ବେକାରି ହ୍ରାସ କରିବ ପୋଷାକ ଶିଳ୍ପ

ନଟବର ଖୁଣ୍ଟିଆ

 

ଓଡ଼ିଶାରେ ଆଜି ଯେପରି ବେକାରି ବୃଦ୍ଧି ପାଇବାରେ ଲାଗିଛି ଆଉ ଲକ୍ଷ ଲକ୍ଷ ଯୁବତୀଯୁବକ ରାଜ୍ୟରେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ରୂପେ ଯାଇ କଷଣ ସହ୍ୟକରି ପେଟ ପୋଷୁଛନ୍ତି ତାହାକୁ ଅନୁଧ୍ୟାନ କଲେ ରାଜ୍ୟ ମଧ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ରାଜ୍ୟ ସରକାରଙ୍କର ପ୍ରାଥମିକ କର୍ତ୍ତବ୍ୟ ହୋଇପଡ଼ିଛି। ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ନିଯୁକ୍ତି ସୁବିଧା ସୃଷ୍ଟି କରିବାକୁ ଅନେକ ସୁବିଧା ସୁଯୋଗ ରହିଛି। ସେସବୁର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଉପଯୁକ୍ତ କାର୍ଯ୍ୟକାରୀ ହେବାଭଳି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ହେବ। ଗତ ଅଗଷ୍ଟ ୩୦ତାରିଖରେ ଧରିତ୍ରୀ ଏହି ପୃଷ୍ଠାରେ ଆମେ ଏକ ଲେଖା ‘କପା ଓ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା’ ଲେଖିଥିଲୁ। ଏହି ଲେଖା ପାଠକରି ରାଜ୍ୟ ମଧ୍ୟରୁ ଓ ରାଜ୍ୟ ବାହାରୁ କେତେକ ଓଡ଼ିଆ ବୁଦ୍ଧିଜୀବୀ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ପାଇଁ ଅନେକ ପ୍ରସ୍ତାବ ରଖିଥିଲେ। ଦୁଇଜଣ ପାଠକ କହିଲେ, ସୁରଟକୁ ସିନା ମୁଖ୍ୟତଃ ପୁରୁଷମାନେ ବୟନଶିଳ୍ପରେ କାମ କରିବାକୁ ଯାଉଛନ୍ତି, କିନ୍ତୁ ଅନେକ ସଂଖ୍ୟାର ଯୁବତୀ କର୍ନାଟକ ଓ ତାମିଲନାଡୁର ପୋଷାକ ଶିଳ୍ପରେ କାମ କରିବାକୁ ଯାଉଛନ୍ତି। ବମ୍ବେର ପାଠକ କହିଲେ, ସେ ଜଣେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣକାରୀ। ସେ କର୍ନାଟକ ଯାଇଥିବା ବେଳେ ଦେଖିଲେ ସେଠାକାର ପୋଷାକ ଶିଳ୍ପରେ ଅନେକ ଓଡ଼ିଆ ଯୁବତୀ କାମ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଆଉ ଜଣେ ପାଠକ କହିଲେ ତାଙ୍କ ଅଞ୍ଚଳରୁ ଲକ୍ଷେ ସଂଖ୍ୟାର ଯୁବତୀ ତାମିଲନାଡୁର ତିରୁପୁରର ପୋଷାକ ଶିଳ୍ପରେ କାମ କରୁଛନ୍ତି। କୋଭିଡ୍‌ ମହାମାରୀ ଯୋଗୁ କିଛିଦିନ ପାଇଁ ପୋଷାକ ଶିଳ୍ପ ବନ୍ଦପ୍ରାୟ ହୋଇଯାଇଥିବା ବେଳେ ଏବେ ପୁଣି ମୁଣ୍ଡ ଟେକିଲାଣି। ବିଶେଷକରି ଡାକ୍ତରୀ ଚିକିତ୍ସା ସମ୍ବନ୍ଧୀୟ ପୋଷାକର ଚାହିଦା ଏବେ ସାରା ବିଶ୍ୱରେ ବୃଦ୍ଧି ପାଇଛି। ଏବେ ବିଶ୍ୱର ଅନେକ ରାଷ୍ଟ୍ର ଚାଇନା ନିର୍ମିତ ପୋଷାକ ଉପରେ ବୀତସ୍ପୃହ। ସେମାନେ ଏବେ ଭାରତ ଆଡ଼େ ନଜର ପକାଇଛନ୍ତି। ତିରୁପୁର ପୋଷାକ ଶିଳ୍ପ ଏଇ ଭରପୂର ସୁଯୋଗ ଦେବାକୁ ଅଣ୍ଟାଭିଡ଼ି ଏବେ ପୋଷାକ ପ୍ରସ୍ତୁତିରେ ବିବିଧୀକରଣ କରି ବିଶ୍ୱ ବଜାରକୁ ଛାଡିବାକୁ ପ୍ରସ୍ତୁତ ହେଲାଣି। ସେଥିପାଇଁ ଓଡ଼ିଶାର ଯୁବତୀମାନେ ତିରୁପୁରକୁ ଫେରିବାକୁ ଆରମ୍ଭ କଲେଣି।
ଉପରୋକ୍ତ ପରୀପ୍ରେକ୍ଷୀରେ ଆମେ ଓଡ଼ିଶାରେ ପୋଷାକ ଶିଳ୍ପର ବିକାଶ ପାଇଁ କାହିଁକି ଗୁରୁତ୍ୱ ନ ଦେବା? ଏହି ଲେଖକ ପ୍ରାୟ ଦୁଇ ବର୍ଷ ତଳେ ଶ୍ରୀଲଙ୍କା ଭ୍ରମଣରେ ଯାଇଥିବାବେଳେ ସେ ଦେଶର ଅର୍ଥନୀତି ଓ ଜନଜୀବନ ସମ୍ବନ୍ଧରେ ଜାଣିବାକୁ ପ୍ରୟାସ କରିଥିଲେ। ଶ୍ରୀଲଙ୍କାର ଜନସଂଖ୍ୟା ଆମ ଓଡ଼ିଶାର ଜନସଂଖ୍ୟାର ଅଧା ଆଉ କ୍ଷେତ୍ରଫଳ ମଧ୍ୟ ଅଧା। ଶ୍ରୀଲଙ୍କାରେ କପା ଚାଷ ପ୍ରାୟ ହୁଏନାହିଁ ଏବଂ ସୂତା ଓ ବସ୍ତ୍ର ଉତ୍ପାଦନ ସୀମିତ। କିନ୍ତୁ ଶ୍ରୀଲଙ୍କା ବାହାର ଦେଶରୁ କପଡ଼ା ଆମଦାନୀ କରି ତା’ର ପୋଷାକ ଶିଳ୍ପକୁ ଏପରି ସମୃଦ୍ଧ କରିଛି ଯେ, ନିଜ ଦେଶର ଚାହିଦାକୁ ମେଣ୍ଟାଇବା ପରେ ବିଶ୍ୱର ବଡ଼ ବଡ଼ ଉନ୍ନତ ରାଷ୍ଟ୍ରକୁ ପୋଷାକ ରପ୍ତାନି କରି ତା’ର ଅର୍ଥନୀତିକୁ ସମୃଦ୍ଧ କରିବା ସହିତ ପ୍ରାୟ ୧୦ ଲକ୍ଷ ପାଖାପାଖି ଯୁବତୀଙ୍କୁ ପୋଷାକ ଶିଳ୍ପରେ ସମ୍ମାନଜନକ ନିଯୁକ୍ତି ଦେଇପାରିଛି। ସେହି ଝିଅମାନେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସେମାନଙ୍କର ମାସିକ ବେତନ ଶ୍ରୀଲଙ୍କା ମୁଦ୍ରାରେ ୨୫ ହଜାରରୁ ୩୫ ହଜାର ପର୍ଯ୍ୟନ୍ତ। ଶ୍ରୀଲଙ୍କାରେ ଅନୂ୍ୟନ ମାସିକ ବେତନ ୧୩ ହଜାର ଟଙ୍କା। ମାସିକ ବେତନର ୩ ପ୍ରତିଶତ ଭବିଷ୍ୟନିଧି ଜମା ପାଆନ୍ତି। ଚାକିରି ଛାଡ଼ିବା ବେଳେ ସେମାନେ ଭବିଷ୍ୟନିଧି ଜମା ଉଠାଇ ନିଅନ୍ତି। ପୋଷାକ ଶିଳ୍ପରେ ନିଯୁକ୍ତି ଓ କାର୍ଯ୍ୟ ନିର୍ଘଣ୍ଟ ଅନ୍ତର୍ଜାତୀୟ ଶ୍ରମ ଆଇନ ଅନୁସାରେ ହୋଇଥାଏ। ୧୮ ବର୍ଷରୁ କମ୍‌ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଏ ନାହିଁ। କର୍ମସ୍ଥଳୀକୁ ଆସିବାକୁ ଏମାନଙ୍କୁ ବାଟଖର୍ଚ୍ଚ ଦିଆଯାଏ ଏବଂ କେଉଁଠି କେଉଁଠି ମଧ୍ୟାହ୍ନ ଭୋଜନ ଦିଆଯାଏ। ଏହିସବୁ ପୋଷାକ ଶିଳ୍ପ ବଡ଼ ବଡ଼ ଶିଳ୍ପ ନୁହେଁ। ଏସବୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ଘରୋଇ ଉଦ୍ୟୋଗରେ ପ୍ରତିଷ୍ଠିତ। ଅବଶ୍ୟ ଅଳ୍ପ କେତୋଟି ବଡ଼ ପୋଷାକ ଶିଳ୍ପ ଅଛି। ଛୋଟ ଓ ମଧ୍ୟମ ପୋଷାକ ଶିଳ୍ପସବୁ ଉନ୍ନତ ଦେଶର ପୋଷାକ ଶିଳ୍ପ ସହ ଅନୁବନ୍ଧିତ। ସେମାନଙ୍କର ଆବଶ୍ୟକତା ଅନୁସାରେ ଏମାନେ ପୋଷାକ ପ୍ରସ୍ତୁତ କରି ପଠାନ୍ତି। ସେହି ବଡ଼ ବଡ଼ ବ୍ରାଣ୍ଡର ପୋଷାକ ଶିଳ୍ପଗୁଡ଼ିକ କାରିଗରି କୌଶଳ, ମେଶିନାରି ଆଦି ଯୋଗାଇ ଦେଇଥାନ୍ତି। ତାଲିମ ମଧ୍ୟ ଦିଅନ୍ତି।
ଶ୍ରୀଲଙ୍କାର ପୋଷାକ ଶିଳ୍ପ ସେ ଦେଶର ମୋଟ ଶିଳ୍ପ ଉତ୍ପାଦନର ୩୯ ପ୍ରତିଶତ ଉତ୍ପାଦନ କରେ। ଶ୍ରୀଲଙ୍କାରୁ ଯେତେ ଦ୍ରବ୍ୟ ରପ୍ତାନି ହୁଏ ପୋଷାକ ଶିଳ୍ପର ଭାଗ ୪୩ ପ୍ରତିଶତ। ଦକ୍ଷିଣ ପୂର୍ବ ଏସିଆରେ ଯେଉଁ ରାଷ୍ଟ୍ରସବୁ ପୋଷାକ ଉତ୍ପାଦନ କରୁଛନ୍ତି ସେମାନଙ୍କର ହାରାହାରି ମୁଣ୍ଡପିଛା ପୋଷାକ ରପ୍ତାନି ଯାହା ଶ୍ରୀଲଙ୍କାର ମୁଣ୍ଡପିଛା ରପ୍ତାନିର ସର୍ବାଧିକ। ପୋଷାକ ଶିଳ୍ପ ସେ ଦେଶର ନିଯୁକ୍ତି ସୁଯୋଗ ସୃଷ୍ଟି କଲାବେଳେ ଦେଶରୁ ଦାରିଦ୍ର୍ୟ ହଟାଇବାରେ ସହାୟକ ହେଉଛି। ଶ୍ରୀଲଙ୍କାରେ ଦାରିଦ୍ର୍ୟ ମାତ୍ରା ୭.୫ ପ୍ରତିଶତ।
ଆମ ରାଜ୍ୟରେ ଆମ୍ଭେ କାହିଁକି ପୋଷାକ ଶିଳ୍ପ ପ୍ରତି ଗୁରୁତ୍ୱ ଦେବା ନାହିଁ? ଆମେ କପା ଉତ୍ପାଦନ କରୁଛୁ, ଆମର ବୁଣାକାର ଯେଉଁ ହସ୍ତତନ୍ତ କପଡ଼ା ବୟନ କରନ୍ତି ତାହା ବିଶ୍ୱବିଖ୍ୟାତ। ଆମ ରାଜ୍ୟରେ ୬ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି,ଯେଉଁ ଗୋଷ୍ଠୀଗୁଡ଼ିକର ସଦସ୍ୟ ସଂଖ୍ୟା ୭୦ ଲକ୍ଷ। ଏହି ଗୋଷ୍ଠୀରୁ ଦକ୍ଷ ମହିଳାଙ୍କୁ ମନୋନୀତ କରି ତାଲିମ ଦେଇ ପୋଷାକ ଶିଳ୍ପ ପାଇଁ ପ୍ରସ୍ତୁତ କରିହେବ। ଆମ ରାଜ୍ୟରେ ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ବିଶ୍ୱବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଆଜିକାଲି ସବୁ ବର୍ଗର ଛାତ୍ରୀଛାତ୍ରମାନେ ୟୁନିଫର୍ମ ପିନ୍ଧୁଛନ୍ତି। ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ୟୁନିଫର୍ମ ଶାଢ଼ି ପିନ୍ଧୁଛନ୍ତି। ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ ଓ ସଫେଇ କର୍ମୀମାନେ ୟୁନିଫର୍ମ ପିନ୍ଧୁଛନ୍ତି। ତା’ଛଡା ଡାକ୍ତର, ନର୍ସମାନେ ଧଳା କପଡ଼ାର ଆପ୍ରନ ପିନ୍ଧୁଛନ୍ତି। ପ୍ରାଥମିକ ଉଦ୍ୟମରେ ଏମାନଙ୍କ ପୋଷାକ ଆମି ରାଜ୍ୟର ପୋଷାକ ଶିଳ୍ପରେ ପ୍ରସ୍ତୁତ ହେଲେ ଅନେକ ଲୋକ ନିଯୁକ୍ତି ପାଇପାରିବେ। ଏହିସବୁ ପୋଷାକରେ ବ୍ୟବହୃତ କପଡ଼ା ଓଡ଼ିଶାରେ ହଠାତ୍‌ ମିଳିବ ନାହିଁ। ପ୍ରଥମେ ବାହାରୁ ଆମଦାନୀ କରାଯାଇ ପର୍ଯ୍ୟାୟକ୍ରମେ ଆମ ବୁଣାକାରମାନେ ଯେପରି ସେହି କପଡ଼ା ହସ୍ତତନ୍ତରେ ବୁଣିପାରିବେ ତାହାର ବ୍ୟବସ୍ଥା ହେଉ। ରାଜ୍ୟ ଶିଳ୍ପ ବିଭାଗର ମୁଖ୍ୟ, ବୟନଶିଳ୍ପ ବିଭାଗ ମୁଖ୍ୟ ଓ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ ଏକତ୍ର ବସି ବିଶେଷଜ୍ଞମାନଙ୍କ ପରାମର୍ଶରେ ଏକ ତିନିବର୍ଷିଆ ପୋଷାକ ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରି ତାକୁ କାର୍ଯ୍ୟକାରୀ କରିବାକୁ ନିଷ୍ଠାପର ଉଦ୍ୟମ କରନ୍ତୁ। ଗୋଟିଏ ବିଶେଷଜ୍ଞ ପ୍ରତିନିଧି ଦଳ ଶ୍ରୀଲଙ୍କା ଏବଂ ତାମିଲନାଡୁର ତିରୁପୁର ଯାଇ ସେଠି ପୋଷାକ ଶିଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହା ଅନୁଧ୍ୟାନ କରି ସେଇ ଢାଞ୍ଚାରେ ଓଡ଼ିଶାରେ ପୋଷାକ ଶିଳ୍ପର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରନ୍ତୁ। ଯଦି ନିଷ୍ଠା ଓ ପ୍ରତିବଦ୍ଧତା ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ଓଡ଼ିଶାରେ ପୋଷାକ ଶିଳ୍ପର ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୁଏ ହୁଏତ ଆସନ୍ତା ତିନି ବର୍ଷ ମଧ୍ୟରେ ୫ ଲକ୍ଷ ଯୁବତୀ ଏହି ଶିଳ୍ପରେ ସମ୍ମାନଜନକ ଭାବେ ନିଯୁକ୍ତି ପାଇବା ଅସମ୍ଭବ ହେବ ନାହିଁ। ରାଜ୍ୟରୁ ବେକାରି ହଟାଇବା ପାଇଁ ବିଭିନ୍ନ ପନ୍ଥା ମଧ୍ୟରୁ ପୋଷାକ ଶିଳ୍ପ ଅନ୍ୟ ଏକ ଉତ୍ତମ ପନ୍ଥା। ଆମେ ମଧ୍ୟ ବିଦେଶକୁ ପୋଷାକ ରପ୍ତାନିକରି ଆମ ଅର୍ଥନୀତିକୁ ସମୃଦ୍ଧ କରିପାରିବା।
ଏ-୫୦୨, ମୋତି ବ୍ଲକ, ତୋଷାଳି ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର
ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?