କର୍ମରୁ ଆନନ୍ଦ

ପ୍ର. ଶରତଚନ୍ଦ୍ର ରଥ

କର୍ମରୁ ଆନନ୍ଦ- ଏକ ତତ୍ତ୍ୱ ମାତ୍ର ନୁହେଁ ଏକ ଅନୁଭବ। ସମସ୍ତଙ୍କର ଏ ଅନୁଭବ ନ ଥାଏ ଯଦିଓ ବହୁତ ଲୋକ ବହୁ କର୍ମ କରୁଥାନ୍ତି। ଏ ଅନୁଭବ ନ ଥିବାର କାରଣ ସେମାନେ ଆନନ୍ଦକୁ ଅଧିକ ଗୁରୁତ୍ୱ ଦିଅନ୍ତି କର୍ମ ଅପେକ୍ଷା। ଆନନ୍ଦକୁ ଏଠାରେ ଖୁସି ଅଥବା ଆମତ୍ସନ୍ତୋଷ ଅର୍ଥରେ କୁହାଯାଉଛି।
ସେମାନଙ୍କର କର୍ମ କରିବାର ଲକ୍ଷ୍ୟ ନ ଥାଏ, ଲକ୍ଷ୍ୟ ଥାଏ କର୍ମକୁ ଶିଡି କରି ଫାଇଦା ଉଠାଇବାର ଛାତରେ ପହଞ୍ଚିବା । ଏ ଫାଇଦା ପଇସା ପତ୍ରର ଫାଇଦା ହୋଇପାରେ ଯେଉଁଥିପାଇଁ ଲାଞ୍ଚ ନେବାର ପ୍ରବଣତା ବଢେ, କ୍ଷମତାର ଫାଇଦା ହୋଇପାରେ ଯେଉଁଥିପାଇଁ ଜଣକୁ ଥରକ ବଦଳରେ ପାଞ୍ଚ ଥର ଦଉଡାଇବାକୁ ଇଚ୍ଛା ସୃଷ୍ଟି ହୁଏ, ଆମତ୍ ପ୍ରଚାରର ଫାଇଦା ହୋଇପାରେ ଅର୍ଥାତ୍‌ କର୍ମକୁ ମାଧ୍ୟମ କରି ନିଜର ପ୍ରଶସ୍ତିଗାନ କରାଇବାରେ ଓ ବହୁବାର ଅଯଥାରେ ମଞ୍ଚାସୀନ ହେବାରେ, ପ୍ରଶଂସାର ଫାଇଦା ହୋଇପାରେ ଅର୍ଥାତ୍‌ କର୍ମକୁ ମାଧ୍ୟମ କରି କାହା ପାଇଁ କ’ଣ ଟିକିଏ ଉପକାର କରି ପ୍ରଶଂସା ଯୋଗାଡ କରିବାରେ, ପ୍ରତିଶୋଧ ପରାୟଣତାର ଆନନ୍ଦ ଅର୍ଥାତ୍‌ କର୍ମଦ୍ୱାରା ଅନ୍ୟକୁ ଅସୁବିଧାରେ ପକାଇ ଅଥବା ଅନ୍ୟର କ୍ଷତି କରି ପୈଶାଚିକ ଆନନ୍ଦ ପାଇବାରେ ଇତ୍ୟାଦି ଇତ୍ୟାଦି।
ପ୍ରକୃତରେ ଏଥିରେ କିଛି ହେଲେ ଯଥାର୍ଥ ଆନନ୍ଦ ଅଥବା ଆମତ୍ସନ୍ତୋଷ ନୁହେଁ। ଏହାଦ୍ୱାରା ନିଜର ତ କିଛି ବିକାଶ ଘଟେ ନାହିଁ, ସମାଜର ମଧ୍ୟ କିଛି କଲ୍ୟାଣ ହୁଏ ନାହିଁ। ପ୍ରକୃତରେ ଆମତ୍ସନ୍ତୋଷ ଓ ଆମତ୍ବିକାଶ ନିମନ୍ତେ କର୍ମ ଅଭିପ୍ରେତ। ସେ କର୍ମ ଯାହା ହେଉ ନା କାହିଁକି ଜୋତା ସିଲାଇରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ କଥା କର୍ମର ଅନ୍ତର୍ଭୁକ୍ତ। ପ୍ରତ୍ୟେକ କର୍ମର ମହତ୍ତ୍ୱ ଅଛି ବ୍ୟକ୍ତିର ବିକାଶ ପାଇଁ ଏବଂ ସମାଜର ବିକାଶ ଲାଗି।
କର୍ମରୁ ଆନନ୍ଦ ପାଇବାକୁ ହେଲେ କର୍ମର ପ୍ରଭୁ ହେବାକୁ ପଡିବ ନଚେତ କର୍ମ ହୋଇଯିବ ପ୍ରଭୁ, କର୍ମୀ ହୋଇଯିବ ଦାସ। କର୍ମର ପ୍ରଭୁ ହେବାକୁ ହେଲେ ପ୍ରଥମ କଥାଟି ହେଉଛି ଯାହାକୁ ଯେଉଁ କର୍ମଟି ମିଳିଛି ସେ ତାକୁ ଆନନ୍ଦରେ ଗ୍ରହଣ କରିବ। ତାକୁ ସେ କର୍ମଟି ପ୍ରଦତ୍ତ ହୋଇଛି ବୋଲି ଭାବିବାକୁ ପଡିବ। ସେ କର୍ମକୁ ଖୁସିର ସହିତ ସମ୍ପାଦନ କରିବାକୁ ହେବ। କର୍ମ ହିଁ ବ୍ୟକ୍ତି ଜୀବନର ମାର୍ଗଦର୍ଶୀ ବତିଘର ବୋଲି ମାନିବାକୁ ହେବ। ପ୍ରକୃତରେ ଆଗ୍ରହର ସହିତ ନିଜକୁ ମିଳିଥିବା ଅଥବା ନିଜକୁ ପ୍ରଦତ୍ତ ହୋଇଥିବା କର୍ମର ଯେଉଁ ସନ୍ତୋଷ ମିଳେ ତାହାର ତୁଳନା ନାହିଁ।
ମୁଁ ଆଗରୁ କହିଛି ସମସ୍ତଙ୍କ ଜୀବନରେ ସେ ସୌଭାଗ୍ୟ ଆସେ ନାହିଁ। କାରଣ ସେମାନେ ନିଜ ନିଜର କର୍ମ ଉପରେ ଆଦୌ ସନ୍ତୁଷ୍ଟ ନ ଥାନ୍ତି। ଅମନଯୋଗୀ ହୋଇ ଯାନ୍ତ୍ରିକ ଭାବେ କର୍ମକରି ତହିଁରୁ ଫାଇଦା ଉଠାଇବାରେ ଲାଗିଥାନ୍ତି। ସେମାନଙ୍କ କର୍ମମୟ ଜୀବନ ହୋଇଯାଏ ଯାନ୍ତ୍ରିକ ଶ୍ରମମୟ ଜୀବନ ମାତ୍ର, ଏହା ଅକ୍ଷରେ ଅକ୍ଷରେ ସତ। ଏଇ ଯେମିତି ଜଣେ ପ୍ରକୃତ ଶିକ୍ଷକଙ୍କୁ ଅର୍ଥାତ୍‌ ଯଥାର୍ଥ ଶିକ୍ଷକଙ୍କୁ ଶିକ୍ଷାଦାନରୁ ଯେଉଁ ଆନନ୍ଦ ମିଳେ ତାହାର ତୁଳନା ନାହିଁ। ଅଧ୍ୟାପକଙ୍କୁ ଅଧ୍ୟାପନାରୁ ଯେଉଁ ଆମତ୍ସନ୍ତୋଷ ମିଳେ ତାହା ଅବର୍ଣ୍ଣନୀୟ। ବିନା ପାରିତୋଷିକ ଅଥବା ଦରମାରେ ଚାକିରି କରିବା କଥା ମୁଁ ଆଦୌ କହୁ ନାହିଁ ମାତ୍ର ଦରମାର ଆନନ୍ଦଠାରୁ ପାଠପଢାର ଆନନ୍ଦ ଯେଉଁଠାରେ ଅଧିକ ହୁଏ ସେହି କଥା ଏଠାରେ କୁହାଯାଉଅଛି। ସେ ଆଉ ଏକ ଦିବ୍ୟ ଆନନ୍ଦ ତାହା ସମସ୍ତେ ଜାଣନ୍ତି ନାହିଁ। ଯେଉଁମାନେ ଜାଣନ୍ତି ସେମାନେ ଜାଣନ୍ତି।
ଆଜିକାଲି ସିନା ସରକାରୀ ସ୍ତରରେ ଛାତ୍ରୀଛାତ୍ରଙ୍କ ପାଇଁ ପାଠପଢା କ୍ଷେତ୍ରରେ ଏତେ ସୁବିଧା ହେଲାଣି ମାତ୍ର ଦିନ ଥିଲା ଯେତେବେଳେ ଶିକ୍ଷକମାନେ କେତେକେତେ ଛାତ୍ରୀଛାତ୍ରଙ୍କ ପାଠପଢା ପାଇଁ କେତେ ସୁବିଧା କରି ଦେଉଥିଲେ। ସେମାନଙ୍କ ଆର୍ଥିକ ଅଭାବ ଅସୁବିଧା ଦୂର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲେ। ଏ ତ ଗୋଟିଏ କଥା, ଅସଲ କଥାଟି ହେଉଛି ଶିକ୍ଷାଦାନ ସମୟରେ ଶିକ୍ଷକମାନେ ନିଜକୁ ଭୁଲି ଯାଆନ୍ତି। ଏବେ ମଧ୍ୟ ପାଠପଢ଼ାରେ ମଜ୍ଜିଯିବା ଶିକ୍ଷକ ଅନେକ ଅଛନ୍ତି।
ଡାକ୍ତରୀ ବିଦ୍ୟା ସହିତ ଜନସେବାର ମନୋଭାବ ଅଙ୍ଗାଙ୍ଗୀ ଭାବେ ଜଡିତ। ତେଣୁ ତ ଡାକ୍ତରମାନଙ୍କୁ ଈଶ୍ୱରଙ୍କ ପ୍ରତିନିଧି ବୋଲି କୁହାଯାଏ।
ଆଧିବ୍ୟାଧିର ନିରାକରଣ ସେମାନଙ୍କର ସେବାର ଲକ୍ଷ୍ୟ। ଆଧି ହେଉଛି ମନର ବ୍ୟାଧି ଏବଂ ବ୍ୟାଧି ହେଉଛି ଶରୀରର ବ୍ୟାଧି। ଯାନ୍ତ୍ରିକ ଭାବେ ଔଷଧ ଲେଖି ଦେଲେ ଡାକ୍ତରୀ ବିଦ୍ୟା ସମ୍ପୂର୍ଣ୍ଣ ହୁଏ ନାହିଁ, ଏହା ସହିତ ରୋଗୀର ମନୋବଳ ତଥା ଆମତ୍ବିକାଶ ବଢାଇବା ଦିଗରେ ଯେତିକି ସମ୍ଭବ ସେତିକି ପ୍ରୟାସ ମିଶିବା ଦରକାର। ରୋଗୀର ସେବା ଯେ ଈଶ୍ୱରଙ୍କ ସେବା ଏକଥା ଭାବିବାରେ ଡାକ୍ତରମାନେ ଯେଉଁ ଆମତ୍ସନ୍ତୋଷ ପାଆନ୍ତି ତାହା ଅନ୍ୟ ଡାକ୍ତରମାନେ ପାଆନ୍ତି ନାହିଁ। ଡାକ୍ତରୀ ବିଦ୍ୟା ହେଉଛି ସେବାର ବିଦ୍ୟା। ଚାକିରି ସହିତ ସେବା ମନୋବୃତ୍ତି ମିଶିଲେ ସେ ଡାକ୍ତରମାନେ ଗଭୀର ଆମତ୍ସନ୍ତୋଷ ପାଇଥାନ୍ତି। ସେପରି ଡାକ୍ତରଙ୍କର ଆଜି ମଧ୍ୟ ଅଭାବ ନାହିଁ। ଆଜି ସମଗ୍ର ପୃଥିବୀ ଆତଙ୍କିତ କରୋନାର ପ୍ରଭାବରେ। କରୋନା ଶତ୍ରୁ ରୂପରେ ପୃଥିବୀକୁ ଆକ୍ରମଣ କରୁଛି। ଏତେବେଳେ ଡାକ୍ତରମାନେ, ସେବିକାମାନେ, ସ୍ବାସ୍ଥ୍ୟକର୍ମୀମାନେ, ସଫେଇ କର୍ମୀମାନେ ଅଣ୍ଟାଭିଡି ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇ କରୋନା ସହ ସଂଗ୍ରାମ ଚଳାଇଛନ୍ତି। ତେଣୁ ତ ସେମାନଙ୍କୁ କରୋନା ଯୋଦ୍ଧା ବୋଲି କୁହାଯାଉଛି। କେବଳ ଶିକ୍ଷକ ଅଥବା ଡାକ୍ତର ନୁହନ୍ତି ବ୍ୟବସାୟୀଟିଏ, ଯନ୍ତ୍ରୀଟିଏ, କୃଷକଟିଏ, ଶ୍ରମିକଟିଏ ମଧ୍ୟ ଆମତ୍ସନ୍ତୋଷର ଅଧିକାରୀ ହେବାକୁ ଯୋଗ୍ୟ। କୃଷକ ଭାଇମାନେ କୃଷିକୁ ଜୀବିକା ଅର୍ଜନର ଉପାୟ କରିବା ସହିତ କୃଷିକର୍ମରୁ ଅସୀମ ଆନନ୍ଦ ପାଉଛନ୍ତି। ଶ୍ରମିକ ଭାଇମାନେ ପାରିଶ୍ରମିକ ସହିତ ଶ୍ରମରୁ ସନ୍ତୋଷ ଲାଭ କରନ୍ତି।
ଏ ଲେଖକ ଏମିତି ଲୋକଙ୍କୁ ଦେଖିଛି ଯେ ଅନ୍ୟର ବଗିଚାର ମାଳୀ ମାତ୍ର ଫୁଲଗଛ ଓ ଫୁଲମାନେ ତାଙ୍କର ହାତର ସ୍ପର୍ଶକୁ ଅନାଇଥାନ୍ତି। ମାଳୀ ଜାଣନ୍ତି ଯେ, ସେ ବଗିଚା ତାଙ୍କର ନୁହେଁ, ସେ ବଗିଚାର ମାଲିକ ନୁହନ୍ତି ତଥାପି କର୍ମର ଆନନ୍ଦ ତାଙ୍କୁ ଉତ୍ସାହିତ କରେ, ଉଚ୍ଚାଟିତ କରେ। ଦରମାଠାରୁ ବେଳେ ବେଳେ ଆନନ୍ଦ ବଳାଇଯାଏ, ସେ ଆନନ୍ଦ ପାଇଁ ଭାଷା ନାହିଁ। ତାହା କେବଳ ଅନୁଭବର ବିଷୟ।
ଏମିତି ଲୋକ ଅଛନ୍ତି ଯେଉଁମାନେ ଘରୋଇ ବାସନ ମଜା ଓ ଘର ସଫା ପାଇଁ ବାହାରୁ ଆସନ୍ତି, ସେମାନେ ସେଇ କାମ ଏତେ ଆଗ୍ରହ ସହିତ କରିଥାନ୍ତି ମନେହେବ ସତେ ଅବା ସେମାନେ ନିଜ ଘର କାମ କରୁଛନ୍ତି। କର୍ମରୁ ଆନନ୍ଦର ସ୍ବାଦ ସେମାନେ ଜାଣିଥାନ୍ତି। ଜଗତର ସମସ୍ତ କର୍ମ ପରିପୂର୍ଣ୍ଣତାର ଅପେକ୍ଷାରେ ରହିଛି। ପରିପୂର୍ଣ୍ଣତାର ପ୍ରୟାସୀ ସେହି ରଥକୁ ଟିକିଏ ଆଗକୁ ନେବାର ଦାୟିତ୍ୱ ପ୍ରତ୍ୟେକ କର୍ମୀ ହାତରେ ପ୍ରଦାନ କରାଯାଇଛି। ପାରିଶ୍ରମିକ ଅଥବା ପାରିତୋଷିକ ସହିତ ଆଗ୍ରହ ମିଶାଇ ଯଦି କର୍ମଟି କରାଯାଏ, ତେବେ ସେ ରଥର ଗତି ତ୍ୱରାନ୍ବିତ ହେବ। ପ୍ରତ୍ୟେକ କର୍ମର ପରିପୂର୍ଣ୍ଣତା ଆସିବ। ବ୍ୟକ୍ତି ଆନନ୍ଦ ପାଇବା ସହିତ ସମାଜ ସମୃଦ୍ଧ ହେବ ଏବଂ ସାର୍ବଜନୀନ ବିକାଶ ସମ୍ପୂର୍ଣ୍ଣ ହେବ ା
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର
ମୋ-୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା ଦେବଗୁରୁ ବୃହସ୍ପତି ଆଜି ଭୋର ୫ଟା ୧୭ରେ ବିଛାରାଶିରୁ ମୂଳା ନକ୍ଷତ୍ର ଧନୁ ରାଶିକୁ ଚଳିଛନ୍ତି। ଏହା ପୂର୍ବରୁ ସେ ୨୨ା୦୪ା୧୯ ରାତ୍ରି...

ଏଇ ଭାରତରେ

ଜଣେ ଅପରାଧୀଙ୍କ ଜୀବନରେ ଆସିଥିବା ଅବିଶ୍ୱସନୀୟ ପରିବର୍ତ୍ତନ ଓ ତାଙ୍କ ନିଆରା ସେବା ସମାଜ ପାଇଁ ବାସ୍ତବ ପ୍ରେରଣାଦାୟକ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ...

ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ବନାମ କୋଭିଡ୍‌-୧୯

ନଟବର ଖୁଣ୍ଟିଆ ମହାତ୍ମା ଗାନ୍ଧୀ କେବଳ ଭାରତକୁ ବ୍ରିଟିଶ୍‌ ଶାସନରୁ ମୁକ୍ତ କରିବା ପାଇଁ ଅହିଂସା ମାର୍ଗରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥିଲେ,...

ବିଦ୍ୟୁତ୍‌ ବିଲ୍‌କୁ ବିରୋଧ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦିଲ୍ଲୀରେ ଚାଲିଥିବା କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ପକ୍ଷରୁ ତିନୋଟି କୃଷି ଆଇନର ପ୍ରତ୍ୟାହାର ବ୍ୟତୀତ ପ୍ରସ୍ତାବିତ ବିଦ୍ୟୁତ୍‌ ଆଇନ (ସଂଶୋଧନ) ବିଲ୍‌ -୨୦୨୦କୁ...

ରାସ୍ତାର ଦୁଇ ପାଖ

ପ୍ରକାଶ ତ୍ରିପାଠୀ ରାଜଧାନୀର ଏକ ଓସାରିଆ ରାସ୍ତା। ରାସ୍ତାର ଗୋଟିଏ କଡେ ଧାଡ଼ିହୋଇ ଲମ୍ବିଛି ଭିନ୍ନ ଭିନ୍ନ ଡିଜାଇନର ଆଧୁନିକ କୋଠା। ସମ୍ଭ୍ରାନ୍ତ, ଆଭିଜାତ୍ୟ ଓ...

ନିର୍ବାଚନୀ ଚାଲ୍‌

ବିଗତ କିଛି ମାସ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ପେଟ୍ରୋଲ...

ସାମୁଦ୍ରିକ ପ୍ରଳୟ

ବାଦଲ ଭୂୟାଁ   ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍‌ବେଗର କାରଣ ହେଲାଣି। ବାୟୁମଣ୍ଡଳରେ ଗ୍ରୀନ୍‌ ହାଉସ...

ନିର୍ଭୀକ ବିଚାରପତି

ଆମେରିକୀୟ ସଂଘୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଅଦାଲତ ହେଉଛି ସୁପ୍ରିମକୋର୍ଟ ଅଫ୍‌ ଦି ୟୁନାଇଟେଡ୍‌ ଷ୍ଟେଟ୍ସ (ଏସ୍‌ସିଓଟିୟୁଏସ୍‌)। ସମସ୍ତ ସଂଘୀୟ କୋର୍ଟର ଶୀର୍ଷ ଅପିଲ୍‌ ଅଦାଲତ ହୋଇଥିବାରୁ...

Advertisement
Archives

Model This Week