ଭଞ୍ଜନଗର, ୧୭/୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୯ ତାରିଖରେ ଭଞ୍ଜନଗର ଅଞ୍ଚଳରେ ଘଟିଥିବା ଭୟାବହ ବନ୍ୟା ପାଇଁ ବିଭିନ୍ନ ଜଳଭଣ୍ଡାରର ଜଳ ପରିଚାଳନାରେ ଅବହେଳା ଏବଂ ବିଭାଗୀୟ ସମନ୍ୱୟର ଅଭାବକୁ ଦାୟୀ କରିଛି ନବଗଠିତ ‘ଭଞ୍ଜମାଟି ଜନଜାଗରଣ ମଞ୍ଚ’। ଏନେଇ ମଞ୍ଚର ସଭାପତି ଅଯୋଧ୍ୟାନାଥ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ମଙ୍ଗଳବାର ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜଳଭଣ୍ଡାରର ଜଳ ପରିଚାଳନାରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀ ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଞ୍ଚ ଦାବି କରିଛି।
ଅଭିଯୋଗ ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷା ସମ୍ପର୍କରେ ପୂର୍ବରୁ ସୂଚନା ଥିବା ସତ୍ତ୍ୱେ ବିଭିନ୍ନ ଜଳଭଣ୍ଡାରରୁ ଆଗୁଆ ଜଳ ନିଷ୍କାସନ କରାଯାଇ ନଥିଲା। ଫଳରେ ପରବର୍ତ୍ତୀ ସମୟରେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ହୋଇଥିବା ମଞ୍ଚ ଅଭିଯୋଗ କରିଛି। ଏଥିସହ ତଳିଆ ଅଞ୍ଚଳର ଲୋକଙ୍କୁ ଠିକ୍ ସମୟରେ ସତର୍କ କରାଯାଇ ନଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।
ଏହି ବନ୍ୟାରେ ବ୍ୟାପକ ଧନସମ୍ପତ୍ତି ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇ ଜଳସମ୍ପଦ ବିଭାଗ ଏବଂ ସମ୍ପୃକ୍ତ ପ୍ରଶାସନର ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ମଞ୍ଚ ଦାବି କରିଛି। ଏଥିସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି। ମଞ୍ଚର ଆକଳନ ଅନୁଯାୟୀ, ବନ୍ୟାରେ ପ୍ରାୟ ୩୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଭିଯୋଗପତ୍ର ପ୍ରଦାନ ସମୟରେ ମଞ୍ଚର କର୍ମକର୍ତ୍ତା ବିପ୍ର ଚରଣ ବାରିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଅପରପକ୍ଷେ, ଏହି ଅଭିଯୋଗ ସମ୍ପର୍କରେ ଜଣେ ଯନ୍ତ୍ରୀ ନିଜ ପକ୍ଷ ରଖି କହିଛନ୍ତି ଯେ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଡହ ଏବଂ ସୋରଡ଼ା ଜଳଭଣ୍ଡାର ଅବସ୍ଥିତ। ଗତ ଅକ୍ଟୋବର ୨୮ ତାରିଖ ରାତିରେ ଦୁଇ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅତ୍ୟଧିକ ବର୍ଷା ହୋଇଥିଲା। ଏହି ବର୍ଷା ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗିଥିଲା। ଏତେ ପରିମାଣର ବନ୍ୟାଜଳକୁ ଜଳଭଣ୍ଡାର ମଧ୍ୟରେ ଗଚ୍ଛିତ ରଖିବା ସମ୍ଭବ ନଥିବାରୁ ବାଧ୍ୟ ହୋଇ ଜଳ ନିଷ୍କାସନ କରାଯାଇଥିଲା। ଏହି ପ୍ରକ୍ରିୟାରେ କୌଣସି ପ୍ରକାର ଅବହେଳା କରାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଆଗାମୀ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଚାଲିଥିବା ସେ ସୂଚନା ଦେଇଛନ୍ତି।

