ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ ଛାତି ଫୁଲାଇ, ମୁଣ୍ଡ ଉଠାଇ ସଗର୍ବେ ଛିଡ଼ାହୁଏ। କାହିଁକି ମୁଣ୍ଡ ଉଠାଇ ଛିଡ଼ା ହେବି ନାହିଁ? ମୁଁ ଜନ୍ମରେ ନୁହଁ, କର୍ମରେ ହିଁ ବିଶ୍ୱାସ କରେ। କେତେ କେତେ ସଭ୍ୟତା ମୋ ପାଇଁ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷରେ ତିଷ୍ଠି ରହିଛି। ମୁଁ ଆକାଶ ସହ ଯୋଡ଼ି ହୋଇ ମାଟିର ଧୂସର ପିଠିରେ ସବୁଜିମାର ଧାଡ଼ି ଧାଡ଼ି କବିତା ଲେଖେ। ମୋ ଦେହ ଛୁଇଁ ମେଘ ଲେସି ହୋଇ ଗଲା ବେଳେ ମୋ ପାଦଦେଶର ତୃଷିତ ଟାଙ୍ଗରା ଭୂଇଁ କଥା ମୋର ମନେପଡ଼ିଯାଏ। ମୁଁ ଅନେକ ଝଡ଼କୁ ସାମ୍ନା କରେ, କିନ୍ତୁ ଭାଙ୍ଗି ଯାଏ ନାହିଁ। ମୋର ଉତୁଙ୍ଗତା ନୁହଁ, ଅଟଳତା ହିଁ ଝଡ଼କୁ ସାମ୍ନା କରେ। ଆଉ ତାକୁ ପ୍ରତିରୋଧ କରି ଆକାଶରୁ ବର୍ଷା ଝରାଏ। ତୃଷିତ ଧରଣୀକୁ ପ୍ଳାବିତ କରି ସବୁଜିମାର କବିତା ଲେଖେ। ମୋ ଦେହରେ ଗୋଟିଏ ପରିସଂସ୍ଥାକୁ ଖୁବ୍ ଯତ୍ନରେ ମୁଁ ପାଳିଥାଏ। କେତେ ପ୍ରକାରର ଜୀବଜନ୍ତୁ ନିର୍ବିଘ୍ନରେ ବିଚରଣ କରନ୍ତି। ଶାଳ, ପିଆଶାଳ, ଓକ, ଶିଶୁ, ଶାଗୁଆନ, ଦେବଦାରୁ ଇତ୍ୟାଦି ବିଶାଳ ବୃକ୍ଷ ନିଜର ବାହୁ ପ୍ରସାରି ନିରନ୍ତର ବିଷାକ୍ତ ଅଙ୍ଗାରକାମ୍ଳକୁ ଜୀବନଦାୟିନୀ ଅମ୍ଳଜାନରେ ରୂପାନ୍ତରିତ କରିବାର ମନ୍ତ୍ର ଗାଉଥାନ୍ତି। ଔଷଧୀୟ ବୃକ୍ଷ, ଗୁଳ୍ମରେ ମୁଁ ଆବହମାନ କାଳରୁ ପରିପୂର୍ଣ୍ଣ। ଇତିହାସର ପୃଷ୍ଠା ଲେଉଟାଇଲେ, ରାମାୟଣର ହନୁମାନଙ୍କ ବିଶଲ୍ୟକରଣୀର ସନ୍ଧାନଠାରୁ ଆରମ୍ଭ କରି ମୁନିଋଷିଙ୍କର ସମସ୍ତ ଜୀବନରକ୍ଷକ ଔଷଧର ସନ୍ଧାନ, ମୁଁ ଧାରଣ କରିଥିବା ପରିସଂସ୍ଥାରୁ ହିଁ ମିଳିଛି।
ମୁଁ ବୁଢ଼ା ଡଙ୍ଗର। ଦେହସାରା ମୋର କର୍କଶ ଶିଳାଖଣ୍ଡ। ମୋର ପଥୁରିଆ ଦେହ ଫଟାଇ କିନ୍ତୁ ଛନ୍ଦମୟୀ ପାହାଡ଼ୀ ଝରଣାଟିଏ ବୋହିଯାଏ। କଳକଳ ଗୀତ ଗାଇ, ନାଚି ନାଚି ଅନ୍ୟ ଜଳଧାର ସହ ମିଶି ଶରୀରକୁ ପୃଥୁଳ କରି ନଦୀରେ ପରିଣତ ହୁଏ। ମୁଁ ଡଙ୍ଗର। ମୁଁ ପାହାଡ଼। ମୁଁ ଉତ୍ତୁଙ୍ଗ। ମୁଁ ବିଶାଳ। ମୋର ଏହି ଗର୍ବ, ଅହଙ୍କାରର ବଡ଼ ବଡ଼ ପଥର ସବୁ ଖଞ୍ଜିଦେଇଛି ମୁଁ ମୋ ଦେହରେ। କିନ୍ତୁ ସେଇ ପଥରଖଣ୍ଡକୁ ନଈ ତା’ର ପ୍ରଖର ସ୍ରୋତରେ ଗଡ଼ାଇ ଗଡ଼ାଇ ଚୂନା କରିଦିଏ। ଆଉ ସେଇପଟୁ ବାଲିର ଶେଯକୁ ବିଛାଇଦିଏ ସମତଳ ଭୂମିରେ। ଭୂମି ହୁଏ ଉର୍ବରା। ସୁଫଳା। ସେଇ ଭୂଇଁରେ ଲହଡ଼ି ଭାଙ୍ଗେ ଶସ୍ୟ। ମୁଁ ପରିତୃପ୍ତିରେ ତରଳିଯାଏ। ମୋ ଦେହରେ ଜମିଥିବା ବରଫ ଖଣ୍ଡ ତରଳି ଯାଇ ନଈକୁ ଚିରସ୍ରୋତା କରେ। ମୁଁ ବୁଢ଼ା ଡଙ୍ଗର। ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ। ସେ ଗିରିଗୋବର୍ଦ୍ଧନ ହେଉ କି ବିଶାଳ ହିମାଳୟ। ବୁଢ଼ା ବାପଟିଏ ଯେମିତି ଅଣ୍ଟା ନଇଁଗଲେ ବି ଘରର ସୁରକ୍ଷାକବଚ ହୋଇ ଛିଡ଼ା ହୋଇଥାଏ, ଠିକ୍ ସେମିତି ଗୋଟିଏ ଭୂଭାଗକୁ ମୁଁ ଜଗିଥାଏ। କେବେ ବିଦେଶୀର ଆକ୍ରମଣରୁ ତ କେବେ ପ୍ରତିକୂଳ ଜଳବାୟୁରୁ। ଭୌଗୋଳିକ ଆଉ ସାମାଜିକ ସୁରକ୍ଷାରେ ଗୋଟିଏ ଜାତିର ବିକାଶ ହୁଏ ନାହିଁ, ଯେ ପର୍ଯ୍ୟନ୍ତ ତାହାର ଅର୍ଥନୈତିକ ପରିପୁଷ୍ଟି ନ ଘଟିଛି। ଏତିକି ମୁଁ ବୁଝେ ବୋଲି ତା’ ହାତରେ ଭେଟିଦିଏ ଲୁହା, ତମ୍ବା, ମାଙ୍ଗାନିଜ୍, ସୁନା ରୁପା, କୋଇଲା ଭଳି ବିଭିନ୍ନ ଧାତୁ ଅଧାତୁର ଖଣିଜ ଦ୍ରବ୍ୟ, ଯାହା ଗୋଟିଏ ସଭ୍ୟତାକୁ ବିକାଶୋନ୍ମୁଖୀ କରାଇଥାଏ। ଭେଟିଦିଏ ଝୁଣା, ମହୁ, ଲାଖ, କାଠ ଇତ୍ୟାଦି ବହୁମୂଲ୍ୟ ବନଜାତ ଦ୍ରବ୍ୟ, ଯାହାକୁ ଜୀବିକାର ଆଧାର କରି ଜନଜାତି ବାସିନ୍ଦାମାନେ ନିଧଡ଼କ ଜୀବନ ଜିଅନ୍ତି। ପାଦରେ ପାଦ ଛନ୍ଦି ନାଚି ଉଠନ୍ତି ମୋରି କୋଳରେ। ମୋର ଶାନ୍ତ ସୁଶୀତଳ, ସମସ୍ତ ପ୍ରଦୂଷଣରୁ ମୁକ୍ତ ପରିବେଶ ଏକ ନୈସର୍ଗିକ ଶାନ୍ତି ପ୍ରଦାନ କରେ। ସେଇଥିପାଇଁ ତ ଦେବତାମାନେ ସ୍ବର୍ଗଭୂମି ଛାଡ଼ି ମୋତେ ହିଁ ଚୟନ କରନ୍ତି।
ଶୁଣିଥିଲି ଗୋଟିଏ କଥା। କୁରାଢ଼ିଗୁଡ଼ିକ ଗଛ କାଟୁ ଥାଆନ୍ତି। ଜଙ୍ଗଲ ସବୁ ସରି ସରି ଆସୁଥାଏ। ଜଙ୍ଗଲରେ ଭାଳେଣି ପଡ଼ିଲା। ନେତା ଜଣଙ୍କୁ ବାଛିବାକୁ ପଡ଼ିବ ଜଙ୍ଗଲର ସୁରକ୍ଷା ପାଇଁ। ଜଙ୍ଗଲରେ ନେତା ଚୟନ ପାଇଁ ବୈଠକ ବସିଲା। ଗଛଗୁଡ଼ିକ କୁରାଢ଼ିକୁ ଭୋଟ ଦେଲେ। କାହିଁକି ନା କୁରାଢ଼ିର ବେଣ୍ଟଟି ଗଛର କାଠରେ ତିଆରି ଥିଲା। ସେମାନଙ୍କୁ ତେଣୁ କୁରାଢ଼ିଟି ନିଜର ନିଜର ଲାଗୁଥିଲା। କିନ୍ତୁ ସେମାନଙ୍କୁ କ’ଣ ଜଣାଥିଲା ଅଣ୍ଟି ଛୁରି ତଣ୍ଟି କାଟେ। ମୋ ଦୁର୍ଦ୍ଦଶା ଠିକ୍ ସେହିପରି। ମାନବ ଜାତିର କଲ୍ୟାଣରେ ମୁଁ ନିଗାଡ଼ିଦିଏ ନିଜକୁ। କିନ୍ତୁ ସ୍ବାର୍ଥାନ୍ଧ ମଣିଷ ମୋ’ ବିନାଶରେ ଲିପ୍ତ। ଛୋଟ ଛୋଟ ଡଙ୍ଗର ସବୁ ମୁଷ୍ଟିମେୟ ଲୋକ, ରାଜନୀତି ଓ ଲୋଭର ପଶାପାଲିରେ ବିକ୍ରି ହୋଇଯାଏ। ରାତାରାତି ମୋ ଭାଗ୍ୟ ପେଷି ହୋଇଯାଏ କ୍ରଶର ମେଶିନରେ। ଏମିତି କେତେ ଯେ ଡଙ୍ଗର ଆଜି ନିଶ୍ଚିହ୍ନ ତାହାର ହିସାବ ହୁଏତ ଅସହାୟ ଜନଜାତିର ପେଯୁଆ ଆଖି ହିଁ କହିପାରିବ। ମଣିଷର ସ୍ପର୍ଦ୍ଧା କ’ଣ ଖାଲି ଛୋଟଛୋଟ ଡଙ୍ଗରକୁ ଗିଳିପାରେ? ନା। ବଡ଼ବଡ଼ ପର୍ବତ ମାଳାକୁ ମଧ୍ୟ ଧରାଶାୟୀ କରେ। ବଢ଼ୁଥିବା ଜନସଂଖ୍ୟାର ଚାହିଦା ପୂରଣ ପାଇଁ, ଖଣିଖନନ, ଜଙ୍ଗଲ କ୍ଷୟ, ସୁଡ଼ଙ୍ଗ ଓ ରାସ୍ତାଘାଟ ନିର୍ମାଣ, ପର୍ଯ୍ୟଟକମାନଙ୍କ ପାଇଁ ମୋ ବକ୍ଷରେ ଅଟ୍ଟାଳିକା ନିର୍ମାଣ, ଗୃହ ନିର୍ମାଣ ପାଇଁ ପଥର ବିସ୍ଫୋରଣ ଇତ୍ୟାଦି ଅବାଧରେ କରିଚାଲେ। ମଣିଷ ଭାବେ ମୋ ଛାତି ତ ପଥରରେ ତିଆରି। ମୋତେ କ’ଣ କଷ୍ଟ ହେବ? ମୁଁ ତ ଅଟଳ। ମୁଁ କ’ଣ ଦୁର୍ବଳ ହେବି? କିନ୍ତୁ ମୁଁ ବି ଭାଙ୍ଗେ। ମୁଁ ବି ଧୀରଧୀରେ ଦୁର୍ବଳ ହୁଏ। ମୋର ଅନିଚ୍ଛା ସତ୍ତ୍ବେ ବି ଭୂସ୍ଖଳନ ହୋଇ ଖସିପଡ଼େ ମୋ ଶରୀର। ମନୁଷ୍ୟକୃତ କାର୍ଯ୍ୟ ଯୋଗୁ ବିଶ୍ୱତାପନ ବୃଦ୍ଧି ହୁଏ। ତରଳିଯାଏ ମୋର ମହମ ଦେହ। ମୁଁ ନିଜକୁ ନିଜେ ଧରି ରଖିବାର ସ୍ପର୍ଦ୍ଧା, ମୋର ଶତ ଚେଷ୍ଟା ସତ୍ତ୍ୱେ ହୁଗୁଳିଯାଏ ଦିନକୁ ଦିନ। ସେ ରସୁୱା, ଉତ୍ତରାଖଣ୍ଡ ହେଉ ବା ୱାଇନାଡ୍ ହେଉ। ଯେତେ ପର୍ଯ୍ୟଟନ, ସେତେ ନିର୍ମାଣ। ଆଉ ଯେତେ ନିର୍ମାଣ, ସେତେ ଦୁର୍ଦ୍ଦିନ। କେତେ ଧନ ଜୀବନ, କୋଠାବାଡ଼ି, ଐତିହ୍ୟ କ୍ଷଣକରେ ନିଶ୍ଚିହ୍ନ ହୋଇଯାଏ। ମଣିଷର ମେଶିନ ଯେତେବେଳେ ମୋ ଛାତିକୁ ବିଦାରୁଥାଏ, ସେ କମ୍ପନରେ ଭୂଗର୍ଭସ୍ଥ ଜଳ କିଲୋମିଟର କିଲୋମିଟର ତଳକୁ ଚାଲିଯାଏ। କିଛି ନଦୀ ହୁଏତ ଦିନେ ଶୁଖିଯିବ ସେଇ ଦୁଃଖରେ। ଆଉ କିଛି ନଦୀ ବନ୍ୟାରେ ଚାଟିଚୁଟି ଦେବ ଗୋଟିଏ ଗୋଟିଏ ଜନପଦ। ମୁଁ ଡଙ୍ଗର। ବୁଢ଼ା ଡଙ୍ଗର। ପଥୁରିଆ ଦେହରେ ନରମ ହୃଦୟଟିଏ ସାଇତି ରଖିଛି। ଯେଉଁ କଅଁଳ ହୃଦୟଟି ଅହରହ ମାନବ କଲ୍ୟାଣ କଥା ଚିନ୍ତା କରୁଛି, ହାତ ଯୋଡ଼ୁଛି ମାନବ ସମାଜକୁ। ଅୟସ, ଆରାମ ଓ ସ୍ବାର୍ଥର ଊଦ୍ଧର୍ବରେ ସୃଷ୍ଟି, ଯାହାର ସୁରକ୍ଷା ଏକାନ୍ତ ଆବଶ୍ୟକ।
ସୁପ୍ରଭା ବେହେରା
ମୋ: ୯୦୪୦୩ ୬୦୨୫୯

