ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ ଓ ଟାଉଟରଙ୍କ ପ୍ରାଦୁର୍ଭାବ ଗାଁ ବାତାବରଣକୁ କଳୁଷିତ କରି ସାରିଲେଣି। ବିଶେଷକରି ଗାଁର ଯୁବଗୋଷ୍ଠୀ ଆଜି ନିଶା ଦ୍ୱାରା କବଳିତ ହୋଇ ଗାଁରେ ବିଭିନ୍ନ ଆପରାଧିକ କାଣ୍ଡ ଘଟାଇ ଚାଲିଛନ୍ତି। ଏମାନେ ଏତେ ମାତ୍ରାରେ ଉଚ୍ଛୃଙ୍ଖଳିତ ହୋଇପଡ଼ିଛନ୍ତି ଯେ, ଗାଁର ବୟସ୍କ, ମୁରବୀ ଓ ଗୁରୁ ଗୁରୁଜନ କାହାକୁ ବି ମାନିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି। ଏମାନଙ୍କ ଆଚରଣ ଓ କାର୍ଯ୍ୟକଳାପ ଗାଁର ସାଧାରଣ ଲୋକଙ୍କୁ ଅତିଷ୍ଠ କରୁଛି। ଯୁବଗୋଷ୍ଠୀ ଆଉ କିଛି ବୁଝିବା ଅବସ୍ଥାରେ ନାହାନ୍ତି। ଗାଁରେ କଳି ଝଗଡ଼ା, ମାରପିଟ ଓ ଗଣ୍ଡଗୋଳର ମାତ୍ରା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କାଁ ଭାଁ ପରିବାରକୁ ଛାଡି ଦେଲେ ପ୍ରାୟ ସବୁ ପରିବାରରେ ଅଶାନ୍ତି ଓ ବିଶୃଙ୍ଖଳା। ପାରିବାରିକ କଳହ ଉଗ୍ରରୂପ ଧାରଣ କଲାଣି। ଅଧିକାଂଶ ପରିବାରରେ ବାପ ପୁଅ, ଭାଇ ଭାଇ ଆଉ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁନି। ସ୍ବାର୍ଥ ପାଇଁ ଏବେ ରକ୍ତ ସମ୍ପର୍କ ବି ପର ହୋଇ ଯାଇଛି। କେହି କାହା କଥା ମାନିବାକୁ ପ୍ରସ୍ତୁତ ନୁହନ୍ତି। କେତେବେଳେ ନିଶା ସେବନ, ପୁଣି କେତେବେଳେ କରଜ ଟଙ୍କା ପରିଶୋଧ, ଆଉ କେତେବେଳେ ବାପା ବୋଉ ଓ ଜମିବାଡ଼ି ଭାଗ ବଣ୍ଟା ଆଦିକୁ ନେଇ ଲାଗୁଛି ବାଦ ବିବାଦ। ଏହି ପାରିବାରିକ ବିବାଦ ଏବେ ଘରର ଚାରିକାନ୍ଥ କିମ୍ବା ଗାଁ ଭିତରେ ସୀମିତ ନ ରହି ଥାନା କିମ୍ବା କୋର୍ଟ କଚେରି ମୁହାଁ ହେଲାଣି। ପରିବାରର ଗୋପନୀୟତା ଦାଣ୍ଡରେ ପଡି ହାଟରେ ଗଡୁଛି। ଅଯଥା ମାଲି ମକଦ୍ଦମାରେ ଛନ୍ଦି ହେଉଛନ୍ତି ଗାଁ ଲୋକେ।
ଆଗରୁ ଗାଁରେ ଦେଖା ଯାଉଥିବା ଯେକୌଣସି ବିବାଦ ସେହି ଗାଁରେ ହିଁ ସମାଧାନ ହେଉଥିଲା। ଗାଁର ଭଦ୍ରଲୋକମାନେ କେତେ କେତେ ଜଟିଳ ବିବାଦର ସହଜ ସମାଧାନ କରି ପାରୁଥିଲେ। ଆପୋସ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷଙ୍କୁ ବସାଇ ସବୁକିଛି ସମାଧାନ କରା ଯାଉଥିଲା। ଗାଁ ଭୂଇଁରେ କେତେ କେତେ ଗଣ୍ଡଗୋଳ ଓ ମାରପିଟ ଯାଇଛି। ଜମିବାଡ଼ି ଭାଗବଣ୍ଟାକୁ ନେଇ ଭାଇ ଭାଇ ଭିତରେ ଲାଗିଥିବା ବିବାଦ ମେଣ୍ଟିଛି ।
ପାରିବାରିକ ସମସ୍ୟାର ସମାଧାନ ହୋଇଛି। ନିଜ ନିଜ ଭିତରେ ରହିଥିବା ତିକ୍ତତା ଦୂରେଇ ଯାଇ ପରିବାରର ଶାନ୍ତି ଫେରି ଆସିଛି। କୌଣସି ଘଟଣାକୁ ନେଇ ପରସ୍ପର ଭିତରେ ଛକାପଞ୍ଝା ଲାଗୁଥିବା ଲୋକେ ପୁଣି ଥରେ ହାତକୁ ହାତ ମିଳାଇଛନ୍ତି। ଘର ଭିତରେ ଛିଡ଼ା ହୋଇଥିବା ବିଭେଦର ପାଚେରି ଭାଙ୍ଗିଛି। ମୁହଁ ଚାହିଁବିନି ବୋଲି କହିଥିବା ଭାଇ ପୁଣି ଭାଇର କୋକେଇ କାନ୍ଧେଇ ମଶାଣିକୁ ନେଇଛି। ସବୁକିଛି ବିବାଦର ସମାଧାନ ନିର୍ଭର କରୁଥିଲା ଭଦ୍ରଲୋକଙ୍କ ଉଦ୍ୟମ ଆଉ ଉପସ୍ଥିତ ବୁଦ୍ଧି ଉପରେ। ଅନ୍ୟପକ୍ଷେ ନିଜ ମନ ଭିତରେ ଥିବା ଜିଦ୍‌ଖୋର ମନୋଭାବକୁ ତ୍ୟାଗ କରି ଲୋକେ ଭଦ୍ରଲୋକଙ୍କ ବିଚାରକୁ ଗ୍ରହଣ କରି ନେଉଥିଲେ। ଫଳରେ ଖୁବ୍‌ ବଡ଼ ବିବାଦ ବି ସହଜରେ ସମାଧାନ ହୋଇ ପାରୁଥିଲା। ଉଭୟ ପକ୍ଷଙ୍କୁ ସୁହାଇଲା ଭଳି ବିଚାର କରୁଥିଲେ ଭଦ୍ରଲୋକେ। ପୁଅଝିଅ ପ୍ରେମ ବ୍ୟାପାରକୁ ନେଇ ଗାଁରେ ବିବାଦ ସୃଷ୍ଟି ହେଉଥିଲା। ହେଲେ ଭଦ୍ରଲୋକମାନେ ପରିସ୍ଥିତିକୁ ଦେଖି ଠିକ୍‌ ନିଷ୍ପତ୍ତି ନେଉଥିଲେ। ଆବଶ୍ୟକ ପଡ଼ିଲେ ଉଭୟ ପକ୍ଷଙ୍କୁ ରାଜି କରାଇ ବିବାହ କାର୍ଯ୍ୟ ସମ୍ପନ୍ନ କରାଉଥିଲେ। ପରିବାର ଭିତରେ ଛୋଟ ଛୋଟ ଘଟଣାକୁ ନେଇ ଉପୁଜୁଥିବା କଳି ଝଗଡ଼ା ଓ ମନୋମାଳିନ୍ୟକୁ ଭଦ୍ରଲୋକମାନେ ବସି ଅତି ସହଜରେ ମେଣ୍ଟାଇ ଦେଉଥିଲେ। କଥା ଆଉ ଆଗକୁ ବଢ଼ୁ ନ ଥିଲା।
ଆଜି ସମୟ ବଦଳି ଯାଇଛି। ସମସ୍ତେ ନିଜ ହାତରେ ଚଉଦ ପା’। ଗାଁରେ ଆଉ ନ୍ୟାୟ ନିଶାପ ବସୁନି କି ଗାଁ ଭଦ୍ରଲୋକଙ୍କର ହସ୍ତକ୍ଷେପ ଲୋଡ଼ା ଯାଉନି । ଏବେ କଥା କଥାକେ ଲୋକେ ଥାନା ମୁହଁା।
ଘର କରିଥିଲେ ପରସ୍ପର ମଧ୍ୟରେ କଥା କଟାକଟି, କଳି ଝଗଡ଼ା ଓ ମନୋମାଳିନ୍ୟ ହେବା କିଛି ନୂଆ କଥା ନୁହେଁ। ଏସବୁ ପୂର୍ବରୁ ହେଉଥିଲା ଓ ଆଜି ବି ହେଉଛି। ହେଲେ ଆଗରୁ ସେସବୁ ସେହି ଘର ଭିତରେ ସମାଧାନ ହୋଇ ଯାଉଥିଲା ବେଳେ ଏବେ କିନ୍ତୁ ଟିକେ ଟିକେ କଥାରେ ଲୋକେ ଥାନାକୁ ଦୌଡ଼ି ଯାଉଛନ୍ତି। ଏବେ ସକାଳୁ ସଞ୍ଜ ଥାନାରେ ଯେମିତି ହାଟ ବସିଛି। ପରିବାର ଭିତରେ ବାପପୁଅ, ସ୍ବାମୀ ସ୍ତ୍ରୀ, ଭାଇ ଭାଇଙ୍କ ଭିତରେ ସାମାନ୍ୟ କଥାକୁ ନେଇ ଦେଖା ଦେଇଥିବା ବିବାଦ ଏବେ ଥାନା କୋର୍ଟ କଚେରିକୁ ଯାଉଛି। ଆଜିକାଲି ଗାଁ ଗାଁରେ ଜମିବାଡ଼ି ବିବାଦ ଅଧିକ ମାତ୍ରାରେ ଘଟୁଥିବା ଦେଖାଯାଉଛି। ମନ ଭିତରେ ରହୁଥିବା ଈର୍ଷା, ଅହଂକାର ଓ ଜିଦ୍‌ଖୋର ମନୋଭାବ ଯୋଗୁ କେହି କାହା ଆଗରେ ମୁଣ୍ଡ ନୋଇଁବାକୁ ରାଜି ନୁହନ୍ତି। ଫଳରେ ନଖରେ ଛିଡ଼ିବା ଜିନିଷ ଲାଗି କୁରାଢ଼ି ଲୋଡ଼ା ପଡୁଛି। ପରସ୍ପର ଭିତରେ ବୁଝାମଣାର ଅଭାବ ଯୋଗୁ ଛୋଟିଆ ଘଟଣାଟେ ଉଗ୍ରରୂପ ଧାରଣ କରୁଛି। ଫଳ ସ୍ବରୂପ ଘର ଭାଙ୍ଗି ଯାଉଛି। ଥାନା ଓ କୋର୍ଟ କଚେରିକୁ ଦୌଡି ଦୌଡି ଅଯଥା ଆର୍ଥିକ ଓ ମାନସିକ ଶୋଷଣର ଶିକାର ହେବାକୁ ପଡୁଛି। ଶେଷରେ ଯେ ବିବାଦର ସମାଧାନ ହୋଇଯିବ ତା’ର ମାନେ ନାହିଁ। ତେବେ ଏକଥା ଲୋକେ ବୁଝି ନାହାନ୍ତି କାହିଁକି ?
ମନ ଭିତରେ ଥିବା ସବୁ ଗ୍ଳାନି ଓ ଅହଂକାରକୁ ପୋଛି ଦେଇ ଟିକେ ନଇଁ ପଡ଼ିଲେ ଯଦି ସବୁ କିଛିର ସମାଧାନ ହୋଇ ପାରିବ ତେବେ ଏଥିରେ କୁଣ୍ଠାବୋଧ କାହିଁକି ? ଉତ୍ତମ ବୁଝାମଣା ଓ ସୁସମ୍ପର୍କ ଭିତରେ ପାରିବାରିକ ଓ ସାମାଜିକ ଜୀବନକୁ ସୁଖମୟ କରିବାର ଭାବନା ସମସ୍ତଙ୍କ ଭିତରେ ଜାଗ୍ରତ ହେଉ। ଗାଁର ବୟସ୍କ, ମୁରବୀ ଓ ଭଦ୍ରଲୋକଙ୍କ ବିଚାରକୁ ମାନି ଲୋକେ ପରସ୍ପର ଭିତରେ ରହିଥିବା ସବୁ ବିବାଦର ସମାଧାନ କରିବାକୁ ଆଗେଇ ଆସନ୍ତୁ, ଏତିକି କାମନା।

ଯଦୁମଣି ପାଣିଗ୍ରାହୀ

ଶଙ୍ଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?