ସମ୍ପର୍କର ଫାନ୍ଦ ଓ ସୂକ୍ଷ୍ମ ଜଗତ

ଡ. ଗୌରୀଶଙ୍କର ସାହୁ

ଆମେ ମିଲିମିଟରର ହଜାର ଭାଗରୁ ଭାଗେ ଏବଂ ତା’ଠାରୁ କ୍ଷୁଦ୍ର କଣିକା ଦୁନିଆକୁ ଗଲେ ସେମାନଙ୍କ ସ୍ବରୂପ, ସ୍ଥିତି ଓ ଗତିକୁ ବୁଝିବା ପାଇଁ ସୂକ୍ଷ୍ମଜଗତ ପାଇଁ ଉଦ୍ଦିଷ୍ଟ ନୀତିନିୟମ ମାନିବାକୁ ହେବ। ପାରମ୍ପରିକ ସ୍ଥୂଳଜଗତରେ ସ୍ଥିତି ଓ ଗତି ନିଉଟନ୍‌ଙ୍କ ଗତି ସମୀକରଣ ଓ ଅନ୍ୟାନ୍ୟ ପାରମ୍ପରିକ ନିୟମ ଦ୍ୱାରା ନିୟନ୍ତ୍ରିତ ହେଉଥିବାବେଳେ ଅଣୁ-ପରମାଣୁ-କଣିକାଗୁଡ଼ିକ ସୂକ୍ଷ୍ମଜଗତ, କ୍ୱାଣ୍ଟମ୍‌ ତତ୍ତ୍ୱ ଦ୍ୱାରା ପରିଚାଳିତ ହୋଇଥାଏ। ଏ ଦୁଇ ଦୁନିଆ ବିଷୟରେ ଲେଖକ ଡ. ସହଦେବ ସାହୁ ୩ ଅକ୍ଟୋବରରେ ଏହି ସ୍ତମ୍ଭରେ ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ।
ଜଗତରେ କଣିକା ଓ ତରଙ୍ଗ ଏହିପରି ଦୁଇପ୍ରକାର ପଦାର୍ଥ ଦେଖାଯାଏ। ଏହାସହ ଆଲୋକପେଟିକା, ଯାହା ଉଭୟ କଣିକା ଓ ତରଙ୍ଗ ଗୁଣଯୁକ୍ତ। ବସ୍ତୁ ଗୋଟିଏ ସମୟରେ ଗୋଟିଏ ସ୍ଥାନରେ ରହିବ, ଭିନ୍ନ ଭିନ୍ନ ସ୍ଥାନରେ ରହିପାରିବ ନାହିଁ। ସ୍ଥୂଳଜଗତ କଣିକାଗୁଡ଼ିକ ସମାହାରରେ ଗଠିତ ବସ୍ତୁଗୁଡ଼ିକ ସ୍ଥିତି ଓ ଗତିର ଗାଥା। ସୂକ୍ଷ୍ମଜଗତ ବ୍ୟକ୍ତ ହୁଏ ତରଙ୍ଗ ଧର୍ମ (ୱେଭ୍‌ ଫଙ୍କ୍‌ଶନ୍‌) ମାଧ୍ୟମରେ, କ୍ୱାଣ୍ଟମ ନିୟମରେ। କ୍ୱାଣ୍ଟମ୍‌ ନିୟମ ମୁତାବକ ଗୋଟିଏ ତରଙ୍ଗ ଧର୍ମ ଦୁଇଟି କଣିକାର ପ୍ରତିନିଧି ହୋଇପାରେ, କଣିକା ଦୁଇଟି ପରସ୍ପରଠାରୁ ଯେତେ ଦୂରରେ ଥାଆନ୍ତୁ ନା କାହିଁକି। ଅଧ୍ୟାରୋପଣ (ସୁପରପୋଜିଶନ୍‌), ତ ଗୋଟିଏ କଣିକା ଏକ ସମୟରେ ଦୁଇଟି ଭିନ୍ନ ଅବସ୍ଥାରେ ରହୁଥିବା ଦର୍ଶାଇଥାଏ।
ସ୍ଥୂଳଜଗତର ଅବଧାରଣା ସ୍ଥାନୀୟତା ଓ କାର୍ଯ୍ୟ-କାରଣ ମନମସ୍ତିଷ୍କରେ ବସା ବାନ୍ଧିଥିବା ଯାଏ ଏହାକୁ ବୁଝିବା କାଠିକାର ପାଠ। ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ମୂଳରୁ କ୍ୱାଣ୍ଟମ୍‌ ତତ୍ତ୍ୱକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ପରସ୍ପର ସହ ଅସଂଲଗ୍ନ ଦୁଇଟି କଣିକା ମଧ୍ୟରେ ସମ୍ପର୍କର ସେତୁ ରହିପାରିବ, ଗୋଟିକରେ ପରିବର୍ତ୍ତନ ଅନ୍ୟଟିକୁ ପ୍ରଭାବିତ କରିପାରିବ, ଏ କଥା- କ୍ୱାଣ୍ଟମ ତତ୍ତ୍ୱର ଦ୍ରଷ୍ଟା ସ୍ରୋଡିଞ୍ଜର ଓ ସମାଲୋଚକ ଆଇନ୍‌ଷ୍ଟାଇନ୍‌ ଉଭୟଙ୍କୁ ଆନ୍ଦୋଳିତ କରିଥିଲା। ଅସଂଲଗ୍ନ ଅର୍ଥ ନା ପରସ୍ପରକୁ ଲାଗି ରହିଥିବେ, ନା କୌଣସି କ୍ଷେତ୍ର ଯେମିତିକି ମାଧ୍ୟାକର୍ଷଣ, ବିଦ୍ୟୁତ ଚୁମ୍ବକୀୟ ପ୍ରଭୃତି ଦ୍ୱାରା ପରସ୍ପର ସହ ସଂଲଗ୍ନ ହୋଇଥିବେ। ଆଇନ୍‌ଷ୍ଟାଇନ୍‌, ବୋରିସ୍‌ ପୋଡାଲସ୍କି ଓ ନାଥନ୍‌ ରୋଜେନ୍‌ (୧୯୩୫) କହିଲେ କ୍ୱାଣ୍ଟମ୍‌ ତତ୍ତ୍ୱରେ କେତେକ ଲୁକ୍କାୟିତ ଚଳରାଶି (ହିଡ଼େନ୍‌ ଭାରିଏବ୍ଲ)ର ଉପସ୍ଥିତି ଦ୍ୱାରା ହିଁ ଏହିପରି ଅଦ୍ଭୁତ ଅବସ୍ଥାକୁ ବୁଝାଇହେବ (ଏହା ଇ.ପି.ଆର୍‌. ପ୍ରମାଦ ନାମରେ ପ୍ରସିଦ୍ଧ)। ଏକତ୍ୱ (ଏନ୍‌ଟାଙ୍ଗ୍‌ଲମେଣ୍ଟ)କୁ ଅବାସ୍ତବ କହି ଆଜକୁ ୯୦ ବର୍ଷ ତଳେ ଆଇନ୍‌ଷ୍ଟାଇନ୍‌, କ୍ୱାଣ୍ଟମ୍‌ ତତ୍ତ୍ୱକୁ କାଠଗଡ଼ାରେ ଠିଆକରି ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ପ୍ରଚେଷ୍ଟା କରିଥିଲେ। ସେ କହିଥିଲେ, ତମେ ଜହ୍ନକୁ ଦେଖୁନାହଁ ବୋଲି କ’ଣ ଜହ୍ନ ନାହିଁ?
ଗୋଟିଏ ନର୍ତ୍ତକୀ ନାଚୁଥିବାବେଳେ ତା’ର ପଦପାତ ଓ ଅଙ୍ଗଭଙ୍ଗୀ ପୂର୍ବରୁ ଦର୍ଶକ ଗ୍ୟାଲେରିରେ ବସିଥିବା ଆଉ ଜଣେ ନର୍ତ୍ତକୀ ଏହାର ସମ୍ପୂର୍ଣ୍ଣ ଠିକ୍‌ ପୂର୍ବାନୁମାନକରି ନିଜ ଅଙ୍ଗଭଙ୍ଗୀରେ ତାହା ପ୍ରଦର୍ଶିତ କରିଥାଏ। ବହୁଦୂରରେ ଥାଇ ପୂର୍ବାନୁମାନ, ତାତ୍କାଳିକ ନୁହେଁ ବରଂ ଅତୀତର ଅଭିଜ୍ଞତାର ଇତିବୃତ୍ତ। ଆଲିସ୍‌ ଓ ବବ୍‌ ଦୁଇବନ୍ଧୁଙ୍କ ପାଖକୁ ଦୁଇଟି ଭିନ୍ନରଙ୍ଗର ପେଣ୍ଡୁ ଫୋପାଡିଲେ କିଏ କେଉଁ ବଲ୍‌ଟି ପାଇବ ତାହା ଆଲୋକ କାହାଳୀ (ଲାଇଟ୍‌ କୋନ୍‌) ଦ୍ୱାରା ପୂର୍ବନିର୍ଦ୍ଧାରିତ; ଆଲିସ୍‌ ଗୋଟିଏ ରଙ୍ଗର ବଲ୍‌ ଧରିବା ପରେ ସେହି ସୂଚନା, ସଙ୍କେତ ଭାବେ ବବ୍‌ ପାଖରେ ପହଞ୍ଚେ ଓ ଏହି ସଙ୍କେତର ପ୍ରତୀକ ସେହି ଲୁକ୍କାୟିତ ଚଳରାଶି, ଯାହା ଆମ ପାଇଁ ଅବୋଧ୍ୟ, ଅଦୃଶ୍ୟ। ୧୯୬୪ରେ ଆୟର୍‌ଲାଣ୍ଡର ବୈଜ୍ଞାନିକ ଜନ୍‌ ଷ୍ଟୁଆର୍ଟ ବେଲ୍‌ ଉପପାଦ୍ୟ ଦ୍ୱାରା ପ୍ରମାଣିତ କଲେ ଯେ କ୍ୱାଣ୍ଟମ୍‌ ତତ୍ତ୍ୱର ସମସ୍ତ ସାଂଖିକ ପୂର୍ବାନୁମାନ ମଧ୍ୟରୁ କେବଳ ସେତିକି ଦେଖିହେବ ଯାହା ସ୍ଥାନୀୟ ଲୁକ୍କାୟିତ ଚଳରାଶିମାନଙ୍କ ନିଗମନ ଦ୍ୱାରା ସମ୍ଭବ। ଏହା ବେଲ୍‌ଙ୍କ ଅସମତା (ଇନ୍‌ଇକ୍ୱାଲିଟି)ଭାବେ ପ୍ରସିଦ୍ଧ। ଏହି ଆବିଷ୍କାର ଗ୍ରହଣୀୟହେବା ଅସମ୍ଭବ ଭାବି ସେ ନିଜ କାର୍ଯ୍ୟକ୍ଷେତ୍ର ସ୍ବର୍ଣ୍ଣ ଗବେଷଣାଗାରର ବୈଜ୍ଞାନିକମାନଙ୍କୁ ବହୁବର୍ଷ ପର୍ଯ୍ୟନ୍ତ ଏ କଥା ଜଣାଇ ନ ଥିଲେ ଓ ଲେଖାଟିକୁ ଛାପିଥିଲେ ଅନାମଧ୍ୟେୟ ‘ଫିଜିକ୍ସ’ ପତ୍ରିକାରେ। ଆଇନ୍‌ଷ୍ଟାଇନ୍‌ ଓ ସାଥିମାନଙ୍କ ଅବଧାରଣାକୁ ଦୃଢ଼ୀଭୂତ କରିବା ପାଇଁ ଚେଷ୍ଟା କରିଥିଲା, ବେଲ୍‌ଙ୍କ ଉପପାଦ୍ୟ- ”ଆମ ଅଗୋଚରରେ କିଛି ଗୋଟିଏ ଘଟୁଛି, ଯାହା ଆଲୋକଠାରୁ ଅଧିକ ବେଗରେ ଗତିର ସ୍ବାକ୍ଷର ବହନ କରୁଛି।“
ମାର୍କିନ୍‌ ଗବେଷକ କ୍ଲାଉଜର, ଷ୍ଟୁଆର୍ଟ ଫ୍ରିଡ୍‌ମ୍ୟାନଙ୍କ ସହ ମିଶି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପଦାର୍ଥବିଜ୍ଞାନ ବିଭାଗରେ ପଡ଼ିଥିବା ଅବ୍ୟବହୃତ ଓ ବର୍ଜ୍ୟ ଯନ୍ତ୍ରାଂଶରୁ ବୈଜ୍ଞାନିକ ଉପକରଣଟିଏ ଗଢ଼ି ବେଲ୍‌ଙ୍କ ଅସମତା, ଠିକ୍‌ କି ନୁହେଁ ପରୀକ୍ଷା କଲେ। ସେ କାଲ୍‌ସିୟମ୍‌ ପରମାଣରୁ ନିର୍ଗତ ଫାନ୍ଦରେ ପଡ଼ିଥିବା ଦୁଇଟି ଆଲୋକପେଟିକା (ଏନ୍‌ଟାଙ୍ଗ୍‌ଲଡ୍‌ ଫୋଟୋନ୍‌)କୁ ଉତ୍ସର ଦୁଇ ବିପରୀତ ଦିଗକୁ ଛାଡ଼ିଲେ। ହରରଙ୍ଗୀ କାଚପରି ପାର୍ଶ୍ୱିକରଣ ଚାଲୁଣି(ଫିଲ୍‌ଟର) ଦେଇ ପ୍ରଥମ ଆଲୋକ ପେଟିକା ସୂଚକଯନ୍ତ୍ରରେ ପହଁଚିବା ବେଳକୁ ମାପରୁ ଜଣାପଡ଼ିଲା ତା’ର ଗୋଟିଏ ପାର୍ଶ୍ୱୀକୃତ ଅବସ୍ଥା। ଦୁଇପାଖର ଥିବା ସୂଚକଯନ୍ତ୍ର ମଧ୍ୟରେ ଥିବା ଚାଲୁଣିର ଉପସ୍ଥିତି ଯୋଗୁ ଗୋଟିଏ ସୂଚକଯନ୍ତ୍ରରୁ ଆରଟିକୁ ସୂଚନା ବା ସଙ୍କେତ ଯିବା ଅସମ୍ଭବ। ଆରମୁଣ୍ଡରେ ଥିବା ସୂଚକଯନ୍ତ୍ର ଜଣାଇଲା ଭିନ୍ନ ପାର୍ଶ୍ୱୀକୃତ ଅବସ୍ଥାଯୁକ୍ତ ଦ୍ୱିତୀୟ ଆଲୋକପେଟିକାର ଅବସ୍ଥିତି। ଅର୍ଥାତ୍‌ ସଙ୍କେତ ସଞ୍ଚରଣ ନୁହେଁ ବା କୌଣସି ପୂର୍ବ ନିର୍ଦ୍ଧାରିତ ଲୁକ୍କାୟିତ ସୂଚନା ନୁହେଁ ବରଂ ସହସମ୍ପର୍କ ଯୋଗୁ ଗୋଟିଏ ଆଲୋକପେଟିକାର ସ୍ଥିତି ଓ ସ୍ବରୂପ ଆରଟିର ଗୁଣ, ଧର୍ମକୁ ପ୍ରଭାବିତ କରୁଛି- ଏହା ପ୍ରମାଣିତ ହେଲା। ହେଲେ ସନ୍ଦେହଟିଏ ରହିଗଲା- ପରୀକ୍ଷଣର ଅନ୍ତର୍ନିହିତ ଦୋଷତ୍ରୁଟି ଯୋଗୁ ଆମେ ଯାହା ଦେଖୁଛୁ ତାହା କେବଳ ଏକ ମାୟାଜାଲ ନୁହେଁ ତ ? ଫରାସୀ ଗବେଷକ ଆଲେନ୍‌ ଆସ୍ପେକ୍ଟ ଏହି ଅବିଶ୍ୱାସର ସତ୍ୟାସତ୍ୟ ପରୀକ୍ଷଣ ପାଇଁ ଘୂର୍ଣ୍ଣନ ପାଇଁ ସକ୍ଷମ ଚାଲୁଣି ନେଇ ପରୀକ୍ଷାକଲେ। ଗୋଟିଏ ପଟର ଚାଲୁଣି କିପରି ଘୂରୁଛି ଆରପାଖ ଚାଲୁଣି ବା କଣିକା ଜାଣିପାରିବ ନାହିଁ। ତେଣୁ ସୂଚକଯନ୍ତ୍ରର ସୂଚନା ଏହାଦ୍ୱାରା ପ୍ରଭାବିତ ହେବନାହିଁ। କିନ୍ତୁ ଗୋଟିଏ ପଟ ଚାଲୁଣିର ଘୂର୍ଣ୍ଣନ ଦ୍ୱାରା ସେହି ପାଖର ଆଲୋକପେଟିକାର ପାର୍ଶ୍ୱକୃତ ଅବସ୍ଥା ପ୍ରଭାବିତ ହେଲା ଓ ତତ୍କାଳ ପ୍ରଭାବିତ କଲା ଆରପାଖର ଆଲୋକପେଟିକାର ପାର୍ଶ୍ୱୀକୃତ ଅବସ୍ଥା। ସୂଚକଯନ୍ତ୍ର ଦୁଇଟି ମଧ୍ୟରେ ସଙ୍କେତ ସଂଚରଣର ସମ୍ଭାବନା ନଥିବା ସତ୍ତ୍ୱେ ଆଲୋକପେଟିକା ଦୁଇଟି ପରସ୍ପର ସହ ସମ୍ପର୍କ ସ୍ଥାପନ କଲେ ଫାନ୍ଦରେ ପଡ଼ି। ଏହି ତାତ୍କାଳିକ ସମ୍ପର୍କ ଉକ୍ତ ଚଳରାଶି ଦ୍ୱାରା ନିଗମନ ହୋଇଥିବା ବେଲ୍‌ଙ୍କ ଅସମତାକୁ ପ୍ରତ୍ୟାଖ୍ୟାନ କରିବାପୂର୍ବକ କ୍ୱାଣ୍ଟମ ତତ୍ତ୍ୱକୁ ପ୍ରମାଦଶୂନ୍ୟ ବୋଲି ପ୍ରମାଣିତ କଲା।
ଭିଏନା ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରିଆର ଗବେଷକ ଆଣ୍ଟନ ଜେଲିଙ୍ଗର୍‌, ଫାନ୍ଦରେ ପଡ଼ିଥିବା ତିନି ଓ ତତୋଽଧିକ ଆଲୋକପେଟିକା ନେଇ ପୂର୍ବୋକ୍ତ ପରୀକ୍ଷାକରି ଦେଖିଲେ, ବେଲ୍‌ଙ୍କ ଅସମତା ଭୁଲ୍‌। ସେ ଦେଖାଇଲେ କିପରି ଗୋଟିଏ ଆଲୋକପେଟିକାର କ୍ୱାଣ୍ଟମ ଅବସ୍ଥା ବହୁଦୂରରେ ଥିବା ଆର ଅଲୋକପେଟିକାଟିକୁ ପ୍ରଭାବିତ କରୁଛି ଓ ସେଥିରେ ସଞ୍ଚରିଯାଉଛି, କାରଣ ସାଜୁଛି ଗୁଣଧର୍ମ ବିନିମୟର। ୨୦୧୭ରେ ଚାଇନା ଉପଗ୍ରହ ମିସିଅସ ୧୨୦୦ କି.ମି. ଦୂରରେ ଥିବା ତିନୋଟି ସୂଚକଯନ୍ତ୍ରକୁ ଏହିପରି ଆଲୋକପେଟିକା ପ୍ରେରଣ କରି ଗବେଷକତ୍ରୟୀଙ୍କ ଗବେଷଣାକୁ ସତ୍ୟ ପ୍ରମାଣିତ କଲା। ବେଲ୍‌ଙ୍କ ଅସମତା, ଇ.ପି.ଆର୍‌. ପ୍ରମାଦକୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ କ୍ୱାଣ୍ଟମ ତତ୍ତ୍ୱକୁ ଏକ ପୂର୍ଣ୍ଣାଙ୍ଗ ବିଷୟରୂପେ ସ୍ବୀକୃତି ପ୍ରଦାନ କରିବାରେ ଭଗୀରଥ ସାଜିଥିବାରୁ ଏ ବର୍ଷ ପଦାର୍ଥବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିବେ ମାର୍କିନ୍‌ ଗବେଷକ ଜନ୍‌ କ୍ଲାଉଜର୍‌, ଫରାସୀ ବୈଜ୍ଞାନିକ ଆଲେନ୍‌ ଆସ୍ପେକ୍ଟ ଓ ଅଷ୍ଟ୍ରୀୟ ଗବେଷକ ଆଣ୍ଟନ ଜେଲିଙ୍ଗର। ଅନେକ କଣିକା / ପେଟିକା ମଧ୍ୟ ଗୋଟିଏ ସତ୍ତା ଦ୍ୱାରା ପରସ୍ପରକୁ ପ୍ରଭାବିତ ଓ ନିୟନ୍ତ୍ରିତ କରିପାରନ୍ତି, ସର୍ବବ୍ୟାପୀ ହୋଇପାରେ ଗୋଟିଏ ସତ୍ତା ଏ ଅବଧାରଣାକୁ ସ୍ବୀକୃତି ମିଳିଲା କ୍ୱାଣ୍ଟମ ଜଗତରେ। ଆଜି ମନେପଡ଼ନ୍ତି ସନ୍ଥକବି ଭୀମଭୋଇ- ”ଭାବକୁ ନିକଟ, ଅଭାବେ ଅଭେଟ / ଦେଖାଦେଖି କରୁ ହରି, ଯନ୍ତ୍ରରେ ସୂତ୍ରକୁ ଧରି।“
ଅଧ୍ୟାପକ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା


Enter your email to get our daily news in your inbox.

All Right Reserved By Dharitri.Com

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri