ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ

ଘାସିରାମ ପଣ୍ଡା

ଚଉସ୍ତରି ମସିହା ପୂର୍ବରୁ ଆମ ଗାଁରେ ବିଦ୍ୟାଳୟ ନ ଥିଲା। ଗାଁ ଲୋକଙ୍କ ପ୍ରୟାସରେ ଝାଟିମାଟିର ଘର କରି ଚାଳିଆରେ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏଇ ବିଦ୍ୟାଳୟରେ ହିଁ ଆମେମାନେ ପାଠ ପଢିଛୁ। କେତେ ବର୍ଷ ପରେ ଯାଇ ବିଦ୍ୟାଳୟକୁ ସରକାର ହାତକୁ ନେଲେ। ସେ ଯାଏ ତ ପୁଣି ଗାଁ ଲୋକ ଚଳଉଥିଲେ। କେତେ ପିଲା ଏଠି ପାଠ ପଢି ମଣିଷ ହୋଇଛନ୍ତି। ଏଇ ବର୍ଷ କମ୍‌ ପିଲା ଅଛନ୍ତି ବୋଲି କହି ସରକାର ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ବନ୍ଦ ହୋଇଗଲେ ଆମ ଗାଁର ଆଉ କ’ଣ ମାନସମ୍ମାନ ରହିବ! ସରକାର ବରଂ ସାହାଯ୍ୟ ନ କରନ୍ତୁ, ଆମେ ଆରମ୍ଭ କରିଥିବା ବିଦ୍ୟାଳୟ ଆମକୁ ଫେରାଇ ଦିଅନ୍ତୁ। ଆମ ସହିତ ଆଲୋଚନା କଲାବେଳେ ଆବେଗଭରା କଣ୍ଠରେ ଏକା ନିଃଶ୍ୱାସରେ ଏତକ କହିଗଲେ ବରଗଡ ଜିଲା ଅମ୍ବାଭୋନା ବ୍ଲକର ରାମଖୋଲ ଗାଁ ନିବାସୀ ଭୈରବ ପାତ୍ର।
ଲୋକଙ୍କ ପ୍ରୟାସରେ ପ୍ରାଥମିକଠୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ଥାପନ କରିବାର ଅନେକ ଉଦାହରଣ ଆମ ରାଜ୍ୟରେ ଅଛି। ପରେ ସରକାର ନୀତି ପ୍ରଣୟନ ପୂର୍ବକ ଏହି ସବୁ ବିଦ୍ୟାଳୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନେକ ବିଦ୍ୟାଳୟକୁ ସରକାର ନିଜ ଅଧୀନକୁ ବି ନେଇ ଆସିଛନ୍ତି। ପରବର୍ତ୍ତୀ ସମୟରେ ଶିକ୍ଷାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆଭିମୁଖ୍ୟ ରଖି ସରକାର କଳାପଟା ଅଭିଯାନ, ଜିଲା ପ୍ରାଥମିକ ଶିକ୍ଷା ଅଭିଯାନ, ସର୍ବ ଶିକ୍ଷା ଅଭିଯାନ ପ୍ରଭୃତି କାର୍ଯ୍ୟକ୍ରମ ପ୍ରଚଳନ କରିଥିଲେ। ଏହି ସମୟରେ ଆବଶ୍ୟକତା ଭିତ୍ତିରେ ଅନେକ ନୂତନ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୨୦୦୯ ମସିହାରେ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇ ସମ୍ବିଧାନ ସଂଶୋଧନ ହେଲାପରେ ଅତି ବେଶିରେ ଏକ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଭିତରେ ଉଚ୍ଚ ପ୍ରାଥମିକ ଶିକ୍ଷାର ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଗଲା। ଏହାଦ୍ୱାରା ସମସ୍ତଙ୍କ ପାଖରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଉପଲବ୍ଧ କରାଯାଇପାରିବାର ଏକ ଦୃଷ୍ଟିଭଙ୍ଗୀ ଥିଲା।
କିଛି ବର୍ଷ ହେଲା ଏହାର ଏକ ବିପରିତ ଧାରା ଆରମ୍ଭ ହୋଇଛି। କମ୍‌ ଉପସ୍ଥାନ ଆଳରେ ପର୍ଯ୍ୟାୟ କ୍ରମେ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯାଉଛି। ଏହା କେବଳ ଯେ ଓଡ଼ିଶାରେ ହେଉଛି ତାହା ନୁହେଁ, ନୀତି ଆୟୋଗଙ୍କ ନେତୃତ୍ୱରେ ଏହି ପ୍ରକ୍ରିୟାରେ ଅନେକ ରାଜ୍ୟ ସାମିଲ ହୋଇଛନ୍ତି। ସଷ୍ଟନେବଲ ଆକ୍ସନ ଫର ଟ୍ରାନ୍ସଫରମିଂ ହ୍ୟୁମାନ କ୍ୟାପିଟାଲ (ସାଥ) ନାମରେ ନୀତି ଆୟୋଗଙ୍କ ଏହି ପ୍ରାୟୋଗିକ ପରିକଳ୍ପନା ଓଡ଼ିଶା ସମେତ ଅନେକ ରାଜ୍ୟରେ ଆରମ୍ଭ ହୋଇଛି। ଏହାଦ୍ୱାରା ଗୁଣାତ୍ମକ ଶିକ୍ଷା ପ୍ରତି ଦୃଷ୍ଟି ଦିଆଯାଇ ପାରିବ ବୋଲି ହେଉଥିବା ଯୁକ୍ତି ଏକ ଭ୍ରମ ମାତ୍ର। ନିକଟରେ ୨୦ ବା ତା’ଠୁ କମ୍‌ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରିବା ନିର୍ଦ୍ଦେଶନାମା ଆସିବା ପରେ ରାଜ୍ୟରେ ହଇଚଇ ହୋଇଥିଲା। ପରିଣାମ ସ୍ବରୂପ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗରେ ବିଭାଗ ତରଫରୁ ଡିସେମ୍ବର ୧୫ରେ ଏକ ସଂଶୋଧନ ପ୍ରସ୍ତାବ ଅଣାଯାଇଛି। ଗତ ବିଧାନସଭା ଅଧିବେଶନ ସମୟରେ ବିଧାୟକମାନଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ମୁତାବକ ଆଦିବାସୀ ଅଧ୍ୟୁଷିତ ଜିଲା ଓ ଅବିଭକ୍ତ କୋରାପୁଟ – ବଲାଙ୍ଗୀର-କଳାହାଣ୍ଡି ଜିଲାଗୁଡ଼ିକରେ ୨୦ ବଦଳରେ ୧୫ରୁ କମ୍‌ ଉପସ୍ଥାନ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବ ବୋଲି ଏଥିରେ କୁହାଯାଇଛି। ଏହା ଏହି ପ୍ରସଙ୍ଗରେ ଏକ ସାମୟିକ ଆଶ୍ୱସ୍ତି। କିନ୍ତୁ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟିଭଙ୍ଗୀ ନ ବଦଳିଲେ ରାଜ୍ୟରେ ଶୈଶବ ବିପର୍ଯ୍ୟସ୍ତ ହେବ।
ଡିସେମ୍ବର ୨୮ର କ୍ୟାବିନେଟ ବୈଠକରେ ଗୃହୀତ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଙ୍ଗ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ପ୍ରତି ଆସ୍ଥା ପ୍ରକଟ କରିବାରେ ସହାୟକ ହେବ। ହେଲେ ଗାଁ ବିଦ୍ୟାଳୟ ବନ୍ଦ ହେବାରୁ ପଢିବା ପାଇଁ ଦୂର ବାଟ ଯିବାକୁ ପଡୁଥିବାରୁ ପିଲାମାନେ ପ୍ରାଥମିକରୁ ପାଠ ଛାଡୁଛନ୍ତି। ମେଡିକାଲ ଓ ଇଞ୍ଜିନିୟରିଙ୍ଗ ପାଠ ସେମାନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ହୋଇଯିବ। ଏଣୁ ବିଦ୍ୟାଳୟ ବନ୍ଦର ନିଷ୍ପତ୍ତି ସମୟରେ ଉପସ୍ଥାନ ଅପେକ୍ଷା ଦୂରତାକୁ ମାନକ ଆକାରରେ ନିଆଯାଉ। ବିଦ୍ୟାଳୟ ବନ୍ଦକୁ ଯୁକ୍ତିନିଷ୍ଟ କରିବା ପାଇଁ ୨୦୧୮ ମେ ୧୪ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେସିଓନାଲାଇଜେଶନ ନୀତି ପ୍ରଣୟନ କରିଛନ୍ତି। ବିଦ୍ୟାଳୟ ବନ୍ଦ ପରେ ପାଖ ବିଦ୍ୟାଳୟକୁ ଯିବା ପାଇଁ ରାଜ୍ୟ ରାଜପଥ, ଜାତୀୟ ରାଜପଥ, ରେଳ ଲାଇନ, ନଦୀ, ଜଙ୍ଗଲ, ପାହାଡ ଅତିକ୍ରମ କରିବାକୁ ପଡୁଥିଲେ ମୂଳ ବିଦ୍ୟାଳୟକୁ ବନ୍ଦ କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଅଛି। ଏତକ ଅନୁପାଳନ ହେଲେ ଆଦିବାସୀ ଅଞ୍ଚଳରେ ଅନେକ ବିଦ୍ୟାଳୟ ବନ୍ଦରୁ ବର୍ତ୍ତିଯିବେ। ଯେତେ ଅଧିକ ପିଲା ଶିକ୍ଷା ପରିସରକୁ ଆସିବେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଚାଲାଣ, ଅପପୁଷ୍ଟି ଭଳି ସମସ୍ୟାରୁ ସେତେ ଅଧିକ ଆମେ ସେମାନଙ୍କୁ ଦୂରେଇ ରଖିପାରବା। ଏଣୁ ଶିକ୍ଷା ସମ୍ପର୍କିତ ନିଷ୍ପତ୍ତି ନେଲାବେଳେ ସରକାର ଦୃଷ୍ଟି ଅପେକ୍ଷା ଦୃଷ୍ଟିଭଙ୍ଗୀକୁ ଶାଣିତ କଲେ ଋଦ୍ଧିମନ୍ତ ଶୈଶବ ଗଠନରେ ସହାୟକ ହୋଇପାରିବେ।
ସୁବର୍ଣ୍ଣପୁର, ମୋ: ୭୯୭୮୭୪୬୮୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri