ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ ଦେଶଗୁଡ଼ିକୁ ପ୍ରତିରକ୍ଷା ବାବଦରେ ସେମାନଙ୍କ ଜିଡିପିର ୩.୫% ଖର୍ଚ୍ଚ କରିବାକୁ ଚାପ ପକାଇଛନ୍ତି, ଯାହାକୁ ନେଇ ସମଗ୍ର ଏସୀୟ ଅଞ୍ଚଳ ଏବଂ ତା’ ବାହାରେ ଆଶଙ୍କା ବୃଦ୍ଧି ପାଇଛି। ସାମରିକ ପ୍ରସ୍ତୁତି ପାଇଁ ତାଙ୍କର ଏହି ଆହ୍ବାନ ବୋଧହୁଏ ଶୀତଳ ଯୁଦ୍ଧ ଶେଷ ହେବା ପରଠାରୁ ଆଞ୍ଚଳିକ ପ୍ରତିରକ୍ଷା ଦିଗରେ ଉନ୍ନତି ଆଣିପାରେ। ବାସ୍ତବରେ ଏଭଳି ପଦକ୍ଷେପ ଆଞ୍ଚଳିକ ସୁରକ୍ଷାକୁ ମଜଭୁତ କରିବା କିମ୍ବା ଆମେରିକା ପ୍ରତିରକ୍ଷା ସମସ୍ୟା ଦୂର କରିବାରେ ବିଶେଷ ସହାୟକ ହେବ ନାହିଁ। କଥା ହେଉଛି, ଚାଇନା ମଧ୍ୟ ଭଲ ଭାବେ ଏହାର ଜବାବ ଦେଇପାରେ, ଯଦ୍ଦ୍ବାରା ଏହି ବର୍ଦ୍ଧିତ ଖର୍ଚ୍ଚରୁ କମ୍‌ କିମ୍ବା ଆଦୌ ଲାଭ ମିଳି ନ ପାରେ।
ଚାଇନାର ଦକ୍ଷିଣରେ ଏବଂ ଭାରତର ପୂର୍ବରେ ଥିବା ୧୧ ସଦସ୍ୟ ବିଶିଷ୍ଟ ମହାଦେଶୀୟ ଗୋଷ୍ଠୀ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ) ଗଠନ କରାଯାଇଛି। ଏହି ଦେଶଗୁଡ଼ିକ ୧୯୭୯ର ସିନୋ-ଭିଏଟ୍‌ନାମ ଯୁଦ୍ଧ ପରଠାରୁ ପ୍ରାୟତଃ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ ହୋଇ ରହିଛି। ଆସିଆନର ଅନେକ ଅଭାବ ଏବଂ ଆଭ୍ୟନ୍ତରୀଣ ବିଭାଜନ ରହିବା ସତ୍ତ୍ୱେ, ଏହି ଗୋଷ୍ଠୀରେ ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ଏବଂ ସିଙ୍ଗାପୁର ଭଳି ଗଣତନ୍ତ୍ର; କାମ୍ବୋଡିଆ, ଲାଓସ ଏବଂ ଭିଏଟ୍‌ନାମ ଭଳି ଏକଚ୍ଛତ୍ରବାଦୀ ଶାସନ ଏବଂ ମ୍ୟାନ୍‌ମାର ଭଳି ସାମରିକ ଶାସନ ଥିଲେ ମଧ୍ୟ ଆଞ୍ଚଳିକ ନିରାପତ୍ତା ପାଇଁ ଏହା ବହୁଦିନ ଧରି ଏକମାତ୍ର ବିଶ୍ୱସନୀୟ ସଂସ୍ଥା ହୋଇ ରହିଆସିଛି। ଏପରି କି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନା, ଆମେରିକା, ଭାରତ ଏବଂ ଜାପାନ ଭଳି ବଡ଼ ଶକ୍ତିଗୁଡ଼ିକୁ ମୁହାଁମୁହିଁ ଓ ବିବାଦରୁ ଦୂରେଇ ରଖିବା ପାଇଁ ଆସିଆନ ସାମରିକ ଶକ୍ତି ବଦଳରେ ଆଲୋଚନା ଏବଂ କୂଟନୀତିକୁ ଅଧିକ ଗୁରୁତ୍ୱ ଦେଇ ଏକ ସେତୁ ତଥା ମଧ୍ୟସ୍ଥ ଭାବରେ କାର୍ଯ୍ୟ କରିଆସିଛି। ୱିନଷ୍ଟନ ଚର୍ଚ୍ଚିଲ ଥରେ କହିଥିଲେ, ‘ଯୁଦ୍ଧ ଅପେକ୍ଷା ମୁହଁାମୁହିଁ କଥାବାର୍ତ୍ତା କରିବା ଭଲ।’ କିନ୍ତୁ ସିଙ୍ଗାପୁରରେ ହେଗ୍‌ସେଥ ନେତାଙ୍କୁ ସମାଲୋଚନା କରି କହିଥିଲେ- ”ଆମକୁ ଆଉ ଅଧିକ ସମ୍ମିଳନୀ କିମ୍ବା ଆଲୋଚନା ଦରକାର ନାହିଁ। ଆମକୁ ଅଧିକ ଯୁଦ୍ଧକ୍ଷମ ଶକ୍ତି ଆବଶ୍ୟକ। କମ୍‌ ଶାଙ୍ଗ୍ରି-ଲା ଆଲୋଚନା, ବରଂ ଅଧିକ ଯୁଦ୍ଧପୋତ, ସବ୍‌ମରିନ ଆବଶ୍ୟକ।“
ହେଗ୍‌ସେଥ ବୁଝିବାରେ ବିଫଳ ହୋଇଛନ୍ତି ଯେ, ସମଗ୍ର ଏସିଆରେ ସାମରିକ ସାମର୍ଥ୍ୟ ବୃଦ୍ଧି କରିବା ଆହ୍ବାନ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଆଡ଼କୁ ମହଁାଇବା ଆଶଙ୍କା ସୃଷ୍ଟି କରୁଛି। ବିଶେଷକରି ଆମେରିକା ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବଢୁଥିବାବେଳେ ଏବଂ ଭାରତ ଓ ଜାପାନ ନିଜ ନିଜ ସେନାକୁ ଦୃଢ଼ କରିବା ପାଇଁ ପଦକ୍ଷେପ ନେଉଥିବା ସମୟରେ, ଐତିହାସିକ ଶତ୍ରୁତା ତଥା ପାରସ୍ପରିକ ବିବାଦରେ ଲିପ୍ତ ଥିବା ଏହି ଅଞ୍ଚଳ ପାଇଁ ହେଗ୍‌ସେଥଙ୍କ ଆହ୍ବାନ ବିପଦ ସୃଷ୍ଟି କରିପାରେ। ବାସ୍ତବରେ ପରମାଣୁ ଅସ୍ତ୍ରଶସ୍ତ୍ର ହାସଲ କରିବା ନେଇ ଏବେ ଜାପାନ ଏବଂ ଦକ୍ଷିଣ କୋରିଆରେ ଯେଉଁ ଖୋଲା ବିତର୍କ ଚାଲିଛି, ତାହା ଏସୀୟ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କେତେ ବିପଜ୍ଜନକ ହୋଇପାରେ, ତା’ର ଏକ ବଡ଼ ପ୍ରମାଣ। ଏଥିରେ ଅର୍ଥନୈତିକ ସଙ୍କଟ ମଧ୍ୟ ରହିଛି। ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ହାରାହାରି ସେମାନଙ୍କ ଜିଡିପିର ୨ ପ୍ରତିଶତରୁ କମ୍‌ ଅର୍ଥ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଥିବା ବେଳେ, ହେଗ୍‌ସେଥଙ୍କ ୩.୫ ପ୍ରତିଶତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡକୁ ସେମାନଙ୍କର ବାର୍ଷିକ ସାମରିକ ଖର୍ଚ୍ଚକୁ ବର୍ତ୍ତମାନର ଦୁଇଗୁଣରୁ ଅଧିକ କରିବାକୁ ପଡ଼ିବ। ସିଙ୍ଗାପୁର ଏବଂ ଭିଏଟ୍‌ନାମ ଭଳି ଅନ୍ୟ ଦେଶଗୁଡ଼ିକ କ୍ଷେତ୍ରରେ ଏହି ବ୍ୟବଧାନ କମ ଥିଲେ ମଧ୍ୟ ସେମାନଙ୍କ ପାଇଁ ଏହା ଯଥେଷ୍ଟ ଅଧିକ । କେବଳ ମ୍ୟାନ୍‌ମାର ପ୍ରତିରକ୍ଷା ବ୍ୟୟ ପୂର୍ବରୁ ୬.୮ ପ୍ରତିଶତ କରିଆସୁଛି ଏବଂ ଏହି ଲକ୍ଷ୍ୟଠାରୁ ଆଗରେ ରହିଛି।
ଚିନ୍ତାର ବିଷୟ ହେଉଛି, ଐତିହାସିକ ଭାବରେ ଦକ୍ଷିଣ-ପୂର୍ବ ଏସିଆର ରାଜନୀତିରେ ସେନା ଏକ ବଡ଼ ଭୂମିକା ଗ୍ରହଣ କରିଆସିଛି। ଉଦାହରଣ ସ୍ବରୂପ, ଗତ ଏକ ଶତାବ୍ଦୀ ମଧ୍ୟରେ ଥାଇଲାଣ୍ଡ ସେନା ୨୨ ଥର କ୍ଷମତା ଦଖଲ କରିବାକୁ ଉଦ୍ୟମ କରିଥିବା ବେଳେ, ସେଥିରୁ ୧୩ ଥର ସଫଳ ହୋଇଛି। ତେବେ ଅନେକ ଦେଶରେ ପ୍ରତିରକ୍ଷା ବଜେଟ ବୃଦ୍ଧି ହେଲେ ସେହି ଦେଶର ସାମରିକ ଅଧିକାରୀମାନେ କ୍ଷମତା ଦଖଲ ପାଇଁ ଅଧିକ ପ୍ରୋତ୍ସାହିତ ହୋଇପାରନ୍ତି। ଏହାସହ ହେଗ୍‌ସେଥ୍‌ଙ୍କ ଦାବିକୁ ଗ୍ରହଣ କଲେ ଲମ୍ବା ସମୟ ଧରି ଅଭିବୃଦ୍ଧି କ୍ଷେତ୍ର ପ୍ରଭାବିତ ହୋଇପାରେ। ଶୀତଳ ଯୁଦ୍ଧ ଶେଷ ପରଠୁୁ ଦକ୍ଷିଣ-ପୂର୍ବ ଏସିଆ ଆସିଆନ ମାଧ୍ୟମରେ ଅର୍ଥନୈତିକ ଦୃଢ଼ତା ସକାଶେ ପ୍ରତିରକ୍ଷା ବଦଳରେ ବାଣିଜ୍ୟ ଏବଂ ନିବେଶରେ ଅଧିକ ଗୁରୁତ୍ୱ ଦେଇଛି। ଫଳରେ ଦ୍ରୁତ ଅର୍ଥନୈତିକ ବିକାଶ ଘଟିବା ସହ ବିଶ୍ୱ ଅଭିବୃଦ୍ଧିରେ ଏହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମାତ୍ର କିଛି ବର୍ଷ ହେଲା, ଦକ୍ଷିଣ-ପୂର୍ବ ଏସିଆର ରପ୍ତାନି-ଆଧାରିତ ଅଭିବୃଦ୍ଧି ବିଶେଷକରି ଆମେରିକାର ସଂରକ୍ଷଣବାଦ ଏବଂ ଏହାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ବିରୋଧୀ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟର ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହେଉଛି। ସ୍ବାସ୍ଥ୍ୟ ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ ପାଣ୍ଠି ପ୍ରତ୍ୟାହାର କରି ଅସ୍ତ୍ରଶସ୍ତ୍ର କ୍ରୟ ଏବଂ ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ନିର୍ମାଣରେ ବିନିଯୋଗ କଲେ ଏହିସବୁ ଦେଶର ଅର୍ଥ ବ୍ୟବସ୍ଥା ଅଧିକ ଅନିଶ୍ଚିତତା ମଧ୍ୟକୁ ଚାଲିଯିବ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଯଦି ଆସିଆନ ସଦସ୍ୟ ଦେଶଗୁଡ଼ିକ ସାମରିକ ଉପକରଣ ଏବଂ ସୁରକ୍ଷା ପ୍ରକଳ୍ପ ପାଇଁ ସାମାଜିକ ନିରାପତ୍ତା ଓ କଲ୍ୟାଣକାରୀ ସେବା ସମ୍ପର୍କିତ ବ୍ୟୟ ହ୍ରାସ କରନ୍ତିି, ତେବେ ଆଭ୍ୟନ୍ତରୀଣ ଅସ୍ଥିରତା ବଢ଼ିପାରେ। ଏଭଳି ଆଭ୍ୟନ୍ତରୀଣ ବିଶୃଙ୍ଖଳା ଆଞ୍ଚଳିକ ବିବାଦକୁ ତେଜି ପାରେ, ଯାହାର ଦୃଷ୍ଟାନ୍ତ ହେଉଛି ଗତବର୍ଷ ସୀମାକୁ ନେଇ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ହୋଇଥିବା ସଂଘର୍ଷ। କମ୍‌ ଅର୍ଥନୈତିକ ଅଭିବୃଦ୍ଧି, ଅଧିକ ପ୍ରତିରକ୍ଷା ଖର୍ଚ୍ଚ ଏବଂ ସାମାଜିକ ଆବଶ୍ୟକତା ପୂରଣ ନ ହେଲେ ଆଞ୍ଚଳିକ ଏକତା ଦୁର୍ବଳ ହୋଇଯାଇପାରେ। ଆସିଆନ ଯଦି ଆହୁରି ଦୁର୍ବଳ ହେବା ଆରମ୍ଭ କରେ, ତେବେ ଏହାର କେତେକ ସଦସ୍ୟ ଦେଶ ସେମାନଙ୍କର ସ୍ବାର୍ଥ ଚାଇନାର ଭୂ-ରଣନୀତିକ କ୍ଷେତ୍ରରେ ନିହିତ ଅଛି ବୋଲି ବିଚାର କରିପାରନ୍ତି, ଯାହା ହେଗ୍‌ସେଥ୍‌ଙ୍କ ଲକ୍ଷ୍ୟର ସମ୍ପୂର୍ଣ୍ଣ ବିପରୀତ।
ଆମେରିକାର ସୁରକ୍ଷା ଛତ୍ରଛାୟା ତଳେ ଦକ୍ଷିଣ-ପୂର୍ବ ଏସିଆ ମାଗଣାରେ ଲାଭ ଉଠାଇବା ଉଚିତ ନୁହେଁ, ଯେଉଁ ଅଭିଯୋଗ ହେଗ୍‌ସେଥ୍‌ ୟୁରୋପ ଉପରେ ଆଣିଛନ୍ତି। ତେବେ ଆଞ୍ଚଳିକ ବିପଦର ମୁକାବିଲା ପାଇଁ ଅର୍ଥନୈତିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକରେ କୂଟନୀତି ତଥା ସହଯୋଗକୁ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକ କେତେ ପ୍ରଭାବଶାଳୀ ଭାବେର ବ୍ୟବହାର କରିଛନ୍ତି, ତାହାର ଗୁରୁତ୍ୱକୁ ଆମେରିକା ବୁଝିବା ଦରକାର। ଏହା ସେମାନଙ୍କର ପ୍ରତିରକ୍ଷା ରଣନୀତିର ଅଭିନ୍ନ ଅଙ୍ଗ ଏବଂ ଏହାର ଅର୍ଥ ହେଉଛି ଚାଇନା ସହ ଅଧିକ ଜଡ଼ିତ ହେବା ଏବଂ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରି ଏବଂ ଆସିଆନ ଡିଫେନ୍ସ ମିନିଷ୍ଟର୍ସ ମିଟିଂ ପ୍ଲସ (ଯେଉଁଥିରେ ଆମେରିକା ମଧ୍ୟ ଅଂଶଗ୍ରହଣ କରେ) ଭଳି ସଂସ୍ଥାଗୁଡ଼ିକରେ ଚାଇନାକୁ ଅନ୍ତର୍ଭୁକ୍ତ କରିବା।
ଶେଷରେ, ତଥ୍ୟରୁ ଜଣାପଡ଼େ ଯେ ସୁରକ୍ଷା ସମ୍ବନ୍ଧିତ ଖର୍ଚ୍ଚ ପରସ୍ପର ମଧ୍ୟରେ ମିଳିତ ଭାବେ ଶେୟାର କରିବା ପାଇଁ ହେଗ୍‌ସେଥ୍‌ଙ୍କ ଆହ୍ବାନ ପ୍ରାୟତଃ ଆଞ୍ଚଳିକ ଦାଦାଗିରିକୁ ସୂଚିତ କରେ। ଯଦି ଆମେରିକା ଚାହେଁ ଏସିଆରେ ସୁରକ୍ଷା କ୍ଷେତ୍ରରେ ତାହାର ସହଯୋଗୀମାନେ ଅଧିକ ଦାୟିତ୍ୱ ନିଅନ୍ତୁ, ତେବେ ଏହା ଆଶା ଯେ ଏସୀୟ ଅଞ୍ଚଳର ବର୍ଦ୍ଧିତ ପ୍ରତିରକ୍ଷା ଖର୍ଚ୍ଚ ଆମେରିକାର ସାମରିକ ବ୍ୟୟ ହ୍ରାସ ସହିତ ସିଧା ସମ୍ପର୍କ ରହିବ । କିନ୍ତୁ ହେଗ୍‌ସେଥ୍‌ଙ୍କ ନିଜସ୍ବ ‘ଡିପାର୍ଟମେଣ୍ଟ ଅଫ ଓ୍ବାର’ ଆଗାମୀ ଆର୍ଥିକ ବର୍ଷରେ ନିଜ ବଜେଟକୁ ୧ ଟ୍ରିଲିୟନରୁ ବୃଦ୍ଧି କରି ୧.୫ ଟ୍ରିଲିୟନ କରିବାକୁ ଚାହୁଁଛି । ଯଦି କଂଗ୍ରେସ ଏହି ୫୦% ବୃଦ୍ଧିକୁ ମଞ୍ଜୁରୀ ଦିଏ, ତେବେ ଆମେରିକା ବିଶ୍ୱର ଅନ୍ୟ ନଅଟି ସର୍ବବୃହତ୍‌ ସାମରିକ ଶକ୍ତିଙ୍କ ମିଳିତ ପ୍ରତିରକ୍ଷା ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କରିବ, ଯାହା ବିଶ୍ୱର ସାମରିକ ବ୍ୟୟର ପ୍ରାୟ ୪୪%। ହେଗ୍‌ସେଥ୍‌ଙ୍କ ଏହି ଅସ୍ପଷ୍ଟ ତଥା ଅବ୍ୟବସ୍ଥିତ ପ୍ରସ୍ତାବ ପ୍ରକୃତ ବିପଦ ପ୍ରତି ଅଜ୍ଞତାକୁ ପ୍ରକାଶ କରେ। ଯଦି ଆମେରିକା ଟ୍ରମ୍ପ ପ୍ରଶାସନର ଜାତୀୟ ସୁରକ୍ଷା ରଣନୀତି ଏବଂ ଜାତୀୟ ପ୍ରତିରକ୍ଷା ରଣନୀତି ଅନୁଯାୟୀ ପଶ୍ଚିମ ଗୋଲାର୍ଦ୍ଧ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଉପରେ ଗୁରୁତ୍ୱ ଦିଏ ଏବଂ ଏସିଆରେ ପ୍ରତିରକ୍ଷା ପ୍ରତିଶ୍ରୁତିରୁ ପଛଘୁଞ୍ଚା ଦିଏ, ତେବେ ଆସିଆନ ସଦସ୍ୟ ଦେଶଗୁଡ଼ିକ ସାମରିକ ଖର୍ଚ୍ଚ କ୍ଷେତ୍ରରେ ଚାଇନା ସହିତ ମୁକାବିଲା କରିବାରେ ଅସମର୍ଥ ହେବେ। ଏହାର ଫଳସ୍ବରୂପ ସୃଷ୍ଟି ହେଉଥିବା ଅସନ୍ତୁଳନ କାହାରି ସ୍ବାର୍ଥରେ ରହିବ ନାହିଁ, ଅବଶ୍ୟ ଚାଇନାକୁ ବାଦ୍‌ ଦେଲେ।

ଥିଟିନନ୍‌ ପୋଙ୍ଗସୁଧିରକ
-ପ୍ରାଧ୍ୟାପକ( ରାଜନୀତି ବିଜ୍ଞାନ), ଚୁଲାଲୋଙ୍ଗକର୍ନ ବିଶ୍ୱବିଦ୍ୟାଳୟ, ବ୍ୟାଙ୍କକ, ଥାଇଲାଣ୍ଡ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?