ଇରାନୀବାବୁ

ଡ.ଗୌରହରି ରାଉତ

 

ଟିମାକୁ ସାହେବୀ ବେଶରେ ଦେଖି ଗାଁ ଲୋକେ ଏକବାର ଖପ୍ପା। ହାଁ କରି ତା’ର ତାଳୁଠାରୁ ତଳିପା’ଯାଏ ଗହୀରିଆ ନଜର ଘୂରାଉଛନ୍ତି ସେମାନେ। ଫିସ୍‌ ଫିସ୍‌ ସିଗାରେଟ୍‌ ପିଇ ସୁଟ୍‌ ବୁଟ୍‌ ପିନ୍ଧି ଏବେ ଗାଁ ରେ ବୁଲୁଥିବା ଟିମା ତା’ର ସେ ପୁରୁଣା ପରିଚୟକୁ କେବେଠାରୁ ହଜେଇ ଆଖି ତରାଟି ହେଲାଭଳି ବାବୁ ବେଶ୍‌ ସାଜିଛି। ପାଟିରୁ ଖାଲି ବାହାରୁଛି ଦୋ’ମିଶା ହିନ୍ଦୀ। ଗାଁ ଲୋକଙ୍କୁ ତ ’ନ ଦେଖିଲା ଓଉ ଛଅ ଫଡ଼ା’ ପରି ଲାଗୁଛି! ଟିମା ଆଉ ସେ କାଳର ଟିମା ହେଇ ନାହିଁ – ଏବେ ସେ ଇରାନ ଫେରନ୍ତା ଇରାନୀବାବୁ।
ଗାଁ ଦାଣ୍ଡରେ ଚାଲିଗଲେ ଖଣ୍ଡେ ଦୂର ପର୍ଯ୍ୟନ୍ତ ମହକୁଛି ଅତର ବାସ୍ନା। କ’ଣ ଦେଖିବ – ଭଳିକି ଭଳି ସୁଟ୍‌ ବୁଟ୍‌..ଆଜି ହଳେ ତ କାଲିକି ଆଉ ହଳେ..! ଏବେ ଖାଲି ତା’ରି ଚର୍ଚ୍ଚା ବାଟରେ, ଘାଟରେ, ହାଟରେ ଆଉ ପୋଖରୀ ତୁଠରେ। ଇରାନରୁ ଆଣିଛି ଚକ ଚକ କରୁଥିବା ହେଉଁ ହେଉଁ ଷ୍ଟିଲ୍‌ ବାକ୍ସ, ଆଟାଚି, କମ୍ବଳ – ଆଉ କେତେ କ’ଣ ବିଦେଶୀ ଚିଜ।
ପଡ଼ୋଶୀ ଗାଁ ଲୋକେ ଦଳ ଦଳ ହୋଇ ଆସୁଛନ୍ତି ଦେଖିବାକୁ ଟିମାରୁ ରୂପାନ୍ତରିତ ହୋଇଥିବା ଏଇ ଇରାନୀବାବୁଙ୍କୁ। ଯେଉଁମାନେ ପାଠ ଘରେ ତାଲା ମାରି ଟିମା ସହ ବିଲ ବାରିରେ କାମ କରୁଥିଲେ, ସେମାନେ ଆଜି ତାକୁ ଦେଖି ଖାଲି ବଲ ବଲ ହୋଇ ଚାହିଁ ରହୁଛନ୍ତି ଯାହା। ୟା’ ଭିତରେ ଇରାନୀବାବୁଙ୍କର ଆଖି ଦି’ଟା ଉପରକୁ ଉଠିଯାଇଛି। ବୋଇଲେ ବିଲବାରିରେ ଯେଉଁମାନଙ୍କ ସହ ସେ କାମ କରୁଥିଲା, ନଈ ନାଳରୁ ମାଛ ଧରୁଥିଲା- ସେମାନଙ୍କୁ ପାଖରେ ବସାଇ ଏବେ ସେ ଦେଶର କେତେ କଥା ଗପୁଛି । ସେଠାକାର ସହର ବଜାର, ଲୋକଙ୍କର ବେଶଭୂଷା ଆଉ ଚାଲିଚଳଣି ସମ୍ପର୍କରେ ଗପୁଥିଲାବେଳେ ଗାଁ ଲୋକେ ତାଟକା ହୋଇ ଚାହିଁଥାନ୍ତି ତା’ ମୁହଁକୁ। ସତେ କି ସରଗ ରାଇଜରୁ ଓହ୍ଲେଇଛନ୍ତି ଇରାନୀବାବୁ..! ଏବେ ଟିମାକୁ ଗାଁ ଗନ୍ଧେଇଲାଣି। କେବଳ ଗାଁ ନୁହେଁ, ଇଣ୍ଡିଆ ଆଉ ଭଲ ଲାଗୁନି। ଇରାନ ଭଳିଆ ଇଣ୍ଡିଆ କ’ଣ ହୋଇପାରିବ?
ଛେଳିକୁ ପାଣି ଅଡ଼ୁଆ ପରି ଇରାନୀବାବୁଙ୍କୁ ଗାଁ ଅଡ଼ୁଆ। ଆର ମାସକୁ ଇରାନ ପଳେଇବ ବୋଲି ଗାଁର କେତେ ଲୋକଙ୍କୁ କହିଲାଣି ଟିମା।
ଲୋକେ ବି ବୁଝିଲେଣି- ହଁ, ତା’ ନୁହେଁ ତ କ’ଣ? କେଉଁ କାଳରେ ଟିମା ସିନା ଶ୍ରୀ ଅକ୍ଷର ବିବର୍ଜିତ ହୋଇ ବିଲବାରିରେ ଖଟୁଥିଲା, ଏବେ ତ ସେ ଇରାନୀବାବୁ। ବେଶ ପୋଷାକ, କଥାବାର୍ତ୍ତା, ଠାଣିମାଣି – ସବୁଥିରେ ଇରାନୀ ଇରାନୀ ବାସ୍ନା। ତେଣୁ ଗୁହ ଗୋବରରେ ପଚର ପଚର ଏ ଗାଁ ମାଟି, ପୁଣି ସେଥିରେ ଥିବା ଝାଟିମାଟିର ଚାଳଛପର ଘର କେମିତି ବା ଭଲ ଲାଗିବ? ସେଥିପାଇଁ ବାବୁ ଖାଲି ବାଡ଼େଇ ଛାଟି ହେଉଛନ୍ତି – କେମିତି ଇରାନ ଫେରିବେ।
ଟିମା ଓରଫ ଇରାନୀବାବୁଙ୍କୁ ଘରର ଭାତ ତିଅଣ ଆଉ ରୁଚୁନି l ଖଡ଼ା ବା ପୋଇ ରାଇ- ଏହାକୁ କ’ଣ ମଣିଷ ଖାଆନ୍ତି ? ସୁତରାଂ ଗାଁର ଶେଷ ମୁଣ୍ଡରେ ଥିବା ବସ୍ତି ଅଞ୍ଚଳରେ ଚକ୍କର କାଟି ବାବୁ ଆମର ଦିନକୁ ଗୋଟିଏ ଲେଖାଏଁ ତେଲାନ୍ତିଆ ଗଞ୍ଜାର ବେକ ମୋଡ଼ନ୍ତି l କ୍ଲବ୍‌ ଘରେ ଭେଣ୍ଡିଆ ସାଙ୍ଗମାନଙ୍କ ସହ ରାତିରେ ଜମେ ମଦ ମାଂସର ମଉଜ ମହୋତ୍ସବ l ଇରାନ ଫେରନ୍ତା ବାବୁ ତ ସାଙ୍ଗରେ ଆଣିଛନ୍ତି କେଇ ଗଣ୍ଡା ବିଦେଶୀ ମା..ଲ ର ପେଟି l ଏମିତି ଏମିତି ମଦ ମାଉଁସର ମଉଜ ମଜଲିସରେ ଏହା ଧୀରେ ଧୀରେ ସରିଆସେ, ବସ୍ତିର କୁକୁଡ଼ା ବି ପଦା ହେବାକୁ ଲାଗନ୍ତି l ଇରାନ ମା..ଲ ଶେଷ ହେବା ସହ ଇରାନରୁ ଆଣିଥିବା ବିଡ଼ା ବିଡ଼ା ନୋଟ୍‌ ବି କ୍ରମେ କମି କମି ଆସେ। ଇରାନୀ ବାବୁ ଘଣ୍ଟାକୁ ଥରେ ଲେଖାଏଁ ଯେଉଁ ବିଦେଶୀ ସିଗାରେଟ୍‌କୁ ଓଠରେ ଲଗେଇ ଫିସ୍‌ ଫିସ୍‌ କରି ଆକାଶକୁ ଧୂଆଁ ଛାଡ଼ନ୍ତି – ତାହା ବି ସରି ସରି ଆସେ। ବାବୁଙ୍କର ତ ବିଦେଶୀ ନାଲିପାଣି ଟିକିଏ ନ ହେଲେ ନ ଚଳେ କି ସିଗାରେଟ୍‌ ନ ଫୁଙ୍କିଲେ ଆଖି ପିତୁଳିଆ ମାରେ। ବାଇଆ ବାତୁଳ ହୁଅନ୍ତି ମା..ଲ ଆଉ ଧୂଆଁ ଟିକକ ପାଇଁ l ହେଲେ ଏ ଗାଁ ଭୂଇଁରେ ବା ସେସବୁ ବିଦେଶୀ ମା..ଲ କୁଆଡ଼ୁ ମିଳିବ? ବିଲବାରିରେ କାମ କରୁଥିବା ଭେଣ୍ଡିଆ ସାଙ୍ଗ ବା କେଉଁଠୁ ଯୋଗାଡ଼ କରିବେ ଏ ମହରଗ ମା..ଲ?
ଅଣ୍ଟାରୁ ତ ଅଧଲାଟିଏ ଖସିବାର ନାହିଁ। ପ୍ରକୃତି ମେଣ୍ଟଣ ପାଇଁ ବାବୁ ଯାହା ଛାଟିପିଟି ହେଉଥାନ୍ତି। ବିଦେଶୀ ନ ହେଲା ନାହିଁ ପଛକେ ଦେଶୀ ଟିକିଏ ମିଳୁ, ଦାମୀ ସିଗାରେଟ୍‌ ନ ମିଳିଲା ନାହିଁ – ବିଡ଼ିରେ କାମ ଚଳିଯାଉ। ନିଶା ପାଇଁ ପାଗଳ ହେଉଥିବା ବାବୁଙ୍କ ଅକଲରେ ଏସବୁ ଯେତେବେଳେ ପଶେ ବାବୁ ସେଠୁ ଦରାଣ୍ଡି ହୁଅନ୍ତି ଏଠି ସେଠି। ଦେଶୀ ମା..ଲ ମାରୁଥିବା ସାଙ୍ଗମାନଙ୍କ ପାଖରେ ପହଞ୍ଚିଯାଇ ଗିନା, ତାଟିଆ ଯାହା ମିଳିଲା – ସେଥିରେ ମୁନ୍ଦିଏ ମାରିଦିଅନ୍ତି।
ବିଡ଼ି କିମ୍ବା ଧୂଆଁପତ୍ରର ପିଙ୍କା ଟାଣୁଥିବା ଗାଁର ଭେଣ୍ଡିଆମାନଙ୍କୁ ନେହୁରା ହେଇ ତାଙ୍କ ଠାରୁ ଦି’ କଳେ ଟାଣିଦେଇ ପ୍ରକୃତି ମେଣ୍ଟାନ୍ତି l ଶେଷକୁ ସମୟ ଆସେ – ବାବୁଙ୍କୁ ବିଡ଼ି ଖଣ୍ଡେ ବି ମିଳେନି, ଏଠି ସେଠି ପଡ଼ିଥିବା ଖଣ୍ଡିଆ ବିଡ଼ି ଗୋଟେଇବାକୁ ବାଧ୍ୟ ହୁଅନ୍ତି ବାବୁ।
ଇରାନୀବାବୁ ଯେତେବେଳେ ଇରାନରୁ ଫେରିଥିଲେ, ଦେହରୁ ଖାଲି ବାହାରୁଥିଲା ଅତରର ମହ ମହ ବାସ୍ନା। ବିଦେଶୀ ଶାମ୍ପୋ ସାବୁନ ଲଗେଇ ଗାଧୋଇଲା ବେଳେ ପୋଖରୀ ତୁଠରୁ ଖଣ୍ଡେ ଦୂର ପର୍ଯ୍ୟନ୍ତ ମହକ ଚହଟୁଥିଲା। ଇରାନ ଫେରନ୍ତା ଟିମା ବାବୁଙ୍କୁ ଖାଲି ପାଦରେ ଗାଁ ଦାଣ୍ଡରେ ଚାଲିବାର କେହି କେବେ ଦେଖିନାହାନ୍ତି। ତାଙ୍କ ପାଦରୁ ଜୋତା କେବେ ବାହାରେନି। ମୁଣ୍ଡରେ ଗୋଛାଏ କେଶର ହିପ୍ପି, ମଥାରେ ସିନ୍ଦୂରର ସରୁ ଚିତା।
ତା’ ସାଙ୍ଗକୁ ଦକ୍ଷିଣ ହାତରେ ଷ୍ଟିଲ୍‌ର ଏକ ବଳା। କାମ କରୁଥିବା ଲୋକ ପାଇଟି ଛାଡ଼ି ଘଡ଼ିଏ ଚାହିଁବ ଅବା ତାଙ୍କୁ ! ଗାଁ ର ପିଲା ପେଚକା ତ କେହି ତାଙ୍କ ମୁହଁରେ କଥା ହେବାକୁ ସାହସ କରନ୍ତିନି। ଏବେ ସେସବୁ ଆଉ ନାଇଁ। ଅତର ଶେଷ, ଶାମ୍ପୋ ଶେଷ ଆଉ ସାବୁନ ବି ଶେଷ। ଗାଁ ଲୋକଙ୍କୁ ପାଖରେ ବସେଇ ଇରାନ କାହାଣୀ କହୁଥିବା ଇରାନୀବାବୁଙ୍କ ଦେହ ଧୀରେ ଧୀରେ ନୁଖୁରା ଦିଶିଲାଣି। ବେଶ ଭୂଷା, ଠାଣିମାଣିରେ ସମସ୍ତଙ୍କଠାରୁ ବାରିହୋଇପଡ଼େ। ଇରାନୀବାବୁ ସମୟ କ୍ରମେ ଗାଁ ଲୋକଙ୍କ ପୂର୍ବ ପରିଚିତ ଟିମାକୁ ରୂପାନ୍ତରିତ ହେଲେଣି। ଏବେ ଲୋକେ କୁହାକୁହି ହେଉଛନ୍ତି – ଆରେ ଏଇ ଟିମା କାହା ବାରିରୁ ନଡ଼ିଆ, ଲାଉ, କଖାରୁ ଚୋରି କରୁଥିଲା। ପଡ଼ୋଶୀ ଗାଁରୁ କୁକୁଡ଼ା ଚୋରିକରି କେତେଥର ମାଡ଼ ବି ଖାଇଛି ପିଲାଦିନେ। ପାଠଶାଠ ଛାଡ଼ି ଟ୍ୟୁବ୍‌ ୱେଲ୍‌ର ବୋରିଂ କାମ କରିବାକୁ ଠିକାଦାର ସଙ୍ଗେ ଚାଲିଲା।
କିଛିଦିନ ପରେ ସେଠୁ କାମ ଛାଡ଼ି ଚାଲିଲା ଦିଲ୍ଲୀ।
ତା’ ପରେ ଏକାଥରକେ ଆକାଶ ପାରିହେଇ ଇରାନ..। ଛେଳି ମେଣ୍ଢା ବେପାରୀମାନେ ଯେମିତି ଟ୍ରକ୍‌ ଡାଲାରେ ଭର୍ତ୍ତିକରି ସେମାନଙ୍କୁ ଚାଲାଣ କରନ୍ତି, ସେମିତି ଦଲାଲମାନେ ଦଳ ଦଳ ଦାଦନମାନଙ୍କୁ ଇରାନ ଇରାକ ପଠାଇ ଦି’ ପଇସା କମିଶନି ପାଆନ୍ତି। ଟିମା ସେଇ ସୂତ୍ରରେ ଇରାନ ଯାଇ ଇରାନୀବାବୁ ବନିଯାଇଛି।
ଆଜିକାଲି କେତେ ଅପାଠୁଆ, ଦରପାଠୁଆ ଯୁବକ ଇରାନ, ଇରାକ ଭଳି ଗଲ୍‌ଫ ଦେଶ ଯାଇ ସେଠି ଦାଦନ ଖଟନ୍ତି, କିନ୍ତୁ ଗାଁ କୁ ଫେରିଲେ ଲୋକଙ୍କ ପାଖରେ ବାବୁପଣିଆର ଖାତିର ଦେଖାନ୍ତି l
ବିଲବାରିରେ କାମ କରୁଥିବା ନିରକ୍ଷର ଲୋକେ କୁଆଡ଼ୁ ବୁଝିବେ ଏ ସବୁର ଗୁମର? ଗାଁକୁ ଫେରି ବାବୁପଣିଆ ଦେଖାଉଥିବା ଏଇ ରାମା ଟିମା ମାନଙ୍କୁ ସେମାନେ ଅତି ମର୍ଯ୍ୟାଦାଜନକ ଆସନରେ ବସାଇ ଉତ୍ସୁକ ହୋଇ ବେଢ଼ିଯାନ୍ତି ସେ ଦେଶର କାହାଣୀ ଶୁଣିବାକୁ। ଛୋଟୀକୁ ଶ୍ରୀମତୀ କହିଲେ ସେ ଯେମିତି ସ୍ବାଭାବିକ ଚାଲିଠାରୁ ଆଉ ଟିକିଏ ବୁଲେଇ ବଙ୍କେଇ ଚାଲେ, ସେମିତି ଏଇ ରାମା ଟିମା ମାନେ ସେଠାକାର ସତ ସହ ମିଛକୁ ଯୋଡ଼ି କାହାଣୀମାନ କହି ଲୋକଙ୍କୁ ଭକୁଆ ବନାନ୍ତି। ବଡ଼ ବଡ଼ କଥା କହି ବାବୁପଣିଆର ଖାତିର ଦେଖାଉଥିବା ଏମାନଙ୍କର ସମୟ ସରିଆସେ – ଠାଣିମାଣି ହଜିଯାଏ, ଦୋ’ମିଶା ହିନ୍ଦୀ ଭାଷା ଲିଭିଯାଏ ଓଠରୁ। କୋଡ଼ି କୋଦାଳ ଧରି ଗାଁ ର ପୂର୍ବ ସାଙ୍ଗମାନଙ୍କ ସହ ଚାଲନ୍ତି କ୍ଷେତ ଆଡ଼େ। ଏ ହେଲା ଆମ ଗାଁ ଗହଳିର ଆଜିକାଲିର ସତସତିକା ଚିତ୍ର।
ୟୁନିଟ୍‌ ୯, ଭୋଇନଗର, ଭୁବନେଶ୍ୱର
ମୋ: ୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲର କୋହ

ସଂପ୍ରତି ଅଷ୍ଟ୍ରେଲିଆ ମହାଦେଶରେ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳ ଅଗ୍ନିର ପ୍ରକୋପରେ ଧ୍ୱଂସ ହେଉଥିବାର ଘଟଣା ସାରା ବିଶ୍ୱ ପାଇଁ ଉକତ୍ଟ ଚିନ୍ତାର କାରଣ ହୋଇଛି। ଗତ...

ବଜାଜଙ୍କ ବାଜିମାତ

ଭାରତରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୫ ପ୍ରତିଶତକୁ ଖସିଆସିଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏ ଦେଶରେ ସବୁ...

ଦୁର୍ଦ୍ଦିନରେ ଲାଗିଛି ଝଗଡ଼ା

  ପଞ୍ଜାବର ମୁଖ୍ୟ ଶାସନ ସଚିବ କରଣ ଅବତାର ସିଂ ଏକ ବିବାଦରେ ପଡିଯାଇଛନ୍ତି।ଏହାର ରାଜନୈତିକ ପ୍ରତିକ୍ରିୟା ଥିବା ଭଳି ମନେହେଉଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର...

ଅଜବ ପ୍ରସ୍ତାବ

ଏକଦା ପ୍ରଶଂସାରେ ପୋତି ଦିଆଯାଉଥିବା ମହାରାଷ୍ଟ୍ର ପୋଲିସ୍‌ର ଆଣ୍ଟି ଟେରରିଜମ୍‌ ସ୍କ୍ବାଡ୍‌ (ଏଟିଏସ୍‌) ଏବେ ତା’ ଚମକ ହରାଇବା ଭଳି ଜଣାପଡ଼ୁଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ...

ଆମେ କେତେ ସୁଖୀ

ଡା. ସୁରେନ୍ଦ୍ରନାଥ ପତି ସୁଖ ବିଷୟରେ ଜାଣିବା ପୂର୍ବରୁ ତାହା କ’ଣ ଓ କିପରି ଲାଭ ହୋଇଥାଏ ପ୍ରଥମେ ଜାଣିବା। ହାପିନେସ୍‌ ବା ଖୁସି କହିଲେ...

ସଭିଏଁ ହୋଇ ଏକମୁଖ

ଶ୍ରୀ ସନ୍ନ୍ୟାସୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ୭ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏହାକୁ ୨୧...

ଏଇ ଭାରତରେ

ନିଯୁକ୍ତି ସୃଷ୍ଟି କରିବା ସହ କୃଷକଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି ମୁମ୍ବାଇର ଶ୍ରୀୟା ନହେଟା। ସେ ମୁମ୍ବାଇର ଲୋକମାନଙ୍କୁ ଅର୍ଗାନିକ ଫୁଡ୍‌ ଡେଲିଭରି କରୁଛନ୍ତି। ଶ୍ରୀୟା...

ଏଇ ଭାରତରେ

ଗାଁଗୁଡ଼ିକୁ ସ୍ମାର୍ଟ ସେବା ଓ ଇ-ବ୍ୟବସାୟ ସୁବିଧା ଯୋଗାଇ ଦେବା ଲାଗି ଦୁଇ ଛାତ୍ର ସୋଲାର ଇଲେକ୍ଟ୍ରିକ ଟ୍ରାଇସାଇକେଲ ବା ସୌର ବିଦ୍ୟୁତ୍‌ ଚାଳିତ ଟ୍ରଲି...

Advertisement
Archives

Model This Week