ଚାଷର ଫାଶ

ବିମଳ ପାଣ୍ଡିଆ

ଶନିବାର ସକାଳେ ସମ୍ବଲପୁର ସହରର ଗୋଲବଜ଼ାରରେ ବଢ଼ିଆ ଟମାଟୋକୁ କିଲୋ ଦଶ ଟଙ୍କାରେ ପାଇ ଖାଉଟି ହିସାବରେ ମୋତେ ଖୁସି ଲାଗୁଥିଲା ସତ; କିନ୍ତୁ ଚାରିମାସ ଧରି ଅନେକ ଶ୍ରମ ଓ ବ୍ୟୟରେ କ୍ଷେତରେ ଫସଲ ଫଳାଇ ଭଲ ଦୁଇ ପଇସା ରୋଜଗାର କରିବ ବୋଲି ଆଶା ରଖିଥିବା ଚାଷୀ ବାପୁ ସ୍ବପ୍ନ ଯେ ଧୂଳିସାତ ହୋଇସାରିଛି ତାହା ଅନୁମାନ କରିବା ମୋ ପକ୍ଷରେ ଆଦୌ କଷ୍ଟସାଧ୍ୟ ନ ଥିଲା। ମୁଁ ବି ଦିନେ ଜଣେ ଚାଷୀ ଥିଲି ଓ ଏହିଭଳି ସ୍ଥିତିରେ ନିଜକୁ ଅନେକ ଥର ହଜାଇଛି। ଦଶଟଙ୍କାରେ ସହରର ଖାଉଟିକୁ ମିଳୁଥିବା ଟମାଟୋ ଭଳି ଏକ କ୍ଷୟଶୀଳ ପରିବାକୁ ଚାଷୀ ଯେ ଗୋଡ଼ିମାଟି ଦରରେ ମଧ୍ୟସ୍ଥ ବେପାରୀକୁ ବିକିଥିବ ତାହା ମୋତେ ଜଳଜଳ ଦିଶୁଥିଲା। ଦେଶର ଅନ୍ୟ ସହରରେ ଏହାର ସ୍ଥିତି ପରଖିବା ପାଇଁ ମୁଁ ‘ରିଲାଏନ୍ସ ଜିଓ ମାର୍ଟ’ରେ ଖୋଜିଲି। ବେଙ୍ଗାଲୁରୁରେ କିଲୋ ୯ ଟଙ୍କା, କୋଲକାତାରେ ୧୦ ଟଙ୍କା, ଚେନ୍ନାଇରେ ୧୩ ଟଙ୍କା ଓ ମୁମ୍ବାଇରେ ୧୯ ଟଙ୍କାରେ ଖାଉଟିଙ୍କୁ ବିକ୍ରି ହେଉଥିଲା। ଦିଲ୍ଲୀରେ ଟମାଟୋ ଦର ଟିକିଏ ବେଶି ଥିଲା କିନ୍ତୁ ବନ୍ଧାକୋବି କିଲୋ ସାତ ଟଙ୍କାରେ ମିଳୁଥିଲା। ସେହି ଦରରେ ଖାଉଟି ତାଙ୍କ ଘରେ ପରିବା ପାଇବେ। ଗତ ସପ୍ତାହରେ ମୁଁ କୋରାପୁଟରେ ଥିଲି। କୁନ୍ଦୁଲିର ହାଟ ବି ବୁଲିଥିଲି। ମନଟା ଅତି ଖରାପ ହୋଇ ଯାଇଥିଲା। ତିନି ଚାରି କିଲୋର ବଡ଼ ବନ୍ଧାକୁ ୪-୫ ଟଙ୍କାରେ, ପ୍ରାୟ ୧୦-୧୫ କିଲୋର ଟମାଟୋ ଝୁଡ଼ି ୨୦-୨୫ ଟଙ୍କାରେ ବିକୁଥିଲେ ଗରିବ ଚାଷୀ। ଆଉ ଧୋବଧଉଳିଆ କ୍ରେତା ତହିଁରେ ବି ମୂଲଚାଲ କରିବାରେ ପଛାଉ ନ ଥିଲେ।
ତେବେ, ଏହା କେବଳ ଓଡ଼ିଶା କି ଭାରତର କଥା ନୁହଁ, ବିକଶିତ ରାଷ୍ଟ୍ରରେ ବି ଚାଷୀଙ୍କ ଅବସ୍ଥା ଭଲ ନାହିଁ। ଆମେରିକାର ଜନସଂଖ୍ୟାର ମାତ୍ର ୧.୩% ହିଁ କୃଷି କାର୍ଯ୍ୟରେ ନିୟୋଜିତ ରହନ୍ତି। ସେଠି ଫାର୍ମଗୁଡ଼ିକର ଆକାର ଖୁବ୍‌ ବଡ, ଶହଶହ ହେକ୍ଟର ବ୍ୟାପ୍ତ। କିନ୍ତୁ ସେଠି ବି ଚାଷୀ ଲାଭ ପାଇବା ପାଇଁ ସରକାରୀ ରିହାତି ଉପରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ। ଆମେରିକା ସରକାରଙ୍କ ‘ଇକୋନୋମିକ ରିସର୍ଚ୍ଚ ସର୍ଭିସେସ’ ବିଭାଗ ୨୦୨୦ ମସିହାରେ ଏକ ରିପୋର୍ଟ ଜାରି କରିଥିଲେ। ସେଥିରେ କୁହାଯାଇଥିଲା ଯେ ୨୦୨୦ରେ ଚାଷୀଙ୍କୁ ପ୍ରତ୍ୟକ୍ଷ ରିହାତିର ପରିମାଣ ୩୭.୨ ବିଲିୟନ ଡଲାର ବା ପ୍ରାୟ ୨.୭୫ ଲକ୍ଷ କୋଟି ଟଙ୍କା ଥିଲା; ଯାହା ମୋଟ କୃଷି ଉତ୍ପାଦରୁ ଆମଦାନୀ ଲବ୍ଧ ଅର୍ଥର ଏକ-ତୃତୀୟାଂଶରୁ ମଧ୍ୟ ଅଧିକ। ଅନ୍ୟ ଭାବରେ କହିଲେ, ଚାଷୀର ପ୍ରତି ୧ଟଙ୍କା ଆମଦାନୀରେ ସରକାରୀ ରିହାତିର ପରିମାଣ ୩୬ ପଇସା ଥିଲା। ଖାଲି ଫସଲ ନୁହେଁ, ଦୁଗ୍ଧ ଚାଷୀ ବି କିଛି ଭଲରେ ନାହାନ୍ତି। ଭାରତରେ ଲିଟରେ ପାଣିକୁ ଲୋକେ ୨୦ ଟଙ୍କାରେ କିଣୁଥିବା ବେଳେ ଓଡ଼ିଶାରେ ଓମ୍‌ଫେଡ ଭଳି ସରକାରୀ ସଂସ୍ଥା ଚାଷୀଙ୍କଠୁ ପ୍ରାୟ ୨୬-୨୭ ଟଙ୍କା ଦରରେ ହିଁ ଗୋଟିଏ ଲିଟର ଦୁଧ କିଣିଥାଏ। ଖାଲି ଓଡ଼ିଶା ନୁହଁ, ନେଦରଲାଣ୍ଡର ଦୁଗ୍ଧ ଚାଷୀ ବି ଘୋର ସଙ୍କଟରେ ଅଛନ୍ତି। ନେଦରଲାଣ୍ଡ ଏକ ବଡ଼ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର। ଗୋଟିଏ ହାରାହାରି ଫାର୍ମରେ ପ୍ରାୟ ୧୦୦ରୁ ଅଧିକ ଗାଈ ରହନ୍ତି। ସେଭଳି ଏକ ଫାର୍ମରେ ଗୋଟିଏ କିଲୋ ଦୁଗ୍ଧ ଉତ୍ପାଦନ ପାଇଁ ଚାଷୀକୁ ୪୭ ସେଣ୍ଟ ବା ପ୍ରାୟ ୪୦ ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ତାଙ୍କ ସରକାର ଏଥିରେ ପ୍ରାୟ ୨ ଟଙ୍କାର ରିହାତି ଦିଅନ୍ତି। ତେଣୁ, ନେଦରଲାଣ୍ଡର ଜଣେ ଚାଷୀ ଗୋଟିଏ କିଲୋ ଦୁଗ୍ଧ ଉତ୍ପାଦନ କରିବା ପାଇଁ ପ୍ରାୟ ୩୮ ଟଙ୍କା ଖର୍ଚ୍ଚ କରିଥାଏ। କିନ୍ତୁ, ସେ ବିକିଥାଏ ମାତ୍ର ୩୬ ସେଣ୍ଟ ବା ପ୍ରାୟ ୩୧ ଟଙ୍କାରେ। ଦରକୁ ସ୍ଥିର ଓ ଲାଭପ୍ରଦ ରଖିବା ପାଇଁ ସେଠାରେ ଦୁଗ୍ଧ ଉତ୍ପାଦନ ଉପରେ ସରକାରଙ୍କ ତରଫରୁ କୋଟା ସ୍ଥିର କରାଯାଇଛି। ଚାଷୀ ମନ ଇଚ୍ଛା ଦୁଗ୍ଧ ଉତ୍ପାଦନ କରିପାରିବେ ନାହିଁ। ଅବଶ୍ୟ ସେହିସବୁ ଦେଶରେ ଗାଈ ମାଂସରୁ କିଛି ଖର୍ଚ୍ଚ ଭରଣା ହୁଏ।
କହିବା ବାହୁଲ୍ୟ ଯେ, ଅଧିକାଂଶ ଚାଷୀଙ୍କୁ ଲାଭ କିଛି ମିଳୁ ନାହିଁ। ଗଣ୍ଡାଏ ଯାହା ଭଲରେ ଖାଉଛନ୍ତି। ସେତିକି ବି ଅନେକଙ୍କୁ ମିଳୁ ନାହିଁ। ଅବଶ୍ୟ, କେତେକେ ଚାଷୀ କିଛି ସମୟ ପାଇଁ କୌଣସି ଫସଲରେ କିଛି ବର୍ଷ ଲାଗି ଲାଭ ପାଉଥିବେ। କିନ୍ତୁ, କ୍ରମାଗତ ଭାବରେ ଲାଭ ପାଇ ଚାଲିଥିବାର ଦୃଷ୍ଟାନ୍ତ ପ୍ରାୟ ନାହିଁ। ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ, ଲାଭ ପାଉଥିବାର ସେହିଭଳି ଉଦାହରଣ ମଧ୍ୟରୁ ଅନେକଙ୍କର ଅନ୍ୟ ସୂତ୍ରରୁ ଆମଦାନୀ ଥାଏ। ଚାଷ ତାଙ୍କ ପାଇଁ ଏକ ସଉକ ହୋଇଥାଏ ଓ ଚାଷରେ ସେମାନେ ପୁଞ୍ଜି ନିବେଶ କରିବାର କ୍ଷମତା ରଖିଥାନ୍ତି। ଏମିତି ସ୍ଥିତିରେ ଚାଷୀଟିଏର ମନରେ ଉଦ୍ୟୋଗୀ ଭାବନା ବା କୋଉଠୁ ଜନ୍ମିବ! ଅନେକ ସର୍ବେକ୍ଷଣ ଅତି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପାରମ୍ପରିକ ଚାଷୀ ପରିବାରର ଯୁବକ ମଧ୍ୟ ଚାଷରୁ ମୁହଁ ଫେରାଉଛି। ଫେରାଇବନି କାହିଁକି? ଖରା ବର୍ଷାରେ ଖଟିଖଟି ତାଙ୍କୁ କ’ଣ ବା ଲାଭ ମିଳିବ ଯେ!
ତେବେ ଓଡ଼ିଶାର ଚାଷୀ କେବଳ ଲାଭ ପାଇଁ ଚାଷରୁ ମୁହଁ ଫେରାଉ ନାହିଁ। ତାକୁ ତାହାର ଆତ୍ମସମ୍ମାନ ଚାଷ କରିବା ପାଇଁ ଦେଉ ନାହିଁ। ଦଶ ଏକର ଉତ୍ତମ ଜମିର ମାଲିକ ମଧ୍ୟ ଚତୁର୍ଥ ଶ୍ରେଣୀର କର୍ମଚାରୀଟିଏର ଦରମାକୁ କି ପାନ ଦୋକାନୀଟିଏର ଆମଦାନୀକୁ ସରି ହେଉ ନାହିଁ। ଉତ୍ପାଦନ ଅବଶ୍ୟ ବଢ଼ି ଚାଲିଛି କିନ୍ତୁ ଚାଷ ବୃତ୍ତିଗତ ପସନ୍ଦ ହୋଇ ରହି ନାହିଁ। ଲୋକେ ଖାଇବାକୁ ପାଉଛନ୍ତି କିନ୍ତୁ ଚାଷୀ ତଳିତଳାନ୍ତ ହୋଇ ଚାଲିଛି। ଏହା ଏକ ବିପଜ୍ଜନକ ସ୍ଥିତି।
ଭାରତରେ ଏହି ସଙ୍କଟର ଅନ୍ୟ ଦିଗ ରହିଛି। ଅଳ୍ପ କିଛି ଆଦିବାସୀ ବହୁଳ ଅଞ୍ଚଳ ଛାଡ଼ି ଦେଲେ, ଭାରତର ପ୍ରାୟ ଅବଶିଷ୍ଟ ଅଞ୍ଚଳରେ ଜମିର ମାଲିକାନାରେ ଘୋର ତାରତମ୍ୟ ରହିଛି। ଅଳ୍ପ କିଛି ପରିବାର ହାତରେ ଗାଁର ଅଧିକାଂଶ ଜମି ରହୁଛି। ଜମିର ମାଲିକ ନିଜେ ଚାଷ କରିବା ଏବେ ବିରଳ ହେଲାଣି। ଭାଗ ଚାଷୀ ହିଁ ଜମିକୁ ଚାଷ କରୁଛି। ମାଲିକକୁ ଭାଗ ଦେଲା ପରେ ଆଉ କେତେ ବା ଲାଭ ସେ ପାଉଥିବ ତାହା କଳନା କରିବା ଆଦୌ କଷ୍ଟ ନୁହେଁ। ଏଣେ, ସେ ନିଜେ ଜମିର ମାଲିକ ହୋଇ ନ ଥିବାରୁ, ଜମିର ମାନ ଓ ଉର୍ବରତା ବଜାୟ ରଖିବା ବା ଉନ୍ନତ କରିବା ପାଇଁ ତା’ ପାଖରେ କିଛି ବି ପ୍ରୋତ୍ସାହନ ନାହିଁ। ଓଲଟି, କମ ସମୟରେ କେମିତି ଅଧିକ ଫସଲ ଫଳିବ ତାହା ଭାଗ ଚାଷୀର ମୁଖ୍ୟ ଉଦ୍ଦେଶ୍ୟ ହୋଇଯାଏ। ସେ ପ୍ରବଳ ସାର ଓ କୀଟନାଶକ ପ୍ରୟୋଗ କରେ, ଯାହା ଜମିର ଉର୍ବରତାକୁ ତୀବ୍ର ଭାବରେ କ୍ଷତିଗ୍ରସ୍ତ କରେ। ଏମିତି ରହିଲେ ଅଳ୍ପ କିଛି ବର୍ଷରେ ଜମି ଚାଷ ଅନୁପଯୋଗୀ ହେବାର ଆଶଙ୍କା ଖୁବ୍‌ ପ୍ରବଳ।
ଚାଷ ଏବେ ଉଭୟ ସ୍ବଳ୍ପକାଳୀନ ତଥା ଦୀର୍ଘକାଳୀନ ସଙ୍କଟରେ ଭୟଙ୍କର ଭାବେ ତ୍ରସ୍ତ। ସବୁ କଥାକୁ ଚାହିଦା ଓ ଉପଲବ୍ଧିତାର ନିକିତିରେ ତଉଲୁଥିବା ଅର୍ଥନୀତିଜ୍ଞମାନେ ସେହି ପ୍ରବୃତ୍ତିର ଶିକାର ହୋଇ ଚାଷୀକୁ ହିଁ ପ୍ରାୟ ଦୋଷ ଦିଅନ୍ତି। କିନ୍ତୁ ଚାଷୀ ବାପୁଟେ କ’ଣ କରିବ? କେତେ ଜମିରେ କୋଉ ଚାଷ ହେଲେ ଚାହିଦା ଓ ଉପଲବ୍ଧିତା ମଧ୍ୟରେ ସମନ୍ବୟ ରହିବ ତାହାର କିଛି ଯୋଜନା ତ ନାହିଁ, ସାମାନ୍ୟ ସୂଚନା ମଧ୍ୟ ଚାଷୀ ପାଖରେ ନାହିଁ। ବଜାରକୁ ଅଳ୍ପ କିଛି ପରିବା ଅଧିକ ଆସିଗଲେ ଦର ଢ଼ୋ ହୋଇ ଖସାଇ ଦେଉଛନ୍ତି ବେପାରୀ ଓ ଖାଉଟିମାନେ। ଚାଷୀ ହିଁ ଭୋଗୁଛି। ଆଳୁ ଟମାଟୋ ଆଦି କ୍ଷୟଶୀଳ ଫସଲ ସହ ଶସ୍ୟ ଜାତୀୟ ଫସଲର ମଧ୍ୟ ଅଭାବୀ ବିକ୍ରି ଦେହସୁହା ହୋଇଗଲାଣି। ଚାଷୀର ଆୟ ନିୟମିତ ଭାବରେ ମାପିବା ପାଇଁ ଚାଷୀ ଆୟ ଦୁଇଗୁଣା କରିବାର ସ୍ଲୋଗାନ ଧରିଥିବା ସରକାରଙ୍କ ପାଖରେ ଏବେ ବି ଆଗ୍ରହ ନାହିଁ। ୨୦୧୩ ମସିହାରେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ଚାଷୀ ପରିବାରର ଆୟର ଏକ ସର୍ବେକ୍ଷଣ କରିଥିଲା। ତାହାକୁ ଏବେ ବି ବ୍ୟବହାର କରାଯାଉଛି। ଚାଷ ସହିତ ଜଡିତ ଦେଶର ଦୁଇ-ତୃତୀୟାଂଶ ପରିବାର ପ୍ରତି ସରକାରଙ୍କ ଦରଦ ଏଥିରୁ ବାରିନେବା କଥା। ଖାଲି ସରକାରଙ୍କୁ କାହିଁକି ଦୋଷ ଦେବା, ଦେଶର ଅଧିକାଂଶ ଲୋକ ହିଁ ଏହି ତୀବ୍ର ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ବୀତସ୍ପୃହ ଅଛନ୍ତି। ଚାଷ ପ୍ରତି ଏହି ବିଦ୍ବେଷ ଭାବ ଓ ବୀତସ୍ପୃହତାକୁ ଭାରତ ଭଳି ଏକ କୃଷି ନିର୍ଭରଶୀଳ ଦେଶ ସମ୍ଭାଳି ପାରିବ ତ?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?