମକୁ ଏ ବିଷୟରେ ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ ଯେ ମହାଶୂନ୍ୟରେ ଈଶ୍ୱରଙ୍କ ସନ୍ଧାନ କିପରି କରାଯାଇ ପାରେ? ଏ ବିଶ୍ୱ ଓ ଆମ ପୃଥିବୀ ସକଳ ଜଡ଼ ଓ ଜୀବନ୍ତ ଘଟରେ ପରିପୂର୍ଣ୍ଣ ଥିଲା ବେଳେ ମହାଶୂନ୍ୟରେ ଈଶ୍ୱରଙ୍କ ସନ୍ଧାନ କରିବାର ଗୂଢ଼ ତଥ୍ୟ କ’ଣ ବା ହୋଇପାରେ? ଏହି ମହାନ୍‌ ଧର୍ମର ପ୍ରାଚୀନ ଜ୍ଞାନ ଓ ଈଶ୍ୱର ପ୍ରାପ୍ତିର ଗୁଣ କୌଶଳ କୌତୂହଳପୂର୍ଣ୍ଣ ଲାଗେ। ତେବେ ମହାଶୂନ୍ୟର ବାସ୍ତବତା ଓ ଏହା ଆଧ୍ୟାତ୍ମିକ ଜୀବନରେ କେତେ ଗୁରୁତ୍ୱ ବହନ କରୁଛି ସେ ସମ୍ପର୍କରେ ଏକ ବୈଜ୍ଞାନିକ ଅନୁଶୀଳନ କରିବା।
ଆଧୁନିକ ବିଜ୍ଞାନ ଅନୁସାରେ ଏ ବିଶ୍ୱର ସବୁ ଜିନିଷ ଅଣୁ ପରମାଣୁରେ ଗଠିତ। ଅଣୁ ପରମାଣୁ ସବୁ ଜିନିଷ ଓ ପଦାର୍ଥର ମୂଳ ମୌଳିକ ନିର୍ମାଣ ଏକକ। ଏହି ପରମାଣୁ ଏତେ ଛୋଟ ଯେ ଏହାକୁ ଦେଖିବା ଅସମ୍ଭବ କହିଲେ ଭୁଲ୍‌ ହେବ ନାହିଁ। ଛୋଟ ପରମାଣୁ ଭିତରେ ଏକ ସୂକ୍ଷ୍ମ ନାଭିକେନ୍ଦ୍ର ଓ ତା’ର ଚାରିପଟେ ଅବିରତ ଘୂରି ବୁଲନ୍ତି ଅନେକ ଇଲେକ୍ଟ୍ରୋନ। କିନ୍ତୁ ପରମାଣୁ ଭିତରେ ୯୯.୯୯ ପ୍ରତିଶତ ଖାଲି ବା ଶୂନ୍ୟସ୍ଥାନ। ଅର୍ଥାତ୍‌ ଏକ ପରମାଣୁର ଭିତର ଅଂଶ ସମ୍ପୂର୍ଣ୍ଣ ଫମ୍ପା ବା ଖାଲି ସ୍ଥାନ। ଅର୍ଥାତ ସବୁ ଜଡ଼ ଓ ଜୀବନ୍ତ ପଦାର୍ଥ ଯାହା ଆମେ ଦେଖୁଛେ ସବୁ ଜିନିଷ ଦୃଶ୍ୟମାନ ହେଲେ ମଧ୍ୟ ଅନେଶତ ପ୍ରତିଶତ ଫମ୍ପା ବା ଶୂନ୍ୟ ସ୍ଥାନ। ତେବେ ଯଦି ସବୁ ପଦାର୍ଥ ଓ ଜିନିଷ ଏବଂ ମଣିଷ ଶରୀର ଏହି ଅଣୁ ପରମାଣୁରେ ଗଠିତ ତା’ହେଲେ ଆମେ କ’ଣ ସମସ୍ତେ ସେହି ଶୂନ୍ୟତାର ଅଂଶ? ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ସମସ୍ତେ ଶୂନ୍ୟ ଏବଂ ମହାଶୂନ୍ୟ। ଅର୍ଥାତ ଆମ ଶରୀର ବା ଅନ୍ୟ ଯୋଉ ଜିନିଷ ଆମେ ଦେଖୁଚୁ ସବୁ ମିଛ ଓ ମହା ଶୂନ୍ୟ ହିଁ ସତ୍ୟ।
ଏ ସୃଷ୍ଟି, ସଂସାର ଏବଂ ସମୟର ଆରମ୍ଭ କିଏ ଓ କେବେ କରିଥିଲା ତାହା ହିନ୍ଦୁ ଧର୍ମରେ ନାନା ପୁରାଣ ଓ ପୋଥିରେ ଲିପିବଦ୍ଧ ଅଛି। କିନ୍ତୁ ଆଧୁନିକ ବିଜ୍ଞାନର ମତ ସୃଷ୍ଟି, ସଂସାର ଏବଂ ସମୟର ଆରମ୍ଭ ବିଷୟରେ ସମ୍ପୂର୍ଣ୍ଣ ଅଲଗା ଓ ପ୍ରାମାଣିକ। ଚଳିତ ଶତାବ୍ଦୀର ମହାନ୍‌ ଓ ବିଚକ୍ଷଣ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗସଙ୍କ ମତରେ ବିଗ୍‌ବ୍ୟାଙ୍ଗ ବିସ୍ଫୋରଣ ପରେ ସମୟ, ପଦାର୍ଥ ଓ ସୃଷ୍ଟିର ଆରମ୍ଭ ହେଲା ଓ ତା’ ପୂର୍ବରୁ ଈଶ୍ୱରଙ୍କ ପାଖରେ ସଂସାର ତିଆରି କରିବାକୁ ସମୟ ନ ଥିଲା ବା ଈଶ୍ୱର ବୋଲି କେହି ନାହାନ୍ତି। କିନ୍ତୁ ଆଉଜଣେ ମହାନ୍‌ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ବିଗ୍‌ବ୍ୟାଙ୍ଗ ସମୟରେ ଗୁରୁତ୍ୱ ହରେଇ ବସିବାରୁ ଈଶ୍ୱରଙ୍କ ସତ୍ତା ବିଷୟରେ ଷ୍ଟିଫେନ ହକିଙ୍ଗସଙ୍କ ମତ ବିରୋଧାଭାସ କଲା। ଆଧୁନିକ ଶୃଙ୍ଖଳା ସିଦ୍ଧାନ୍ତ ମତବାଦ ଅନୁସାରେ ଏ ବିଶ୍ୱ ଏକ ପାଣି ଫୋଟକା ସଦୃଶ ଓ ଆମେ ସମସ୍ତେ ଏହି ପାଣି ଫୋଟକାର ଉପରେ ଅଛୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏହି ପାଣି ଫୋଟକା କ୍ରମାଗତ ବଢ଼ିବାରେ ଲାଗିଛି ଓ ଏହା ଦିନେ ଫାଟିଯିବ, ଯାହାକୁ ବିଗ୍‌ବ୍ୟାଙ୍ଗ କୁହାଯାଏ। ଷ୍ଟିଙ୍ଗ ବା ଶୃଙ୍ଖଳା ତତ୍ତ୍ୱ ଅନୁସାରେ ଏମିତି ଅନେକ ପାଣିଫୋଟକା ଅଛନ୍ତି ଓ ଲଗାତର ମହା ଶୂନ୍ୟରେ ସଂସାରର ବିଲୋପ ଓ ନିର୍ମାଣ ଚାଲିଛି ଏବଂ ଚାଲିଥିବ। ହିନ୍ଦୁ ପୌରାଣିକ ମତବାଦ ଅନୁସାରେ ଏ ସଂସାର ଜଳମଗ୍ନ ଥିଲା। ସାତ ସମୁଦ୍ରର ଗଭୀରତମ କୋଣରେ ଶେଷ ନାଗର ଶଯ୍ୟାରେ ଶୟନ କରି ବିଷ୍ଣୁ ସଂସାର ତିଆରି କରିବାର କଳ୍ପନା କରିଥିଲେ। ସେହିପରି ଏହା ମଧ୍ୟ ବିଶ୍ୱାସ ଅଛି ଯେ, ଏହି ବିଶ୍ୱ ଅନ୍ତିମ ଆଡ଼କୁ ଗତି କରୁଛି ଓ ମହା ପ୍ରଳୟ ପରେ ନୂଆ ସଂସାର ତିଆରି ହେବ। ଆଧୁନିକ ବିଜ୍ଞାନ ଓ ହିନ୍ଦୁଧର୍ମ ମତବାଦର ଏହି ସାମଞ୍ଜସ୍ୟକୁ ଏକ ଆଶ୍ଚର୍ଯ୍ୟଜନକ ସମାନତା କୁହାଯାଇ ପାରେ। ତେବେ ସେ ଯାହା ହେଉ ଆମେ ଦେଖୁଥିବା ବିଶ୍ୱ ପ୍ରଥମ ହୋଇ ନ ଥିବ ଓ ବିଗ୍‌ବ୍ୟାଙ୍ଗ ପୂର୍ବରୁ କିଛି ନିଶ୍ଚିତ ଥିବ, ଯାହା ଏହି ବିସ୍ଫୋରଣର କାରଣ ହୋଇଥିବ।
ଆଧୁନିକ ବିଜ୍ଞାନ ମତରେ ଲଗାତର ବିଗ୍‌ବ୍ୟାଙ୍ଗ ଭଳି ବିସ୍ଫୋରଣ ହେବାରେ ଲାଗିଛି ଓ ଲଗାତର ବିଶ୍ୱ ଗୁଡ଼ିକ ତିଆରି ହେଉଛନ୍ତି ଏବଂ ବିନାଶ ହେଉଛନ୍ତି। ବିନାଶ ଓ ସୃଷ୍ଟି ପରସ୍ପର ପରିପୂରକ ହୋଇ ରହିଛନ୍ତି। ତେଣୁ ଆମେ ଯେ ଏ ବିଶ୍ୱରେ ଏକୁଟିଆ ପ୍ରଭୁତ୍ୱ ବିସ୍ତାର କରିଛେ ତାହା ଠିକ୍‌ ହୋଇ ନ ପାରେ। ଆମ ବ୍ୟତୀତ ହୁଏତ ଆଉ ଅନ୍ୟ ଗ୍ରହରେ ଜୀବନ ସଞ୍ଚାର ହୋଇଥାଇ ପାରେ। ଠିକ୍‌ ସେହିପରି ଆମ ପୌରାଣିକ ମତବାଦ ଅନୁସାରେ ଆମେ ପୃଥିବୀବାସୀ ବ୍ରହ୍ମାଣ୍ଡରେ ଏକୁଟିଆ ନାହୁଁ ଓ ଏ ସୃଷ୍ଟିରେ ଅନେକ ବିଶ୍ୱ ଅବସ୍ଥିତ; ଯାହାକୁ ନାଗଲୋକ, ପାତାଳ ଲୋକ, ସ୍ବର୍ଗଲୋକ ବୋଲି କୁହାଯାଏ। ଏହା ଫଳରେ ବିଜ୍ଞାନ ଓ ପୌରାଣିକ ମତବାଦ ପୁଣି ଏକ ଜାଗାରେ ମିଶିଯିବା ପରି ଲାଗେ। ଅନ୍ୟ ଅର୍ଥରେ ବିଜ୍ଞାନ ଓ ଅଧ୍ୟାତ୍ମ ଏକ ସଂଗେ ଚାଲିଲା ଭଳି ଲାଗୁଛନ୍ତି, ଯୋଉଠି ଆଧୁନିକ ବିଜ୍ଞାନର ଆୟୁଷ ମାତ୍ର ଶହେ ବର୍ଷ ହୋଇଥିଲା ବେଳେ ସୃଷ୍ଟିର ବୟସ କୋଟି କୋଟି ବର୍ଷ। ଏହି ଶହେ ବର୍ଷ ମଧ୍ୟରେ ଆଧୁନିକ ବିଜ୍ଞାନ ଆମକୁ ସଂସାରର ଅନେକ କୌତୂହଳପୂର୍ଣ୍ଣ ଜଟିଳ ପ୍ରଶ୍ନକୁ ବୁଝିବାକୁ ସାହାଯ୍ୟ କରିଛି। ବିଶ୍ୱର ସୃଷ୍ଟି ପୂର୍ବରୁ ସମୟର ଉପସ୍ଥିତି ଏକ ପ୍ରଶ୍ନବାଚୀ ହୋଇ ରହିଥିଲେ ମଧ୍ୟ ଏକଥା ଠିକ୍‌ ଯେ କେବଳ ଗୋଟିଏ ସତ୍ୟ ହିଁ ସର୍ବଦା ବିଦ୍ୟମାନ ଥିଲା, ତାହା ହେଉଛି ସମୟ; ଯାହା ମହାଶୂନ୍ୟରେ ଚାରିଆଡ଼େ ବ୍ୟାପ୍ତ ଥିଲା। ଅର୍ଥାତ୍‌ ମହାଶୂନ୍ୟ ହିଁ ସତ୍ୟ।
ସବୁ ଜଡ଼ ଓ ଜୀବନ୍ତ ପଦାର୍ଥ ଏହି ମହାଶୂନ୍ୟର ଅଂଶ ମାତ୍ର। ଅର୍ଥାତ୍‌ ଈଶ୍ୱର ହିଁ ମହାଶୂନ୍ୟ; ଯାହାଙ୍କର କିଛି ଆକାର ନାହିଁ। ସେ ଚାରିଆଡ଼େ ବ୍ୟାପ୍ତ। ସବୁଆଡ଼େ, ସବୁ ଜିନିଷରେ, ସବୁ ପ୍ରାଣୀଙ୍କ ଦେହରେ ଈଶ୍ୱର ବିରାଜିତ। ମହାଭାରତ ରଣ ଭୂମି ମଧ୍ୟଭାଗରେ ଦଣ୍ଡାୟମାନ ହୋଇ ମ୍ରିୟମାଣ ପାର୍ଥଙ୍କ ମୋହ ଭଙ୍ଗ ପାଇଁ ଶ୍ରୀକୃଷ୍ଣ ଦେଇଥିବା ଗୀତା ଉପଦେଶରେ ମଧ୍ୟ ଠିକ୍‌ ଏହି କଥା କୁହାଯାଇଛି। ଗୀତାରେ ସ୍ପଷ୍ଟ ବର୍ଣ୍ଣିତ ଯେ ଈଶ୍ୱର ସବୁଆଡ଼େ ସବୁ ପ୍ରାଣୀ ଓ ଜିନିଷରେ ବିଦ୍ୟମାନ। କିନ୍ତୁ ଆଧୁନିକ ବିଜ୍ଞାନ ଈଶ୍ୱରଙ୍କ ସତ୍ତାକୁ ଗ୍ରହଣ କରୁଛି କି? ଏହା ଏକ ଲକ୍ଷେ ଟଙ୍କିଆ ପ୍ରଶ୍ନ? ତେବେ ବିଜ୍ଞାନର ସବୁ ତଥ୍ୟକୁ ମିଶେଇ ଦେଲେ ଗୋଟିଏ ନିଷ୍କର୍ଷ ମିଳେ ଯେ ସମୟ ଓ ଶୂନ୍ୟତା ସମୀକରଣ ତିଆରି ହେବା ପୂର୍ବରୁ କେହି ଜଣେ ଅଜଣା ଘଟକ ନିଶ୍ଚିତ ଥିବ; ଯିଏ ବିଗବ୍ୟାଙ୍ଗ ଭଳି ବିସ୍ଫୋରଣର କାରଣ ହୋଇ ସୃଷ୍ଟିର ନିର୍ମାଣ କରିଥାଇ ପାରେ। ବିଜ୍ଞାନ କୁଣ୍ଠିତ ହୋଇ ସେହି ଅଜଣା ଘଟକକୁ ଈଶ୍ୱର କହି ନ ପାରେ। ତେବେ ମହିମା ଧର୍ମର ଗୂଢ଼ ତତ୍ତ୍ୱ ଯେ ବିଜ୍ଞାନ ସମ୍ବଳିତ ଓ ମହାଶୂନ୍ୟ ହିଁ ସର୍ବ ବ୍ୟାପ୍ତ ଏହା ଚିରନ୍ତନ ସତ୍ୟ। ବ୍ରହ୍ମାଣ୍ଡର ଆରମ୍ଭ ଅଛି କି ନାହିଁ ତାହା ବ୍ରହ୍ମାଣ୍ଡ ବିଜ୍ଞାନୀମାନେ ଏପର୍ଯ୍ୟନ୍ତ ଠିକ ଭାବରେ ଜାଣନ୍ତି ନାହିଁ। ଏହା ପରିବର୍ତ୍ତେ ବିଗବ୍ୟାଙ୍ଗ ବିସ୍ଫୋରଣ ପୂର୍ବରୁ ଏକ ଅନନ୍ତ ଅତୀତ ହୋଇ ଥାଇ ପାରେ ଓ ସମୟ ଅସୀମ ପଛକୁ ଲମ୍ବି ଥାଇ ପାରେ। ବିଜ୍ଞାନ ଅନୁସାରେ ବିଶ୍ୱର ବିସ୍ତାର ଏବଂ ସଂକୋଚନର ଏକ ଅସୀମ ଚକ୍ର ଦେଇ ଗତି କରି ଚାଲିଛି। କିନ୍ତୁ କ୍ୱାଣ୍ଟମ ଥିଓରି ବା ଶୃଙ୍ଖଳ ସିଦ୍ଧାନ୍ତ ଅନୁସାରେ ଶୂନ୍ୟରେ ମଧ୍ୟ ଶକ୍ତି ଅଛି, ସମସ୍ତ ପ୍ରକାରର ଅସମ୍ଭବ ଜିନିଷ ଶୂନ୍ୟରେ ଘଟିପାରେ ଓ ଏହା ପାଇଁ ଏକ ଅଲୌକିକ ଶକ୍ତିର ଆବଶ୍ୟକତା ଅଛି। ବିଜ୍ଞାନ ମତରେ ହୁଏତ ସେହି ଅଲୌକିକ ଶକ୍ତି ହିଁ ଈଶ୍ୱର; ଯାହାକୁ ଶୂନ୍ୟ ଶୂନ୍ୟ ମହାଶୂନ୍ୟ କୁହାଯାଇପାରେ ଓ ଆମ ପ୍ରାଚୀନ ଧର୍ମ ପରମ୍ପରାରେ ଏହା ଉଲ୍ଲିଖିତ ଅଛି। ତେବେ ଉପରୋକ୍ତ ବିଶ୍ଳେଷଣରୁ ଏତିକି କୁହାଯାଇ ପାରେ ଯେ ଈଶ୍ୱର ସର୍ବବ୍ୟାପ୍ତ, ସର୍ବ ବିଦିତ ଓ ମହାଶୂନ୍ୟ ରୂପରେ ରାମ, କୃଷ୍ଣ, ଆଲ୍ଲା ଓ ଯିଶୁ ଭଳି ଭିନ୍ନ ନାମରେ ମଣିଷ ଦ୍ୱାରା ନାମିତ ମାତ୍ର।
ପୂର୍ବ ସିଂଭୁମି, ଯାଦୁଗୁଡା, ଝାଡ଼ଖଣ୍ଡ
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri