ନୂଆଦିଲ୍ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ପୂର୍ୱରୁ ଟିକେଟ ବୁକିଂ କରିବା ଆରମ୍ଭ କରିଦେଇଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନର ବୁକିଂ ଆରମ୍ଭ ହେବା ମାତ୍ରେ ୱେଟିଂ ଲିଷ୍ଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ରବିବାର ସକାଳୁ ଉଠି ଲୋକମାନେ ସ୍ଲିପର୍ ଓ ଏସି କୋଚରେ ଟିକେଟ କରାଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି।
IRCTCରେ ସକାଳ ୮ଟାରୁ ଆଡଭାନ୍ସ ରିଜର୍ଭେସନ ଆରମ୍ଭ ହୋଇଛି। ପାର୍ୱଣ ଯୋଗୁଁ ଯାତ୍ରୀମାନଙ୍କର ସବୁଠାରୁ ଅଧିକ ଚାହିଦା ଦିଲ୍ଲୀରୁ ଉତ୍ତର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନଗୁଡ଼ିକରେ ଦେଖିବାକୁ ମିଳୁଛି। ଦିଲ୍ଲୀ-ପାଟନା ରାଜଧାନୀ ଏକ୍ସପ୍ରେସରେ ନଭେମ୍ୱର ୫ ତାରିଖର ଥାର୍ଡ ଏସି ଟିକେଟ୍ର ୱେଟିଂ ସକାଳ ପ୍ରାୟ ୯:୩୦ ସୁଦ୍ଧା ୨୦୨ରେ ପହଞ୍ଚିଯାଇଥିଲା। ସେହିପରି ଦିଲ୍ଲୀ-ବାରାଣସୀ ରୁଟ୍ର ଲୋକପ୍ରିୟ ଶିବଗଙ୍ଗା ଏକ୍ସପ୍ରେସ୍ରେ ସ୍ଲିପର୍ କ୍ଲାସ୍ର ୱେଟିଂ କିଛି ଘଣ୍ଟା ମଧ୍ୟରେ ୩୬ ଏବଂ ଥାର୍ଡ ଏସିର ୱେଟିଂ ୫୭ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଲିଚ୍ଛବି ଏବଂ ସୱତନ୍ତ୍ରତା ସେନାନୀ ଏକ୍ସପ୍ରେସ ଭଳି ଟ୍ରେନ୍ଗୁଡ଼ିକରେ ମଧ୍ୟ ସିଟ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି।
ହାଓଡ଼ା ରୁଟରେ ମଧ୍ୟ ରାଜଧାନୀ ଏକ୍ସପ୍ରେସ ଏବଂ ଝାଡ଼ଖଣ୍ଡ ଯାଉଥିବା ଟ୍ରେନ୍ଗୁଡ଼ିକରେ ଟିକେଟ ପାଇଁ ଟଣାଓଟରା ଦେଖିବାକୁ ମିଳୁଛି। ଅନେକ ଲୋକ ଦୀପାବଳି ଛୁଟିରେ ଭ୍ରମଣ ଯୋଜନା କରିଥାନ୍ତି, ତେଣୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଉଥିବା ଟ୍ରେନ ଉପରେ ଅତିରିକ୍ତ ଚାପ ପଡ଼ୁଛି। ତେବେ ଦକ୍ଷିଣ ଭାରତ ଯାଉଥିବା ଟ୍ରେନ୍ଗୁଡ଼ିକରେ ଟିକେଟ ଚାହିଦା ଟିକେ କମ ରହିଛି।
ରେଳବାଇର ଆଗୁଆ ସଂରକ୍ଷଣ ନିୟମ ଅନୁସାରେ ସାଧାରଣତଃ ଯାତ୍ରା ତାରିଖର ୬୦ ଦିନ ପୂର୍ୱରୁ ଟିକେଟ ବୁକ କରାଯାଇପାରିବ। ଦୀପାବଳି ଏବଂ ଛଠ ପୂଜା ସମୟରେ ଦିଲ୍ଲୀ-କାନପୁର, ଦିଲ୍ଲୀ-ବାରାଣସୀ, ଦିଲ୍ଲୀ-ପାଟନା, ପାଟନା-ଅହମ୍ମଦାବାଦ, ମୁମ୍ୱାଇ-ପାଟନା, ହାଓଡ଼ା-ପାଟନା, ଦିଲ୍ଲୀ-ରାଞ୍ଚି, ଦିଲ୍ଲୀ-ଲକ୍ଷ୍ନୌ, ଲୁଧିଆନା-ସୁପୌଲ, ଚେନ୍ନାଇ-ପାଟନା, ଲୁଧିଆନା-ପାଟନା, ହାଇଦ୍ରାବାଦ-ପାଟନା ଏବଂ ଦିଲ୍ଲୀ-ଗୋରଖପୁର ଭଳି ରୁଟ୍ଗୁଡ଼ିକରେ ଚାହିଦା ବହୁତ ବଢ଼ିଯାଏ।
ଯାତ୍ରୀମାନେ RailOne ଆପ କିମ୍ୱା IRCTC ମାଧ୍ୟମରେ ଟିକେଟ ବୁକ କରିପାରିବେ। ବୁକିଂ କରିବା ପୂର୍ୱରୁ ଯାତ୍ରୀଙ୍କ ବିବରଣୀ (Travel Details) ସେଭ କରି ରଖିଲେ ପ୍ରକ୍ରିୟା ଶୀଘ୍ର ହୋଇପାରିବ। ଭଲ ଇଣ୍ଟରନେଟ କନେକ୍ଟିଭିଟି ବ୍ୟବହାର କରନ୍ତୁ ଏବଂ ଯାତ୍ରା ତାରିଖ, ଟ୍ରେନ ନମ୍ୱର ତଥା ନିଜ ପସନ୍ଦର ଶ୍ରେଣୀ (କ୍ଲାସ) ପୂର୍ୱରୁ ସ୍ଥିର କରି ରଖନ୍ତୁ। ଗୋଟିଏରୁ ଅଧିକ ଟ୍ରେନ୍ର ବିକଳ୍ପ ପ୍ରସ୍ତୁତ ରଖିବା ମଧ୍ୟ ଲାଭଦାୟକ ହେବ, ଯାହାଦ୍ୱାରା ପ୍ରଥମ ଟ୍ରେନ୍ରେ ସିଟ ନ ମିଳିଲେ ତୁରନ୍ତ ଦ୍ୱିତୀୟ ଟ୍ରେନ ଚୟନ କରାଯାଇପାରିବ। ତଥାପି ଏସବୁ ଚେଷ୍ଟା ସତ୍ତ୍ୱେ ଅନେକ ଲୋକଙ୍କୁ ଟିକେଟ ବୁକିଂରେ ନିରାଶାର ସମ୍ମୁଖୀନ ହେବାକୁ ପଡ଼ୁଛି।

