ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ। ଫଳରେ ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଦାବି ଉଠିଲା। ଏହାକୁ ଗ୍ରହଣ କରି ଜନସାଧାରଣଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ପ୍ରଣୟନ କଲେ(୨୮-୫-୧୯୬୯) ଓଡ଼ିଶା ଶିକ୍ଷା ଆଇନ-୧୯୬୯। ଏହି ଆଇନ ବଳରେ ଜନସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବେ ଏବଂ ପ୍ରାବଧାନ ଅନୁସାରେ ସର୍ତ୍ତ ପୂରଣ କରୁଥିବା ଅନୁଷ୍ଠାନକୁ ଅନୁମତି ପରେ ଅନୁଦାନ ପ୍ରଦାନ କରିବେ ସରକାର। ଆଇନକୁ ଆଧାର କରି ଓଡ଼ି଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ସ୍କୁଲ ଓ କଲେଜ ଖୋଲିଲା ଏବଂ ସର୍ତ୍ତ ଅନୁଯାୟୀ ଭିତ୍ତିଭୂମିର ବିକାଶ ପାଇଁ ଜମି ଓ ଅର୍ଥ ଯୋଗାଇ ଦେଲେ ଅନେକ ଶିକ୍ଷାପ୍ରେମୀ ବଦାନ୍ୟ ବ୍ୟକ୍ତି। ଏସବୁ ଅନୁଷ୍ଠାନର ପରିଚାଳନା ଦାୟିତ୍ୱ ରହିଲା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ସମାଜସେବୀ, ଦାନୀ ଓ ନିଃସ୍ବାର୍ଥପର ଲୋକଙ୍କ ହାତରେ। ପରିଚାଳନାଗତ ସ୍ବଚ୍ଛତା ଓ ନିଷ୍ଠାପରତା କାରଣରୁ ସେଠାରେ ଯୋଗ୍ୟ ଓ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ନିଯୁକ୍ତି ମିଳିଲା। ସେମାନେ ଶିକ୍ଷାର୍ଥୀର ଜିଜ୍ଞାସା ଓ ବ୍ୟାକୁଳତା ଆଗରେ ନିଜକୁ ଅଜାଡ଼ି ଦେଇ ଅନୁଭବ କରୁଥିଲେ ଆନନ୍ଦ ଓ ପରମ ତୃପ୍ତି। ସେମାନଙ୍କ ଶିକ୍ଷାଦାନ ଶୈଳୀ ଏତେ ବନ୍ଧୁ-ଭାବାପନ୍ନ ଥିଲା ଯେ ଏକ ସ୍ନେହସିକ୍ତ ହୃଦୟବତ୍ତା ଓ ଅନାବିଳ ଆତ୍ମୀୟତାରେ ବାନ୍ଧି ହୋଇପଡ଼ିଥିଲା ଜ୍ଞାନର ଗଭୀରତା ହେଉ କି ବିଦ୍ୟାର୍ଥୀକୁ ଅନୁପ୍ରାଣିତ କରିବାର କଳା ହେଉ, ସେତେବେଳେ ସରକାରୀ ଓ ବେସରକାରୀ ଶିକ୍ଷକ ମଧ୍ୟରେ ନ ଥିଲା ସାମାନ୍ୟତମ ଫରକ। ତେଣୁ ଏକ ସମାନ୍ତରାଳ ଭାବରେ ଚାଲିଥିଲା ମଣିଷଗଢା ପ୍ରକ୍ରିୟା। ପ୍ରାୟତଃ ଅଶୀ ଦଶକ ବେଳକୁ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଲା,ଯେତେବେଳେ ଶିକ୍ଷାର ପ୍ରସାର ଲକ୍ଷ୍ୟକୁ ଛାଡି ଶିକ୍ଷାନୁଷ୍ଠାନ ଖୋଲାଗଲା ବ୍ୟକ୍ତିଗତ ପତିଆରା ଓ ଆର୍ଥିକ ଫାଇଦା ପାଇବା ଉଦ୍ଦେଶ୍ୟରେ। ଶିକ୍ଷାନୁଷ୍ଠାନ ଖୋଲିବା ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲା ଏବଂ ନେତା ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ରାଜ୍ୟସାରା, ବିଶେଷକରି ଗ୍ରାମାଞ୍ଚଳରେ ଖୋଲିଲା ମାଳମାଳ ଶିକ୍ଷାନୁଷ୍ଠାନ। କିଏ ସେଠାରେ ନିଜ ପୁଅ ପୁତୁରାଙ୍କ ଥଇଥାନ କଥା ଭାବିଲା ତ କିଏ ଶିକ୍ଷକ-କର୍ମଚାରୀ ନିଯୁକ୍ତି ଜରିଆରେ ରୁଣ୍ଡେଇଲା ଅର୍ଥ। ଏହି ବାଟଦେଇ ଶିକ୍ଷାନୁଷ୍ଠାନ ଭିତରକୁ ପଶିଲେ ଅନେକ ଅଯୋଗ୍ୟ ଓ ଠକ ପ୍ରକୃତିର ଶିକ୍ଷକ। ଯେଉଁଠି ଶିକ୍ଷାନୁଷ୍ଠାନକୁ କୁହାଯାଉଥିଲା ଆଧୁନିକ ଭାରତର ମନ୍ଦିର, ସେଠାରେ ଯୋଗ୍ୟ ଶିକ୍ଷକଙ୍କୁ ମିଳିଲାନି ଉପଯୁକ୍ତ ସମ୍ମାନ। ଅଧିକାଂଶ ସ୍ଥାନରେ ପରିଚାଳନା ଦାୟିତ୍ୱ ବ୍ୟକ୍ତିଗତ ମାଲିକାନାକୁ ଚାଲିଗଲା ଏବଂ ବଚସ୍କରମାନ ମାଡି ବସିଲେ ମୁଖ୍ୟ ଆସନ। ହ୍ରାସ ପାଇଲା ଶ୍ରେଣୀଗୃହ ଶିକ୍ଷାଦାନର ମାନ।
ଛତୁଫୁଟିଲା ଭଳି ଶିକ୍ଷାନୁଷ୍ଠାନ ଖୋଲିବା ପରେ ସରକାର ନୂଆ ଅନୁଦାନ ନୀତି ଘୋଷଣା କରିବାକୁ କହି ଟାଳଟୁଳ ନୀତି ଆପଣେଇଲେ। ଶିକ୍ଷା କ୍ଷେତ୍ରରେ ବ୍ୟୟ ସଙ୍କୋଚନ ନୀତି ଯୋଗୁ ସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ନିୟମିତ ଶିକ୍ଷକ ବଦଳରେ ନିଯୁକ୍ତି ପାଇଲେ ଶିକ୍ଷା ସହାୟକ, ଠିକା ଶିକ୍ଷକ, ଚୁକ୍ତିଭିତ୍ତିକ ଶିକ୍ଷକ ଓ ଅତିଥି ଶିକ୍ଷକ ଇତ୍ୟାଦି। ସରକାରୀ ହେଉ କି ବେସରକାରୀ ନିର୍ବିଶେଷରେ ସବୁଠି ଶିକ୍ଷା ପରିବର୍ତ୍ତେ ଛାତ୍ରୀଛାତ୍ରଙ୍କୁ ବଣ୍ଟାଗଲା ଶିକ୍ଷାର ଦାରିଦ୍ର୍ୟ। ଶିକ୍ଷାର ବ୍ୟବସାୟୀକରଣ ପାଇଁ ସରକାରୀ କଲେଜରେ ଖୋଲିଲା ସେଲ୍ଫ ଫାଇନାନ୍ସିଂ କୋର୍ସ। ଭିନ୍ନଭିନ୍ନ ସ୍ତର ଓ ଅଲଗା ବିଚାର ଆଧାରରେ ବିଭାଜିତ ହେଲେ ଛାତ୍ର ସମୂହ। ଏହା ଦ୍ବାରା ଏକ ମୃତ ସ୍ବପ୍ନରେ ପରିଣତ ହେଲା ସମସ୍ତଙ୍କ ପାଇଁ ସମାନ ଶିକ୍ଷା ଓ ସମାନ ବିଦ୍ୟାଳୟ।
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ଆଇନ-୧୯୮୨ (୧୦+୨+୩ ଶିକ୍ଷା ନୀତି) ପ୍ରଣୟନ ପରେ ସରକାର ଦୀର୍ଘ ଦିନ ପର୍ଯ୍ୟନ୍ତ ଘୋଷଣା କଲେନାହିଁ ନୂଆ ଅନୁଦାନ ନୀତି। ଆଂଶିକ ଶିକ୍ଷକଙ୍କ ଉପରେ ତା’ର କିଛି ଫରକ ପଡୁ କି ନ ପଡୁ, ଅତି ଦୟନୀୟ ହୋଇ ପଡିଲା ଅସଲ ଶିକ୍ଷକଙ୍କ ସ୍ଥିତି। ଶିକ୍ଷକ ମହାସଂଘର ବାରମ୍ବାର ଦାବି ସତ୍ତ୍ୱେ ଏ ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବାରୁ ଆରମ୍ଭ ହେଲା ଲଢେଇ। ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ପରେ ବିଧାନସଭାରେ ପାରିତ ହେଲା ଅନୁଦାନ ନୀତି-୧୯୯୪। କିନ୍ତୁ ତା’ର ମଞ୍ଜୁରୀ ମାନଦଣ୍ଡ ଅନୁଦାନ ନୀତି-୧୯୮୮ ତୁଳନାରେ ଏତେ କଠୋର ଥିଲା ଯେ ସୀମିତ ଅନୁମୋଦନ ଯୋଗୁ ଅନୁଦାନରୁ ବଞ୍ଚିତ ହେଲେ ଅନେକ ଆଶାୟୀ ଶିକ୍ଷକ-କର୍ମଚାରୀ। ତା’ର ପ୍ରତିବାଦରେ ପୁନଶ୍ଚ ଦାନା ବାନ୍ଧିଲା ଆନ୍ଦୋଳନ।
ଶିକ୍ଷା ଓ ଶିକ୍ଷକ ସମସ୍ୟା ଗୋଟିଏ ମୁଦ୍ରାର ଦୁଇଟି ପାଶର୍‌ବ। ପ୍ରାଥମିକଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତର ପରସ୍ପର ସଂଯୁକ୍ତ ଓ ପରିପୂରକ। ଗୋଟିଏ ସ୍ତର ଆକ୍ରାନ୍ତ ହେଲେ ଅନ୍ୟଟି ପ୍ରଭାବିତ ହେବାକୁ ବାଧ୍ୟ। ଶିକ୍ଷା ବ୍ୟବସ୍ଥାର ଏହି ମଞ୍ଜକଥାଟିକୁ ଯେଉଁମାନେ ବୁଝିଥିଲେ,ସେମାନଙ୍କ ନେତୃତ୍ୱରେ ଗଢି ଉଠିଥିଲା ଶିକ୍ଷକ ମହାସଂଘ ଭଳି ଶକ୍ତିଶାଳୀ ଗଣତାନ୍ତ୍ରିକ ମଞ୍ଚ। ସବୁବର୍ଗର ଶିକ୍ଷକ- କର୍ମଚାରୀଙ୍କ ସ୍ବାର୍ଥ ରକ୍ଷା ସହିତ ସମାଜ କଲ୍ୟାଣ ଥିଲା ମହାସଂଘର ମନ୍ତ୍ର। ଛାତ୍ର ସମୂହକୁ ବାଣ୍ଟିଲା ପରି ଶିକ୍ଷକ ସମାଜରେ ବିଭାଜନ ସୃଷ୍ଟି କରିବା ପାଇଁ ସରକାର ପ୍ରୟୋଗ କଲେ ବର୍ଗୀକରଣର ଜଟିଳ ସୂତ୍ର। ଶିକ୍ଷକ ସମାଜ ବିଭିନ୍ନ ବର୍ଗରେ ବାଣ୍ଟି ହେଲାପରେ ଗଢିଉଠିଲା ନୂଆ ନୂଆ ସଂଘ, ଯାହା ପଛରେ ଥିଲା ସରକାରଙ୍କ ନୀରବ ସମର୍ଥନ। ଆନ୍ଦୋଳନ ପରିବର୍ତ୍ତେ ଆଲୋଚନା ପନ୍ଥା ଆପଣେଇ ବ୍ୟକ୍ତିଗତ ଭାବରେ ଅନୁଗୃହୀତ ହେଲେ ତଥାକଥିତ ଅନେକ ଶିକ୍ଷକ ନେତା। ଏପଟେ ଅନୁଦାନ ନୀତି -୧୯୯୪ର ସମ୍ପ୍ରସାରଣ ପାଇଁ ୧୦ ବର୍ଷ ଅପେକ୍ଷା କଲା ପରେ ୨୦୦୪ ମସିହାରେ ଅନୁଦାନ ପରିବର୍ତ୍ତେ ସରକାର ଲାଗୁ କଲେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା। ଏହା ଶିକ୍ଷକ ସମାଜ ପ୍ରତି ଅବିଚାର। ଦୁର୍ଭାଗ୍ୟ ଯେ ଏଭଳି ଅବିଚାରକୁ ଶିକ୍ଷକ ସଂଘର ତତ୍କାଳୀନ କାର୍ପଟଦାରମାନେ ମାନିନେଲେ ‘କାନ୍ଦୁଥିବୁ, ଯାହା ପାଉଥିବୁ ବାନ୍ଧୁଥିବୁ ନ୍ୟାୟରେ’। ସେବେଠାରୁ ବାରମ୍ବାର ଆଲୋଚନା ଓ ମୃଦୁ ଆନ୍ଦୋଳନ ପରେ ସରକାର ସେଥିରେ ଅନେକ ଥର (୨୦୦୮, ୨୦୦୯, ୨୦୧୪ ମସିହାରେ) ସଂଶୋଧନ ଆଣିଛନ୍ତି ଏବଂ ଶେଷରେ ବ୍ଲକଗ୍ରାଣ୍ଟ ପରିବର୍ତ୍ତେ ତାକୁ ନାମିତ କରିଛନ୍ତି ନୂଆ ଅନୁଦାନ ଆଇନ- ୨୦୧୭ ନାମରେ, ଯାହା ଚାକିରି ସର୍ତ୍ତାବଳୀ ବିହୀନ ଏକ ଅନିଶ୍ଚିତ ବ୍ୟବସ୍ଥା।
ଗୋଟିଏ ସମୟ ଥିଲା ସରକାର ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିଲେ ଏବଂ ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରୁଥିଲେ ଶିକ୍ଷା ପ୍ରତି ବିଶେଷ ରୁଚି ରଖିଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ରାଧାନାଥ ରଥ ଓ ଯଦୁନାଥ ଦାସ ମହାପାତ୍ରଙ୍କ ଭଳି କ୍ୟାବିନେଟର ବରିଷ୍ଠ ସଦସ୍ୟ। ଶିକ୍ଷା ବିଭାଗ ଏବେ ବହୁ ଖଣ୍ଡରେ ବିଭକ୍ତ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କ ହାତରେ ରହୁଛି ଉଚ୍ଚଶିକ୍ଷା ବିଭାଗ। ଶିକ୍ଷାବିତ୍‌ ପରିବର୍ତ୍ତେ ଶିକ୍ଷାଯନ୍ତ୍ରୀ ନିୟନ୍ତ୍ରଣ କରୁଛନ୍ତି ଶିକ୍ଷା ବ୍ୟବସ୍ଥା। ଯିଏ ନିଜେ ପାଠ ପଢାନ୍ତି ନାହିଁ କି ସେଥିରେ ରୁଚି ରଖନ୍ତି ନାହିଁ, ସେମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ପାଠ୍ୟ ଖସଡ଼ା। ଶିକ୍ଷା ମାଧ୍ୟମରେ ସଂସ୍କାର ଆଣିବାର ସୂତ୍ର ଏମାନଙ୍କୁ ଜଣାନାହିଁ, ଜଣା କେବଳ ଶିକ୍ଷାକୁ ନେଇ ନୂଆ ସ୍ଲୋଗାନ ତିଆରି କରିବାର କୌଶଳ। ଶିକ୍ଷା ବ୍ୟବସ୍ଥାର ସର୍ବନିମ୍ନ ସ୍ତର ଅଙ୍ଗନୱାଡି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହିଁ କହିଦିଏ କେମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା।
କ୍ଷମତାସୀନ ସରକାର ବିରୋଧୀ ପକ୍ଷରେ ଥିଲାବେଳେ ଶିକ୍ଷକଙ୍କୁ ସ୍ବପ୍ନ ଦେଖେଇ କହିଥିଲେ ଦଳ କ୍ଷମତାକୁ ଆସିଲେ ୧୫ ଦିନ ମଧ୍ୟରେ ସମାଧାନ ହେବ ବ୍ଲକଗ୍ରାଣ୍ଟ ସମସ୍ୟା। ମାତ୍ର ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ବି ଶିକ୍ଷକଙ୍କ ପାଇଁ ମୃଗତୃଷ୍ଣା ହୋଇ ରହିଛି ପୂର୍ଣ୍ଣ ଅନୁଦାନ ଆଶା। ଏହି ପରିପ୍ରେକ୍ଷୀରେ ଶେଷ କଥାଟି ହେଉଛି ଜନମଙ୍ଗଳ ରାଷ୍ଟ୍ରରେ ମୁକ୍ତଶିକ୍ଷା ଯେମିତି ସାମାଜିକ ପ୍ରଗତି ଓ ସଂହତି ପାଇଁ ଏକ ମୋଳିକ ଆବଶ୍ୟକତା, ଅନୁଦାନ ସେମିତି ଶିକ୍ଷକ-କର୍ମଚାରୀଙ୍କର ଅଧିକାର। ସରକାର ତାକୁ ଅନୁକମ୍ପା ନ ଭାବି ଦାୟିତ୍ୱ ବୋଲି ଭାବିବା ଉଚିତ।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁପଟ୍ଟନାୟକ ନଗର,ଭଦ୍ରକ
ମୋ: ୬୩୭୧୬୪୨୪୬୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri