ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରେ । ଏହାର କାରଣ ଆଜିଯାଏ ମୁଁ ବୁଝିପାରୁନି। ଓଡ଼ିଶାରେ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୬୨ ମସିହାରେ ସ୍ଥାପିତ ହେଇଥିଲା, ଯାହା କି ପୂରା ଦେଶରେ ଦ୍ୱିତୀୟ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଭାବରେ ଗଣାଯାଏ। ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ୬ଲକ୍ଷ ମେଟ୍ରିକ୍‌ ଟନ ପିଆଜ ଦରକାର ପଡୁଥିବା ବେଳେ ଏଠାରେ କେବଳ ୩.୫ରୁ ୩.୯ ଲକ୍ଷ ମେଟ୍ରିକ୍‌ ଟନ ଉତ୍ପାଦନ ହୋଇଥାଏ। ବାକି ପିଆଜ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆମଦାନୀ କରିବାକୁ ହୋଇଥାଏ। ସେହିପରି ଆମ ରାଜ୍ୟରେ ପ୍ରାୟ ପ୍ରତିବର୍ଷ ୧୩/ ୧୪ ଲକ୍ଷ ମେଟ୍ରିକ୍‌ ଟନ ଆଳୁର ଆବଶ୍ୟକତା ଥିବାବେଳେ ଏଠାରେ କେବଳ ୩.୫ରୁ ୪.୭ ମେଟ୍ରିକ୍‌ ଟନ ଉତ୍ପାଦନ ହୁଏ। ବାକି ଆଳୁ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ସର୍ବଦା ନିର୍ଭର କରିବାକୁ ପଡ଼ିଥାଏ। ତେବେ ଏଠାରେ ଗୋଟିଏ କଥା ସୂଚିତ କରାଯାଇପାରେ ଯେ, ଆମ ରାଜ୍ୟରେ ଦେଶର ଦ୍ୱିତୀୟ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ରହିଛି, ଏବେ ମଧ୍ୟ ବେସରକାରୀ ସ୍ତରରେ କେତୋଟି କୃଷି ମହାବିଦ୍ୟାଳୟ ଖୋଲିଯାଇଛି। ସେ ଯାହା ହେଉ ପ୍ରତି ବର୍ଷ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ନୂଆ ନୂଆ ଛାତ୍ରୀଛାତ୍ରମାନେ କୃଷି ବିଜ୍ଞାନ ପଢ଼ିବା ପାଇଁ ଭର୍ତ୍ତି ହେଉଛନ୍ତି ଏବଂ କିଛି ଗବେଷକ ତାଙ୍କର ପ୍ରୟୋଗଶାଳାରେ ଗବେଷଣା କରି ଅଧିକ ଅମଳକ୍ଷମ ଆଳୁ, ପିଆଜ ମଞ୍ଜି ଉଦ୍ଭାବନ କରୁଛନ୍ତି। ତେବେ ସେହି ନୂତନ ଉଦ୍ଭାବନ ଯାଉଛି କୁଆଡ଼େ। ସେଗୁଡ଼ିକ ଯଦି ଆମ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ବଣ୍ଟାଯାଇ କିପରି ଭାବରେ ଅଧିକ ଉତ୍ପାଦନ ହେବ, କେଉଁ ପ୍ରଣାଳୀରେ ଚାଷ କରାଯିବ , କି ପ୍ରକାରର ସାର, ଔଷଧ ଇତ୍ୟାଦି ବ୍ୟବହାର କରିବା ଉଚିତ; ଯଦି ତାହା ଠିକ୍‌ ଭାବରେ ବୁଝାଇ ଦିଆଯାଆନ୍ତା ତେବେ ଚାଷୀମାନେ ଉପକୃତ ହୋଇପାରନ୍ତେ ଓ ଆଳୁ ପିଆଜର ଉତ୍ପାଦନ ଅଧିକ ହୋଇପାରନ୍ତା।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆଳୁ, ପିଆଜ ଉତ୍ପାଦନ ପରେ ବଜାରରେ ବିକ୍ରି କରାଯାଏ। ଏହାସହ ବଳକା ଆଳୁ, ପିଆଜକୁ ରଖିବା ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇ ନ ପାରେ। କେବେ କେବେ ପଶ୍ଚିମବଙ୍ଗ ସରକାର ତାଙ୍କ ଦରକାର ମୁତାବକ ଆଳୁ ନିଜ ଚାହିଦା ପୂରଣ କରିବା ପରେ ଯଦି ନିଅଣ୍ଟ ହେଲା ତେବେ ସେମାନେ ବାଧ୍ୟ ହୋଇ ଆମକୁ ରପ୍ତାନି କରୁଥିବା ଉତ୍ପାଦ ଉପରେ ରୋକ୍‌ ଲଗାଇବେ ଓ ଆମେ ଅସୁବିଧାରେ ପଡ଼ିବା। ସେହିପରି ନାସିକ୍‌ରୁ ଯେଉଁ ପିଆଜ ଓଡ଼ିଶାକୁ ଆସୁଛି କେବେ କେବେ ବର୍ଷା କାରଣରୁ ଶଢ଼ି ଯିବାରୁ ସେମାନେ ଅନ୍ୟ ସ୍ଥାନକୁ ପଠାଇ ପାରନ୍ତି ନାହିଁ। ଫଳରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସାଧାରଣତଃ ଏକ ଗରିବ ପରିବାରରେ କୌଣସି ପରିବା ନ ଥିଲେ ସେମାନେ ପଖାଳ ସହ ପିଆଜ କିମ୍ବା ଆଳୁ ପୋଡ଼ା ବା ସିଝା ଖାଇ ଦିଅନ୍ତି। କିନ୍ତୁ ଆଳୁ ଓ ପିଆଜ ଦର ବୃଦ୍ଧି ପାଇଲେ ଗରିବ ଲୋକମାନେ ଯେ କି ଅବସ୍ଥାରେ ରହନ୍ତି ତାହା କେବଳ ଅନୁଭବୀ ବୁଝି ପାରିବେ। ସରକାର ଗରିବ ବୋଲି ଚିହ୍ନଟ କରୁଥିବା ଲୋକମାନଙ୍କୁ ତାଙ୍କ ସ୍ତରରୁ ଉପରକୁ ଉଠାଇ ସାରିଲେଣି। ଏବେ ଅଶୀ କୋଟି ଲୋକଙ୍କୁ ସରକାର ମାଗଣା ଚାଉଳ ଦେଉଛନ୍ତି। ତେବେ ଲୋକେ କ’ଣ ଖାଲି ଭାତ ଖାଇବେ କି ?
ସରକାର କୃଷିର ଉନ୍ନତି ପାଇଁ କେବଳ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ତାକୁ ବିଭାଗୀୟ ଅଧିକାରୀଙ୍କ ଉପରେ ଥାପି ଦେଉଛନ୍ତି ଏବଂ ଜାଣିବାକୁ ଚାହୁଁନାହାନ୍ତି ଯେ ଯୋଜନାଟି କେତେଦୂର କାର୍ଯ୍ୟ କରୁଛି। ଓଡ଼ିଶାର ପ୍ରତି ଅଞ୍ଚଳର ମୃତ୍ତିକା କୃଷି ପାଇଁ ବେଶ୍‌ ଫଳଦାୟୀ। ଯଦି କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ମାଧ୍ୟମରେ କୃଷି ବିଜ୍ଞାନୀମାନେ ତୃଣ ମୂଳ ସ୍ତରରୁ ଚାଷୀଙ୍କ ପାଖକୁ ଯାଇ ବିଭିନ୍ନ ପ୍ରକାରର ଉନ୍ନତ ମାନର ବିହନ ଓ ସାର, ଔଷଧ ବ୍ୟବହାର କରିବା ପଦ୍ଧତି ଦେଖାଇ ପାରିବେ ତେବେ ଆମ ରାଜ୍ୟ ମଧ୍ୟ ଆଳୁ ଓ ପିଆଜ ନିଜ ରାଜ୍ୟର ଚାହିଦା ପୂରଣ କରି ବାହାରକୁ ରପ୍ତାନି କରିପାରିବ। ସରକାରୀ ସ୍ତରରେ କେବଳ ବୈଠକ ପରେ ବୈଠକ କରି ଯୋଜନା ପ୍ରସ୍ତୁତ କରି ଚାଲିଲେ କିଛି ଫଳ ମିଳିବ ନାହିଁ। ତା’ ପାଇଁ ସରକାରୀ ସ୍ତରରେ ଯେତିକି ଆନ୍ତରିକତାର ଆବଶ୍ୟକତା ରହିଛି ତା’ଠାରୁ ଅଧିକ ଆନ୍ତରିକତା ମଧ୍ୟ ଚାଷୀମାନେ ଦେଖାଇବା ଉଚିତ।
ଆଳୁ ଚାଷ ବୃଦ୍ଧି ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ସକାଶେ ଗତ ସରକାର ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲେ। କିନ୍ତୁ ତାହା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। କୃଷି ବିଭାଗର ଉଚ୍ଚ ପଦାଧିକାରୀମାନେ କେବେ ବି ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କ ସହ ଯୋଗାଯୋଗ କରି କୌଣସି ଆଲୋଚନା କରିବା ଦେଖାଯାଏ ନାହିଁ। ଏବେ ବୋଧ ହୁଏ ଆଗରୁ ଥିବା ଗ୍ରାମସେବକ ବା ସେବିକା ଦେଖାଯାଉ ନାହାନ୍ତି। ସେମାନଙ୍କ ଦ୍ୱାରା ତୃଣମୂଳ ସ୍ତରରେ ଥିବା ଚାଷୀମାନେ ଚାଷ ବିଷୟରେ ଅନେକ ସାହାଯ୍ୟ ପାଉଥିଲେ। ଫଳରେ ଛୋଟ ଚାଷୀଟିଏ ହେଲେ ବି ବର୍ଷ ସାରା ଚାଷ କରି ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ହେଲେ ଏବେ ସରକାରୀ ସ୍ତରରେ ଥିବା କର୍ମଚାରୀମାନେ ସରକାରୀ ତହବିଲରୁ ଅନେକ କୋଟି ଟଙ୍କା ଦରମା ନେଇ କେବଳ ନିଜ ଆସନ ଅଳଙ୍କୃତ କରିବା ଛଡ଼ା ଆଉ କିଛି ଆଖିଦୁର୍ଶିଆ କାମ କରୁନାହାନ୍ତି, ଯାହା କି ଆମ ରାଜ୍ୟ ପାଇଁ ଏକ ବଡ଼ ସମସ୍ୟା। ଯଦି ସରକାର ଆନ୍ତରିକତାର ସହିତ ଚାଷୀମାନଙ୍କ ସହ ସମନ୍ବୟ ରକ୍ଷା କରି ଚାଷକୁ ଅଗ୍ରାଧିକାର ଦିଅନ୍ତି, ତେବେ ଓଡ଼ିଶା ପିଆଜ ଓ ଆଳୁ ରପ୍ତାନି କରିପାରିବ।

ପ୍ରଦୀପ୍ତ କୁମାର କର

ମୋ: ୯୮୬୧୦୭୫୪୦୪

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri