ଲହୁ ଓ ଲୁହରେ ଭିଜିଛି ବାହାନଗା ମାଟି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଏଠାରେ ଘଟିଥିବା ୩ ଟ୍ରେନ ଦୁର୍ଘଟଣା ୨୮ବର୍ଷର ରେକର୍ଡ ଭାଙ୍ଗିଛି। ଉଦ୍ଧାର କାର୍ଯ୍ୟକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତାହା ସରିନାହିଁ। ମୋଡ଼ିଭାଙ୍ଗି ହୋଇ ଗୋଟିଏ ଉପରେ ଗୋଟିଏ ବଗି ପଡ଼ିରହିଥିବାବେଳେ ତାହାରି ଭିତରୁ ଖୋଜା ଚାଲିଛି ଯାତ୍ରୀଙ୍କୁ। କିଏ ଜୀବିତ ଅବସ୍ଥାରେ ମିଳୁଛନ୍ତି ତ କାହାର ମୃତଦେହ ବାହାର କରାଯାଉଛି। ଶନିବାର ରାତି ୯ଟା ସୁଦ୍ଧା ୨୮୮ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଥିବାବେଳେ ଦେଖଣାହାରୀ ୫୦୦ରୁ ଊର୍ଦ୍ଧ୍ୱ ଜୀବନ ଯାଇଥିବା କହୁଛନ୍ତି। ବାଲେଶ୍ୱର ଜିଲାର ବିଭିନ୍ନ ହସ୍ପିଟାଲ ସମେତ ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ ଓ ଭୁବନେଶ୍ୱରର ଅନେକ ସରକାରୀ ଓ ଘରୋଇ ହସ୍ପିଟାଲରେ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ଏହି ରେଳ ବିଭୀଷିକା ସାରା ବିଶ୍ୱକୁ ବିଚଳିତ କରିଦେଇଛି। ବିଭିନ୍ନ ମହଲରୁ ଦୁଃଖ ପ୍ରକାଶ ସହ ସମବେଦନାର ସୁଅ ଛୁଟୁଛି।

ବାଲେଶ୍ୱର ଅଫିସ/ ଭୁବନେଶ୍ୱର,୪।୬(ବ୍ୟୁରୋ) ବାଲେଶ୍ୱର ଜିଲା ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ଘଟିଥିବା ପୂର୍ବତଟ ରେଲଓ୍ବେ ପକ୍ଷରୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ସରକାରୀ ଓ ଘରୋଇ ହସ୍ପିଟାଲରେ ୧୧୭୫ଜଣ ଆହତ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୯୩ ଜଣଙ୍କୁ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଛି। ୩୮୨ ଜଣ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଏହି ସରକାରୀ ତଥ୍ୟକୁ ଦେଖଣାହାରୀ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସ୍ଥାନୀୟ ଲୋକେ ଗ୍ରହଣ କରିପାରୁନାହାନ୍ତି। ମୃତ୍ୟୁ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ ହୋଇଥାଇପାରେ ବୋଲି ସେମାନେ କହିଛନ୍ତି। ଜେନେରାଲ ବଗିରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ରେଲଓ୍ବେ ପାଖରେ ନ ଥିବାରୁ ତାହା ହିସାବକୁ ଆସିବା କେମିତ ସମ୍ଭବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ତେଣୁ ଜେନେରାଲ ବଗିର ମୃତ ଯାତ୍ରୀଙ୍କ ସଂଖ୍ୟା ସରକାରୀ ହିସାବକୁ ଆସି ନ ଥିବା ନେଇ ସନ୍ଦେହ କରାଯାଉଛି। ପରବର୍ତ୍ତୀ ସମୟରେ ହୁଏତ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି। ଏବେ ସୁଦ୍ଧା ମିଳିଥିବା ମୃତ୍ୟୁସଂଖ୍ୟାକୁ ଦେଖିଲେ ଏହା ହେଉଛି ଦେଶର ତୃତୀୟ ବଡ଼ ରେଳ ଦୁର୍ଘଟଣା। ପ୍ରାୟ ୨୮ ବର୍ଷ ପୂର୍ବେ ଅର୍ଥାତ୍‌ ୨ ଅଗଷ୍ଟ ୧୯୯୫ରେ ଦିଲ୍ଲୀ-କାନ୍‌ପୁର ସେକ୍ସନର ଫିରୋଜାବାଦ୍‌ ନିକଟରେ ଘଟିଥିବା ରେଳ ଦୁର୍ଘଟଣାରେ ୩୫୪ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୬ ଜୁନ୍‌ ୧୯୮୧ରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ବିହାରର ମାନସି ଏବଂ ସହର୍ସା ମଧ୍ୟରେ ଘଟିଥିଲା। ଏଥିରେ ୭୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ବାହାନଗା ଟ୍ରେନ ଦୁର୍ଘଟଣା ଏତେ ଭୟାବହ ହୋଇଛି ଯେ, ଏବେକାର ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିର ବିପୁଳ ସାଧନ ସତ୍ତ୍ୱେ ଶନିବାର ରାତି ୯ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇପାରି ନ ଥିଲା। ମୃତଦେହ ଖୋଜା ସରୁ ନ ଥିବାବେଳେ ଆତ୍ମୀୟଙ୍କ ଆଖିରୁ ଲୁହ ଶୁଖୁନାହିଁ। ସୂଚନାଯୋଗ୍ୟ ଯେ, ବାହାନଗା ଷ୍ଟେଶନର ୧୦୦ ମିଟର ପୂର୍ବରୁ ଥିବା ମୁଖ୍ୟ ଫାଟକ ନିକଟ ୧ ନମ୍ବର ଲାଇନ୍‌ରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଏକ ମାଲବାହୀ ଟ୍ରେନ ଛିଡ଼ା ହୋଇଥିଲା। ଏହି ସମୟରେ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଟ୍ରାକ୍‌ ବଦଳାଇ ୨ ନମ୍ବର ଲାଇନ୍‌କୁ ଯିବା ପରିବର୍ତ୍ତେ ମାଲବାହୀ ଟ୍ରେନର୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ କରମଣ୍ଡଳ ଏକ୍ସପ୍ରେସର ୧୨ଟି ବଗି ଓଲଟିପଡ଼ିଥିଲା। ଏହି ସମୟରେ ୩ ନମ୍ବର ଲାଇନ୍‌ରେ ବେଙ୍ଗାଲୁରୁରୁ ହାଓଡା ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ୍‌ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା। ଏଥିଯୋଗୁ ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ୪ଟି ବଗି ଓଲଟି ପଡିଥିଲା। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୂର୍ବାହ୍ନ ୮ଟା ୨୦ ମିନିଟ୍‌ରେ ବାହାନଗା ହାଇସ୍କୁଲ ନିକଟରେ ହୋଇଥିବା ହେଲିପ୍ୟାଡ୍‌ରେ ଓହ୍ଲାଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଉଦ୍ଧାର କାର୍ଯ୍ୟ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ। ପରେ ସେଠାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଡାକ୍ତରୀ ଟିମ୍‌ ସହ ଆଲୋଚନା କରି ଚିକିତ୍ସାରେ ଯେମିତି କୌଣସି ଅବହେଳା ନ ହୁଏ ସେନେଇ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରେନ ମଧ୍ୟରୁ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଯେଉଁଭଳି ଭାବେ ସହଯୋଗ କରିଛନ୍ତି, ତାହାକୁ ଭୁଲି ହେବ ନାହିଁ। ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ସ୍ଥାନୀୟ ଲୋକ ଓ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।
ଶନିବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ଓ ବଗି ନିକଟକୁ ଯାଇ ପ୍ରାୟ ଅଧ ଘଣ୍ଟା ଧରି ସ୍ଥିତି ପରଖିଥିଲେ। ଅଧିକାରୀମାନେ ଏକ ମ୍ୟାପ୍‌ ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରେଲଓ୍ବେର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେ ନେଇ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦୁର୍ଘଟଣାସ୍ଥଳରେ ଚାଲିଥିବା ରିଲିଫ୍‌ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଦୁଃଖଦ ଘଟଣାରେ ସମସ୍ତ ପ୍ରକାର ସହାୟତା ସରକାର ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆହତ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନ୍‌ଯାତ୍ରୀଙ୍କୁ ଭେଟିଥିଲେ। ଆହତ ବ୍ୟକ୍ତି ଓ ସେମାନଙ୍କର ସମ୍ପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କରିଛନ୍ତି। ଅଧିକାଂଶ ଚିକିତ୍ସାଧୀନ ଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସେମାନେ କେଉଁଠାରୁ ଆସୁଥିଲେ, କୁଆଡ଼େ ଯାଉଥିଲେ ଓ ଚିକିତ୍ସା କିପରି ଚାଲିଛି ଆଦି ପ୍ରଶ୍ନ ପଚାରିଥିଲେ। ଏହାସହ ଡାକ୍ତରଙ୍କ ସହ ଆଲୋଚନା କରି ଆହତଙ୍କୁ ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବା ପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଫୋନ୍‌ରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍‌ ସଚିବଙ୍କ ସହ କଥା ହୋଇ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଦେଶର ଯେକୌଣସି ହସ୍ପିଟାଲରେ ବ୍ୟବସ୍ଥା କରାଇବା ପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେଶନରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବାହାନଗାରେ ଅପରାହ୍ନ ୩ଟା ୪୦ରେ ପହଞ୍ଚିଥିଲେ। ସେଠାରୁ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେହିପରି ମୋଦିଙ୍କ ଗସ୍ତ ସମୟରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟ, ଆହତଙ୍କ ଚିକିତ୍ସା, ରିଲିଫ୍‌ ଆଦି ବିଷୟରେ ଅନୁଧ୍ୟାନ କରିଥିଲେ।

ମମତା- ବୈଷ୍ଣବ କଥା କଟାକଟି

ଭୁବନେଶ୍ୱର,୩ା୬(ବ୍ୟୁରୋ) ବାଲେଶ୍ୱର ଜିଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଖବର ପାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସେ ଏ ନେଇ ଆଲୋଚନା କରିଛନ୍ତି। ତେବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନେଇ ମମତା ଓ ଅଶ୍ୱିନୀ କଥା କଟାକଟି ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୫୦୦ରୁ ଅଧିକ ହେବ ବୋଲି ମମତା କହିଥିଲେ। କିନ୍ତୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ରେଳମନ୍ତ୍ରୀଙ୍କ ତଥ୍ୟ ଆଜିର ନୁହେଁ, ଗତକାଲିର ବୋଲି ମମତା କହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ରେଳମନ୍ତ୍ରୀ ଥିବାବେଳେ ଆଣ୍ଟି କଲ୍ୟୁସନ୍‌ ଡିଭାଇସ୍‌ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ। ଆଣ୍ଟି କଲ୍ୟୁସନ୍‌ ଡିଭାଇସ୍‌ ଲାଗିଥିଲେ ଦୁର୍ଘଟଣା ହୋଇ ନ ଥାନ୍ତା ବୋଲି ମମତା କହିଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ସେ ଶୋକପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ମମତା ଘୋଷଣା କରିଛନ୍ତି। କ’ଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri