ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର ଓ ପୁଡୁଚେରୀର ଶ୍ରୀସରଣ ଥିରୁଗ୍ନାନାସମ୍ବନ୍ଧମ୍ ରହିଛନ୍ତି । ବାନ୍କୁଭରସ୍ଥିତ ଭାରତୀୟ ମହାବାଣିଜ୍ୟ ଦୂତାବାସ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଦୁଇ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବାକୁ କହିଛି।
ଭାରତୀୟ ମହାବାଣିଜ୍ୟ ଦୂତାବାସ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ, ଫ୍ଲାଇଟ୍ ଟ୍ରେନିଂ ସମୟରେ ଘଟିଥିବା ଏହି ଦୁଃଖଦ ବିମାନ ଦୁର୍ଘଟଣାରେ ମନୋଜ ଶିବକୁମାର ଓ ଶ୍ରୀସରଣ ଥିରୁଗ୍ନାନାସମ୍ବନ୍ଧମ୍ଙ୍କ ମୃତ୍ୟୁ ହୋଇଛି। ଶୋକସନ୍ତପ୍ତ ପରିବାର ଓ ନିକଟ ସମ୍ପର୍କୀୟଙ୍କ ପ୍ରତି ଦୂତାବାସ ଗଭୀର ସମବେଦନା ଜଣାଇଛି। ଦୁଇ ଛାତ୍ରଙ୍କ ପାର୍ଥିବ ଶରୀର ଭାରତ ଆଣିବା ପ୍ରକ୍ରିୟାରେ ପରିବାରକୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଭାରତୀୟ ମହାବାଣିଜ୍ୟ ଦୂତାବାସ ପ୍ରସ୍ତୁତ ଥିବା କହିଛି ।
ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। କାନାଡାର ମିଡିଆ ରିପୋର୍ଟ ଅନୁସାରେ, ସସ୍କାଚେୱାନ୍ର କିସବେ ନିକଟରେ Harv’s Air ଦ୍ୱାରା ପରିଚାଳିତ ଏକ Cessna 172 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁସାରେ, ଉକ୍ତ Cessna 172 ବିମାନଟି ରେଜିନାରୁ କାର୍ଲାଇଲ୍ ଦେଇ ମାନିଟୋବାର ଷ୍ଟାଇନବାକ୍ ଅଭିମୁଖେ ରାତିରେ କ୍ରସ୍-କଣ୍ଟ୍ରି ଉଡ଼ାଣ କରୁଥିଲା। ନିର୍ଦ୍ଧାରିତ ସମୟରେ ବିମାନଟି ଗନ୍ତବ୍ୟରେ ନପହଞ୍ଚିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳ ଠାବ କରିଥିଲେ ଏବଂ ଦୁଇ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।

