ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ବି ସରକାର ଚଳାଉଥିଲାବେଳେ ସେମିତି କିଛି ନାରା ଦେଉଥିଲା – ଗରିବି ହଟାଓ, ଦେଶ୍‌ ବଚାଓ, କଂଗ୍ରେସ୍‌କା ହାତ୍‌ ଆମ୍‌ ଆଦ୍‌ମୀକେ ସାଥ୍‌। ସରକାରଙ୍କ କିଛି ବିଫଳତା ଥିଲେ ତହିଁରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏହା ଏକ ଏକ ପ୍ରୟାସ। ଅନ୍ତର୍ନିହିତ ରହିଥାଏ ପାର୍ଟିକା ବିକାଶ୍‌ ଯାହା ଚାହେଁ ସିଭିଲ୍‌ ସର୍ଭିସ୍‌ କା ବିନାଶ୍‌। ରାଜନୈତିକ ଦଳର ବିକାଶ ପ୍ରଶାସନିକ ବାଧା ଚାହେଁ ନାହିଁ। ରୁଲ୍‌ ଅଫ୍‌ ଲ (ଆଇନର ଶାସନ) ଚାଲିବାର ପୁରୋଧା ହେଉଛନ୍ତି ଏକ୍‌ଜିକ୍ୟୁଟିଭ୍‌ ଶାଖାର ସ୍ଥାୟୀ କର୍ମଚାରୀମାନେ। ନିର୍ବାଚିତ ପ୍ରତିନିଧିମାନେ ଗଢ଼ିଥିବା ମନ୍ତ୍ରିମଣ୍ଡଳ ଏକ୍‌ଜିକ୍ୟୁଟିଭ୍‌ ହେଡ୍‌ ହୋଇଥିଲେ ବି ସେମାନଙ୍କ ଦୃଷ୍ଟି ୫ ବର୍ଷ ଭିତରେ ସୀମିତ ଓ ଆଉ ଥରେ ୫ ବର୍ଷ ପାଇଁ ଆସିବାକୁ ଆକୁଳ। ତେଣୁ ଥରେ ରୁଲିଂ ପାର୍ଟି ହୋଇଗଲେ ଦଳ ଚାହେଁ ସବୁଦିନେ ଶାସନରେ ରହିବାକୁ, ଅର୍ଥାତ୍‌ ପାର୍ଟିର ବିକାଶ। ତେଣୁ ଚାହେଁ ତହିଁରେ ବାଧା ସୃଷ୍ଟିକରୁଥିବା ସାମ୍ବିଧାନିକ ସ୍ବୀକୃତି ତଥା ସାମର୍ଥ୍ୟ ପାଇଥିବା ସିଭିଲ୍‌ ସର୍ଭିସ୍‌ର (ଭୂମିକାର) ବିନାଶ। ନ୍ୟାୟାଳୟର ଯାହା ରୋକିବାର କ୍ଷମତା ଅଛି ତାହା ବି ସିଭିଲ୍‌ ସର୍ଭିସ୍‌ର କର୍ମଚାରୀମାନେ କରିଥାନ୍ତି। ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତି ଜାରିକରିବା ମୂଳରେ ଥିଲା ଇନ୍ଦିରାଙ୍କୁ ଗାଦିରେ ରଖିବା। ତେଣୁ ବିରୋଧ କରୁଥିବା ବା ବିରୋଧ କରିବାର ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଜେଲରେ ରଖିବା ଦରକାର, ତାହା ବି ସିଭିଲ୍‌ ସର୍ଭିସ୍‌ର କର୍ମଚାରୀମାନେ କରିଥାନ୍ତି। ଆଗେ ଦଳର ଲୋକଙ୍କ ପାଟି ବନ୍ଦ କରିବାକୁ ହେଲେ ଦରକାର ସେମାନଙ୍କୁ ଦଳର କର୍ମଚାରୀ ଭଳି ଦେଖିବାର ଆଇନ କରିବା। ଆମ ସମ୍ବିଧାନର ପ୍ରଣେତାମାନେ ପଲିଟିକାଲ ପାର୍ଟି ଶବ୍ଦ ଦୁଇଟିକୁ ସମ୍ବିଧାନରେ ପୂରାଇ ନ ଥିଲେ। ରାଜନୈତିକ ଦଳଗୁଡ଼ିକର ଆଇନଗତ ସ୍ଥିତି ନ ଥିଲା। ଅତ୍ୟଧିକ ସଂସଦୀୟ ଆସନ ପାଇ ୧୯୮୪-୮୫ରେ କଂଗ୍ରେସର ରାଜୀବ ଗାନ୍ଧୀ ଓ ୨୦୦୩ରେ ଭାଜପାଚାଳିତ ନ୍ୟାଶନାଲ ଡିମୋକ୍ରାଟିକ୍‌ ଆଲାଏନ୍ସର ଅଟଳ ବିହାରୀ ବାଜପେୟୀ ପଲିଟିକାଲ ପାର୍ଟିକୁ ଆଇନଗତ ପରିଚୟ ଦେଲେ। ୨୦୦୩ର ସମ୍ବିଧାନ ସଂଶୋଧନ ଆଇନ ନୂଆ ଦଳ ତିଆରି କଲା। ବିଜୟୀ ପ୍ରତିନିଧିମାନେ ସଭାଗୃହରେ ଶପଥ ନେଲା କ୍ଷଣି ଲେଜିସ୍‌ଲେଟିଭ୍‌ ପାର୍ଟିର ମେମ୍ବର ହେଲେ ବୋଲି ଧରାଗଲେ, ପାର୍ଟିର ସର୍ବୋଚ୍ଚ ନେତା/ନେତ୍ରୀଙ୍କ ଅଧସ୍ତନ କର୍ମଚାରୀ ଭଳି ରହିଲେ, ପାର୍ଟିରୁ ନିଲମ୍ବନ, ନିର୍ବାଚିତ ଆସନରୁ ବହିଷ୍କାର ଭଳି ଦଣ୍ଡ ପାଇବାର ବ୍ୟବସ୍ଥା ରହିଲା। ଲୋକଙ୍କ ଭୋଟ ଆଉ ନିର୍ବାଚନ ପ୍ରକ୍ରିୟା ଏକ ପ୍ରହସନ ବା ଉତ୍ସବ ହୋଇଗଲାଣି। ତାଙ୍କୁ ଆଗରୁ କେବେ ଦେଖି ନ ଥିବା ଭୋଟରମାନେ ପ୍ରତିନିଧି ରୂପେ ବାଛିବେ, କାରଣ ପଲିଟିକାଲ୍‌ ପାର୍ଟି ମନୋନୀତ କରିଛି (ଭୋଟରମାନେ ନୁହେଁ)। ପୁଣି ତାହାର ନିର୍ବାଚନ ବାବଦରେ ଯାହା କିଛି ପାର୍ଟି ଖର୍ଚ୍ଚ କରିବ ତାହା ପ୍ରାର୍ଥୀର ନିଜ ନିର୍ବାଚନୀ ଖର୍ଚ୍ଚ ଭିତରେ ଗଣାଯିବ ନାହିଁ। ପୁଣି ଜିତିଲେ ଯେତେ ବେତନ ପାଇବ ତା’ଠାରୁ ବେଶି ଖର୍ଚ୍ଚ କରିପାରିବ। ଯେପରି ଜଣେ ଏମ୍‌ପି ୫ ବର୍ଷରେ ୬୦ ଲକ୍ଷ ଟଙ୍କା ବେତନ ପାଇବାର ଥିଲେ ବି ସେ ନିର୍ବାଚନ ପ୍ରଚାରରେ ୯୦ ଲକ୍ଷ ଖର୍ଚ୍ଚ କରିପାରିବେ – ଅର୍ଥାତ୍‌ ପଲିଟିକାଲ ପାର୍ଟିର ନେତାମାନଙ୍କୁ ଆଜନ୍ମ ଭ୍ରଷ୍ଟାଚାରୀ ହେବାର ଆଇନଗତ ପ୍ରାବଧାନ ହୋଇଯାଇଛି।
ନିର୍ବାଚନ ପରେ ଦଳ କ୍ଷମତାକୁ ଆସିଲା କ୍ଷଣି ସିଭିଲ୍‌ ସର୍ଭିସ୍‌କୁ ପଲିଟିକାଲ ସର୍ଭିସ୍‌ ବୋଲି ଧରିନେଉଛନ୍ତି, ଆଗ ଦଳର ଲୋକ ବୋଲି କହି ଗଣ୍ଡା ଗଣ୍ଡା ଅଫିସରଙ୍କୁ ବଦଳି କରୁଛନ୍ତି, କାରଣ ଅମୁକ ଅମୁକ ଅଫିସର ଆମ ଲୋକ ନୁହେଁ। ଚାକିରିରେ ଥିବା ବେଳେ ଆମର କାମ କର ବୋଲି ଜଣାଇ ଦେଉଛନ୍ତି। ପୂର୍ବ ସରକାର(ଦଳ)ର ନେତାଙ୍କ ଦ୍ୱାରା ବଛା ପୋଷ୍ଟରେ ଥିବାରୁ ଏଥର (ସେମାନଙ୍କ ଦୃଷ୍ଟିରେ) ବାଜେ ପୋଷ୍ଟରେ ବସେଇ ଦେଉଛନ୍ତି।
ଲେଜିସ୍‌ଲେଟିଭ୍‌, ଏକ୍‌ଜିକ୍ୟୁଟିଭ୍‌ ଓ ଜୁଡିସିଆରି ଭଳି ସରକାରର ୩ ଶାଖା ଭିତରେ ଛକାପଞ୍ଝା ରହିଲେ ଗଣତନ୍ତ୍ର ସଫଳ ହୁଏ ବୋଲି ସେମାନଙ୍କ ଭିତରେ ଚାକିରି କାଳରେ ସଲାସୁତରାକରି ଗୋଟିଏ ଶାଖାରୁ ଚାକିରି ଛାଡ଼ି ଆଉ ଗୋଟିଏ ଶାଖାକୁ ଯିବା ଉଦ୍ୟମ କରିବା ବ୍ୟକ୍ତିଙ୍କ ଉପରେ ବ୍ୟବଧାନ-କାଳ (କୁଲିଂ ଅଫ୍‌ ପିରିଅଡ୍‌) ପ୍ରାୟ ୨ ବର୍ଷ ରଖାଯାଉଥିଲା। ୨୦୨୪ ନିର୍ବାଚନ ପ୍ରାକ୍‌ କାଳରେ କେନ୍ଦ୍ର ସରକାର ଏ ପ୍ରତିବନ୍ଧକ ଉଠାଇଦେଇଛନ୍ତି। ଏବେ ଆଉ କୁଲିଂ ଅଫ୍‌ ପିରିଅଡ୍‌ ନାହିଁ। ତା’ମାନେ ଚାକିରି କାଳରେ ରାଜନୈତିକ ଦଳ ପ୍ରତି ଢଳିବାର ପୁରସ୍କାର ମିଳିବା ନିଶ୍ଚିତ ହୋଇଯାଇଛି। ଉଭୟ ପ୍ରଶାସନିକ ଓ ନ୍ୟାୟିକ ଅଧିକାରୀମାନେ ପଲିଟିକାଲ ପାର୍ଟି ଆଡ଼େ ଢଳିବା ସହଜ ଓ ନିରାପଦ ହୋଇଯାଇଛି। ନିଜ ଉପରେ ବିପଦ ଆସୁଥିବା ଲକ୍ଷ୍ୟକଲେ ଅଧିକାରୀ ଜଣକ ଶାସକ ଦଳ ଆଡ଼କୁ ଢଳିବା, ସରକାରୀ କାର୍ଯ୍ୟ ସମ୍ପୃକ୍ତ ଦଳର ସ୍ବାର୍ଥରେ କରିବା ସହଜ ହୋଇଯାଇଛି ଏବଂ ଆଗକୁ ଭଲ ପୋଷ୍ଟ ପାଇହେବ, ଅନ୍ତତଃ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପୋଷ୍ଟ ମିଳିଯାଇପାରେ। ବିରୋଧୀ ଦଳର ଟାଣୁଆ ନେତାଙ୍କ ଉପରେ ଭିନ୍ନ ଭିନ୍ନ ଆର୍ଥିକ ଅପରାଧ ଚିନ୍ତା ଲଦି ଦେଲେ ଇଡି, ସିବିଆଇର ଚଢ଼ାଉ ଭୟ ଦେଖାଇ ବା ପ୍ରିଭେନ୍ସନ ଅଫ୍‌ ମନି ଳଣ୍ଡରିଂ ଆକ୍ଟ ବଳରେ କୌଣସି ପଲିଟିକାଲ ପାର୍ଟିର ପୁରୁଖା ମେମ୍ବରକୁ, ବଡ଼ ବଡ଼ ପ୍ରଶାସନିକ ଅଧିକାରୀଙ୍କୁ, ଏପରି କି ବିଚାରବିଭାଗୀୟ ଅଧିକାରୀଙ୍କୁ ନିଜ ଆଡ଼କୁ ଟାଣି ଆଣିବାର ପରିସ୍ଥିତି ଏବକାର ସରକାର କରିସାରିଲେଣି। ରାଜନୈତିକ ଦଳର ସର୍ବୋଚ୍ଚ ନେତାଙ୍କ ବ୍ୟକ୍ତିତନ୍ତ୍ର (ଅଟୋକ୍ରସି)ର ହାୱା ଅନୁଭୂତ ହେଲାଣି। ଦଳର ବିକାଶ ନାଁରେ ସର୍ଭିସେସ୍‌ର ବିନାଶ ଆରମ୍ଭ ହୋଇଯାଇଛି। ଆମ ସମ୍ବିଧାନର ସର୍ଭିସେସ୍‌ ନାମକ ଚତୁର୍ଦ୍ଦଶ ପାର୍ଟ ଆଳଙ୍କାରିକ ହୋଇଯିବ।
ଯେଉଁ ଯୁକ୍ତରାଷ୍ଟ୍ର ଆମେରିକାକୁ ଆମେ ଆଦର୍ଶ ସ୍ଥାନୀୟ ଗଣତନ୍ତ୍ର ଶାସନର ଉଦାହରଣ ଦେଉଥିଲୁ ସେଠାରେ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ କାଳରେ ଏକ୍‌ଜିକ୍ୟୁଟିଭ୍‌ ଶାଖାର ମୁଖ୍ୟ ସରକାରର ଅନ୍ୟ ଦୁଇ ଶାଖାକୁ ନୂ୍ୟନ କରିଦେଲେଣି। ଲେଜିସ୍‌ଲେଚର (କଂଗ୍ରେସ) କରୁଥିବା ଆଇନକୁ ଟ୍ରମ୍ଫ ମାନୁନାହାନ୍ତି, ବିଚାରାଳୟ (ଫେଡେରାଲ କୋର୍ଟ)ମାନଙ୍କ ରାୟକୁ ବଦଳାଇବାକୁ ଚାପ ପକାଉଛନ୍ତି। ବିଚାର ବିଭାଗକୁ ନିଜର କାମ କରିବାକୁ କହୁଛନ୍ତି, ଫେଡେରାଲ ରିଜର୍ଭ ବ୍ୟାଙ୍କ ଭଳି ଷ୍ଟାଚୁଟୋରି ଅଥରିଟିକୁ କେବଳ ବରଖାସ୍ତର ଭୟ ଦେଖାଉନାହାନ୍ତି କେତେ ଜଣ ମେମ୍ବରଙ୍କୁ ଧମକ ଦେଉଛନ୍ତି। ନର୍ଥ କୋରିଆରେ ଯେପରି ଶାସ୍ତି ପାଉଥିବା ଲୋକର ପରିବାରକୁ ବି ଦଣ୍ଡ ଦିଆଯାଏ, ସେହିପରି ବ୍ୟବହାର ଟ୍ରମ୍ଫ ଦେଖାଉଛନ୍ତି। ସିଭିଲ୍‌ ସର୍ଭିସ୍‌ର ଶ୍ରୀମତୀ କମୀ ନାମକ ଜଣେ ଆଟର୍ନିଙ୍କୁ ସେ ବିନା କାରଣରେ ଛଟେଇ କରିବାରୁ କମୀ ନାଲିସ୍‌ କଲେ ବୋଲି ଟ୍ରମ୍ଫ ତାଙ୍କ ବାପା ଅବସରପ୍ରାପ୍ତ ଏଫ୍‌ବିଆଇ ଡାଇରେକ୍ଟରଙ୍କ ନାଁରେ ଏକ କ୍ରିମିନାଲ କେସ୍‌ କରିଛନ୍ତି ଏବଂ ଏପରି ଜଣେ କ୍ରିମିନାଲର ପିଲା ହିସାବରେ ସେ ଫେଡେରାଲ ଚାକିରିରେ ରହିବା ଅନୁଚିତ ବୋଲି କହୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ତାଙ୍କୁ ଧାରା ୨ରେ ଏକ୍‌ଜିକ୍ୟୁଟିଭ୍‌ ଶାଖାର ସର୍ବମୟ ମାଲିକ କରିଦେଇଛି, ଫେଡେରାଲ ସିଭିଲ୍‌ ସର୍ଭିସ୍‌ ତାଙ୍କର ପଲିଟିକାଲ୍‌ ସର୍ଭିସ୍‌, ଆଗକାଳର ସ୍ପଏଲ୍ସ ସିଷ୍ଟମ୍‌ ଭଳି। ୧୮୮୦ ଦଶକର ପ୍ରଥମାର୍ଦ୍ଧ ଯାଏ ଯିଏ ରାଷ୍ଟ୍ରପତି ହେଉଥିଲା ସେ ତାଙ୍କର ନିଜ ଲୋକଙ୍କୁ, ଅତି ବେଶି ହେଲେ ନିଜ ଦଳର ଲୋକଙ୍କୁ ସରକାରୀ କର୍ମଚାରୀ କରିଦେଉଥିଲେ। ୧୮୮୩ରେ ପେଣ୍ଡେଲଟନ୍‌ ସିଭିଲ୍‌ ସର୍ଭିସ୍‌ ଆଇନ ପାରିତ ହେଲା ପରେ ଯୋଗ୍ୟତା ଆଧାରରେ ଅଧିକାରୀମାନ ନିଯୁକ୍ତ ହେଲେ, କେବଳ ମନ୍ତ୍ରୀ ସୁଲଭ କାମ କରୁଥିବା ସେକ୍ରେଟାରି ପଦର ଅଧିକାରୀମାନଙ୍କ ନିଯୁକ୍ତି ପଲିଟିକାଲ ରହିଲା। ଗଣତନ୍ତ୍ରର ସୂଚକ ନିର୍ବାଚନ ମାଧ୍ୟମରେ ଦେଶର କର୍ଣ୍ଣଧାର ହୋଇ ଗଣତନ୍ତ୍ରର ଗଳା ଚିପିବା ଉଦାହରଣ ଆମେ ଯେପରି ନ ଶିଖୁ!

ସହଦେବ ସାହୁ

-sahadevas@yahoo.com

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri